|
| 1 |
|
| ଏଥିଉତ୍ତାରେ ଦାଉଦ ପଚାରିଲେ, “ଯୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ଶାଉଲଙ୍କ ବଂଶରେ ଅବଶିଷ୍ଟ ଅଛି?” |
|
| 2 |
|
| ତହିଁରେ ଲୋକମାନେ ସୀବଃ ନାମକ ଶାଉଲଙ୍କ ବଂଶର ଏକ ଦାସକୁ ଦାଉଦଙ୍କ ନିକଟକୁ ଡାକନ୍ତେ, ରାଜା ତାହାକୁ ପଚାରିଲେ, “ତୁମ୍ଭେ କି ସୀବଃ?” ତହୁଁ ସେ କହିଲା, “ଆପଣଙ୍କ ଦାସ ସେହି।” |
|
| 3 |
|
| ତହିଁରେ ରାଜା ପଚାରିଲେ, “ମୁଁ ଯାହା ପ୍ରତି ପରମେଶ୍ୱରଙ୍କ ଦୟା ପ୍ରକାଶ କରିପାରେ, ଏପରି କେହି କି ଏବେ ଶାଉଲଙ୍କ ବଂଶରେ ଅଛି?” ଏଥିରେ ସୀବଃ ରାଜାଙ୍କୁ କହିଲା, “ଯୋନାଥନର ଏକ ପୁତ୍ର ଏବେ ଅଛି, ତାହାର ପାଦ ଛୋଟା।” |
|
| 4 |
|
| ତହୁଁ ରାଜା ତାହାକୁ ପଚାରିଲେ, “ସେ କେଉଁଠାରେ ଅଛି?” ତହିଁରେ ସୀବଃ ରାଜାଙ୍କୁ କହିଲା, “ଦେଖନ୍ତୁ, ସେ ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରେ ଅଛି।” |
|
| 5 |
|
| ତେବେ ଦାଉଦ ରାଜା ଲୋ-ଦବାରକୁ ଲୋକ ପଠାଇ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରୁ ତାହାକୁ ଅଣାଇଲେ। |
|
| 6 |
|
| ଏଥିରେ ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍ ଦାଉଦଙ୍କ ନିକଟକୁ ଆସି ମୁହଁ ମାଡ଼ି ପଡ଼ି ପ୍ରଣାମ କଲା। ତହୁଁ ଦାଉଦ କହିଲେ, “ହେ ମଫୀବୋଶତ୍।” ସେ ଉତ୍ତର କଲା, “ଦେଖନ୍ତୁ, ଆପଣଙ୍କ ଦାସ ଉପସ୍ଥିତ ଅଛି।” |
|
| 7 |
|
| ତହିଁରେ ଦାଉଦ ତାହାକୁ କହିଲେ, “ଭୟ ନ କର; କାରଣ ମୁଁ ତୁମ୍ଭ ପିତା ଯୋନାଥନ ସକାଶୁ ଅବଶ୍ୟ ତୁମ୍ଭ ପ୍ରତି ଦୟା ପ୍ରକାଶ କରିବି ଓ ତୁମ୍ଭ ପିତାମହ ଶାଉଲଙ୍କର ସମସ୍ତ ଭୂମି ତୁମ୍ଭକୁ ଫେରାଇ ଦେବି ଓ ତୁମ୍ଭେ ନିତ୍ୟ ମୋହର ମେଜରେ ଭୋଜନ କରିବ।” |
|
| 8 |
|
| ତେଣୁ ସେ ପ୍ରଣାମ କରି କହିଲା, “ମୁଁ ତ ମଲା କୁକ୍କୁର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏପରି କଅଣ?” |
|
| 9 |
|
| ତେବେ ରାଜା ଶାଉଲଙ୍କର ଦାସ ସୀବଃକୁ ଡାକି କହିଲେ, “ମୁଁ ତୁମ୍ଭ କର୍ତ୍ତାର ପୁତ୍ରକୁ ଶାଉଲଙ୍କର ଓ ତାଙ୍କ ବଂଶର ସର୍ବସ୍ୱ ଦେଲି। |
|
| 10 |
|
| ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତହିଁର ଫଳ ଆଣି ଦେବ; ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫୀବୋଶତ୍ ନିତ୍ୟ ମୋହର ମେଜରେ ଭୋଜନ କରିବ।” ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ଥିଲେ। |
|
| 11 |
|
| ତେବେ ସୀବଃ ରାଜାଙ୍କୁ କହିଲା, “ଆମ୍ଭ ପ୍ରଭୁ ମହାରାଜ ଆପଣା ଦାସକୁ ଯେଉଁସବୁ ଆଜ୍ଞା ଦେଉଅଛନ୍ତି, ତଦନୁସାରେ ଆପଣଙ୍କ ଦାସ କରିବ।” ମଫୀବୋଶତ୍ ବିଷୟରେ ରାଜା କହିଲେ, “ସେ ଏକ ରାଜପୁତ୍ର ପରି ଆମ୍ଭ ମେଜରେ ଭୋଜନ କରିବ।” |
|
| 12 |
|
| ସେହି ମଫୀବୋଶତ୍ର ଏକ ସାନ ପୁତ୍ର ଥିଲା, ତାହାର ନାମ ମୀକା। ପୁଣି ସୀବଃର ଗୃହରେ ବାସକାରୀ ସମସ୍ତ ଲୋକ ମଫୀବୋଶତ୍ର ଦାସ ହେଲେ। |
|
| 13 |
|
| ଏହିରୂପେ, ମଫୀବୋଶତ୍ ଯିରୂଶାଲମରେ ବାସ କଲା; ସେ ନିତ୍ୟ ରାଜମେଜରେ ଭୋଜନ କଲା; ଯଦିଓ ତାହାର ଦୁଇ ପାଦ ଛୋଟା ଥିଲା। |
|
|
|
|