|
| 1 |
|
| ଅନନ୍ତର ତାଙ୍କର ପୁତ୍ର ଯିହୋଶାଫଟ୍ ତାଙ୍କର ପଦରେ ରାଜ୍ୟ କରି ଇସ୍ରାଏଲ ବିରୁଦ୍ଧରେ ଆପଣାକୁ ବଳବାନ କଲେ । |
|
| 2 |
|
| ପୁଣି ସେ ଯିହୁଦାର ସକଳ ପ୍ରାଚୀରବେଷ୍ଟିତ ନଗରରେ ସୈନ୍ୟ ରଖିଲେ, ଆଉ ଯିହୁଦା ଦେଶରେ ଓ ତାଙ୍କର ପିତା ଆସାଙ୍କର ହସ୍ତଗତ ଇଫ୍ରୟିମର ସକଳ ନଗରରେ ପ୍ରହରୀଦଳ ସ୍ଥାପନ କଲେ । |
|
| 3 |
|
| ଆଉ, ଯିହୋଶାଫଟ୍ ଆପଣା ପୂର୍ବପୁରୁଷ ଦାଉଦଙ୍କର ପ୍ରଥମ ଆଚରଣରୂପ ପଥରେ ଗମନ କରି ବାଲ୍ଦେବଗଣର ଅନ୍ଵେଷଣ ନ କରିବାରୁ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ; |
|
| 4 |
|
| ପୁଣି, ସେ ଆପଣା ପୈତୃକ ପରମେଶ୍ଵରଙ୍କର ଅନ୍ଵେଷଣ କଲେ ଓ ତାହାଙ୍କ ଆଜ୍ଞା ପଥରେ ଚଳି ଇସ୍ରାଏଲର କର୍ମାନୁଯାୟୀ କଲେ ନାହିଁ । |
|
| 5 |
|
| ଏହେତୁ ସଦାପ୍ରଭୁ ତାଙ୍କର ହସ୍ତରେ ରାଜ୍ୟ ଦୃଢ଼ କଲେ ଓ ସମଗ୍ର ଯିହୁଦା ଯିହୋଶାଫଟ୍ଙ୍କ ନିକଟକୁ ଦର୍ଶନୀ ଆଣିଲେ; ତହିଁରେ ସେ ଅତିଶୟ ଧନ ଓ ସମ୍ଭ୍ରମ ପାଇଲେ । |
|
| 6 |
|
| ପୁଣି, ତାଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କ ପଥରେ ଉନ୍ନତ ହେଲା; ଆହୁରି ସେ ଯିହୁଦା ମଧ୍ୟରୁ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତିସବୁ ଦୂର କଲେ । |
|
| 7 |
|
| ମଧ୍ୟ ସେ ଆପଣା ଅଧିକାରର ତୃତୀୟ ବର୍ଷରେ ଯିହୁଦାର ନଗରସବୁରେ ଶିକ୍ଷା ଦେବା ପାଇଁ ଆପଣା ଅଧିପତିମାନଙ୍କୁ, ଅର୍ଥାତ୍, ବିନ୍ହୟିଲ ଓ ଓବଦୀୟ ଓ ଜିଖରୀୟ ଓ ନଥନେଲ ଓ ମୀଖାୟକୁ ପଠାଇଲେ; |
|
| 8 |
|
| ଆଉ ସେମାନଙ୍କ ସଙ୍ଗେ ଲେବୀୟମାନଙ୍କୁ, ଅର୍ଥାତ୍, ଶମୟୀୟ ଓ ନଥନୀୟ ଓ ସବଦୀୟ ଓ ଅସାହେଲ ଓ ଶମୀରାମୋତ୍ ଓ ଯିହୋନାଥନ୍ ଓ ଅଦୋନୀୟ ଓ ଟୋବୀୟ ଓ ଟୋବଦୋନୀୟ, ଏହି ଲେବୀୟମାନଙ୍କୁ ଓ ସେମାନଙ୍କ ସଙ୍ଗେ ଇଲୀଶାମା ଓ ଯିହୋରାମ୍ ଯାଜକକୁ ପଠାଇଲେ । |
|
| 9 |
|
| ତହିଁରେ ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ ସଙ୍ଗରେ ନେଇ ଯିହୁଦା ଦେଶରେ ଶିକ୍ଷା ଦେଲେ; ଆଉ, ସେମାନେ ଯିହୁଦାର ସକଳ ନଗରରେ ଭ୍ରମଣ କରି ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେଲେ । |
|
| 10 |
|
| ତହୁଁ ଯିହୁଦାର ଚତୁର୍ଦ୍ଦିଗସ୍ଥ ଦେଶର ସକଳ ରାଜ୍ୟରେ ସଦାପ୍ରଭୁଙ୍କ ଆଡ଼ୁ ଭୟ ଉପସ୍ଥିତ ହେଲା, ଏଣୁ ସେମାନେ ଯିହୋଶାଫଟ୍ଙ୍କ ପ୍ରତିକୂଳରେ ଯୁଦ୍ଧ କଲେ ନାହିଁ । |
|
| 11 |
|
| ପୁଣି, କେତେକ ପଲେଷ୍ଟୀୟ ଲୋକ ଯିହୋଶାଫଟ୍ଙ୍କ ନିକଟକୁ ଦର୍ଶନୀ ଓ କର ନିମନ୍ତେ ରୂପା ଆଣିଲେ; ଆରବୀୟମାନେ ମଧ୍ୟ ତାଙ୍କ ନିକଟକୁ ପଲ ପଲ କରି ସାତ ହଜାର ସାତ ଶହ ମେଷ ଓ ସାତ ହଜାର ସାତ ଶହ ଛାଗ ଆଣିଲେ । |
|
| 12 |
|
| ତହିଁରେ ଯିହୋଶାଫଟ୍ ବେଳକୁ ବେଳ ଅତି ମହାନ ହୋଇ ଉଠିଲେ ଓ ସେ ଯିହୁଦା ଦେଶରେ ଦୁର୍ଗ ଓ ଭଣ୍ତାର-ନଗରମାନ ନିର୍ମାଣ କଲେ । |
|
| 13 |
|
| ଆଉ, ଯିହୁଦାର ସବୁ ନଗରରେ ତାଙ୍କର ଅନେକ କର୍ମ ଥିଲା ଓ ଯିରୂଶାଲମରେ ଯୋଦ୍ଧା, ମହାବିକ୍ରମଶାଳୀ ଲୋକ ଥିଲେ । |
|
| 14 |
|
| ଆପଣା ଆପଣା ପିତୃବଂଶାନୁସାରେ ସେମାନଙ୍କର ସଂଖ୍ୟା ଏହି; ଯିହୁଦାର ସହସ୍ରପତିମାନଙ୍କ ମଧ୍ୟରେ ଅଦ୍ନ ସେନାପତି ଥିଲା ଓ ତାହା ସଙ୍ଗରେ ତିନି ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ । |
|
| 15 |
|
| ତାହା ଉତ୍ତାରେ ଯିହୋହାନନ୍ ସେନାପତି ଥିଲା, ତାହା ସଙ୍ଗରେ ଦୁଇ ଲକ୍ଷ ଅଶୀ ହଜାର ଲୋକ ଥିଲେ । |
|
| 16 |
|
| ପୁଣି, ତାହା ଉତ୍ତାରେ ସିଖ୍ରିର ପୁତ୍ର ଅମସୀୟ, ସେ ସ୍ଵେଚ୍ଛାରେ ଆପଣାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲା; ତାହା ସଙ୍ଗରେ ଦୁଇ ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ; |
|
| 17 |
|
| ପୁଣି, ବିନ୍ୟାମୀନ ମଧ୍ୟରୁ ଇଲୀୟାଦା, ସେ ମହାବିକ୍ରମଶାଳୀ ଲୋକ ଥିଲା ଓ ତାହା ସଙ୍ଗରେ ଦୁଇ ଲକ୍ଷ ଧନୁର୍ଦ୍ଧାରୀ ଓ ଢାଲଧାରୀ ଲୋକ ଥିଲେ; |
|
| 18 |
|
| ଆଉ ତାହା ଉତ୍ତାରେ ଯିହୋଷାବଦ୍ ଓ ତାହା ସଙ୍ଗରେ ଯୁଦ୍ଧାର୍ଥେ ପ୍ରସ୍ତୁତ ଏକ ଲକ୍ଷ ଅଶୀ ହଜାର ଲୋକ ଥିଲେ । |
|
| 19 |
|
| ରାଜା ଯିହୁଦାର ସର୍ବତ୍ର ପ୍ରାଚୀରବେଷ୍ଟିତ ନଗର-ମାନରେ ଯେଉଁମାନଙ୍କୁ ରଖିଥିଲେ, ସେମାନଙ୍କ ଛଡ଼ା ଏମାନେ ରାଜାଙ୍କର ସେବା କଲେ । |
|
|
|
|