|
| 1 |
|
| ଏହିସବୁ ଘଟଣା ଉତ୍ତାରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲା; ଉକ୍ତ ସରାୟ ଅସରୀୟର ସନ୍ତାନ, ଅସରୀୟ ହିଲ୍କୀୟର ସନ୍ତାନ, |
|
| 2 |
|
| ହିଲ୍କୀୟ ଶଲ୍ଲୁମ୍ର ସନ୍ତାନ, ଶଲ୍ଲୁମ୍ ସାଦୋକର ସନ୍ତାନ, ସାଦୋକ ଅହୀଟୂବ୍ର ସନ୍ତାନ, |
|
| 3 |
|
| ଅହୀଟୂବ୍ ଅମରୀୟର ସନ୍ତାନ, ଅମରୀୟ ଅସରୀୟର ସନ୍ତାନ, ଅସରୀୟ ମରାୟୋତ୍ର ସନ୍ତାନ, |
|
| 4 |
|
| ମରାୟୋତ୍ ସରହୀୟର ସନ୍ତାନ, ସରହୀୟ ଉଷିର ସନ୍ତାନ, ଉଷି ବୁକ୍କିର ସନ୍ତାନ, |
|
| 5 |
|
| ବୁକ୍କି ଅବୀଶୂୟର ସନ୍ତାନ, ଅବୀଶୂୟ ପୀନହସ୍ର ସନ୍ତାନ, ପୀନହସ୍ ଇଲୀୟାସରର ସନ୍ତାନ, ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର। |
|
| 6 |
|
| ଏହି ଏଜ୍ରା ବାବିଲରୁ ପ୍ରସ୍ଥାନ କଲେ; ସେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶାଙ୍କ ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲେ; ପୁଣି, ତାଙ୍କ ପ୍ରତି ତାଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ରାଜା ତାହାର ସମସ୍ତ ପ୍ରାର୍ଥିତ ବିଷୟ ତାହାଙ୍କୁ ପ୍ରଦାନ କଲେ। |
|
| 7 |
|
| ଆଉ, ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଲୋକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଯିରୂଶାଲମକୁ ଗଲେ। |
|
| 8 |
|
| ଆଉ, ଏଜ୍ରା ପଞ୍ଚମ ମାସରେ, ଅର୍ଥାତ୍, ରାଜାର ସେହି ସପ୍ତମ ବର୍ଷରେ ଯିରୂଶାଲମରେ ଉପସ୍ଥିତ ହେଲେ। |
|
| 9 |
|
| କାରଣ, ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୂଶାଲମରେ ଉପସ୍ଥିତ ହେଲେ। |
|
| 10 |
|
| ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲେ। |
|
| 11 |
|
| ଅର୍ତ୍ତକ୍ଷସ୍ତ ରାଜା ଅଧ୍ୟାପକ ଏଜ୍ରା ଯାଜକକୁ, ଅର୍ଥାତ୍, ସଦାପ୍ରଭୁଙ୍କ ଆଜ୍ଞାବାକ୍ୟର ଓ ଇସ୍ରାଏଲ ପ୍ରତି ତାହାଙ୍କ ବିଧିର ଅଧ୍ୟାପକକୁ ଯେଉଁ ପତ୍ର ଦେଇଥିଲା, ତହିଁର ପ୍ରତିଲିପି ଏହି, ଯଥା, |
|
| 12 |
|
| “ରାଜାଧିରାଜ ଅର୍ତ୍ତକ୍ଷସ୍ତ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ, ସିଦ୍ଧ, ଇତ୍ୟାଦି ଏଜ୍ରା ଯାଜକ ପ୍ରତି, |
|
| 13 |
|
| ମୁଁ ଆଜ୍ଞା କରୁଅଛି ଯେ, ମୋʼ ରାଜ୍ୟସ୍ଥିତ ଇସ୍ରାଏଲ ମଧ୍ୟରୁ ଯେତେ ଲୋକ, ପୁଣି ସେମାନଙ୍କର ଯାଜକ ଓ ଲେବୀୟମାନେ ଯିରୂଶାଲମକୁ ସ୍ୱେଚ୍ଛାରେ ଯିବାକୁ ମନ କରନ୍ତି, ସେମାନେ ତୁମ୍ଭ ସଙ୍ଗେ ଯାଉନ୍ତୁ। |
|
| 14 |
|
| କାରଣ ତୁମ୍ଭ ହସ୍ତସ୍ଥିତ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରମାଣେ ଯିହୁଦା ଓ ଯିରୂଶାଲମର ତତ୍ତ୍ୱାନୁସନ୍ଧାନ କରିବାକୁ, |
|
| 15 |
|
| ପୁଣି, ଯିରୂଶାଲମରେ ଯାହାଙ୍କର ଆବାସ ଅଛି, ଇସ୍ରାଏଲର ସେହି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜା ଓ ତାଙ୍କ ମନ୍ତ୍ରୀଗଣର ସ୍ଵେଚ୍ଛାଦତ୍ତ ସୁନା ଓ ରୂପା, |
|
| 16 |
|
| ଆଉ, ବାବିଲର ସମୁଦାୟ ପ୍ରଦେଶରେ ତୁମ୍ଭେ ଯେସମସ୍ତ ରୂପା ଓ ସୁନା ପାଇବ, ପୁଣି ଲୋକମାନେ ଓ ଯାଜକମାନେ ସେମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥିତ ଗୃହ ନିମନ୍ତେ ସ୍ଵେଚ୍ଛାପୂର୍ବକ ଯାହା ଦେବେ, ସେହି ସବୁ ସ୍ଵେଚ୍ଛାଦତ୍ତ ଉପହାର ନେବା ନିମନ୍ତେ ତୁମ୍ଭେ ରାଜା ଓ ତାଙ୍କ ସପ୍ତ ମନ୍ତ୍ରୀ ଦ୍ୱାରା ପ୍ରେରିତ ହେଉଅଛ; |
|
| 17 |
|
| ଏହେତୁ ତୁମ୍ଭେ ଏହି ମୁଦ୍ରା ଦ୍ୱାରା ଯତ୍ନପୂର୍ବକ ବୃଷ, ମେଷ, ମେଷଶାବକ ଓ ତହିଁ ସଙ୍ଗେ ନିରୂପିତ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ କ୍ରୟ କରି ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥିତ ଗୃହର ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ। |
|
| 18 |
|
| ଆଉ, ଅବଶିଷ୍ଟ ରୂପା ଓ ସୁନାରେ ତୁମ୍ଭକୁ ଓ ତୁମ୍ଭ ଭ୍ରାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଇଚ୍ଛା ପ୍ରମାଣେ କରିବ। |
|
| 19 |
|
| ପୁଣି, ତୁମ୍ଭ ପରମେଶ୍ୱରଙ୍କ ଗୃହର ସେବାର୍ଥକ ଯେସକଳ ପାତ୍ର ତୁମ୍ଭକୁ ଦିଆଯାଉଅଛି, ତାହାସବୁ ତୁମ୍ଭେ ଯିରୂଶାଲମର ପରମେଶ୍ୱରଙ୍କ ସମ୍ମୁଖରେ ସମର୍ପଣ କର। |
|
| 20 |
|
| ପୁଣି, ତୁମ୍ଭ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରୟୋଜନୀୟ ଆଉ ଯାହା କିଛି ତୁମ୍ଭକୁ ଦେବାକୁ ପଡ଼ିବ, ତାହା ରାଜାଙ୍କ ଭଣ୍ଡାର ଗୃହରୁ ଦିଅ। |
|
| 21 |
|
| ଆଉ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଚାହିଁବ, |
|
| 22 |
|
| ତାହାସବୁ ଏକ ଶହ ତାଳନ୍ତ ପର୍ଯ୍ୟନ୍ତ ରୂପା ଓ ଏକ ଶହ ମହଣ ପର୍ଯ୍ୟନ୍ତ ଗହମ ଓ ଏକ ଶହ ମହଣ ପର୍ଯ୍ୟନ୍ତ ଦ୍ରାକ୍ଷାରସ ଓ ଏକ ଶହ ମହଣ ପର୍ଯ୍ୟନ୍ତ ତୈଳ ଓ ଅପରିମିତ ଲବଣ ଯତ୍ନପୂର୍ବକ ଦେବା ପାଇଁ ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜା ନଦୀ ସେପାରିସ୍ଥ ସମସ୍ତ କୋଷାଧ୍ୟକ୍ଷଙ୍କୁ ଆଜ୍ଞା କରୁଅଛୁ। |
|
| 23 |
|
| ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଦ୍ୱାରା ଯାହା ଯାହା ଆଜ୍ଞା କରାଯାଇଅଛି, ତାହାସବୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଗୃହ ନିମନ୍ତେ ଠିକ୍ ରୂପେ କରାଯାଉ; କାରଣ ରାଜା ଓ ତାଙ୍କ ପୁତ୍ରଗଣର ରାଜ୍ୟ ବିରୁଦ୍ଧରେ କାହିଁକି କୋପ ବର୍ତ୍ତିବ? |
|
| 24 |
|
| ଆହୁରି, ଯାଜକମାନଙ୍କର ଓ ଲେବୀୟମାନଙ୍କର, ଗାୟକମାନଙ୍କର, ଦ୍ୱାରପାଳମାନଙ୍କର, ନଥୀନୀୟମାନଙ୍କର ଓ ପରମେଶ୍ୱରଙ୍କ ଏହି ଗୃହର ସେବକମାନଙ୍କର କାହାରି ଉପରେ କର, ରାଜସ୍ୱ ବା ମାଶୁଲ ବସାଇବା ବ୍ୟବସ୍ଥା ବିରୁଦ୍ଧ ହେବ ବୋଲି ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ। |
|
| 25 |
|
| ଆଉ, ହେ ଏଜ୍ରା, ତୁମ୍ଭ ପରମେଶ୍ୱରଙ୍କ ବିଷୟକ ଯେଉଁ ଜ୍ଞାନ ତୁମ୍ଭ ହସ୍ତରେ ଅଛି, ତଦନୁସାରେ ନଦୀ ସେପାରିସ୍ଥ ସମସ୍ତ ଲୋକଙ୍କର ବିଚାରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଚାରକର୍ତ୍ତାମାନଙ୍କୁ ତୁମ୍ଭେ ନିଯୁକ୍ତ କର; ଆଉ, ଯେ ତାହା ନ ଜାଣେ, ତାହାକୁ ତୁମ୍ଭେମାନେ ଶିକ୍ଷା ଦିଅ। |
|
| 26 |
|
| ଆଉ, ଯେକେହି ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ରାଜ-ବ୍ୟବସ୍ଥା ପାଳିବାକୁ ଅସମ୍ମତ ହେବ, ସେହି ଦୋଷ ପ୍ରାଣଦଣ୍ଡର କି ନିର୍ବାସନର କି ଅର୍ଥଦଣ୍ଡର କି କାରାଦଣ୍ଡର ଯୋଗ୍ୟ ହେଉ ପଛେ, ଯତ୍ନପୂର୍ବକ ତାହାର ଶାସନ କରାଯିବ।” |
|
| 27 |
|
| ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଯିରୂଶାଲମସ୍ଥିତ ଗୃହ ଶୋଭାନ୍ୱିତ କରିବାକୁ ରାଜାର ଅନ୍ତଃକରଣକୁ ଏରୂପ ଉଦ୍ଦୀପିତ କରିଅଛନ୍ତି, |
|
| 28 |
|
| ଆଉ, ରାଜାର ଓ ତାହାର ମନ୍ତ୍ରୀଗଣର ଓ ରାଜାର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋʼ ପ୍ରତି ଦୟା ପ୍ରକାଶ କରିଅଛନ୍ତି, ସେ ଧନ୍ୟ ହେଉନ୍ତୁ। ଏହିରୂପେ ମୋʼ ପ୍ରତି ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ହସ୍ତର ସହାୟତା ପ୍ରମାଣେ ମୁଁ ସବଳ ହେଲି ଓ ମୋʼ ସଙ୍ଗେ ଯାତ୍ରା କରିବାକୁ ଇସ୍ରାଏଲ ମଧ୍ୟରୁ ପ୍ରଧାନ ଲୋକଙ୍କୁ ଏକତ୍ର କଲି। |
|
|
|
|