|
| 1 |
|
| ଏଥିଉତ୍ତାରେ ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନ ସ୍ଥାନ ନାହିଁ, ଏହି ସମ୍ବାଦ ସନ୍ବଲ୍ଲଟ୍ ଓ ଟୋବୀୟ ଓ ଆରବୀୟ ଗେଶମ୍ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁମାନେ ଜାଣିଲେ; ଏହି ସମୟରେ ମୁଁ ନଗର-ଦ୍ୱାରସବୁରେ କବାଟ ଝୁଲାଇ ନ ଥିଲି। |
|
| 2 |
|
| ସେତେବେଳେ ସନ୍ବଲ୍ଲଟ୍ ଓ ଗେଶମ୍ ମୋʼ ନିକଟକୁ ଲୋକ ପଠାଇ କହିଲେ, “ଆସ, ଆମ୍ଭେମାନେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମରେ ଏକତ୍ରିତ ହେଉ।” ମାତ୍ର ସେମାନେ ମୋହର ଅନିଷ୍ଟ କରିବାକୁ ବିଚାର କରିଥିଲେ। |
|
| 3 |
|
| ଏଥିରେ ମୁଁ ସେମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲି, “ମୁଁ ଏକ ମହତ୍ କର୍ମ କରୁଅଛି, ଏଥିପାଇଁ ଓହ୍ଲାଇ ଆସି ନ ପାରେ; ତୁମ୍ଭମାନଙ୍କ ନିକଟକୁ ଓହ୍ଲାଇ ଯାଇ କାହିଁକି କାର୍ଯ୍ୟ ବନ୍ଦ କରିବି?” |
|
| 4 |
|
| ଏହି ପ୍ରକାରେ ସେମାନେ ଚାରି ଥର ମୋʼ ନିକଟକୁ ଲୋକ ପଠାଇଲେ; ମାତ୍ର ମୁଁ ସେମାନଙ୍କୁ ସେହି ପ୍ରକାର ଉତ୍ତର ଦେଲି। |
|
| 5 |
|
| ଏହାପରେ ସନ୍ବଲ୍ଲଟ୍ ଆପଣା ଦାସ ହାତରେ ଖଣ୍ଡେ ଖୋଲା ଚିଠି ଦେଇ ପଞ୍ଚମ ଥର ସେହି ପ୍ରକାରେ ମୋʼ ନିକଟକୁ ପଠାଇଲା। |
|
| 6 |
|
| ତହିଁରେ ଏହା ଲେଖାଥିଲା, “ଗୋଷ୍ଠୀୟମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି, ମଧ୍ୟ ଗେଶମ୍ ଏହା କହୁଅଛି ଯେ, ତୁମ୍ଭେ ଓ ଯିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଚାର କରୁଅଛ; ତହିଁ ନିମନ୍ତେ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ; ଏହି ଜନରବ ଅନୁସାରେ ତୁମ୍ଭେ ସେମାନଙ୍କର ରାଜା ହେବାକୁ ଇଚ୍ଛା କରୁଅଛ। |
|
| 7 |
|
| ଆହୁରି, ଯିହୁଦାରେ ଏକ ରାଜା ଅଛନ୍ତି ବୋଲି ଆପଣା ବିଷୟ ଯିରୂଶାଲମରେ ଘୋଷଣା କରିବା ପାଇଁ ତୁମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କୁ ନିଯୁକ୍ତ କରିଅଛ; ଏହି ଜନରବ ରାଜାଙ୍କ ନିକଟରେ ଉପସ୍ଥିତ ହେବ। ଏହେତୁ ଏବେ ଆସ, ଆମ୍ଭେମାନେ ଏକତ୍ର ମନ୍ତ୍ରଣା କରୁ।” |
|
| 8 |
|
| ତହୁଁ ମୁଁ ତାହା ନିକଟକୁ କହି ପଠାଇଲି, “ତୁମ୍ଭେ ଯାହା କହୁଅଛ, ସେପରି କୌଣସି କାର୍ଯ୍ୟ କରାଯାଉ ନାହିଁ; ତୁମ୍ଭେ କେବଳ ଆପଣା ମନରୁ ତାହାସବୁ କଳ୍ପନା କରୁଅଛ। |
|
| 9 |
|
| ଏହି କର୍ମରେ ସେମାନଙ୍କର ହସ୍ତ ଦୁର୍ବଳ ହେଲେ ତାହା ସମାପ୍ତ ନୋହିବ ବୋଲି” ସେସମସ୍ତେ ଆମ୍ଭମାନଙ୍କୁ ଭୀତ କରିବାକୁ ଇଚ୍ଛା କଲେ; ଏଣୁ ହେ ପରମେଶ୍ୱର, ମୋହର ହସ୍ତ ସବଳ କର। |
|
| 10 |
|
| ଏହାପରେ ମହେଟବେଲର ପୌତ୍ର ଦଲୟିୟର ପୁତ୍ର ଯେଉଁ ଶମୟୀୟ ଗୃହରେ ରୁଦ୍ଧ ଥିଲା, ମୁଁ ତାହା ଗୃହକୁ ଗଲି, ତହୁଁ ସେ କହିଲା, “ଆମ୍ଭେମାନେ ପରମେଶ୍ୱରଙ୍କ ଗୃହରେ, ମନ୍ଦିର ମଧ୍ୟରେ ଏକତ୍ରିତ ହେଉ ଓ ମନ୍ଦିରର ଦ୍ୱାରସବୁ ବନ୍ଦ କରୁ; କାରଣ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ; ରାତ୍ରିରେ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ।” |
|
| 11 |
|
| ତହିଁରେ ମୁଁ କହିଲି, “ମୋʼ ପରି ଲୋକ କʼଣ ପଳାଇବ? ମୋʼ ପରି ହୋଇ ପ୍ରାଣ ବଞ୍ଚାଇବା ପାଇଁ ଯେ ମନ୍ଦିର ଭିତରକୁ ଯିବ, ଏପରି କିଏ ଅଛି? ମୁଁ ଭିତରକୁ ଯିବି ନାହିଁ।” |
|
| 12 |
|
| ମାତ୍ର ମୁଁ ଚିହ୍ନିଲି, ଆଉ ଦେଖ, ପରମେଶ୍ୱର ତାହାକୁ ପଠାଇ ନ ଥିଲେ; ତଥାପି ସେ ମୋʼ ବିରୁଦ୍ଧରେ ଏହି ଭବିଷ୍ୟଦ୍ବାକ୍ୟ ପ୍ରଚାର କଲା; ଆଉ, ଟୋବୀୟ ଓ ସନ୍ବଲ୍ଲଟ୍ ତାହାକୁ ବେତନ ଦେଇଥିଲେ। |
|
| 13 |
|
| ମୁଁ ଯେପରି ଭୀତ ହେବି ଓ ସେହି କର୍ମ କରି ପାପ କରିବି, ପୁଣି ସେମାନେ ଯେପରି ମୋତେ ତିରସ୍କାର କରିବା ପାଇଁ ମୋହର ଦୁର୍ନାମର କାରଣ ପାଇବେ, ଏହି ଅଭିପ୍ରାୟରେ ତାହାକୁ ବେତନ ଦିଆଯାଇଥିଲା। |
|
| 14 |
|
| ହେ ମୋହର ପରମେଶ୍ୱର, ଟୋବୀୟ ଓ ସନ୍ବଲ୍ଲଟ୍ର ଏହିସବୁ କର୍ମାନୁସାରେ ସେମାନଙ୍କୁ, ଆଉ ମୋତେ ଭୟଗ୍ରସ୍ତ କରିବାକୁ ଇଚ୍ଛା କଲେ ଯେ ନୋୟଦୀୟା ଭବିଷ୍ୟଦ୍ବକ୍ତ୍ରୀ ଓ ଅନ୍ୟାନ୍ୟ ଭବିଷ୍ୟଦ୍ବକ୍ତା, ସେମାନଙ୍କୁ ସ୍ମରଣ କର। |
|
| 15 |
|
| ତହୁଁ ବାବନ ଦିନ ମଧ୍ୟରେ ଇଲୂଲ ମାସର ପଚିଶତମ ଦିନରେ ପ୍ରାଚୀର ସମାପ୍ତ ହେଲା। |
|
| 16 |
|
| ପୁଣି, ଆମ୍ଭମାନଙ୍କର ଶତ୍ରୁ ସମସ୍ତେ ଏହା ଶୁଣନ୍ତେ, ଏପରି ହେଲା ଯେ, ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ସମସ୍ତେ ଭୀତ ହେଲେ ଓ ଆପଣାମାନଙ୍କ ଦୃଷ୍ଟିରେ ନିତାନ୍ତ ଲଜ୍ଜିତ ହେଲେ, କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡ଼ୁ ହେଲା, ଏହା ସେମାନେ ବୁଝିଲେ। |
|
| 17 |
|
| ଆହୁରି, ସେସମୟରେ ଯିହୁଦାର କୁଳୀନମାନେ ଟୋବୀୟ ନିକଟକୁ ଅନେକ ପତ୍ର ପଠାଇଲେ ଓ ଟୋବୀୟର ନାନା ପତ୍ର ସେମାନଙ୍କ ନିକଟକୁ ଆସିଲା। |
|
| 18 |
|
| କାରଣ, ସେ ଆରହର ପୁତ୍ର ଶଖନୀୟର ଜୁଆଁଇ ହେବାରୁ ଓ ତାହାର ପୁତ୍ର ଯିହୋହାନନ୍ ବେରିଖୀୟର ପୁତ୍ର ମଶୁଲ୍ଲମ୍ର କନ୍ୟାକୁ ବିବାହ କରିଥିବାରୁ ଯିହୁଦା ମଧ୍ୟରେ ଅନେକେ ତାହା ପକ୍ଷରେ ଶପଥ କରିଥିଲେ। |
|
| 19 |
|
| ଆହୁରି, ସେମାନେ ତାହାର ଉତ୍ତମ କର୍ମର କଥା ମୋତେ କହିଲେ ଓ ମୋʼ କଥାସବୁ ତାହାକୁ ଜଣାଇଲେ। ଆଉ, ମୋତେ ଭୟଗ୍ରସ୍ତ କରିବା ପାଇଁ ଟୋବୀୟ ନାନା ପତ୍ର ପଠାଇଲା। |
|
|
|
|