|
| 1 |
|
| ମର୍ଦ୍ଦଖୟ ଏହିସବୁ ବିଷୟ ଗୋଚର ହୁଅନ୍ତେ, ଆପଣା ବସ୍ତ୍ର ଚିରିଲେ ଓ ଅଖା ପିନ୍ଧି ଓ ଭସ୍ମ ଲେପନ କରି ନଗର ମଧ୍ୟକୁ ଯାଇ ଉଚ୍ଚ ଓ ବିଳାପ ସ୍ୱରରେ ରୋଦନ କଲେ। |
|
| 2 |
|
| ପୁଣି, ସେ ରାଜଦ୍ୱାରର ସମ୍ମୁଖ ପର୍ଯ୍ୟନ୍ତ ଗଲେ, କାରଣ ଅଖା ପିନ୍ଧି କାହାକୁ ରାଜଦ୍ୱାରରେ ପ୍ରବେଶ କରିବାର ଅନୁମତି ନ ଥିଲା। |
|
| 3 |
|
| ଆଉ, ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜାଜ୍ଞା ଓ ନିୟମପତ୍ର ପହଞ୍ଚିଲା, ସେହି ସକଳ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା, ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ। |
|
| 4 |
|
| ଏଣୁ ଏଷ୍ଟରଙ୍କ ଦାସୀଗଣ ଓ ନପୁଂସକମାନେ ଆସି ଏହି କଥା ତାହାଙ୍କୁ ଜଣାଇଲେ; ତେଣୁ ରାଣୀ ଅତିଶୟ ଶୋକ କଲେ; ପୁଣି, ମର୍ଦ୍ଦଖୟଠାରୁ ଅଖା କାଢ଼ି ତାହାଙ୍କୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲେ, ମାତ୍ର ସେ ତାହା ଗ୍ରହଣ କଲେ ନାହିଁ। |
|
| 5 |
|
| ଏଥିରେ ରାଜାଙ୍କ ଦ୍ୱାରା ଏଷ୍ଟରଙ୍କ ସେବାରେ ନିଯୁକ୍ତ ହଥକ୍ ନାମକ ରାଜନପୁଂସକକୁ ଏଷ୍ଟର ଡାକି, କʼଣ ହେଲା ଓ କାହିଁକି ତାହା ହେଲା, ଏହା ଜାଣିବା ନିମନ୍ତେ ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ତାହାଙ୍କୁ ଆଜ୍ଞା ଦେଲେ। |
|
| 6 |
|
| ତହିଁରେ ହଥକ୍ ରାଜଦ୍ୱାର ସମ୍ମୁଖସ୍ଥ ନଗରର ଛକବନ୍ଦି ସ୍ଥାନରେ ମର୍ଦ୍ଦଖୟ ନିକଟକୁ ଗଲେ। |
|
| 7 |
|
| ପୁଣି, ମର୍ଦ୍ଦଖୟ ଆପଣା ପ୍ରତି ଯାହା ଯାହା ଘଟିଥିଲା ଓ ଯିହୁଦୀୟମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍ ରାଜଭଣ୍ଡାରରେ ଠିକ୍ ଯେତେ ମୁଦ୍ରା ଦେବାକୁ ପ୍ରତିଜ୍ଞା କରିଥିଲେ, ତାହା ତାହାଙ୍କୁ କହିଲେ। |
|
| 8 |
|
| ଆହୁରି ମଧ୍ୟ, “ସେମାନଙ୍କ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନ୍ରେ ଦତ୍ତ ହୋଇଥିଲା, ତହିଁର ଏକ ପ୍ରତିଲିପି ଏଷ୍ଟରଙ୍କୁ ଦେଖାଇ ଜ୍ଞାତ କରାଇବାକୁ ଦେଲେ; ଆଉ, ଏଷ୍ଟର ଯେପରି ଆପଣା ଲୋକଙ୍କ ପାଇଁ ରାଜାଙ୍କ ଛାମୁରେ ପ୍ରବେଶ କରି ତାଙ୍କ ନିକଟରେ ନିବେଦନ ଓ ଅନୁରୋଧ କରିବେ,” ଏପରି ଆଦେଶ କରିବାକୁ କହିଲେ। |
|
| 9 |
|
| ତହୁଁ ହଥକ୍ ଆସି ମର୍ଦ୍ଦଖୟର କଥା ଏଷ୍ଟରଙ୍କୁ ଜଣାଇଲେ। |
|
| 10 |
|
| ଏଉତ୍ତାରୁ ଏଷ୍ଟର ହଥକ୍କୁ ଏହି କଥା କହି ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ଆଜ୍ଞା କଲେ, ଯଥା, |
|
| 11 |
|
| “ବିନା ଡାକରାରେ ପୁରୁଷ କି ସ୍ତ୍ରୀ ଯେକେହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ଯାଏ, ତାହାର ପ୍ରାଣଦଣ୍ଡ ହେବାର ଏକମାତ୍ର ଆଜ୍ଞା ଅଛି, କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ଡ ବଢ଼ାନ୍ତି, ସେହି ବଞ୍ଚେ, ଏହା ରାଜାଙ୍କର ସବୁ ଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି; ମାତ୍ର ଆଜକୁ ତିରିଶ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇ ନାହିଁ।” |
|
| 12 |
|
| ସେମାନେ ଏଷ୍ଟରଙ୍କ ଏହି କଥା ମର୍ଦ୍ଦଖୟଙ୍କୁ କହିଲେ। |
|
| 13 |
|
| ତେଣୁ ମର୍ଦ୍ଦଖୟ ଏଷ୍ଟରଙ୍କୁ ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲେ, “ସବୁ ଯିହୁଦୀୟମାନଙ୍କ ମଧ୍ୟରୁ କେବଳ ତୁମ୍ଭେ ରାଜଗୃହରେ ଥିବାରୁ ଯେ ରକ୍ଷା ପାଇବ, ଏହା ମନରେ ଭାବ ନାହିଁ। |
|
| 14 |
|
| ଯେବେ ତୁମ୍ଭେ ଏହି ସମୟରେ ସର୍ବତୋଭାବେ ନୀରବ ହୋଇ ରୁହ, ତେବେ ଅନ୍ୟ କୌଣସି ସ୍ଥାନରୁ ଯିହୁଦୀୟମାନଙ୍କର ଉପକାର ଓ ଉଦ୍ଧାର ଉତ୍ପନ୍ନ ହେବ, ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ବିନଷ୍ଟ ହେବ; କିଏ ଜାଣେ, ତୁମ୍ଭେ ଏପରି ସମୟ ନିମନ୍ତେ ରାଜ୍ୟ ପାଇଅଛ?” |
|
| 15 |
|
| ଏଥିରେ ଏଷ୍ଟର ମର୍ଦ୍ଦଖୟଙ୍କୁ ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲେ, |
|
| 16 |
|
| “ତୁମ୍ଭେ ଯାଇ ଶୂଶନ୍ରେ ଉପସ୍ଥିତ ସମସ୍ତ ଯିହୁଦୀୟ ଲୋକଙ୍କୁ ଏକତ୍ର କରି ମୋʼ ନିମନ୍ତେ ଉପବାସ କର, ପୁଣି ତିନି ଦିନ ଯାଏ ଦିନରେ କିଅବା ରାତ୍ରିରେ କିଛି ଭୋଜନ କର ନାହିଁ ଓ କିଛି ପାନ କର ନାହିଁ; ମଧ୍ୟ ମୁଁ ଓ ମୋହର ଦାସୀଗଣ ତଦ୍ରୂପ ଉପବାସ କରିବୁ; ତହୁଁ ବ୍ୟବସ୍ଥାନୁଯାୟୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି; ତହିଁରେ ମୁଁ ବିନଷ୍ଟ ହେଲେ ବିନଷ୍ଟ ହେବି।” |
|
| 17 |
|
| ତେଣୁ ମର୍ଦ୍ଦଖୟ ଚାଲିଯାଇ ଏଷ୍ଟରଙ୍କ ସମସ୍ତ ଆଜ୍ଞାନୁସାରେ କର୍ମ କଲେ। |
|
|
|
|