|
| 1 |
|
| ଆହୁରି, ସଦାପ୍ରଭୁ ଆୟୁବକୁ ଉତ୍ତର କରି କହିଲେ, |
|
| 2 |
|
| ଦୋଷାନ୍ଵେଷୀ ଲୋକ କି ସର୍ବଶକ୍ତିମାନଙ୍କ ସହିତ ବିବାଦ କରିବ? ଯେ ପରମେଶ୍ଵରଙ୍କ ସଙ୍ଗେ ଯୁକ୍ତି କରେ, ସେ ଏଥିର ଉତ୍ତର ଦେଉ । |
|
| 3 |
|
| ତହୁଁ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା, |
|
| 4 |
|
| ଦେଖ, ମୁଁ ଅକିଞ୍ଚନ; ତୁମ୍ଭକୁ କି ଉତ୍ତର ଦେବି? ମୁଁ ନିଜ ମୁଖରେ ଆପଣା ହାତ ଦିଏ । |
|
| 5 |
|
| ମୁଁ ଥରେ କଥା କହିଅଛି, ପୁଣି ଉତ୍ତର ଦେବି ନାହିଁ; ହଁ, ଦୁଇଥର କହିଅଛି, ମାତ୍ର ଆଉ ଅଧିକ ବଢ଼ିବି ନାହିଁ । |
|
| 6 |
|
| ଅନନ୍ତର ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ, |
|
| 7 |
|
| ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ; ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା, ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ । |
|
| 8 |
|
| ତୁମ୍ଭେ କି ଆମ୍ଭର ବିଚାର ବ୍ୟର୍ଥ କରିବ? ତୁମ୍ଭେ ଧାର୍ମିକ ଗଣିତ ହେବା ପାଇଁ କି ଆମ୍ଭକୁ ଦୋଷୀ କରିବ? |
|
| 9 |
|
| ଅବା ତୁମ୍ଭର ବାହୁ କି ପରମେଶ୍ଵରଙ୍କ ବାହୁ ତୁଲ୍ୟ? ଓ ତୁମ୍ଭେ କି ତାହାଙ୍କ ତୁଲ୍ୟ ରବ କରି ଗର୍ଜ୍ଜନ କରିପାର? |
|
| 10 |
|
| ତେବେ, ତୁମ୍ଭେ ପ୍ରାଧାନ୍ୟ ଓ ମହତ୍ତ୍ଵରେ ବିଭୂଷିତ ହୁଅ; ପୁଣି, ସମ୍ଭ୍ରମ ଓ ପ୍ରତାପ ପରିଧାନ କର । |
|
| 11 |
|
| ତୁମ୍ଭେ ଆପଣା ଉଚ୍ଛଳିତ କ୍ରୋଧ ଢାଳି ପକାଅ ଓ ପ୍ରତ୍ୟେକ ଅହଙ୍କାରୀକି ଅନାଇ ତାହାକୁ ନତ କର । |
|
| 12 |
|
| ପ୍ରତ୍ୟେକ ଗର୍ବୀକି ଅନାଇ ତାହାକୁ ଖର୍ବ କର; ଦୁଷ୍ଟମାନଙ୍କୁ ସେମାନଙ୍କ ଠିଆ ହେବା ସ୍ଥାନରେ ଦଳି ପକାଅ । |
|
| 13 |
|
| ସେମାନଙ୍କୁ ଏକତ୍ର ଧୂଳିରେ ଲୁଚାଇ ଦିଅ; ଗୁପ୍ତ ସ୍ଥାନରେ ସେମାନଙ୍କ ମୁଖ ବାନ୍ଧି ପକାଅ । |
|
| 14 |
|
| ତେବେ ତୁମ୍ଭ ଦକ୍ଷିଣ ହସ୍ତ ଯେ ତୁମ୍ଭକୁ ଉଦ୍ଧାର କରିପାରେ, ଆମ୍ଭେ ହିଁ ତୁମ୍ଭ ବିଷୟରେ ଏହା ସ୍ଵୀକାର କରିବା । |
|
| 15 |
|
| ବହେମୋତକୁ ଦେଖ, ଆମ୍ଭେ ତୁମ୍ଭ ସଙ୍ଗେ ତାହାକୁ ସୃଷ୍ଟି କରିଅଛୁ; ସେ ଗୋରୁ ପରି ତୃଣ ଖାଏ । |
|
| 16 |
|
| ଦେଖ, ତାହାର କଟିଦେଶରେ ତାହାର ବଳ ଥାଏ ଓ ତାହାର ଉଦରସ୍ଥ ପେଶୀରେ ତାହାର ଶକ୍ତି ଥାଏ । |
|
| 17 |
|
| ସେ ଏରସ ବୃକ୍ଷ ପରି ଆପଣା ଲାଙ୍ଗୁଳ ହଲାଏ; ତାହାର ଊରୁଦେଶର ଶିରାସବୁ ଏକତ୍ର ସଂଯୁକ୍ତ । |
|
| 18 |
|
| ତାହାର ଅସ୍ଥିସବୁ ପିତ୍ତଳର ନଳ ପରି; ତାହାର ଅଙ୍ଗପ୍ରତ୍ୟଙ୍ଗ ଲୁହାର ଅର୍ଗଳ ପରି । |
|
| 19 |
|
| ସେ ପରମେଶ୍ଵରଙ୍କ କାର୍ଯ୍ୟ ମଧ୍ୟରେ ଅଗ୍ରଗଣ୍ୟ; ଯେ ତାହାକୁ ସୃଷ୍ଟି କଲେ, କେବଳ ତାହାଙ୍କର ଖଡ଼୍ଗ ତାହାକୁ ସ୍ପର୍ଶ କରିପାରେ । |
|
| 20 |
|
| ଆହୁରି, ପର୍ବତଗଣ ତାହା ପାଇଁ ଖାଦ୍ୟ ଉତ୍ପନ୍ନ କରନ୍ତି, ସେଠାରେ ବନ୍ୟ ପଶୁ ସମସ୍ତେ କ୍ରୀଡ଼ା କରନ୍ତି । |
|
| 21 |
|
| ସେ ନଳବନ ଭିତରେ ଓ ଝିଲରେ ପଦ୍ମବୃକ୍ଷ ତଳେ ଶୟନ କରେ । |
|
| 22 |
|
| ପଦ୍ମବୃକ୍ଷ ଆପଣା ଛାୟାରେ ତାହାକୁ ଆଚ୍ଛନ୍ନ କରେ; ନଦୀର ବାଇଶ ବୃକ୍ଷ ତାହାର ଚତୁର୍ଦ୍ଦିଗରେ ଥାଏ । |
|
| 23 |
|
| ଦେଖ, ନଦୀ ବଢ଼ିଲେ, ସେ କମ୍ପିତ ହୁଏ ନାହିଁ; ଯର୍ଦ୍ଦନ ତାହାର ମୁଖ ସରିକି ବଢ଼ିଲେ ହେଁ ସେ ସୁସ୍ଥିର ଥାଏ । |
|
| 24 |
|
| ସେ ଜାଗ୍ରତ ଥିବା ବେଳେ କେହି କି ତାକୁ ଧରିବ? ଅବା ରଜ୍ଜୁ ଦ୍ଵାରା ତାହାର ନାସିକା ଫୋଡ଼ିବ? |
|
|
|
|