|
| 1 |
|
| ଏଥିରେ ମୋଶା ଉତ୍ତର କଲେ, “ଦେଖନ୍ତୁ, ସେମାନେ ମୋତେ ବିଶ୍ୱାସ କରିବେ ନାହିଁ ଓ ମୋʼ ରବରେ ମନୋଯୋଗ କରିବେ ନାହିଁ; ମାତ୍ର ସେମାନେ କହିବେ, ‘ସଦାପ୍ରଭୁ ତୁମ୍ଭକୁ ଦର୍ଶନ ଦେଇ ନାହାନ୍ତି?’” |
|
| 2 |
|
| ତେବେ ସଦାପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭ ହସ୍ତରେ କʼଣ ଅଛି?” ସେ କହିଲେ, “ଯଷ୍ଟି।” |
|
| 3 |
|
| ତହୁଁ ସଦାପ୍ରଭୁ କହିଲେ, “ତାକୁ ଭୂମିରେ ପକାଅ।” ତେଣୁ ସେ ତାକୁ ଭୂମିରେ ପକାନ୍ତେ, ତାହା ସର୍ପ ହେଲା; ତହିଁରେ ମୋଶା ତାହା ଆଗରୁ ପଳାଇଗଲେ। |
|
| 4 |
|
| ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେମାନଙ୍କ ପୂର୍ବପୁରୁଷଗଣର ସଦାପ୍ରଭୁ ପରମେଶ୍ୱର, ଅର୍ଥାତ୍, ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ତୁମ୍ଭକୁ ଦର୍ଶନ ଦେଇଅଛନ୍ତି,” ଏହା ଯେପରି ସେମାନେ ବିଶ୍ୱାସ କରିବେ, |
|
| 5 |
|
| “ଏଥିପାଇଁ ତୁମ୍ଭେ ଆପଣା ହସ୍ତ ବଢ଼ାଇ ତାହାର ଲାଞ୍ଜ ଧର,” ତହିଁରେ ସେ ହସ୍ତ ବଢ଼ାଇ ତାକୁ ଧରନ୍ତେ, ତାଙ୍କ ହସ୍ତରେ ସେ ଯଷ୍ଟି ହେଲା। |
|
| 6 |
|
| ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ ଆହୁରି କହିଲେ, “ତୁମ୍ଭେ ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ।” ତହିଁରେ ସେ ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ପୁନର୍ବାର ହସ୍ତ ବାହାର କଲେ, ଦେଖ, ତାଙ୍କର ହସ୍ତ ହିମବର୍ଣ୍ଣ ତୁଲ୍ୟ କୁଷ୍ଠଯୁକ୍ତ ହେଲା। |
|
| 7 |
|
| ଏଥିରେ ସେ କହିଲେ, “ତୁମ୍ଭେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ;” ସେମାନେ ଯଦି ତୁମ୍ଭକୁ ବିଶ୍ୱାସ ନ କରିବେ |
|
| 8 |
|
| ଓ ତୁମ୍ଭର ସେହି ପ୍ରଥମ ଚିହ୍ନରେ ମନୋଯୋଗ ନ କରିବେ, ତେବେ ଦ୍ୱିତୀୟ ଚିହ୍ନରେ ବିଶ୍ୱାସ କରିବେ। ତହିଁରେ ସେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ବାହାର କଲେ, ଦେଖ, ତାହା ପ୍ରକୃତ ମାଂସ ହେଲା। |
|
| 9 |
|
| ଏହି ଦୁଇ ଚିହ୍ନରେ ଯଦି ସେମାନେ ବିଶ୍ୱାସ ନ କରିବେ ଓ ତୁମ୍ଭ ରବରେ ମନୋଯୋଗ ନ କରିବେ, ତେବେ ତୁମ୍ଭେ ନୀଳ ନଦୀରୁ ଜଳ କିଛି ନେଇ ଶୁଷ୍କ ଭୂମିରେ ଢାଳ; ତହିଁରେ ତୁମ୍ଭେ ନଦୀରୁ ଯେଉଁ ଜଳ ଆଣିବ, ତାହା ଶୁଷ୍କ ଭୂମିରେ ରକ୍ତ ହେବ। |
|
| 10 |
|
| ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ହେ ପ୍ରଭୋ, ଏ ସମୟ ପୂର୍ବରେ, ଅବା ଆପଣ ନିଜ ଦାସ ସହିତ ଆଳାପ କଲା ଉତ୍ତାରେ ହେଁ ମୁଁ ବାକ୍ୟପତି ନୁହେଁ। ମୁଁ ବାକ୍ୟରେ ଧୀର ଓ ଜଡ଼ଜିହ୍ୱ ଅଟେ।” |
|
| 11 |
|
| ତହିଁରେ ସଦାପ୍ରଭୁ ତାହାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛନ୍ତି? ପୁଣି, ମନୁଷ୍ୟକୁ ମୂକ ବା ବଧିର ଅବା ଦୃଷ୍ଟିବିଶିଷ୍ଟ କିଅବା ଦୃଷ୍ଟିହୀନ କିଏ କରନ୍ତି? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ? |
|
| 12 |
|
| ଏଣୁ ଏବେ ଯାଅ, ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ ବକ୍ତବ୍ୟ କଥା ତୁମ୍ଭକୁ ଶିଖାଇବା।” |
|
| 13 |
|
| ତହିଁରେ ସେ କହିଲେ, “ହେ ପ୍ରଭୋ, ମୁଁ ବିନୟ କରୁଅଛି, ଯାହା ଦ୍ୱାରା ପଠାଇବାର ହୁଏ, ତାହା ଦ୍ୱାରା ପଠାନ୍ତୁ।” |
|
| 14 |
|
| ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା; ତେଣୁ ସେ କହିଲେ, “ଲେବୀୟ ହାରୋଣ କି ତୁମ୍ଭର ଭାଇ ନୁହେଁ? ଆମ୍ଭେ ଜାଣୁ, ସେ ସୁବକ୍ତା। ଆଉ ଦେଖ, ସେ ତୁମ୍ଭ ସଙ୍ଗରେ ସାକ୍ଷାତ କରିବାକୁ ଆସୁଅଛି; ପୁଣି, ତୁମ୍ଭକୁ ଦେଖି ହୃଷ୍ଟଚିତ୍ତ ହେବ। |
|
| 15 |
|
| ତୁମ୍ଭେ ତାହାକୁ କହିବ ଓ ତାହାର ମୁଖରେ ବାକ୍ୟ ଦେବ; ପୁଣି, ଆମ୍ଭେ ତୁମ୍ଭ ମୁଖର ଓ ତାହା ମୁଖର ସହବର୍ତ୍ତୀ ହୋଇ ତୁମ୍ଭମାନଙ୍କୁ କର୍ତ୍ତବ୍ୟ କର୍ମର ଶିକ୍ଷା ଦେବା। |
|
| 16 |
|
| ସେ ଲୋକମାନଙ୍କ ନିକଟରେ ତୁମ୍ଭର ପ୍ରତିନିଧି-ବକ୍ତା ହେବ; ସେ ତୁମ୍ଭର ମୁଖ ସ୍ୱରୂପ ହେବ ଓ ତୁମ୍ଭେ ତାହାର ପରମେଶ୍ୱର ତୁଲ୍ୟ ହେବ। |
|
| 17 |
|
| ଆଉ ତୁମ୍ଭେ ଆପଣା ହସ୍ତରେ ଏହି ଯଷ୍ଟି ଘେନ, ଯେଣୁ ଏହା ଦ୍ୱାରା ତୁମ୍ଭେ ଏହି ସମସ୍ତ ଚିହ୍ନ ଦେଖାଇବ।” |
|
| 18 |
|
| ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁର ଯିଥ୍ରୋ ନିକଟକୁ ବାହୁଡ଼ି ଯାଇ କହିଲେ, “ମୁଁ ବିନୟ କରୁଅଛି, ମିସରସ୍ଥିତ ମୋହର ଭ୍ରାତୃଗଣ ନିକଟକୁ ଏବେ ଫେରିଯିବା ପାଇଁ ଓ ସେମାନେ ଆଜିଯାଏ ବଞ୍ଚିଅଛନ୍ତି କି ନାହିଁ, ତାହା ଦେଖିବା ପାଇଁ ମୋତେ ଯିବାକୁ ଦିଅ।” ତହିଁରେ ଯିଥ୍ରୋ ମୋଶାଙ୍କୁ କହିଲେ, “କୁଶଳରେ ଯାଅ।” |
|
| 19 |
|
| ଆଉ ସଦାପ୍ରଭୁ ମିଦୀୟନରେ ମୋଶାଙ୍କୁ କହିଥିଲେ, “ତୁମ୍ଭେ ମିସରକୁ ଫେରିଯାଅ; ଯେହେତୁ ଯେଉଁ ଲୋକମାନେ ତୁମ୍ଭ ପ୍ରାଣ ଅନ୍ୱେଷଣ କରୁଥିଲେ, ସେମାନେ ସମସ୍ତେ ମରିଅଛନ୍ତି।” |
|
| 20 |
|
| ତହୁଁ ମୋଶା ଆପଣା ଭାର୍ଯ୍ୟା ଓ ପୁତ୍ରଗଣକୁ ଗଧ ଉପରେ ଚଢ଼ାଇ ମିସର ଦେଶକୁ ଫେରିଗଲେ; ପୁଣି, ସେ ଆପଣା ହସ୍ତରେ ପରମେଶ୍ୱରଙ୍କର ସେହି ଯଷ୍ଟି ନେଲେ। |
|
| 21 |
|
| ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସାବଧାନ, ତୁମ୍ଭେ ମିସରକୁ ଫେରିଗଲେ, ଆମ୍ଭେ ତୁମ୍ଭ ହସ୍ତରେ ଯେସବୁ ଆଶ୍ଚର୍ଯ୍ୟକର୍ମ କରିବାକୁ ଦେଇଅଛୁ, ତାହା ଫାରୋ ସାକ୍ଷାତରେ କରିବ; ମାତ୍ର ଆମ୍ଭେ ତାହାର ମନ କଠିନ କରିବା; ତହିଁରେ ସେ ଲୋକମାନଙ୍କୁ ଯିବାକୁ ଦେବ ନାହିଁ।” |
|
| 22 |
|
| ପୁଣି, ତୁମ୍ଭେ ଫାରୋକୁ କହିବ, ସଦାପ୍ରଭୁ କହନ୍ତି, “ଇସ୍ରାଏଲ ଆମ୍ଭର ପୁତ୍ର; ଆମ୍ଭର ଜ୍ୟେଷ୍ଠ ପୁତ୍ର; |
|
| 23 |
|
| ଆମ୍ଭେ ତୁମ୍ଭକୁ କହିଅଛୁ, ‘ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ପୁତ୍ରକୁ ଛାଡ଼ିଦିଅ; ମାତ୍ର ତୁମ୍ଭେ ତାହାକୁ ଛାଡ଼ିବାକୁ ନାସ୍ତି କରିଅଛ; ଦେଖ, ଆମ୍ଭେ ତୁମ୍ଭ ପୁତ୍ରକୁ, ତୁମ୍ଭ ଜ୍ୟେଷ୍ଠ ପୁତ୍ରକୁ ବଧ କରିବା।’” |
|
| 24 |
|
| ଏଥିଉତ୍ତାରେ ପଥ ମଧ୍ୟରେ ଉତ୍ତରଣୀୟ ଗୃହରେ ସଦାପ୍ରଭୁ ତାଙ୍କୁ ପାଇ ବଧ କରିବାକୁ ଚେଷ୍ଟା କଲେ। |
|
| 25 |
|
| ସେତେବେଳେ ସିପ୍ପୋରା ଏକ ତୀକ୍ଷ୍ଣ ଅସ୍ତ୍ର ଘେନି ଆପଣା ପୁତ୍ରକୁ ସୁନ୍ନତ କରି ତାହା ତାଙ୍କ ଚରଣ ତଳେ ପକାଇ କହିଲା, “ତୁମ୍ଭେ ନିତାନ୍ତ ମୋହର ରକ୍ତପ୍ରିୟ ବର।” |
|
| 26 |
|
| ଏହିରୂପେ ପରମେଶ୍ୱର ତାଙ୍କୁ ଛାଡ଼ିଦେଲେ। ତହିଁରେ ସେ ସ୍ତ୍ରୀ କହିଲା, “ସୁନ୍ନତପ୍ରଯୁକ୍ତ ତୁମ୍ଭେ ରକ୍ତପ୍ରିୟ ବର ଅଟ।” |
|
| 27 |
|
| ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ ମୋଶା ସହିତ ସାକ୍ଷାତ କରିବା ନିମନ୍ତେ ପ୍ରାନ୍ତରକୁ ଯାଅ।” ତହୁଁ ସେ ଯାଇ ପରମେଶ୍ୱରଙ୍କ ପର୍ବତରେ ତାଙ୍କ ସହିତ ସାକ୍ଷାତ କରି ତାଙ୍କୁ ଚୁମ୍ବନ କଲେ। |
|
| 28 |
|
| ସେତେବେଳେ ମୋଶା ସଦାପ୍ରଭୁଙ୍କ ପ୍ରେରିତ ସମସ୍ତ ବାକ୍ୟ ଓ ତାହାଙ୍କ ଆଜ୍ଞାର୍ପିତ ସମସ୍ତ ଚିହ୍ନ ହାରୋଣଙ୍କୁ ଜଣାଇଲେ। |
|
| 29 |
|
| ଏଥିଉତ୍ତାରେ ମୋଶା ଓ ହାରୋଣ ଯାଇ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗକୁ ଏକତ୍ର କଲେ। |
|
| 30 |
|
| ପୁଣି, ହାରୋଣ ସେମାନଙ୍କୁ ମୋଶାଙ୍କ ପ୍ରତି କଥିତ ସଦାପ୍ରଭୁଙ୍କ ସମସ୍ତ ବାକ୍ୟ କହିଲେ, ପୁଣି, ଲୋକମାନଙ୍କ ଦୃଷ୍ଟିରେ ସେହି ସମସ୍ତ ଚିହ୍ନ ପ୍ରକାଶ କଲେ। |
|
| 31 |
|
| ତହିଁରେ ଲୋକମାନେ ବିଶ୍ୱାସ କଲେ, ପୁଣି, ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣର ତତ୍ତ୍ୱାବଧାନ କରି ସେମାନଙ୍କ ଦୁଃଖ ଦେଖିଅଛନ୍ତି, ଏହା ଶୁଣି ସେମାନେ ତାହାଙ୍କୁ ମସ୍ତକ ନତ କରି ଉପାସନା କଲେ। |
|
|
|
|