|
| 1 |
|
| ଜ୍ଞାନ କʼଣ ଡାକେ ନାହିଁ? ବୁଦ୍ଧି କʼଣ ଉଚ୍ଚସ୍ଵର କରେ ନାହିଁ? |
|
| 2 |
|
| ସେ ପଥପାର୍ଶ୍ଵସ୍ଥ ଉଚ୍ଚସ୍ଥାନ ମୁଣ୍ତରେ, ବାଟସବୁର ସଂଯୋଗ ସ୍ଥାନରେ ଠିଆ ହୁଏ । |
|
| 3 |
|
| ସେ ନଗର-ଦ୍ଵାର ନିକଟରେ, ନଗରର ପ୍ରବେଶ-ଦ୍ଵାରରେ, ଦ୍ଵାରର ପ୍ରବେଶ-ସ୍ଥାନରେ ଥାଇ ଉଚ୍ଚସ୍ଵରେ ଡାକି କହେ, |
|
| 4 |
|
| ହେ ମନୁଷ୍ୟଗଣ, ମୁଁ ତୁମ୍ଭମାନଙ୍କୁ ଡାକୁଅଛି; ପୁଣି, ମନୁଷ୍ୟ-ସନ୍ତାନଗଣ ପ୍ରତି ମୋହର ରବ ଅଛି । |
|
| 5 |
|
| ହେ ନିର୍ବୋଧ ଲୋକେ, ସତର୍କତାର କଥା ବୁଝ; ହେ ମୂର୍ଖ ଲୋକେ, ତୁମ୍ଭେମାନେ ସୁବିବେକୀମନା ହୁଅ । |
|
| 6 |
|
| ଶୁଣ, ଯେହେତୁ ମୁଁ ଉତ୍କୃଷ୍ଟ ବିଷୟ କହିବି; ମୁଁ ଓଷ୍ଠାଧର ଫିଟାଇ ଯଥାର୍ଥ କଥା କହିବି । |
|
| 7 |
|
| ଯେହେତୁ ମୋହର ମୁଖ ସତ୍ୟ କହିବ, ଦୁଷ୍ଟତା ମୋʼ ଓଷ୍ଠାଧରର ଘୃଣାର ବିଷୟ । |
|
| 8 |
|
| ମୋʼ ମୁଖର ସମସ୍ତ କଥା ଧର୍ମମୟ; ତହିଁ ମଧ୍ୟରେ ବକ୍ର କି କୁଟିଳ କିଛି ନାହିଁ । |
|
| 9 |
|
| ଯେ ତାହା ବୁଝେ, ତାହା ପ୍ରତି ସେସବୁ ସ୍ପଷ୍ଟ; ପୁଣି, ବିଦ୍ୟାପ୍ରାପ୍ତ ଲୋକଙ୍କ ପ୍ରତି ତାହା ଯଥାର୍ଥ ଅଟେ । |
|
| 10 |
|
| ରୂପା ଅପେକ୍ଷା ମୋହର ଉପଦେଶ ଏବଂ ମନୋନୀତ ସୁବର୍ଣ୍ଣ ଅପେକ୍ଷା ଜ୍ଞାନ ଗ୍ରହଣ କର । |
|
| 11 |
|
| ଯେହେତୁ ଜ୍ଞାନ ମୁକ୍ତାଠାରୁ ଉତ୍ତମ ଓ ସମସ୍ତ ଇଷ୍ଟବସ୍ତୁ ତାହା ସଙ୍ଗେ ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ । |
|
| 12 |
|
| ମୁଁ ପ୍ରଜ୍ଞା, ସତର୍କତାକୁ ଆପଣା ବାସସ୍ଥାନ କରିଅଛି, ପୁଣି ଜ୍ଞାନ ଓ ପରିଣାମଦର୍ଶିତା ପାଇଥାଏ । |
|
| 13 |
|
| ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା; ଅହଙ୍କାର ଓ ଦାମ୍ଭିକତା ଓ କୁପଥ ଏବଂ କୁଟିଳମୁଖ ମୁଁ ଘୃଣା କରେ । |
|
| 14 |
|
| ମନ୍ତ୍ରଣା ଓ ତତ୍ତ୍ଵଜ୍ଞାନ ମୋʼଠାରେ ଥାଏ; ମୁଁ ହିଁ ସୁବିବେଚନା; ମୋʼଠାରେ ବଳ ଅଛି । |
|
| 15 |
|
| ମୋʼ ଦ୍ଵାରା ରାଜାମାନେ ରାଜତ୍ଵ କରନ୍ତି ଓ ଭୂପତିମାନେ ଯଥାର୍ଥ ବିଚାର କରନ୍ତି । |
|
| 16 |
|
| ମୋʼ ଦ୍ଵାରା ଅଧିପତିମାନେ ଓ କୁଳୀନମାନେ ଓ ପୃଥିବୀର ସମସ୍ତ ବିଚାରକର୍ତ୍ତୃଗଣ ଶାସନ କରନ୍ତି । |
|
| 17 |
|
| ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ, ପୁଣି ଯେଉଁମାନେ ଯନିରେ ମୋହର ଅନ୍ଵେଷଣ କରନ୍ତି, ସେମାନେ ମୋତେ ପାଇବେ । |
|
| 18 |
|
| ମୋʼଠାରେ ଧନ ଓ ସମ୍ଭ୍ରମ, ପୁଣି ଅକ୍ଷୟ ସମ୍ପତ୍ତି ଓ ଧାର୍ମିକତା ଅଛି । |
|
| 19 |
|
| ମୋହର ଫଳ ସୁବର୍ଣ୍ଣ, ହଁ, ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ; ପୁଣି, ମୋହର ଆୟ ଉତ୍କୃଷ୍ଟ ରୂପା ଅପେକ୍ଷା ଭଲ । |
|
| 20 |
|
| ମୁଁ ଧାର୍ମିକତାର ମାର୍ଗରେ, ବିଚାରର ପଥ ମଧ୍ୟରେ ଗମନ କରେ, |
|
| 21 |
|
| ଆଉ ଯେଉଁମାନେ ମୋତେ ପ୍ରେମ କରନ୍ତି, ସେମାନଙ୍କୁ ସାରା ସମ୍ପତ୍ତିର ଅଧିକାରୀ କରେ ଓ ସେମାନଙ୍କ ଭଣ୍ତାର ପରିପୂର୍ଣ୍ଣ କରେ; |
|
| 22 |
|
| ସଦାପ୍ରଭୁ ନିଜ ଗତିର ଆରମ୍ଭରେ, ତାହାଙ୍କ କର୍ମସକଳର ପୂର୍ବରେ ମୋତେ ଅଧିକାର କରିଥିଲେ । |
|
| 23 |
|
| ଅନାଦିକାଳରୁ ଅବା ଆଦ୍ୟକାଳଠାରୁ ଅବା ପୃଥିବୀର ମୂଳସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି । |
|
| 24 |
|
| ବାରିଧିସକଳ ନ ଥିବା ସମୟରେ, ନିର୍ଝରସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମିଅଛି; |
|
| 25 |
|
| ପୁଣି, ପର୍ବତଗଣ ଓ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରେ ମୁଁ ଜନ୍ମ ପାଇଅଛି; |
|
| 26 |
|
| ସେସମୟରେ ଭୂମି, କି ପ୍ରାନ୍ତର, କି ଜଗତସ୍ଥ ଧୂଳିର ଅଗ୍ରିମାଂଶ ସେ ସୃଷ୍ଟି କରି ନ ଥିଲେ । |
|
| 27 |
|
| ଯେଉଁ ସମୟରେ ସେ ଆକାଶମଣ୍ତଳ ସ୍ଥାପନ କଲେ, ସେସମୟରେ ମୁଁ ସେଠାରେ ଥିଲି, ଯେଉଁ ସମୟରେ ସେ ବାରିଧି ଉପରେ ଚକ୍ରାକାର ସୀମା ନିରୂପଣ କଲେ, |
|
| 28 |
|
| ପୁଣି ଉପରିସ୍ଥ ଆକାଶମଣ୍ତଳକୁ ଦୃଢ଼ କଲେ ଓ ବାରିଧିର ପ୍ରବାହସକଳ ପ୍ରବଳ ହେଲା; |
|
| 29 |
|
| ଜଳସମୂହ ଯେପରି ତାହାଙ୍କ ଆଜ୍ଞା ଲଙ୍ଘନ କରି ନ ପାରେ, ଏଥିପାଇଁ ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଓ ଯେଉଁ ସମୟରେ ଜଗତର ମୂଳଦୁଆ ଚିହ୍ନିତ କଲେ; |
|
| 30 |
|
| ସେହି ସମୟରେ ମୁଁ ତାହାଙ୍କ ନିକଟରେ କର୍ମକର୍ତ୍ତା ଥିଲି; ପୁଣି, ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାହାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ କଲି । |
|
| 31 |
|
| ପୁଣି, ତାହାଙ୍କ ଭୂମଣ୍ତଳରେ ଆନନ୍ଦ କଲି ଓ ମନୁଷ୍ୟ ସନ୍ତାନଗଣ ସଙ୍ଗରେ ମୋହର ଆମୋଦ ଥିଲା । |
|
| 32 |
|
| ଏନିମନ୍ତେ ହେ ମୋହର ପୁତ୍ରମାନେ, ମୋହର ବାକ୍ୟ ଶୁଣ, ଯେହେତୁ ଯେଉଁମାନେ ମୋହର ପଥ ଧରନ୍ତି, ସେମାନେ ଧନ୍ୟ । |
|
| 33 |
|
| ଉପଦେଶ ଶୁଣି ଜ୍ଞାନବାନ ହୁଅ; ପୁଣି, ତାହା ଅଗ୍ରାହ୍ୟ କର ନାହିଁ । |
|
| 34 |
|
| ଯେ ମୋʼ କଥା ଶୁଣେ ଓ ମୋʼ ଦ୍ଵାର ନିକଟରେ ନିତ୍ୟ ଜଗି ରହେ, ମୋʼ ଦ୍ଵାରର ଚୌକାଠ ନିକଟରେ ଅନୁସରଣ କରେ, ସେହି ଲୋକ ଧନ୍ୟ । |
|
| 35 |
|
| ଯେହେତୁ ଯେ ମୋତେ ପାଏ, ସେ ଜୀବନ ପାଏ ଏବଂ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ ହେବ । |
|
| 36 |
|
| ମାତ୍ର ଯେ ମୋʼ ବିରୁଦ୍ଧରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ; ଯେସମସ୍ତ ଲୋକ ମୋତେ ଘୃଣା କରନ୍ତି, ସେମାନେ ମୃତ୍ୟୁକୁ ଭଲ ପାଆନ୍ତି । |
|
|
|
|