|
| 1 |
|
| ଦେଖ, ସଦାପ୍ରଭୁ ପୃଥିବୀକୁ ଶୂନ୍ୟ ଓ ଉଜାଡ଼ କରୁଅଛନ୍ତି, ଆଉ ତାହା ଓଲଟାଇ ତହିଁର ନିବାସୀମାନଙ୍କୁ ଛିନ୍ନଭିନ୍ନ କରୁଅଛନ୍ତି। |
|
| 2 |
|
| ତହିଁରେ ଯେପରି ଲୋକମାନଙ୍କର, ସେହିପରି ଯାଜକର; ଯେପରି ଦାସର, ସେହିପରି ତାହାର କର୍ତ୍ତାର; ଯେପରି ଦାସୀର, ସେହିପରି ତାହାର କର୍ତ୍ତ୍ରୀର; ଯେପରି କ୍ରୟକାରୀର, ସେହିପରି ବିକ୍ରୟକାରୀର; ଯେପରି ମହାଜନର, ସେହିପରି ଖାତକର; ଯେପରି ସୁଧଗ୍ରାହୀର, ସେହିପରି ସୁଧଦାତାର ପ୍ରତି ଘଟିବ। |
|
| 3 |
|
| ପୃଥିବୀ ସମ୍ପୂର୍ଣ୍ଣ ରୂପେ ଶୂନ୍ୟ ଓ ସମ୍ପୂର୍ଣ୍ଣ ରୂପେ ଲୁଟିତ ହେବ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି। |
|
| 4 |
|
| ପୃଥିବୀ ଶୋକ କରି ନିସ୍ତେଜ ହେଉଅଛି, ଜଗତ ମ୍ଳାନ ହୋଇ ନିସ୍ତେଜ ହେଉଅଛି, ପୃଥିବୀର ଉଚ୍ଚ ଲୋକମାନେ ମ୍ଳାନ ହୁଅନ୍ତି। |
|
| 5 |
|
| ପୃଥିବୀ ତନ୍ନିବାସୀମାନଙ୍କ ପଦ ତଳେ ଅପବିତ୍ର ହୋଇଅଛି, କାରଣ ସେମାନେ ବ୍ୟବସ୍ଥାସବୁ ଲଙ୍ଘନ କରିଅଛନ୍ତି, ବିଧି ଅନ୍ୟଥା କରିଅଛନ୍ତି, ଅନନ୍ତକାଳସ୍ଥାୟୀ ନିୟମ ଭାଙ୍ଗିଅଛନ୍ତି। |
|
| 6 |
|
| ଏହେତୁ ଅଭିଶାପ ପୃଥିବୀକୁ ଗ୍ରାସ କରିଅଛି ଓ ତନ୍ନିବାସୀଗଣ ଅପରାଧୀ ହୋଇଅଛନ୍ତି; ତହିଁ ନିମନ୍ତେ ପୃଥିବୀ ନିବାସୀମାନେ ଦଗ୍ଧ ହୋଇଅଛନ୍ତି ଓ ଅଳ୍ପ ଲୋକ ଅବଶିଷ୍ଟ ଅଛନ୍ତି। |
|
| 7 |
|
| ନୂତନ ଦ୍ରାକ୍ଷାରସ ଶୋକ କରୁଅଛି, ଦ୍ରାକ୍ଷାଲତା ମ୍ଳାନ ହେଉଅଛି, ପ୍ରଫୁଲ୍ଲଚିତ୍ତ ସମସ୍ତେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛନ୍ତି। |
|
| 8 |
|
| ତବଲାର ଆମୋଦ ନିବୃତ୍ତ ହେଉଅଛି, ଉଲ୍ଲାସକାରୀମାନଙ୍କର ଧ୍ୱନି ଶେଷ ହେଉଅଛି, ବୀଣାର ଆନନ୍ଦ ନିବୃତ୍ତ ହେଉଅଛି। |
|
| 9 |
|
| ଲୋକମାନେ ଗାନ ସହକାରେ ଦ୍ରାକ୍ଷାରସ ପାନ କରିବେ ନାହିଁ; ସୁରାପାୟୀମାନଙ୍କୁ ସୁରା ତିକ୍ତ ଲାଗିବ। |
|
| 10 |
|
| ନିର୍ଜନ ନଗର ଭଗ୍ନ ହୋଇଅଛି; କୌଣସି ମନୁଷ୍ୟ ଯେପରି ଭିତରକୁ ଯାଇ ନ ପାରିବ, ଏଥିପାଇଁ ପ୍ରତ୍ୟେକ ଗୃହ ରୁଦ୍ଧ ହୋଇଅଛି। |
|
| 11 |
|
| ଦ୍ରାକ୍ଷାରସ ସକାଶେ ସଡ଼କରେ ଚିତ୍କାର ହୁଏ; ସବୁ ପ୍ରକାର ଆନନ୍ଦ ଅନ୍ଧକାରାଚ୍ଛନ୍ନ ହୋଇଅଛି, ଦେଶର ଆମୋଦ ଯାଇଅଛି। |
|
| 12 |
|
| ନଗରରେ ଧ୍ୱଂସତା ମାତ୍ର ଅବଶିଷ୍ଟ ଥାଏ ଓ ଦ୍ୱାର ଭଗ୍ନ ହୋଇ ବିନଷ୍ଟ ହୋଇଅଛି। |
|
| 13 |
|
| କାରଣ ଯେପରି ଜୀତବୃକ୍ଷ ଝାଡ଼ିବା ବେଳେ ହୁଏ ଓ ଦ୍ରାକ୍ଷାଫଳ ସଂଗ୍ରହ ଉତ୍ତାରେ ଯେପରି ଦ୍ରାକ୍ଷା ସାଉଁଟିବାର ହୁଏ, ସେହିପରି ପୃଥିବୀସ୍ଥ ଗୋଷ୍ଠୀୟମାନଙ୍କ ମଧ୍ୟରେ ଘଟିବ। |
|
| 14 |
|
| ଏମାନେ ଉଚ୍ଚ ରବ କରିବେ, ଏମାନେ ଆନନ୍ଦଧ୍ୱନି କରିବେ; ସଦାପ୍ରଭୁଙ୍କର ମହିମା ସକାଶୁ ସେମାନେ ସମୁଦ୍ରରୁ ଉଚ୍ଚଧ୍ୱନି କରିବେ। |
|
| 15 |
|
| ଏହେତୁ ତୁମ୍ଭେମାନେ ପୂର୍ବଦେଶରେ ସଦାପ୍ରଭୁଙ୍କର, ଅର୍ଥାତ୍, ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମର ଗୌରବ ସମୁଦ୍ରର ଦ୍ୱୀପସମୂହରେ ପ୍ରକାଶ କର। |
|
| 16 |
|
| ଧାର୍ମିକମାନେ ଶୋଭା ପାଆନ୍ତି, ଏହି ଗାନ ଆମ୍ଭେମାନେ ପୃଥିବୀର ପ୍ରାନ୍ତ ସୀମାରୁ ଶୁଣିଅଛୁ। ମାତ୍ର ମୁଁ କହିଲି, “ମୁଁ କ୍ଷୀଣ ହେଉଅଛି, ମୁଁ କ୍ଷୀଣ ହେଉଅଛି! ମୁଁ ସନ୍ତାପର ପାତ୍ର! ବିଶ୍ୱାସଘାତକମାନେ ବିଶ୍ୱାସଘାତକତା କରିଅଛନ୍ତି; ହଁ, ବିଶ୍ୱାସଘାତକମାନେ ଅତିଶୟ ବିଶ୍ୱାସଘାତକତା କରିଅଛନ୍ତି।” |
|
| 17 |
|
| ହେ ପୃଥିବୀନିବାସୀ ଲୋକ, ତୁମ୍ଭ ନିମନ୍ତେ ଭୟ, ଗର୍ତ୍ତ ଓ ଫାନ୍ଦ ପ୍ରସ୍ତୁତ ଅଛି। |
|
| 18 |
|
| ଆଉ, ଏପରି ଘଟିବ, କେହି ଯଦି ଭୟର ଶବ୍ଦରୁ ପଳାଏ, ସେ ଗର୍ତ୍ତରେ ପଡ଼ିବ; କେହି ଗର୍ତ୍ତ ମଧ୍ୟରୁ ଉଠି ଆସିଲେ, ସେ ଫାନ୍ଦରେ ଧରାଯିବ; କାରଣ ଊର୍ଦ୍ଧ୍ୱସ୍ଥ ଝରକାସବୁ ମୁକ୍ତ ଅଛି ଓ ପୃଥିବୀର ମୂଳସବୁ କମ୍ପମାନ ହେଉଅଛି। |
|
| 19 |
|
| ପୃଥିବୀ ନିତାନ୍ତ ବିଦୀର୍ଣ୍ଣ ହେଉଅଛି, ପୃଥିବୀ ନିତାନ୍ତ ତରଳି ଯାଇଅଛି, ପୃଥିବୀ ଅତିଶୟ ବିଚଳିତ ହୋଇଅଛି। |
|
| 20 |
|
| ପୃଥିବୀ ମତ୍ତ ଲୋକ ପରି ଟଳଟଳ ହେବ ଓ କୁଡ଼ିଆ ଘର ପରି ଏଣେତେଣେ ଦୋହଲିବ; ଆଉ, ତାହାର ଅପରାଧ ତାହା ଉପରେ ଭାରୀ ହେବ, ତହିଁରେ ସେ ପଡ଼ିବ, ଆଉ ଉଠିବ ନାହିଁ। |
|
| 21 |
|
| ପୁଣି, ସେହି ଦିନ ସଦାପ୍ରଭୁ ଊର୍ଦ୍ଧ୍ୱରେ ଊର୍ଦ୍ଧ୍ୱସ୍ଥମାନଙ୍କର ସୈନ୍ୟସାମନ୍ତକୁ ଓ ଭୂମଣ୍ଡଳରେ ଭୂମଣ୍ଡଳସ୍ଥ ରାଜାଗଣଙ୍କୁ ପ୍ରତିଫଳ ଦେବେ। |
|
| 22 |
|
| ତହିଁରେ ଯେପରି ବନ୍ଦୀମାନେ କୂପରେ ଏକତ୍ରୀକୃତ ହୁଅନ୍ତି, ସେହିପରି ସେମାନେ ଏକତ୍ରୀକୃତ ହୋଇ ବନ୍ଦୀଗୃହରେ ରୁଦ୍ଧ ହେବେ, ପୁଣି, ଅନେକ ଦିନ ଉତ୍ତାରେ ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରାଯିବ। |
|
| 23 |
|
| ସେତେବେଳେ ଚନ୍ଦ୍ର ଅପ୍ରସ୍ତୁତ ଓ ସୂର୍ଯ୍ୟ ଲଜ୍ଜିତ ହେବ; କାରଣ ସୈନ୍ୟାଧିପତି ସଦାପ୍ରଭୁ ସିୟୋନ ପର୍ବତରେ, ଯିରୂଶାଲମରେ ଓ ତାହାଙ୍କ ପ୍ରାଚୀନବର୍ଗର ସମ୍ମୁଖରେ ମହାପ୍ରତାପରେ ରାଜତ୍ୱ କରିବେ। |
|
|
|
|