|
| 1 |
|
| ଆଗୋ ବାବିଲର ଅନୂଢ଼ା କନ୍ୟେ, ତୁମ୍ଭେ ଓହ୍ଲାଇ ଧୂଳିରେ ବସ; ଆଗୋ କଲ୍ଦୀୟର କନ୍ୟେ, ସିଂହାସନ ବିନା, ଭୂମିରେ ବସ; କାରଣ ତୁମ୍ଭେ ଆଉ କୋମଳା ଓ ସୁକୁମାରୀ ବୋଲି ଖ୍ୟାତା ନ ହେବ। |
|
| 2 |
|
| ଚକି ନେଇ ଶସ୍ୟ ପେଷ, ତୁମ୍ଭର ଓଢ଼ଣି କାଢ଼, ପୋଷାକ କାଢ଼ି ପକାଅ, ପାଦ ଅନାବୃତ କର, ନଦ-ନଦୀରେ ଚାଲି କରି ଯାଅ। |
|
| 3 |
|
| ତୁମ୍ଭର ଉଲଙ୍ଗତା ପ୍ରକାଶିତ ହେବ, ହଁ, ତୁମ୍ଭର ଲଜ୍ଜାର ବିଷୟ ଦୃଶ୍ୟ ହେବ; ଆମ୍ଭେ ପରିଶୋଧ ନେବା, ପୁଣି କାହାରି ଅନୁରୋଧ ମାନିବା ନାହିଁ। |
|
| 4 |
|
| ଆମ୍ଭମାନଙ୍କର ମୁକ୍ତିଦାତା ଇସ୍ରାଏଲର ଧର୍ମସ୍ୱରୂପ, ସୈନ୍ୟାଧିପତି ସଦାପ୍ରଭୁ, ତାହାଙ୍କର ନାମ। |
|
| 5 |
|
| ଆଗୋ କଲ୍ଦୀୟମାନଙ୍କର କନ୍ୟେ, ତୁମ୍ଭେ ଅନ୍ଧାରକୁ ଯାଇ ତୁନି ହୋଇ ବସ; କାରଣ ରାଜ୍ୟସମୂହର କର୍ତ୍ତୃତ୍ୱକାରିଣୀ ବୋଲି ତୁମ୍ଭେ ଆଉ ଖ୍ୟାତା ହେବ ନାହିଁ। |
|
| 6 |
|
| ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ଆପଣା ଅଧିକାର ଅପବିତ୍ର କଲୁ ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲୁ; ତୁମ୍ଭେ ସେମାନଙ୍କ ପ୍ରତି କିଛି ଦୟା ପ୍ରକାଶ କଲ ନାହିଁ; ତୁମ୍ଭେ ବୃଦ୍ଧ ଲୋକ ଉପରେ ତୁମ୍ଭର ଯୁଆଳି ବଡ଼ ଭାରୀ କରି ଥୋଇଲ। |
|
| 7 |
|
| ପୁଣି, ତୁମ୍ଭେ କହିଲ, “ଆମ୍ଭେ ସଦାକାଳ କର୍ତ୍ତୃତ୍ୱକାରିଣୀ ହୋଇ ରହିବା;” ଏହେତୁ ତୁମ୍ଭେ ଏହିସବୁ ବିଷୟରେ ମନୋଯୋଗ କଲ ନାହିଁ, କିଅବା ତହିଁର ଶେଷ ଫଳ ସ୍ମରଣ କଲ ନାହିଁ। |
|
| 8 |
|
| ଏହେତୁ ଗୋ ସୁଖଭୋଗିନୀ, ଏବେ ଏହା ଶୁଣ, ତୁମ୍ଭେ ନିର୍ଭୟରେ ବାସ କରି ମନେ ମନେ କହୁଅଛ, “ଆମ୍ଭେ ଅଛୁ, ଆମ୍ଭ ଛଡ଼ା ଆଉ କେହି ନାହିଁ; ଆମ୍ଭେ ବିଧବା ପରି ବସିବା ନାହିଁ, କିଅବା ସନ୍ତାନ-ବିରହ ଜାଣିବା ନାହିଁ,” |
|
| 9 |
|
| ମାତ୍ର ସନ୍ତାନ-ବିରହ ଓ ବୈଧବ୍ୟ ଏ ଦୁଇ ଏକ ମୁହୂର୍ତ୍ତରେ, ଏକ ଦିନରେ ତୁମ୍ଭ ପ୍ରତି ଘଟିବ; ତୁମ୍ଭର ଅପାର ଗଣକତା ଓ ଅତି ପ୍ରଚୁର ମାୟାବୀତ୍ୱ ଥିଲେ ହେଁ, ସେ ଦୁଇ ସମ୍ପୂର୍ଣ୍ଣ ପରିମାଣରେ ତୁମ୍ଭ ପ୍ରତି ଘଟିବ। |
|
| 10 |
|
| କାରଣ ତୁମ୍ଭେ ଆପଣା ଦୁଷ୍ଟତାରେ ନିର୍ଭର ରଖିଅଛ; ତୁମ୍ଭେ କହିଅଛ, “କେହି ଆମ୍ଭକୁ ଦେଖୁ ନାହିଁ,” ତୁମ୍ଭର ଜ୍ଞାନ ଓ ବିଦ୍ୟା ତୁମ୍ଭକୁ ବିପଥଗାମୀ କରିଅଛି; ପୁଣି ତୁମ୍ଭେ ଆପଣା ମନେ ମନେ କହିଅଛ, “ଆମ୍ଭେ ଅଛୁ, ଆମ୍ଭ ଛଡ଼ା ଆଉ କେହି ନାହିଁ;” |
|
| 11 |
|
| ଏହେତୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ, ତୁମ୍ଭେ ତହିଁର ଉଦୟ ଜାଣିବ ନାହିଁ; ପୁଣି, ତୁମ୍ଭ ଉପରେ ବିପଦ ପଡ଼ିବ, ତୁମ୍ଭେ ତାହା ଦୂର କରି ପାରିବ ନାହିଁ; ଆଉ, ଯାହା ତୁମ୍ଭେ ଜାଣୁ ନାହଁ, ଏପରି ବିନାଶ ହଠାତ୍ ତୁମ୍ଭ ଉପରେ ଘଟିବ। |
|
| 12 |
|
| ତୁମ୍ଭେ ବାଲ୍ୟକାଳରୁ ଆପଣାର ଯେଉଁ ମାୟାବୀତ୍ୱ ଓ ଅପାର ଗଣକତାରେ ପରିଶ୍ରମ କରି ଆସିଅଛ, ଏବେ ତାହା ଅବଲମ୍ବନ କର। କେଜାଣି ଅବା ତୁମ୍ଭେ ଉପକାର ପାଇ ପାରିବ, କେଜାଣି ଅବା ତୁମ୍ଭେ ଜୟଯୁକ୍ତ ହୋଇ ପାରିବ। |
|
| 13 |
|
| ତୁମ୍ଭେ ଆପଣାର ଅପାର ମନ୍ତ୍ରଣାରେ କ୍ଳାନ୍ତ ହୋଇଅଛ; ଏବେ ଜ୍ୟୋତିଷମାନେ, ନକ୍ଷତ୍ରଦର୍ଶୀମାନେ, ମାସିକ ଶୁଭାଶୁଭବାଦୀମାନେ ଠିଆ ହେଉନ୍ତୁ ଓ ତୁମ୍ଭ ପ୍ରତି ଯାହା ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ। |
|
| 14 |
|
| ଦେଖ, ସେମାନେ କୁଟା ପରି ହେବେ; ଅଗ୍ନି ସେମାନଙ୍କୁ ଦଗ୍ଧ କରିବ; ସେମାନେ ଅଗ୍ନିଶିଖାର ବଳରୁ ଆପଣାମାନଙ୍କୁ ଉଦ୍ଧାର କରି ପାରିବେ ନାହିଁ। ତାହା ଉଷ୍ଣ ହେବା ନିମନ୍ତେ ଜ୍ୱଳନ୍ତ ଅଙ୍ଗାର ଅବା ତହିଁ ସମ୍ମୁଖରେ ବସିବା ନିମନ୍ତେ ଅଗ୍ନି ସ୍ୱରୂପ ହେବ ନାହିଁ। |
|
| 15 |
|
| ଯେଉଁ ଯେଉଁ ବିଷୟରେ ତୁମ୍ଭେ ପରିଶ୍ରମ କରିଅଛ, ସେହି ସବୁ ତୁମ୍ଭ ପ୍ରତି ଏହିପରି ହେବ; ତୁମ୍ଭର ଯୌବନରୁ ଯେଉଁମାନେ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି, ସେମାନଙ୍କର ପ୍ରତ୍ୟେକେ ଏଣେତେଣେ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ, ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ। |
|
|
|
|