|
| 1 |
|
| ଗୋଷ୍ଠୀଗଣ ବିଷୟରେ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ। |
|
| 2 |
|
| ମିସର ବିଷୟ। ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ବାବିଲର ରାଜା ନବୂଖଦ୍ନିତ୍ସର, ମିସରର ରାଜା ଫାରୋ ନଖୋର ଯେଉଁ ସୈନ୍ୟସାମନ୍ତକୁ ପରାଜୟ କଲା, ଫରାତ୍ ନଦୀ ନିକଟସ୍ଥ କର୍କମୀଶରେ ଉପସ୍ଥିତ ସେହି ସୈନ୍ୟସାମନ୍ତ ବିଷୟକ କଥା। |
|
| 3 |
|
| “ତୁମ୍ଭେମାନେ ଚର୍ମର ଢାଲ ଓ ଫଳକ ପ୍ରସ୍ତୁତ କର ଓ ଯୁଦ୍ଧ କରିବା ଲାଗି ନିକଟକୁ ଆସ। |
|
| 4 |
|
| ହେ ଅଶ୍ୱାରୋହୀମାନେ, ତୁମ୍ଭେମାନେ ଅଶ୍ୱଗଣକୁ ସଜ୍ଜିତ କରି ଆରୋହଣ କର ଓ ମସ୍ତକର ଟୋପର ପିନ୍ଧି ସମ୍ମୁଖରେ ଠିଆ ହୁଅ; ବର୍ଚ୍ଛା ଚିକ୍କଣ କର, ସାଞ୍ଜୁଆ ପିନ୍ଧ। |
|
| 5 |
|
| ଆମ୍ଭେ ସେମାନଙ୍କୁ ଉଦ୍ବିଗ୍ନ ଓ ପଛକୁ ଫେରି ଯିବାର କାହିଁକି ଦେଖିଅଛୁ? ସେମାନଙ୍କର ବୀରଗଣ ପରାସ୍ତ ହୋଇଅଛନ୍ତି ଓ ଶୀଘ୍ର ଶୀଘ୍ର ପଳାଇ ପଛକୁ ଅନାଉ ନାହାନ୍ତି; ଚତୁର୍ଦ୍ଦିଗରେ ଆଶଙ୍କା ଅଛି, ଏହା ସଦାପ୍ରଭୁ କହନ୍ତି। |
|
| 6 |
|
| ଦ୍ରୁତଗାମୀ ପଳାୟନ ନ କରୁ, କିଅବା ବୀର ରକ୍ଷା ନ ପାଉ; ଉତ୍ତର ଦିଗରେ ଫରାତ୍ ନଦୀ ନିକଟରେ ସେମାନେ ଝୁଣ୍ଟି ପଡ଼ିଅଛନ୍ତି। |
|
| 7 |
|
| ନୀଳ ନଦୀ ପରି ଯେ ଉଠୁଅଛି, ଯାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍କ୍ଷିପ୍ତ ହେଉଅଛି, ସେ କିଏ? |
|
| 8 |
|
| ମିସର ନୀଳ ନଦୀ ତୁଲ୍ୟ ଉଠୁଅଛି, ତାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍କ୍ଷିପ୍ତ ହେଉଅଛି, ଆଉ ସେ କହୁଅଛି, ମୁଁ ଉଚ୍ଛୁଳି ଉଠିବି, ମୁଁ ପୃଥିବୀକୁ ପ୍ଲାବିତ କରିବି; ମୁଁ ନଗର ଓ ତନ୍ନିବାସୀମାନଙ୍କୁ ନଷ୍ଟ କରିବି। |
|
| 9 |
|
| ହେ ଅଶ୍ୱଗଣ, ଉଠିଯାଅ; ହେ ରଥସକଳ, ଗର୍ଜ୍ଜନ କର; ଆଉ, ବୀରମାନେ ବାହାର ହେଉନ୍ତୁ; ଢାଲବାହକ କୂଶ ଓ ପୂଟ୍, ଆଉ ଧନୁର୍ଦ୍ଧାରୀ ଓ ଧନୁରେ ଗୁଣଦାୟୀ ଲୁଦୀୟମାନେ, ବାହାର ହେଉନ୍ତୁ। |
|
| 10 |
|
| କାରଣ ସେଦିନ ପ୍ରଭୁଙ୍କର, ସୈନ୍ୟାଧିପତି ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ଓ ତାହାଙ୍କ ବିପକ୍ଷମାନଙ୍କୁ ପ୍ରତିଫଳ ଦେବାର ଦିନ ଅଟେ; ଖଡ୍ଗ ଗ୍ରାସ କରି ତୃପ୍ତ ହେବ ଓ ସେମାନଙ୍କର ରକ୍ତ ପାନ କରି ପରିତୃପ୍ତ ହେବ; କାରଣ ଫରାତ୍ ନଦୀ ନିକଟସ୍ଥ ଉତ୍ତର ଦେଶରେ ପ୍ରଭୁଙ୍କର ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞ ଅଛି। |
|
| 11 |
|
| ଗୋ ମିସରର ଅନୁଢ଼ା କନ୍ୟେ, ତୁମ୍ଭେ ଗିଲୀୟଦକୁ ଉଠିଯାଇ ଔଷଧ ନିଅ। ତୁମ୍ଭେ ବ୍ୟର୍ଥରେ ଅନେକ ଔଷଧ ବ୍ୟବହାର କରୁଅଛ; ତୁମ୍ଭ ପାଇଁ ଆରୋଗ୍ୟ ନାହିଁ। |
|
| 12 |
|
| ସମସ୍ତ ଜାତିଗଣ ତୁମ୍ଭ ଅପମାନର କଥା ଶୁଣିଅଛନ୍ତି, ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ; କାରଣ ବୀର ବୀର ଉପରେ ଝୁଣ୍ଟି ପଡ଼ିଅଛି; ସେ ଦୁହେଁ ଏକତ୍ର ପଡ଼ିଅଛନ୍ତି।” |
|
| 13 |
|
| ବାବିଲର ରାଜା ନବୂଖଦ୍ନିତ୍ସର ମିସର ଦେଶକୁ ଆସି ତାହା ପରାସ୍ତ କରିବା ବିଷୟରେ ସଦାପ୍ରଭୁ ଯିରିମୀୟଙ୍କୁ ଯେଉଁ କଥା କହିଲେ, ତାହା ଏହି, ଯଥା, |
|
| 14 |
|
| “ତୁମ୍ଭେମାନେ ମିସରରେ ପ୍ରଚାର କର, ମିଗ୍ଦୋଲରେ ଘୋଷଣା କର, ଆଉ ନୋଫ ଓ ତଫନ୍ହେଷରରେ ଘୋଷଣା କର; ତୁମ୍ଭେମାନେ କୁହ, ତୁମ୍ଭେ ଠିଆ ହୁଅ, ଆପଣାକୁ ପ୍ରସ୍ତୁତ କର, କାରଣ ଖଡ୍ଗ ତୁମ୍ଭ ଚାରିଆଡ଼େ ସବୁ ଗ୍ରାସ କରିଅଛି। |
|
| 15 |
|
| ତୁମ୍ଭର ବଳବାନ ଲୋକମାନେ କାହିଁକି ଭାସିଗଲେ? ସେମାନେ ସ୍ଥିର ରହି ପାରିଲେ ନାହିଁ, କାରଣ ସଦାପ୍ରଭୁ ସେମାନଙ୍କୁ ତଡ଼ିଦେଲେ। |
|
| 16 |
|
| ସେ ଅନେକଙ୍କୁ ଝୁଣ୍ଟାଇ ପକାଇଲେ, ସେମାନେ ପରସ୍ପର ଉପରେ ପଡ଼ିଲେ; ପୁଣି, ସେମାନେ କହିଲେ, ‘ଉଠ, ଆମ୍ଭେମାନେ ଉତ୍ପୀଡ଼କ ଖଡ୍ଗରୁ ପଳାଇ ଆପଣା ଲୋକମାନଙ୍କ ନିକଟକୁ ଓ ଆପଣା ଜନ୍ମ ଦେଶକୁ ପୁନର୍ବାର ଯାଉ।’ |
|
| 17 |
|
| ସେସ୍ଥାନରେ ଲୋକମାନେ ଉଚ୍ଚସ୍ୱରରେ କହିଲେ, ‘ମିସରର ରାଜା ଫାରୋ ଶବ୍ଦ ମାତ୍ର; ସେ ନିରୂପିତ ସମୟ ବହି ଯିବାକୁ ଦେଇଅଛି।’ |
|
| 18 |
|
| ରାଜା ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କ ନାମ, ସେ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ପର୍ବତଗଣ ମଧ୍ୟରେ ତାବୋରର ସଦୃଶ କିଅବା ସମୁଦ୍ର ନିକଟସ୍ଥ କର୍ମିଲର ସଦୃଶ ସେ ନିଶ୍ଚୟ ଆସିବ। |
|
| 19 |
|
| ଆଗୋ ମିସର ନିବାସିନୀ କନ୍ୟେ, ତୁମ୍ଭେ ବନ୍ଦୀତ୍ୱକୁ ଯିବା ପାଇଁ ଆପଣାର ସମ୍ବଳ ପ୍ରସ୍ତୁତ କର; କାରଣ ନୋଫ ଧ୍ୱଂସିତ, ଦଗ୍ଧ ଓ ନିବାସୀବିହୀନ ହେବ। |
|
| 20 |
|
| ମିସର ଅତି ସୁନ୍ଦରୀ ତରୁଣୀ ଗାଭୀ; ମାତ୍ର ଉତ୍ତର ଦିଗରୁ ବିନାଶ ଆସିଅଛି, ତାହା ଆସିଅଛି। |
|
| 21 |
|
| ଆହୁରି, ମିସରର ମଧ୍ୟବର୍ତ୍ତୀ ବେତନଗ୍ରାହୀ ଲୋକମାନେ ଗୋଶାଳାର ଗୋବତ୍ସ ତୁଲ୍ୟ; କାରଣ ସେମାନେ ମଧ୍ୟ ଫେରି ଯାଇଅଛନ୍ତି, ସେମାନେ ଏକତ୍ର ପଳାଇଅଛନ୍ତି, ସେମାନେ ସ୍ଥିର ହୋଇ ରହିଲେ ନାହିଁ, କାରଣ ସେମାନଙ୍କର ବିପଦର ଦିନ, ପ୍ରତିଫଳ ପାଇବାର ସମୟ ସେମାନଙ୍କର ନିକଟରେ ଉପସ୍ଥିତ ହେଲା। |
|
| 22 |
|
| ଶତ୍ରୁମାନେ ସୈନ୍ୟ ସହିତ ଅଗ୍ରସର ହେବେ ଓ କାଠକଟାଳୀମାନଙ୍କ ପରି କୁହ୍ରାଡ଼ି ନେଇ ତାହା ବିରୁଦ୍ଧରେ ଆସିବେ, ତହିଁରେ ତାହାର ଶବ୍ଦ ସର୍ପ ତୁଲ୍ୟ ଅଗ୍ରସର ହେବ। |
|
| 23 |
|
| ସଦାପ୍ରଭୁ କହନ୍ତି, ତାହାର ଅରଣ୍ୟ ଅଗମ୍ୟ ହେଲେ ହେଁ ସେମାନେ ତାହା ହାଣି ପକାଇବେ; କାରଣ ସେମାନେ ପଙ୍ଗପାଳ ଅପେକ୍ଷା ଅନେକ ଓ ଅସଂଖ୍ୟ ଅଟନ୍ତି। |
|
| 24 |
|
| ମିସରର କନ୍ୟା ଲଜ୍ଜିତା ହେବ; ସେ ଉତ୍ତର ଦେଶୀୟ ଲୋକମାନଙ୍କ ହସ୍ତରେ ସମର୍ପିତା ହେବ।” |
|
| 25 |
|
| ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: “ଦେଖ, ଆମ୍ଭେ ନୋ ଦେଶୀୟ ଆମୋନ୍କୁ, ଆଉ ଫାରୋ, ମିସର ଓ ତାହାର ଦେବଗଣ ଓ ରାଜାଗଣଙ୍କୁ; ହଁ, ଫାରୋ ଓ ତାହାର ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା; |
|
| 26 |
|
| ପୁଣି, ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀ ଲୋକମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ଦାସମାନଙ୍କ ହସ୍ତରେ ଆମ୍ଭେ ସେମାନଙ୍କୁ ସମର୍ପଣ କରିବା। ପୁଣି, ସଦାପ୍ରଭୁ କହନ୍ତି, ତହିଁ ଉତ୍ତାରେ ସେ ଦେଶ ପୂର୍ବକାଳର ନ୍ୟାୟ ବସତି ସ୍ଥାନ ହେବ। |
|
| 27 |
|
| ମାତ୍ର ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ, କିଅବା ହେ ଇସ୍ରାଏଲ, ତୁମ୍ଭେ ନିରାଶ ହୁଅ ନାହିଁ: କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ ଓ ବନ୍ଦୀତ୍ୱ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା; ତହିଁରେ ଯାକୁବ ଫେରିଆସି ନିର୍ଭୟ ଓ ନିଶ୍ଚିନ୍ତରେ ରହିବ ଓ କେହି ତାହାକୁ ଭୟ ଦେଖାଇବ ନାହିଁ। |
|
| 28 |
|
| ସଦାପ୍ରଭୁ କହନ୍ତି, ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ; କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ: ଯେଉଁମାନଙ୍କ ମଧ୍ୟକୁ ଆମ୍ଭେ ତୁମ୍ଭକୁ ତଡ଼ି ଦେଇଅଛୁ, ସେହି ସବୁ ଗୋଷ୍ଠୀଙ୍କୁ ଆମ୍ଭେ ନିଃଶେଷ ରୂପେ ସଂହାର କରିବା, ମାତ୍ର ଆମ୍ଭେ ତୁମ୍ଭକୁ ନିଃଶେଷ ରୂପେ ସଂହାର କରିବା ନାହିଁ; ତଥାପି ଆମ୍ଭେ ତୁମ୍ଭକୁ ବିବେଚନାପୂର୍ବକ ଶାସ୍ତି ଦେବା ଓ କୌଣସିମତେ ତୁମ୍ଭକୁ ଅଦଣ୍ଡିତ କରି ଛାଡ଼ିବା ନାହିଁ।” |
|
|
|
|