|
| 1 |
|
| “ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଦେବମୂର୍ତ୍ତି ନିର୍ମାଣ କରିବ ନାହିଁ, କିଅବା ଆପଣାମାନଙ୍କ ନିମନ୍ତେ ଖୋଦିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ ଓ ତାହା ନିକଟରେ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶରେ କୌଣସି ଖୋଦିତ ପ୍ରସ୍ତର ରଖିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। |
|
| 2 |
|
| ତୁମ୍ଭେମାନେ ଆମ୍ଭର ସକଳ ବିଶ୍ରାମ ଦିବସ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମାଦର କରିବ; ଆମ୍ଭେ ସଦାପ୍ରଭୁ ଅଟୁ। |
|
| 3 |
|
| ଯଦି ତୁମ୍ଭେମାନେ ଆମ୍ଭର ବିଧି ଅନୁସାରେ ଚ଼ାଲିବ ଓ ଆମ୍ଭର ଆଜ୍ଞା ମାନ୍ୟ କରି ପାଳନ କରିବ; |
|
| 4 |
|
| ତେବେ ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭମାନଙ୍କୁ ବୃଷ୍ଟିଦାନ କରିବା, ତହିଁରେ ଭୂମି ନିଜ ଶସ୍ୟର ପୂର୍ଣ୍ଣତା ଉତ୍ପନ୍ନ କରିବ ଓ କ୍ଷେତ୍ରର ବୃକ୍ଷସକଳ ଆପଣା ଆପଣା ଫଳ ଉତ୍ପନ୍ନ କରିବ। |
|
| 5 |
|
| ଆଉ ତୁମ୍ଭମାନଙ୍କର ଶସ୍ୟମର୍ଦ୍ଦନର ସମୟ ଦ୍ରାକ୍ଷା ସଂଗ୍ରହର ସମୟ ପର୍ଯ୍ୟନ୍ତ ଲାଗିବ ଓ ଦ୍ରାକ୍ଷା ସଂଗ୍ରହର ସମୟ ବୀଜ ବୁଣିବାର ସମୟ ପର୍ଯ୍ୟନ୍ତ ଲାଗିବ; ପୁଣି ତୁମ୍ଭେମାନେ ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରିବ ଓ ଆପଣା ଦେଶରେ ନିର୍ଭୟରେ ବାସ କରିବ। |
|
| 6 |
|
| ଆଉ, ଆମ୍ଭେ ଦେଶରେ ଶାନ୍ତି ପ୍ରଦାନ କରିବା, ତହିଁରେ ତୁମ୍ଭେମାନେ ଶୟନ କଲେ, କେହି ତୁମ୍ଭମାନଙ୍କୁ ଭୟ ଦେଖାଇବ ନାହିଁ; ପୁଣି ଆମ୍ଭେ ହିଂସ୍ରକ ଜନ୍ତୁମାନଙ୍କୁ ଦେଶରୁ ଦୂର କରିବା ଓ ତୁମ୍ଭମାନଙ୍କ ଦେଶରେ ଖଡ୍ଗ ଭ୍ରମଣ କରିବ ନାହିଁ। |
|
| 7 |
|
| ଆଉ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କୁ ଘଉଡ଼ାଇ ଦେବ ଓ ସେମାନେ ତୁମ୍ଭମାନଙ୍କ ଆଗେ ଖଡ୍ଗରେ ପଡ଼ିବେ। |
|
| 8 |
|
| ପୁଣି ତୁମ୍ଭମାନଙ୍କର ପାଞ୍ଚ ଜଣ ଶହେ ଜଣଙ୍କୁ ଘଉଡ଼ାଇ ଦେବ ଓ ତୁମ୍ଭମାନଙ୍କର ଶହେ ଜଣ ଦଶ ସହସ୍ର ଜଣଙ୍କୁ ଘଉଡ଼ାଇ ଦେବ; ଆଉ ତୁମ୍ଭମାନଙ୍କର ଶତ୍ରୁଗଣ ତୁମ୍ଭମାନଙ୍କ ଆଗେ ଖଡ୍ଗରେ ପଡ଼ିବେ। |
|
| 9 |
|
| ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ପ୍ରସନ୍ନମୁଖ ହେବା ଓ ତୁମ୍ଭମାନଙ୍କୁ ପ୍ରଜାବନ୍ତ ଓ ବହୁବଂଶ କରିବା ଓ ତୁମ୍ଭମାନଙ୍କ ସହିତ ଆପଣା ନିୟମ ସ୍ଥିର କରିବା। |
|
| 10 |
|
| ପୁଣି ତୁମ୍ଭେମାନେ ବହୁସମୟର ସଞ୍ଚିତ ପୁରାତନ ଶସ୍ୟ ଭୋଜନ କରିବ ଓ ତୁମ୍ଭେମାନେ ନୂତନ ଶସ୍ୟ ହେତୁ ପୁରାତନ ଶସ୍ୟ ବାହାର କରିବ। |
|
| 11 |
|
| ଆଉ ଆମ୍ଭେ ଆପଣା ଆବାସ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାପନ କରିବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ ନାହିଁ। |
|
| 12 |
|
| ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଗମନାଗମନ କରିବା ଓ ତୁମ୍ଭମାନଙ୍କର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ। |
|
| 13 |
|
| ତୁମ୍ଭେମାନେ ଯେପରି ସେମାନଙ୍କର ଦାସ ନ ହେବ, ଏଥିପାଇଁ ଯେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆମ୍ଭେ ଅଟୁ; ଆମ୍ଭେ ତୁମ୍ଭମାନଙ୍କ ଯୁଆଳିର ଯୋତ ଭାଙ୍ଗିଅଛୁ ଓ ତୁମ୍ଭମାନଙ୍କୁ ସିଧା ଚାଲିବାକୁ ଦେଇଅଛୁ। |
|
| 14 |
|
| ମାତ୍ର, ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ ଓ ସେହି ସକଳ ଆଜ୍ଞା ପାଳନ ନ କରିବ; |
|
| 15 |
|
| ପୁଣି, ଯଦି ତୁମ୍ଭେମାନେ ଆମ୍ଭ ବିଧି ଅବଜ୍ଞା କରିବ ଓ ତୁମ୍ଭମାନଙ୍କ ପ୍ରାଣ ଆମ୍ଭର ସକଳ ଶାସନ ଘୃଣା କରିବାରୁ ତୁମ୍ଭେମାନେ ଆମ୍ଭର ଆଜ୍ଞାସକଳ ପାଳନ ନ କରିବ, ମାତ୍ର ଆମ୍ଭର ନିୟମ ଲଙ୍ଘନ କରିବ, |
|
| 16 |
|
| ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଏହିରୂପେ ବ୍ୟବହାର କରିବା; ଆମ୍ଭେ ତୁମ୍ଭମାନଙ୍କ ଉପରେ ବ୍ୟାକୁଳତା ନିରୂପଣ କରିବା; ଅର୍ଥାତ୍, ଯକ୍ଷ୍ମା ଓ ଜ୍ୱର, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ ଓ ପ୍ରାଣ କ୍ଷୟ କରିବ; ଆଉ ତୁମ୍ଭେମାନେ ବୃଥାରେ ଆପଣାମାନଙ୍କ ବୀଜ ବୁଣିବ, କାରଣ ତୁମ୍ଭମାନଙ୍କ ଶତ୍ରୁମାନେ ତାହା ଖାଇବେ। |
|
| 17 |
|
| ପୁଣି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା, ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ପରାସ୍ତ ହେବ; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନେ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ ଓ କେହି ତୁମ୍ଭମାନଙ୍କ ପଛେ ନ ଗୋଡ଼ାଇଲେ ହେଁ ତୁମ୍ଭେମାନେ ପଳାଇଯିବ। |
|
| 18 |
|
| ଆଉ ଏହା ହେଲେ ମଧ୍ୟ ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ଅଧିକ ଦଣ୍ଡ ଦେବା। |
|
| 19 |
|
| ପୁଣି ଆମ୍ଭେ ତୁମ୍ଭମାନଙ୍କ ବଳର ଗର୍ବ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶ ଲୌହ ତୁଲ୍ୟ ଓ ଭୂମି ପିତ୍ତଳ ତୁଲ୍ୟ କରିବା। |
|
| 20 |
|
| ତହିଁରେ ତୁମ୍ଭେମାନେ ବୃଥାରେ ବଳ ବ୍ୟୟ କରିବ, କାରଣ ତୁମ୍ଭମାନଙ୍କ ଭୂମି ଶସ୍ୟ ଉତ୍ପନ୍ନ କରିବ ନାହିଁ ଓ କ୍ଷେତ୍ରର ବୃକ୍ଷସକଳ ଫଳ ଉତ୍ପନ୍ନ କରିବ ନାହିଁ। |
|
| 21 |
|
| ଆଉ, ଯଦି ତୁମ୍ଭେମାନେ ଆମ୍ଭର ବିରୁଦ୍ଧାଚରଣ କରି ଆମ୍ଭ ବାକ୍ୟ ଶୁଣିବାକୁ ଅସମ୍ମତ ହେବ; ତେବେ ଆମ୍ଭେ ତୁମ୍ଭମାନଙ୍କ ପାପ ଅନୁସାରେ ତୁମ୍ଭମାନଙ୍କୁ ସାତ ଗୁଣ କ୍ଲେଶ ଦେବା। |
|
| 22 |
|
| ପୁଣି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ବନ୍ୟ ପଶୁମାନଙ୍କୁ ପଠାଇବା, ତହିଁରେ ସେମାନେ ତୁମ୍ଭମାନଙ୍କୁ ସନ୍ତାନହୀନ କରିବେ ଓ ତୁମ୍ଭମାନଙ୍କ ପଶୁମାନଙ୍କୁ ବିନଷ୍ଟ କରିବେ, ପୁଣି ତୁମ୍ଭମାନଙ୍କୁ ଅଳ୍ପସଂଖ୍ୟକ କରିବେ; ଆଉ ତୁମ୍ଭମାନଙ୍କ ରାଜପଥସକଳ ଜନମାନବ ଶୂନ୍ୟ ହେବ। |
|
| 23 |
|
| ଏହା ହେଲେ ମଧ୍ୟ ଯଦି ତୁମ୍ଭେମାନେ ଆମ୍ଭ ପ୍ରତି ସୁଧୁରିବ ନାହିଁ, ମାତ୍ର ଆମ୍ଭର ବିରୁଦ୍ଧାଚରଣ କରିବ, |
|
| 24 |
|
| ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କର ବିରୁଦ୍ଧାଚରଣ କରିବା ଓ ତୁମ୍ଭମାନଙ୍କୁ ପ୍ରହାର କରିବା, ଆମ୍ଭେ ନିଜେ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ପ୍ରହାର କରିବା। |
|
| 25 |
|
| ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ୍ଗ ଆଣିବା, ତାହା ନିୟମ ଲଙ୍ଘନର ପ୍ରତିଫଳ ଦେବ ଓ ତୁମ୍ଭେମାନେ ନଗର ମଧ୍ୟରେ ଏକତ୍ର ହେଲେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ମହାମାରୀ ପଠାଇବା; ତହିଁରେ ତୁମ୍ଭେମାନେ ଶତ୍ରୁ ହସ୍ତରେ ସମର୍ପିତ ହେବ। |
|
| 26 |
|
| ଆମ୍ଭେ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗିଲେ ଦଶ ଜଣ ସ୍ତ୍ରୀ ଗୋଟିଏ ଚୁଲ୍ଲୀରେ ତୁମ୍ଭମାନଙ୍କର ରୁଟି ରନ୍ଧନ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୁଟି ଦେବେ, ଆଉ ତୁମ୍ଭେମାନେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହେବ ନାହିଁ। |
|
| 27 |
|
| ଏହା ହେଲେ ହେଁ ଯଦି ତୁମ୍ଭେମାନେ ଆମ୍ଭ କଥା ଶୁଣିବ ନାହିଁ, ମାତ୍ର ଆମ୍ଭର ବିରୁଦ୍ଧାଚରଣ କରିବ; |
|
| 28 |
|
| ତେବେ ଆମ୍ଭେ କ୍ରୋଧରେ ତୁମ୍ଭମାନଙ୍କର ବିରୁଦ୍ଧାଚରଣ କରିବା ଓ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ଶାସ୍ତି ଦେବା। |
|
| 29 |
|
| ତହିଁରେ ତୁମ୍ଭେମାନେ ଆପଣା ପୁତ୍ରଗଣର ଓ କନ୍ୟାଗଣର ମାଂସ ଭୋଜନ କରିବ। |
|
| 30 |
|
| ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚ ସ୍ଥଳସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମାସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତ ଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ। |
|
| 31 |
|
| ଆମ୍ଭେ ତୁମ୍ଭମାନଙ୍କ ନଗରସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ର ସ୍ଥାନସକଳ ଶୂନ୍ୟ କରିବା ଓ ଆମ୍ଭେ ତୁମ୍ଭମାନଙ୍କର (ଦତ୍ତ) ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ। |
|
| 32 |
|
| ପୁଣି ଆମ୍ଭେ ଦେଶକୁ ଶୂନ୍ୟସ୍ଥାନ କରିବା ଓ ତନ୍ନିବାସୀ ତୁମ୍ଭମାନଙ୍କ ଶତ୍ରୁଗଣ ତହିଁରେ ଆଶ୍ଚର୍ଯ୍ୟ ଜ୍ଞାନ କରିବେ। |
|
| 33 |
|
| ଆଉ ଆମ୍ଭେ ନାନା ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ପଶ୍ଚାତ୍ ଖଡ୍ଗ ନିଷ୍କୋଷ କରିବା; ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ୟସ୍ଥାନ ହେବ ଓ ତୁମ୍ଭମାନଙ୍କ ନଗରସକଳ ମରୁଭୂମି ହେବ। |
|
| 34 |
|
| ତେବେ ଯେପର୍ଯ୍ୟନ୍ତ ଦେଶ ଶୂନ୍ୟସ୍ଥାନ ହୋଇଥିବ ଓ ତୁମ୍ଭେମାନେ ଆପଣା ଶତ୍ରୁଗଣର ଦେଶରେ ରହିବ, ସେପର୍ଯ୍ୟନ୍ତ ଭୂମି ଆପଣା ବିଶ୍ରାମ ଗ୍ରହଣ କରିବ; ଅର୍ଥାତ୍, ସେହି ସମୟରେ ଭୂମି ବିଶ୍ରାମ କରି ଆପଣା ବିଶ୍ରାମ ଗ୍ରହଣ କରିବ। |
|
| 35 |
|
| ଯେତେକାଳ ତାହା ଶୂନ୍ୟସ୍ଥାନ ହୋଇ ରହିବ, ସେତେକାଳ ତାହା ବିଶ୍ରାମ ପାଇବ; ଅର୍ଥାତ୍, ତୁମ୍ଭେମାନେ ତହିଁ ମଧ୍ୟରେ ବାସ କରିବା ସମୟରେ ତୁମ୍ଭମାନଙ୍କ ବିଶ୍ରାମ କାଳରେ ତାହା ଯେଉଁ ବିଶ୍ରାମ ପାଇ ନ ଥିଲା, ତାହା ପାଇବ। |
|
| 36 |
|
| ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେତେ ଅବଶିଷ୍ଟ ରହିବେ, ଆମ୍ଭେ ଶତ୍ରୁଗଣର ଦେଶରେ ସେମାନଙ୍କ ହୃଦୟରେ ଭୀରୁତା ପଠାଇବା ଯଦ୍ଦ୍ୱାରା (ବାୟୁରେ) ଚାଳିତ ପତ୍ରର ଶବ୍ଦ ମଧ୍ୟ ସେମାନଙ୍କୁ ଘଉଡ଼ାଇ ଦେବ; ପୁଣି ଖଡ୍ଗଧାରରୁ ପଳାଇଲା ଲୋକ ପରି ସେମାନେ ପଳାଇବେ ଓ କେହି ସେମାନଙ୍କୁ ନ ଗୋଡ଼ାଇଲେ ହେଁ ସେମାନେ ପତିତ ହେବେ। |
|
| 37 |
|
| ପୁଣି କେହି ନ ଗୋଡ଼ାଇଲେ ହେଁ ଯେପରି ଖଡ୍ଗ ସମ୍ମୁଖରେ, ସେପରି ସେମାନେ ପରସ୍ପର ଉପରେ ଝୁଣ୍ଟି ପଡ଼ିବେ ଓ ଶତ୍ରୁଗଣ ସମ୍ମୁଖରେ ଠିଆ ହେବା ପାଇଁ ସେମାନଙ୍କର ବଳ ପାଇବ ନାହିଁ। |
|
| 38 |
|
| ଆଉ ତୁମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ ଓ ତୁମ୍ଭମାନଙ୍କ ଶତ୍ରୁଗଣର ଦେଶ ତୁମ୍ଭମାନଙ୍କୁ ଗ୍ରାସ କରିବ। |
|
| 39 |
|
| ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ, ସେମାନେ ଆପଣା ଆପଣା ଅପରାଧ ସକାଶୁ ତୁମ୍ଭମାନଙ୍କ ଶତ୍ରୁଗଣର ଦେଶରେ କ୍ଷୟ ପାଇବେ ଓ ମଧ୍ୟ ସେମାନେ ଆପଣା ଆପଣା ପିତୃଗଣର ଅପରାଧ ସକାଶୁ ସେମାନଙ୍କ ସଙ୍ଗରେ କ୍ଷୟ ପାଇବେ। |
|
| 40 |
|
| ଆଉ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ସେମାନେ ଓ ସେମାନଙ୍କ ପିତୃଗଣ ଯେଉଁ ସତ୍ୟ-ଲଙ୍ଘନ ଅପରାଧ କଲେ, ଆପଣାମାନଙ୍କର ସେହି ଅପରାଧ; |
|
| 41 |
|
| ଓ ମଧ୍ୟ ସେମାନେ ଆମ୍ଭର ବିରୁଦ୍ଧାଚରଣ କରିବା ହେତୁ ଆମ୍ଭେ ହିଁ ଯେ ସେମାନଙ୍କର ବିରୁଦ୍ଧାଚରଣ କରି ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶକୁ ଆଣିଲୁ, ଏହା ସେମାନେ ସ୍ୱୀକାର କରିବେ; ତହିଁରେ ଯଦି ସେମାନଙ୍କ ଅସୁନ୍ନତ ହୃଦୟ ନମ୍ର ହେବ ଓ ସେମାନେ ଆପଣା ଆପଣା ଅପରାଧର ଦଣ୍ଡ ଗ୍ରହଣ କରିବେ; |
|
| 42 |
|
| ତେବେ ଆମ୍ଭେ ଯାକୁବ ସହିତ ଆପଣା ନିୟମ ସ୍ମରଣ କରିବା ଓ ମଧ୍ୟ ଇସ୍ହାକ ସହିତ ଆପଣା ନିୟମ ଓ ମଧ୍ୟ ଅବ୍ରହାମ ସହିତ ଆପଣା ନିୟମ ସ୍ମରଣ କରିବା; ପୁଣି ଆମ୍ଭେ ଦେଶକୁ ସ୍ମରଣ କରିବା। |
|
| 43 |
|
| ଦେଶ ମଧ୍ୟ ସେମାନଙ୍କ ଦ୍ୱାରା ତ୍ୟକ୍ତ ହୋଇ ରହିବ ଓ ସେମାନଙ୍କ ଅନୁପସ୍ଥିତିରେ ଶୂନ୍ୟସ୍ଥାନ ହୋଇ ପଡ଼ିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ; ପୁଣି ସେମାନେ ଆପଣା ଆପଣା ଅପରାଧର ଦଣ୍ଡ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସେମାନେ ଆମ୍ଭର ଆଜ୍ଞା ଅଗ୍ରାହ୍ୟ କଲେ ଓ ସେମାନଙ୍କ ପ୍ରାଣ ଆମ୍ଭ ବିଧି ଘୃଣା କଲା। |
|
| 44 |
|
| ତଥାପି ଏହିସବୁ କାରଣରୁ, ସେମାନେ ଆପଣାମାନଙ୍କ ଶତ୍ରୁଗଣର ଦେଶରେ ଥିବା ସମୟରେ ଆମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ନିମନ୍ତେ ଓ ସେମାନଙ୍କ ସହିତ ଆପଣା ନିୟମ ଭାଙ୍ଗିବା ନିମନ୍ତେ ସେମାନଙ୍କୁ ଅଗ୍ରାହ୍ୟ କରିବା ନାହିଁ, କିଅବା ସେମାନଙ୍କୁ ଘୃଣା କରିବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ। |
|
| 45 |
|
| ମାତ୍ର ଆମ୍ଭେ ସେମାନଙ୍କ ଲାଗି ସେମାନଙ୍କ ପୂର୍ବପୁରୁଷମାନଙ୍କ ସହିତ କରିଥିବା ଆପଣା ନିୟମ ସ୍ମରଣ କରିବା, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ନିମନ୍ତେ ଅନ୍ୟ ଦେଶୀୟ ଲୋକମାନଙ୍କ ସାକ୍ଷାତରେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛୁ; ଆମ୍ଭେ ସଦାପ୍ରଭୁ ଅଟୁ।” |
|
| 46 |
|
| ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ଦ୍ୱାରା ଆପଣାର ଓ ଇସ୍ରାଏଲ-ସନ୍ତାନଗଣର ମଧ୍ୟରେ ଏହି ସକଳ ବିଧି, ଶାସନ ଓ ବ୍ୟବସ୍ଥା ସ୍ଥାପନ କଲେ। |
|
|
|
|