|
| 1 |
|
| ଅନନ୍ତର ଯୋଷେଫଙ୍କ ପୁତ୍ର ମନଃଶି ବଂଶୀୟମାନଙ୍କ ମଧ୍ୟରୁ ମନଃଶିର ବୃଦ୍ଧ ପ୍ରପୌତ୍ର, ମାଖୀରର ପ୍ରପୌତ୍ର, ଗିଲୀୟଦର ପୌତ୍ର, ହେଫରର ପୁତ୍ର ଯେ ସଲଫାଦ; ତାହାର କନ୍ୟାଗଣ ନିକଟକୁ ଆସିଲେ; ତାହାର କନ୍ୟାମାନଙ୍କ ନାମ ଏହି, ମହଲା, ନୋୟା ଓ ହଗ୍ଲା ଓ ମିଲ୍କା ଓ ତିର୍ସା । |
|
| 2 |
|
| ଏମାନେ ମୋଶାଙ୍କ ସମ୍ମୁଖରେ ଓ ଇଲୀୟାସର ଯାଜକ ସମ୍ମୁଖରେ, ପୁଣି ଅଧିପତିଗଣ ଓ ସମସ୍ତ ମଣ୍ତଳୀର ସମ୍ମୁଖରେ ସମାଗମ-ତମ୍ଵୁ ଦ୍ଵାରରେ ଠିଆ ହୋଇ କହିଲେ, |
|
| 3 |
|
| ଆମ୍ଭମାନଙ୍କ ପିତା ପ୍ରାନ୍ତରରେ ମଲେ, ପୁଣି ଯେଉଁ କୋରହର ଦଳ ସଦାପ୍ରଭୁଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ଏକତ୍ର କରିଥିଲେ, ସେହି ଦଳ ମଧ୍ୟରେ ସେ ନ ଥିଲେ; ମାତ୍ର ସେ ଆପଣା ପାପରେ ମଲେ; ଆଉ ତାଙ୍କର ପୁତ୍ର ନ ଥିଲା । |
|
| 4 |
|
| ଆମ୍ଭମାନଙ୍କ ପିତାଙ୍କର ପୁତ୍ର ନ ଥିବା ସକାଶୁ କି ହେତୁ ତାଙ୍କର ନାମ ତାଙ୍କ ବଂଶରୁ ଲୋପ ପାଇବ? ଆମ୍ଭମାନଙ୍କ ପିତୃବଂଶୀୟ ଭାଇମାନଙ୍କ ମଧ୍ୟରେ ଆମ୍ଭମାନଙ୍କୁ ଅଧିକାର ଦିଅ । |
|
| 5 |
|
| ଏଥିରେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କର ବିଚାର ଉପସ୍ଥିତ କରାଇଲେ । |
|
| 6 |
|
| ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, |
|
| 7 |
|
| ସଲଫାଦର କନ୍ୟାଗଣ ଯଥାର୍ଥ କହୁଅଛନ୍ତି; ତୁମ୍ଭେ ସେମାନଙ୍କ ପିତୃବଂଶୀୟ ଭ୍ରାତୃଗଣ ମଧ୍ୟରେ ଅବଶ୍ୟ ସେମାନଙ୍କୁ ପୈତୃକ-ଅଧିକାର ଦେବ; ପୁଣି ତୁମ୍ଭେ ସେମାନଙ୍କୁ ସେମାନଙ୍କ ପୈତୃକ-ଅଧିକାର ସମର୍ପଣ କରିବ । |
|
| 8 |
|
| ଆଉ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟ ମଲେ ଯେବେ ତାହାର ପୁତ୍ର ନ ଥାଏ, ତେବେ ତୁମ୍ଭେମାନେ ତାହାର ଅଧିକାର ତାହାର କନ୍ୟାକୁ ସମର୍ପଣ କରିବ । |
|
| 9 |
|
| ଯେବେ ତାହାର କନ୍ୟା ନ ଥାଏ, ତେବେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ । |
|
| 10 |
|
| ପୁଣି ଯେବେ ତାହାର ଭାଇ ନ ଥାଏ, ତେବେ ତାହାର ପିତୃବ୍ୟମାନଙ୍କୁ ତାହାର ଅଧିକାର ଦେବ । |
|
| 11 |
|
| ଆଉ ଯେବେ ତାହାର ପିତୃବ୍ୟ ନ ଥାଏ, ତେବେ ତାହାର ବଂଶ ମଧ୍ୟରୁ ନିକଟସ୍ଥ ଜ୍ଞାତିକି ତାହା ଅଧିକାର ଦେବ ଓ ସେ ତାହା ଅଧିକାର କରିବ; ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା ଇସ୍ରାଏଲ-ସନ୍ତାନଗଣର ବିଚାର-ବିଧି ହେବ । |
|
| 12 |
|
| ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଏହି ଅବାରୀମ୍ ପର୍ବତ ଆରୋହଣ କର, ପୁଣି ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛୁ, ତାହା ନିରୀକ୍ଷଣ କର । |
|
| 13 |
|
| ତାହା ନିରୀକ୍ଷଣ କଲା ଉତ୍ତାରେ ତୁମ୍ଭ ଭ୍ରାତା ହାରୋଣ ତୁଲ୍ୟ ତୁମ୍ଭେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେବ । |
|
| 14 |
|
| ଯେହେତୁ ତୁମ୍ଭେମାନେ ସୀନ୍ ପ୍ରାନ୍ତରରେ ମଣ୍ତଳୀର ବିବାଦରେ ଲୋକମାନଙ୍କ ଦୃଷ୍ଟିଗୋଚରରେ ଜଳ ନିକଟରେ ଆମ୍ଭକୁ ପବିତ୍ର ରୂପେ ମାନ୍ୟ କରିବା ବିଷୟକ ଆମ୍ଭ ଆଜ୍ଞାର ବିରୁଦ୍ଧାଚରଣ କଲ । (ସେହି ଜଳ ସୀନ୍ ପ୍ରାନ୍ତରର କାଦେଶସ୍ଥ ମିରୀବାଃ ଜଳ ।) |
|
| 15 |
|
| ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, |
|
| 16 |
|
| ସଦାପ୍ରଭୁ ସର୍ବଶରୀରସ୍ଥ ଆତ୍ମାଗଣର ପରମେଶ୍ଵର ମଣ୍ତଳୀ ଉପରେ ଏକ ଜଣ ନିଯୁକ୍ତ କରନ୍ତୁ, |
|
| 17 |
|
| ଯେ ସେମାନଙ୍କ ଅଗ୍ରଗାମୀ ହୋଇ ବାହାରକୁ ଯାଇ ପାରିବ ଓ ସେମାନଙ୍କ ଅଗ୍ରଗାମୀ ହୋଇ ଭିତରକୁ ଆସି ପାରିବ, ପୁଣି ଯେ ସେମାନଙ୍କର ପଥପ୍ରଦର୍ଶକ ହୋଇ ସେମାନଙ୍କୁ ବାହାରକୁ ନେଇ ପାରିବ ଓ ଭିତରକୁ ଆଣି ପାରିବ; ତାହା କଲେ ସଦାପ୍ରଭୁଙ୍କର ମଣ୍ତଳୀ ପାଳକବିହୀନ ମେଷପଲ ତୁଲ୍ୟ ହେବ ନାହିଁ । |
|
| 18 |
|
| ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ନୂନର ପୁତ୍ର ଯିହୋଶୂୟକୁ ନିଅ, ସେହି ଲୋକଠାରେ ଆତ୍ମା ଅଛନ୍ତି, ପୁଣି ତୁମ୍ଭେ ତାହା ଉପରେ ହସ୍ତାର୍ପଣ କର; |
|
| 19 |
|
| ଆଉ ଇଲୀୟାସର ଯାଜକ ସମ୍ମୁଖରେ ଓ ସମସ୍ତ ମଣ୍ତଳୀ ସମ୍ମୁଖରେ ତାହାକୁ ଉପସ୍ଥିତ କରାଇ ସେମାନଙ୍କ ସାକ୍ଷାତରେ ଆଜ୍ଞା ଦିଅ । |
|
| 20 |
|
| ଆହୁରି ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀ ଯେପରି ତାହାର ଆଜ୍ଞାବହ ହେବେ, ଏଥିପାଇଁ ତୁମ୍ଭେ ଆପଣା ସମ୍ଭ୍ରମ ତାହା ଉପରେ ଅର୍ପଣ କର । |
|
| 21 |
|
| ପୁଣି ସେ ଇଲୀୟାସର ଯାଜକ ସମ୍ମୁଖରେ ଠିଆ ହେବ ଓ ଇଲୀୟାସର ତାହା ପାଇଁ ଊରୀମର ବିଚାର ଦ୍ଵାରା ସଦାପ୍ରଭୁଙ୍କ ସମ୍ମୁଖରେ ପଚାରିବ; ସେମାନେ, ଅର୍ଥାତ୍, ସେ ଓ ତାହା ସହିତ ଇସ୍ରାଏଲ-ସନ୍ତାନଗଣର ସମୁଦାୟ ମଣ୍ତଳୀ, ଉଭୟ ତାହାର ଆଜ୍ଞାରେ ବାହାରକୁ ଯିବେ ଓ ତାହାର ଆଜ୍ଞାରେ ଭିତରକୁ ଆସିବେ । |
|
| 22 |
|
| ଏଥିରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ସେ ଯିହୋଶୂୟଙ୍କୁ ଇଲୀୟାସର ଯାଜକ ସମ୍ମୁଖରେ ଓ ସମୁଦାୟ ମଣ୍ତଳୀ ସମ୍ମୁଖରେ ଉପସ୍ଥିତ କରାଇଲେ । |
|
| 23 |
|
| ପୁଣି ସେ ତାଙ୍କ ଉପରେ ହସ୍ତାର୍ପଣ କଲେ, ପୁଣି ସଦାପ୍ରଭୁ ମୋଶାଙ୍କ ହାତରେ ଯେରୂପ କହିଥିଲେ, ସେରୂପ ସେ ତାଙ୍କୁ ଆଜ୍ଞା ଦେଲେ। |
|
|
|
|