|
| 1 |
|
| ସେତେବେଳେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ତେବେ ସ୍ଵର୍ଗରାଜ୍ୟରେ କିଏ ଶ୍ରେଷ୍ଠ? |
|
| 2 |
|
| ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇ କହିଲେ, |
|
| 3 |
|
| ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲାଙ୍କ ପରି ନ ହେଲେ କୌଣସି ପ୍ରକାରେ ସ୍ଵର୍ଗ-ରାଜ୍ୟରେ ପ୍ରବେଶ କରିବ ନାହିଁ । |
|
| 4 |
|
| ଅତଏବ, ଯେ କେହି ଏହି ସାନ ପିଲା ପରି ଆପଣାକୁ ନମ୍ର କରେ, ସେ ସ୍ଵର୍ଗରାଜ୍ୟରେ ଶ୍ରେଷ୍ଠ। |
|
| 5 |
|
| ଆଉ, ଯେ କେହି ମୋʼ ନାମରେ ଏହିପରି ଗୋଟିଏ ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ; |
|
| 6 |
|
| କିନ୍ତୁ ଯେ କେହି ମୋʼଠାରେ ବିଶ୍ଵାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରର ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ହିତକର ହୋଇଥାଆନ୍ତା । |
|
| 7 |
|
| ହାୟ, ସଂସାର ବିଘ୍ନ ସକାଶେ ସନ୍ତାପର ପାତ୍ର; ବିଘ୍ନ ତ ନିଶ୍ଚୟ ଘଟିବ, କିନ୍ତୁ ହାୟ, ଯେଉଁ ଲୋକ ଦ୍ଵାରା ବିଘ୍ନ ଘଟେ, ସେ ସନ୍ତାପର ପାତ୍ର । |
|
| 8 |
|
| ତୁମ୍ଭର ହସ୍ତ ଅବା ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ, ଦୁଇ ହସ୍ତ ଓ ଦୁଇ ପାଦ ଘେନି ଅନ; ଅଗ୍ନିରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ପଙ୍ଗୁ ଅବା ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ । |
|
| 9 |
|
| ଆଉ, ତୁମ୍ଭର ଚକ୍ଷୁ ଯଦି ତୁମ୍ଭ ବିଘ୍ନର କାରଣ ହୁଏ, ତେବେ ତାହାକୁ ଉପାଡ଼ି ଫୋପାଡ଼ିଦିଅ; ଦୁଇ ଚକ୍ଷୁ ଘେନି ଅଗ୍ନିମୟ ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ । |
|
| 10 |
|
| ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛଜ୍ଞାନ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ଵର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ଵର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି । |
|
| 11 |
|
| [କାରଣ ଯାହା ହଜିଅଛି, ତାହା ରକ୍ଷା କରିବା ନିମନ୍ତେ ମନୁଷ୍ୟପୁତ୍ର ଆସିଅଛନ୍ତି ।] |
|
| 12 |
|
| ତୁମ୍ଭେମାନେ କଅଣ ମନେ କର? କୌଣସି ଲୋକର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ବଣା ହୋଇଯାଏ, ତେବେ କଅଣ ଅନେଶ୍ଵତକୁ ପର୍ବତରେ ଛାଡ଼ି ସେ ଯାଇ ସେହି ବଣା ହୋଇଥିବା ମେଣ୍ଢାଟି ଖୋଜେ ନାହିଁ? |
|
| 13 |
|
| ଆଉ ଯଦି ସେ ତାହାକୁ ପାଏ, ତାହା ହେଲେ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଅନେଶ୍ଵତଟି ବଣା ହୋଇ ନ ଥିଲେ, ସେମାନଙ୍କ ଅପେକ୍ଷା ଏହି ଗୋଟିକ ଲାଗି ସେ ଅଧିକ ଆନନ୍ଦ କରେ । |
|
| 14 |
|
| ସେହି ପ୍ରକାରେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁଯେ ଗୋଟିଏ ବିନଷ୍ଟ ହୁଏ, ଏହା ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ । |
|
| 15 |
|
| ଯଦି ତୁମ୍ଭ ଭାଇ ପାପ କରେ, ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ; ଯଦି ସେ ତୁମ୍ଭର କଥା ଶୁଣେ, ତେବେ ତୁମ୍ଭେ ଆପଣା ଭାଇକି ଲାଭ କଲ । |
|
| 16 |
|
| କିନ୍ତୁ ଯଦି ସେ ନ ଶୁଣେ, ତାହାହେଲେ ତୁମ୍ଭ ସାଙ୍ଗରେ ଆଉ ଜଣେ ବା ଦୁଇ ଜଣଙ୍କୁ ଘେନିଯାଅ, ଯେପରି ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ। |
|
| 17 |
|
| ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ତଳୀକି କୁହ, ଆଉ ଯଦି ସେ ମଣ୍ତଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ବିଜାତୀୟ ଓ କରଗ୍ରାହୀ ପରି ହେଉ । |
|
| 18 |
|
| ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ପୃଥିବୀରେ ଯାହାସବୁ ବନ୍ଦ କରିବ, ସ୍ଵର୍ଗରେ ସେହିସବୁ ବନ୍ଦ ରହିବ,ପୁଣି ପୃଥିବୀରେ ଯାହାସବୁ ମୁକ୍ତ କରିବ, ସ୍ଵର୍ଗରେ ସେହିସବୁ ମୁକ୍ତ ରହିବ । |
|
| 19 |
|
| ପୁନଶ୍ଚ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ଜଣ ଯେକୌଣସି ବିଷୟରେ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋହର ସ୍ଵର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ । |
|
| 20 |
|
| କାରଣ ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ମୋʼ ନାମରେ ଏକତ୍ର ହୁଅନ୍ତି, ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି । |
|
| 21 |
|
| ସେତେବେଳେ ପିତର ତାହାଙ୍କ ପାଖକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋʼ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି? |
|
| 22 |
|
| କି ସାତ ଥର ପର୍ଯ୍ୟନ୍ତ? ଯୀଶୁ ତାହାକୁ କହିଲେ, ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁନାହିଁ, ମାତ୍ର ସତୁରି ଗୁଣ ସାତ ଥର ପର୍ଯ୍ୟନ୍ତ । |
|
| 23 |
|
| ଅତଏବ, ସ୍ଵର୍ଗରାଜ୍ୟ ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ । |
|
| 24 |
|
| ସେ ହିସାବ ଆରମ୍ଭ କରନ୍ତେ, ତିନି କୋଟି ଟଙ୍କା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା । |
|
| 25 |
|
| କିନ୍ତୁ ତାହାର ପରିଶୋଧ କରିବାକୁ କିଛି ନ ଥିବାରୁ ତାହାର ପ୍ରଭୁ ତାହାକୁ ଏବଂ ତାହାର ସ୍ତ୍ରୀ, ପିଲାପିଲି ଓ ସର୍ବସ୍ଵ ବିକ୍ରୟ କରି ପରିଶୋଧ ନେବାକୁ ଆଜ୍ଞା ଦେଲେ । |
|
| 26 |
|
| ତେଣୁ ସେହି ଦାସ ତାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ଆପଣ ମୋʼ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ସବୁ ପରିଶୋଧ କରିଦେବି । |
|
| 27 |
|
| ସେଥିରେ ସେହି ଦାସର ପ୍ରଭୁ ସଦୟ ହୋଇ ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ । |
|
| 28 |
|
| କିନ୍ତୁ ସେହି ଦାସ ବାହାରିଯାଇ ତାହାଠାରୁ ପଚାଶ ଟଙ୍କା ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ, ଶୁଝିଦେ । |
|
| 29 |
|
| ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ଆପଣ ମୋʼ ବିଷୟରେ ଧୈର୍ଯ୍ୟଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି । |
|
| 30 |
|
| ମାତ୍ର ସେ ସମ୍ମତ ହେଲା ନାହିଁ, କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଏ ତାହାକୁ କାରାଗାରରେ ପକାଇଦେଲା । |
|
| 31 |
|
| ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟ; ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ । |
|
| 32 |
|
| ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡକାଇ କହିଲେ, ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି; |
|
| 33 |
|
| ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହଦାସକୁ ଦୟା କରିବା କି ତୋର କର୍ତ୍ତବ୍ୟ ନ ଥିଲା? |
|
| 34 |
|
| ଆଉ, ତାହାର ପ୍ରଭୁ କ୍ରୁଦ୍ଧ ହୋଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହସ୍ତରେ ସମର୍ପଣ କଲେ । |
|
| 35 |
|
| ତୁମ୍ଭେମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକି କ୍ଷମା ନ କର, ତାହାହେଲେ ମୋହର ସ୍ଵର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ । |
|
|
|
|