|
| 1 |
|
| ବିଶ୍ରାମବାର ଗତ ହେଲା ଉତ୍ତାରେ ମଗ୍ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧି ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି । |
|
| 2 |
|
| ପୁଣି, ସପ୍ତାହର ପ୍ରଥମ ଦିବସର ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ, ସେତେବେଳେ ସୂର୍ଯ୍ୟ ଉଠିଥିଲା । |
|
| 3 |
|
| ସେମାନେ ପରସ୍ପର କୁହାକୋହି ହେଉଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧି ଦ୍ଵାରରୁ ପଥରଟା ଗଡ଼ାଇଦେବ? କାରଣ ତାହା ଅତି ବୃହତ ଥିଲା । |
|
| 4 |
|
| ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି । |
|
| 5 |
|
| ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଦକ୍ଷିଣ ପାର୍ଶ୍ଵରେ ବସିଥିବା ଦେଖି ଅତିଶୟ ବିସ୍ମୟାନ୍ଵିତ ହେଲେ । |
|
| 6 |
|
| ସେଥିରେ ସେ ସେମାନଙ୍କୁ କହିଲେ, ବିସ୍ମୟାନ୍ଵିତ ହୁଅ ନାହିଁ; ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ଵେଷଣ କରୁଅଛ; ସେ ଉଠିଅଛନ୍ତି, ସେ ଏଠାରେ ନାହାନ୍ତି; ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ । |
|
| 7 |
|
| କିନ୍ତୁ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି; ସେ ତୁମ୍ଭମାନଙ୍କୁ ଯେପରି କହିଥିଲେ, ସେପରି ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ । |
|
| 8 |
|
| ସେଥିରେ ସେମାନେ ବାହାରି ସମାଧି ନିକଟରୁ ପଳାଇଗଲେ, କାରଣ ସେମାନେ ଭୟରେ କମ୍ପୁଥିଲେ ଓ ବିସ୍ମୟରେ ଅଭିଭୂତ ହୋଇଥିଲେ, ପୁଣି କାହାକୁ କିଛି କହିଲେ ନାହିଁ, ଯେଣୁ ସେମାନେ ଭୀତ ହୋଇଥିଲେ । |
|
| 9 |
|
| [ସପ୍ତାହର ପ୍ରଥମ ଦିବସ ପ୍ରତ୍ୟୁଷରେ ସେ ପୁନରୁତ୍ଥାନ କରି, ଯାହାଙ୍କଠାରୁ ସାତ ଭୂତ ଛଡ଼ାଇଥିଲେ, ସେହି ମଗ୍ଦଲୀନୀ ମରୀୟମଙ୍କୁ ପ୍ରଥମରେ ଦର୍ଶନ ଦେଲେ] । |
|
| 10 |
|
| ସେ ଯାଇ, ଯେଉଁମାନେ ତାହାଙ୍କ ସଙ୍ଗୀ ହୋଇଥିଲେ, ସେମାନଙ୍କୁ ସମ୍ଵାଦ ଦେଲେ; ସେମାନେ ଶୋକ ଓ ରୋଦନ କରୁଥିଲେ । |
|
| 11 |
|
| ସେ ଯେ ଜୀବିତ ଅଟନ୍ତି ଓ ତାଙ୍କୁ ଦର୍ଶନ ଦେଇଅଛନ୍ତି, ଏହା ଶୁଣି ସେମାନେ ବିଶ୍ଵାସ କଲେ ନାହିଁ । |
|
| 12 |
|
| ଏହି ସମସ୍ତ ଘଟଣା ଉତ୍ତାରେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗୋଟିଏ ପଲ୍ଲୀଗ୍ରାମକୁ ଯାଉଥିବା ସମୟରେ ସେ ଅନ୍ୟ ରୂପରେ ସେମାନଙ୍କୁ ଦର୍ଶନ ଦେଲେ, |
|
| 13 |
|
| ପୁଣି ସେମାନେ ଯାଇ ଅନ୍ୟମାନଙ୍କୁ ସମ୍ଵାଦ ଦେଲେ; କିନ୍ତୁ ସେମାନଙ୍କ କଥା ସୁଦ୍ଧା ସେମାନେ ବିଶ୍ଵାସ କଲେ ନାହିଁ । |
|
| 14 |
|
| ଏଥିଉତ୍ତାରେ ଏକାଦଶ ଶିଷ୍ୟ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କର ଅବିଶ୍ଵାସ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଅନୁଯୋଗ କଲେ, କାରଣ ଯେଉଁମାନେ ତାହାଙ୍କୁ ପୁନରୁତ୍ଥିତ ଦେଖିଥିଲେ, ସେମାନଙ୍କ କଥା ସେମାନେ ବିଶ୍ଵାସ କରି ନ ଥିଲେ । |
|
| 15 |
|
| ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର । |
|
| 16 |
|
| ଯେ ବିଶ୍ଵାସ କରି ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ଯେ ଅବିଶ୍ଵାସ କରେ, ସେ ଦଣ୍ତାଜ୍ଞା ପାଇବ । |
|
| 17 |
|
| ଆଉ, ବିଶ୍ଵାସୀମାନଙ୍କର ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ, ସେମାନେ ମୋʼ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, |
|
| 18 |
|
| ହସ୍ତରେ ସର୍ପ ଧରିବେ, ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ । |
|
| 19 |
|
| ଏହିରୂପେ ପ୍ରଭୁ ଯୀଶୁ ସେମାନଙ୍କୁ କଥା କହିବା ପରେ ସ୍ଵର୍ଗରେ ଗୃହୀତ ହୋଇ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ବସିଲେ । |
|
| 20 |
|
| କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ଵାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ । |
|
|
|
|