|
| 1 |
|
| ସେ ସମୁଦ୍ରକୂଳରେ ପୁନର୍ବାର ଶିକ୍ଷା ଦେବାକୁ ଲାଗିଲେ, ଆଉ ଏତେ ଅଧିକ ସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ ଯେ, ସେ ସମୁଦ୍ରରେ ଥିବା ଗୋଟିଏ ନୌକାରେ ଯାଇ ବସିଲେ ଓ ଲୋକସମୂହ ସମୁଦ୍ର ନିକଟବର୍ତ୍ତୀ ସ୍ଥଳରେ ରହିଲେ । |
|
| 2 |
|
| ସେତେବେଳେ ଯୀଶୁ ଦୃଷ୍ଟାନ୍ତରେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ, ପୁଣି ଆପଣା ଶିକ୍ଷା ମଧ୍ୟରେ ସେମାନଙ୍କୁ କହିଲେ, ଶୁଣ! |
|
| 3 |
|
| ଦେଖ, ଜଣେ ବୁଣାଳି ବୁଣିବାକୁ ବାହାରିଲା । |
|
| 4 |
|
| ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା, ପୁଣି ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ । |
|
| 5 |
|
| ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା, |
|
| 6 |
|
| କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା । |
|
| 7 |
|
| ଆଉ, କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି କଣ୍ଟାଗଛଗୁଡ଼ିକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପିପକାଇଲା ଏବଂ କୌଣସି ଫଳ ଫଳିଲା ନାହିଁ । |
|
| 8 |
|
| ପୁଣି, ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା । |
|
| 9 |
|
| ପୁଣି ସେ କହିଲେ, ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ । |
|
| 10 |
|
| ସେ ଏକାକୀ ଥିବା ସମୟରେ ତାହାଙ୍କ ସଙ୍ଗୀମାନେ ଦ୍ଵାଦଶଙ୍କ ସହିତ ତାହାଙ୍କୁ ସେହି ଦୃଷ୍ଟାନ୍ତଗୁଡ଼ିକ ବିଷୟରେ ପଚାରିବାକୁ ଲାଗିଲେ । |
|
| 11 |
|
| ସେଥିରେ ସେ ସେମାନଙ୍କୁ କହିଲେ, ଈଶ୍ଵରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ଵ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି, |
|
| 12 |
|
| ଯେପରି ସେମାନେ ଦେଖୁ ଦେଖୁ ଜ୍ଞାତ ହୁଅନ୍ତି ନାହିଁ, ପୁଣି ଶୁଣୁ ଶୁଣୁ ବୁଝନ୍ତି ନାହିଁ, କାଳେ ସେମାନେ ଫେରି ଆସନ୍ତି ଓ କ୍ଷମା ପ୍ରାପ୍ତ ହୁଅନ୍ତି। |
|
| 13 |
|
| ଯୀଶୁ ପୁଣି ସେମାନଙ୍କୁ କହିଲେ, ତୁମ୍ଭେମାନେ କି ଏହି ଦୃଷ୍ଟାନ୍ତ ବୁଝୁ ନାହଁ? ତେବେ କିପରି ସମସ୍ତ ଦୃଷ୍ଟାନ୍ତ ବୁଝିବ? |
|
| 14 |
|
| ବୁଣାଳି ବାକ୍ୟ ବୁଣେ । |
|
| 15 |
|
| ଯେଉଁମାନେ ଶୁଣନ୍ତି, ପୁଣି ଶୁଣିବାକ୍ଷଣି ଶୟତାନ ଆସି ସେମାନଙ୍କଠାରେ ବୁଣାଯାଇଥିବା ବାକ୍ୟ ହରଣ କରିନିଏ, ସେମାନେ ବାକ୍ୟ ବୁଣାଯାଇଥିବା ବାଟପାଖ ଭୂମି ସଦୃଶ । |
|
| 16 |
|
| ସେହିପରି, ଯେଉଁମାନେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରନ୍ତି, |
|
| 17 |
|
| କିନ୍ତୁ ସେମାନଙ୍କଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ରୁହନ୍ତି, ପରେ ବାକ୍ୟ ସକାଶେ କ୍ଳେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଆନ୍ତି, ସେମାନେ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ । |
|
| 18 |
|
| ଆଉ ଯେଉଁମାନେ ବାକ୍ୟ ଶୁଣନ୍ତି, ପୁଣି ସାଂସାରିକ ଚିନ୍ତା, ଧନର ମାୟା ଏବଂ ଅନ୍ୟ ସମସ୍ତ ବିଷୟର ଲାଳସା ପ୍ରବେଶ କରି ବାକ୍ୟକୁ ଚାପି ପକାଏ ଓ ତାହା ଫଳହୀନ ହୁଏ, |
|
| 19 |
|
| ସେହି ଅନ୍ୟ ପ୍ରକାର ଲୋକେ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ । |
|
| 20 |
|
| ଆଉ, ଯେଉଁମାନେ ବାକ୍ୟ ଶୁଣି ତାହା ଗ୍ରହଣ କରନ୍ତି ଏବଂ ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ଫଳ ଫଳନ୍ତି, ସେମାନେ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ । |
|
| 21 |
|
| ପୁନଶ୍ଚ ଯୀଶୁ ସେମାନଙ୍କୁ କହିଲେ, ଦୀପ କଅଣ ମାଣ ତଳେ ବା ଖଟ ତଳେ ରଖାଯିବା ନିମନ୍ତେ ଅଣାଯାଏ? ଦୀପରୁଖା ଉପରେ ରଖାଯିବା ନିମନ୍ତେ କି ତାହା ଅଣାଯାଏ ନାହିଁ? |
|
| 22 |
|
| କାରଣ ପ୍ରକାଶିତ ନ ହେବା ଉଦ୍ଦେଶ୍ୟରେ କିଛି ଗୁପ୍ତ ନାହିଁ; ଆଉ ଯାହା ଗୁପ୍ତ ହୋଇଅଛି, ତାହା ପ୍ରକାଶିତ ହେବା ଉଦ୍ଦେଶ୍ୟରେ ଗୁପ୍ତ ହୋଇଅଛି । |
|
| 23 |
|
| ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ । |
|
| 24 |
|
| ଯୀଶୁ ପୁଣି ସେମାନଙ୍କୁ କହିଲେ, କଅଣ ଶୁଣୁଅଛ, ସେ ବିଷୟରେ ସାବଧାନ । ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଇଦିଆଯିବ ଏବଂ ତୁମ୍ଭମାନଙ୍କୁ ଅଧିକ ଦିଆଯିବ । |
|
| 25 |
|
| କାରଣ ଯାହାର ଅଛି, ତାହାକୁ ଦିଆଯିବ; ଆଉ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ସୁଦ୍ଧା ତାହାଠାରୁ ନିଆଯିବ । |
|
| 26 |
|
| ଆହୁରି ସେ କହିଲେ, ଈଶ୍ଵରଙ୍କ ରାଜ୍ୟ ଏହି ପ୍ରକାର, ଯେପରି ଜଣେ ଲୋକ ଭୂମିରେ ବିହନ ବୁଣେ; |
|
| 27 |
|
| ପୁଣି, ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ହୁଏ, ଆଉ ବିହନ କିପରି ଅଙ୍କୁରିତ ହୋଇ ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ । |
|
| 28 |
|
| ଭୂମି ଆପେ ଫଳ ଉତ୍ପନ୍ନ କରେ, ପ୍ରଥମରେ ପତ୍ର, ପରେ ଶିଁଷା, ତାହା ପରେ ଶିଁଷାରେ ପୂର୍ଣ୍ଣ ଶସ୍ୟ । |
|
| 29 |
|
| କିନ୍ତୁ ଶସ୍ୟ ପାଚିଲାକ୍ଷଣି ଫସଲ ସମୟ ଉପସ୍ଥିତ ହେବାରୁ ସେ ଦାଆ ଲଗାଏ । |
|
| 30 |
|
| ଯୀଶୁ ପୁଣି କହିଲେ, ଆମ୍ଭେମାନେ କାହା ସାଙ୍ଗରେ ଈଶ୍ଵରଙ୍କ ରାଜ୍ୟର ତୁଳନା କରିବା? କିଅବା କେଉଁ ଦୃଷ୍ଟାନ୍ତରେ ତାହା ବୁଝାଇବା? |
|
| 31 |
|
| ତାହା ଗୋଟିଏ ସୋରିଷଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର, |
|
| 32 |
|
| ମାତ୍ର ବୁଣାଗଲେ ତାହା ବଢ଼ି ଉଠି ସବୁ ଶାଗଠାରୁ ବଡ଼ ହୁଏ, ପୁଣି ତାହାର ଏପରି ବଡ଼ ବଡ଼ ଡାଳ ହୁଏ ଯେ, ଆକାଶର ଚଢ଼େଇମାନେ ତାହାର ଛାୟାରେ ବାସ କରି ପାରନ୍ତି । |
|
| 33 |
|
| ଯୀଶୁ ଏହିପ୍ରକାର ଅନେକ ଦୃଷ୍ଟାନ୍ତ ଦ୍ଵାରା ସେମାନଙ୍କ ଶୁଣିବା ଶକ୍ତି ଅନୁସାରେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରୁଥିଲେ, |
|
| 34 |
|
| ଆଉ ଦୃଷ୍ଟାନ୍ତ ବିନା ଯୀଶୁ ସେମାନଙ୍କ ନିକଟରେ କୌଣସି କଥା କହୁ ନ ଥିଲେ । କିନ୍ତୁ ଯୀଶୁ ଗୋପନରେ ଆପଣା ଶିଷ୍ୟମାନଙ୍କୁ ସମସ୍ତ ବିଷୟ ବୁଝାଇ ଦେଉଥିଲେ । |
|
| 35 |
|
| ସେହି ଦିନ ସନ୍ଧ୍ୟା ହୁଅନ୍ତେ ଯୀଶୁ ସେମାନଙ୍କୁ କହିଲେ, ଆସ, ଆରପାରିକି ଯିବା । |
|
| 36 |
|
| ସେଥିରେ ସେମାନେ ଲୋକସମୂହକୁ ପରିତ୍ୟାଗ କରି, ସେ ଯେପରି ଥିଲେ, ସେହିପରି ତାହାଙ୍କୁ ନୌକାରେ ସାଙ୍ଗରେ ଘେନିଗଲେ, ପୁଣି ଅନ୍ୟାନ୍ୟ ନୌକା ମଧ୍ୟ ତାହାଙ୍କ ସହିତ ଥିଲା । |
|
| 37 |
|
| ଆଉ, ପ୍ରବଳ ତୋଫାନ ହେଲା, ପୁଣି ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା । |
|
| 38 |
|
| ସେତେବେଳେ ସେ ନୌକାର ପଛ ମଙ୍ଗରେ ମୁଚୁଳାରେ ମୁଣ୍ତ ଦେଇ ଶୋଇପଡ଼ିଥିଲେ; ଆଉ, ସେମାନେ ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ଆମେ ମଲୁ, ଆପଣଙ୍କର କଅଣ ଚିନ୍ତା ନାହିଁ? |
|
| 39 |
|
| ଏଥିରେ ଯୀଶୁ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ତୁନି ହ, ଚୁପ୍ କର୍ । ସେଥିରେ ପବନ ବନ୍ଦ ହେଲା ଓ ସବୁ ଧୀରସ୍ଥିର ହେଲା । |
|
| 40 |
|
| ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ? ଏ କଅଣ! ତୁମ୍ଭମାନଙ୍କର ବିଶ୍ଵାସ ନାହିଁ? |
|
| 41 |
|
| ସେଥିରେ ସେମାନେ ଅତ୍ୟ; ଭୀତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ, ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି? |
|
|
|
|