ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ - NT
|
| 1 |
| ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା। |
| 2 |
| ସିରିୟା ପ୍ରଦେଶର ଶାସନକର୍ତ୍ତା କ୍ୱିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ଜନଗଣନା ହୋଇଥିଲା। |
| 3 |
| ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ। |
| 4 |
| ପୁଣି, ଯୋଷେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରୀୟମଙ୍କ ସହିତ ଗାଲିଲୀର ନାଜରିତ ନଗରରୁ ଯିହୂଦିୟା ପ୍ରଦେଶର ବେଥଲିହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ; |
| 5 |
| ତାହାଙ୍କ ସହିତ ମରୀୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ। |
| 6 |
| ସେମାନେ ସେହି ସ୍ଥାନରେ ଥିବା ସମୟରେ ତାହାଙ୍କ ପ୍ରସବ କାଳ ଉପସ୍ଥିତ ହେଲା, |
| 7 |
| ପୁଣି, ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ଡରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା। |
| 8 |
| ସେହି ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ମେଷପଲ ଜଗୁଥିଲେ। |
| 9 |
| ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି, ପ୍ରଭୁଙ୍କର ଗୌରବର ଆଲୋକ ସେମାନଙ୍କ ଚାରିଅାଡ଼େ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ। |
| 10 |
| ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି, |
| 11 |
| କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। |
| 12 |
| ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ୱରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ। |
| 13 |
| ପୁଣି, ହଠାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ, |
| 14 |
| “ଊର୍ଦ୍ଧ୍ୱଲୋକରେ ଈଶ୍ବରଙ୍କ ମହିମା, ପୁଣି, ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି।” |
| 15 |
| ଦୂତମାନେ ସେମାନଙ୍କଠାରୁ ସ୍ୱର୍ଗକୁ ଫେରିଗଲା ପରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା। |
| 16 |
| ଏଥିରେ ସେମାନେ ଶୀଘ୍ର ଯାଇ, ଅନ୍ୱେଷଣ କରି, ମରୀୟମ ଓ ଯୋଷେଫଙ୍କୁ, ପୁଣି, ଗୁହାଳକୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ। |
| 17 |
| ସେମାନେ ଏହା ଦେଖି ସେହି ଶିଶୁଙ୍କ ବିଷୟରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ, |
| 18 |
| ପୁଣି, ଯେତେ ଲୋକ ମେଷପାଳକମାନଙ୍କ ଠାରୁ ସେହିସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେହି କଥାରେ ଚମତ୍କୃତ ହେଲେ। |
| 19 |
| କିନ୍ତୁ ମରୀୟମ ଏହି ସମସ୍ତ କଥା ହୃଦୟରେ ରଖି ଭାବିବାକୁ ଲାଗିଲେ। |
| 20 |
| ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେ ସମସ୍ତ ସକାଶେ ଈଶ୍ବରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ଫେରିଗଲେ। |
| 21 |
| ତାହାଙ୍କୁ ସୁନ୍ନତ କରିବା ନିମନ୍ତେ ଆଠ ଦିନ ହେବାରୁ, ତାହାଙ୍କର ନାମ ଯୀଶୁ ଦିଆଗଲା; ଏହି ନାମ ତାହାଙ୍କ ଗର୍ଭାସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା। |
| 22 |
| ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମରୀୟମଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା, |
| 23 |
| ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁତ୍ରସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବେ, |
| 24 |
| ପ୍ରଭୁଙ୍କ ବ୍ୟବସ୍ଥାରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାରେ ଲେଖାଯାଇଥିବା ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମ ସହରକୁ ନେଇଗଲେ। |
| 25 |
| ଆଉ ଦେଖ, ଯିରୂଶାଲମ ସହରରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ। |
| 26 |
| ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା। |
| 27 |
| ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି, ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାର ନିୟମ ଅନୁଯାୟୀ କର୍ମ କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ, |
| 28 |
| ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ବରଙ୍କ ପ୍ରଶଂସା କରି କହିଲେ, |
| 29 |
| “ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ; |
| 30 |
| କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି, |
| 31 |
| ଯାହା ତୁମ୍ଭେ ସମସ୍ତ ଲୋକମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରି, |
| 32 |
| ଅଣଯିହୁଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ, ପୁଣି, ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୂପ କରିଅଛ।” |
| 33 |
| ତାହାଙ୍କ ସମ୍ବନ୍ଧୀୟ କୁହାଯାଇଥିବା ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ। |
| 34 |
| ଆଉ, ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରୀୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବନା ପ୍ରକାଶିତ ହୁଏ, |
| 35 |
| ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି, ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ୍ଗ ବିଦ୍ଧ କରିବ। |
| 36 |
| ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା। ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀଙ୍କ ସହିତ ବାସ କରିଥିଲେ ଓ ଚଊରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ। |
| 37 |
| ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ। |
| 38 |
| ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ ଯିରୂଶାଲମ ସହରର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ। |
| 39 |
| ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ଫେରିଗଲେ। |
| 40 |
| ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି, ଈଶ୍ବରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା। |
| 41 |
| ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମ ସହରକୁ ଯାଉଥିଲେ। |
| 42 |
| ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ। |
| 43 |
| ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ଫେରିଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମ ସହରରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ। |
| 44 |
| କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି, ସମ୍ପର୍କୀୟ ଓ ପରିଚିତ ଲୋକଙ୍କ ମଧ୍ୟରେ ତାହାଙ୍କୁ ଖୋଜିବାକୁ ଲାଗିଲେ, |
| 45 |
| ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୂଶାଲମ ସହରକୁ ଫେରିଗଲେ। |
| 46 |
| ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ, |
| 47 |
| ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଭିତ ହେଉଥିଲେ। |
| 48 |
| ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ଦେଖ୍, ତୋର ବାପା ଓ ମୁଁ ଅତିଶୟ ବ୍ୟାକୁଳ ହୋଇ ତୋତେ ଖୋଜୁଥିଲୁ। |
| 49 |
| ଏଥିରେ ସେ ସେମାନଙ୍କୁ କହିଲେ, “କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଅଣ ଜାଣି ନ ଥିଲ?” |
| 50 |
| କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ। |
| 51 |
| ପରେ ସେ ସେମାନଙ୍କ ସାଙ୍ଗରେ ଫେରି ନାଜରିତକୁ ଆସିଲେ ଓ ସେମାନଙ୍କ ବାଧ୍ୟ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ। |
| 52 |
| ଆଉ, ଯୀଶୁ ଜ୍ଞାନରେ ଓ ଶରୀରରେ, ପୁଣି, ଈଶ୍ବରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ। |
|
| ସଞ୍ଚୟ ଟିପ୍ପଣୀ |
https://beblia.bible:81/BibleAudio/odiairv/luke/002.mp3
24
2