|
| 1 |
|
| ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନରୁ ବାହୁଡ଼ିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ଵାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ କର୍ତ୍ତୃକ ପରୀକ୍ଷିତ ହେଉଥିଲେ । |
|
| 2 |
|
| ସେହିସମସ୍ତ ଦିନ ସେ କିଛି ଭୋଜନ କଲେ ନାହିଁ, ଆଉ ସେହିସବୁ ଦିନ ଶେଷ ହୁଅନ୍ତେ, ସେ କ୍ଷୁଧିତ ହେଲେ । |
|
| 3 |
|
| ସେଥିରେ ଶୟତାନ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ଵରଙ୍କ ପୁତ୍ର, ତେବେ ଏହି ପଥରକୁ ରୋଟୀ ହେବା ପାଇଁ ଆଜ୍ଞା ଦିଅ । |
|
| 4 |
|
| ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ । |
|
| 5 |
|
| ଆଉ, ସେ ତାହାଙ୍କୁ ଉପରକୁ ଘେନିଯାଇ ଏକ ମୁହୂର୍ତ୍ତ ମଧ୍ୟରେ ପୃଥିବୀର ସମସ୍ତ ରାଜ୍ୟ ତାହାଙ୍କୁ ଦେଖାଇଲା । |
|
| 6 |
|
| ପୁଣି, ଶୟତାନ ତାହାଙ୍କୁ କହିଲା, ଆମ୍ଭେ ତୁମ୍ଭକୁ ଏସମସ୍ତ ଅଧିକାର ଓ ଏସବୁର ଐଶ୍ଵର୍ଯ୍ୟ ଦେବା, କାରଣ ଆମ୍ଭକୁ ତାହା ସମର୍ପିତ ହୋଇଅଛି, ଆଉ ଆମ୍ଭେ ଯାହାକୁ ଇଚ୍ଛା, ତାହାକୁ ତାହା ଦେଉ । |
|
| 7 |
|
| ଅତଏବ, ତୁମ୍ଭେ ଯେବେ ଆମ୍ଭ ଛାମୁରେ ପ୍ରଣାମ କରିବ, ତେବେ ସମସ୍ତ ତୁମ୍ଭର ହେବ । |
|
| 8 |
|
| ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ । |
|
| 9 |
|
| ପୁଣି, ସେ ତାହାଙ୍କୁ ଯିରୂଶାଲମକୁ ଘେନିଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ଵରଙ୍କ ପୁତ୍ର, ତେବେ ଏଠାରୁ ତଳକୁ ଡେଇଁପଡ଼; |
|
| 10 |
|
| କାରଣ ଲେଖା ଅଛି, ତୁମ୍ଭକୁ ରକ୍ଷା କରିବା ନିମନ୍ତେ ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ; |
|
| 11 |
|
| ଆଉ ଲେଖା ଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ । |
|
| 12 |
|
| ପୁଣି, ଯୀଶୁ ତାହାକୁ ଉତ୍ତର ଦେଲେ, ଉକ୍ତ ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପରୀକ୍ଷା କରିବ ନାହିଁ । |
|
| 13 |
|
| ଶୟତାନ ସମସ୍ତ ପ୍ରକାର ପରୀକ୍ଷା ସମାପ୍ତ କଲା ଉତ୍ତାରେ କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲା । |
|
| 14 |
|
| ଏଥିଉତ୍ତାରେ ଯୀଶୁ ଆତ୍ମାଙ୍କ ଶକ୍ତିରେ ଗାଲିଲୀକି ବାହୁଡ଼ିଗଲେ, ଆଉ ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳରେ ତାହାଙ୍କର ଖ୍ୟାତି ବ୍ୟାପିଗଲା । |
|
| 15 |
|
| ପୁଣି, ସେ ସେମାନଙ୍କର ସମାଜଗୃହସମୂହରେ ଶିକ୍ଷା ଦେଇ ସମସ୍ତଙ୍କଠାରୁ ଗୌରବ ପାଇବାକୁ ଲାଗିଲେ । |
|
| 16 |
|
| ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ । |
|
| 17 |
|
| ସେଥିରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ, |
|
| 18 |
|
| ପ୍ରଭୁଙ୍କର ଆତ୍ମା ମୋʼଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ, ପୁଣି ଉପଦ୍ରବପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବାକୁ, |
|
| 19 |
|
| ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି । |
|
| 20 |
|
| ପରେ ସେ ପୁସ୍ତକ ବନ୍ଦ କରି ପରିଚାରକକୁ ତାହା ଫେରାଇ ଦେଇ ଉପବେଶନ କଲେ, ଆଉ ସମାଜଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା । |
|
| 21 |
|
| ପୁଣି, ସେ ସେମାନଙ୍କୁ କହିବାକୁ ଲାଗିଲେ, ଆଜି ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ ସଫଳ ହେଲା । |
|
| 22 |
|
| ଆଉ, ସମସ୍ତେ ତାହାଙ୍କ ସମ୍ଵନ୍ଧରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କଅଣ ଯୋଷେଫର ପୁତ୍ର ନୁହେଁ? |
|
| 23 |
|
| ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ନିଶ୍ଚୟ ମୋତେ ଏହି ପ୍ରବାଦବାକ୍ୟ କହିବ, ହେ ବୈଦ୍ୟ, ଆପେ ଆପଣାକୁ ସୁସ୍ଥ କର; କଫର୍ନାହୂମରେ ଯାହା ଯାହା ଘଟିଅଛି ବୋଲି ଆମ୍ଭେମାନେ ଶୁଣିଅଛୁ, ସେହିସବୁ ଏହି ସ୍ଥାନରେ ନିଜ ପୈତୃକ ନଗରରେ ମଧ୍ୟ କର । |
|
| 24 |
|
| ପୁଣି, ସେ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପୈତୃକ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ । |
|
| 25 |
|
| କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏଲୀୟଙ୍କ ସମୟରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଆକାଶ ରୁଦ୍ଧ ହେବାରୁ ସମସ୍ତ ଦେଶରେ ମହା ଦୁର୍ଭିକ୍ଷ ପଡ଼ିଥିଲା, ସେତେବେଳେ ଇସ୍ରାଏଲ ମଧ୍ୟରେ ଅନେକ ବିଧବା ଥିଲେ; |
|
| 26 |
|
| ତଥାପି ଏଲୀୟ ସେମାନଙ୍କର କାହାରି ନିକଟକୁ ପ୍ରେରିତ ନ ହୋଇ କେବଳ ସୀଦୋନ ଦେଶର ସାରିଫତକୁ ଜଣେ ବିଧବା ସ୍ତ୍ରୀ ନିକଟକୁ ପ୍ରେରିତ ହେଲେ । |
|
| 27 |
|
| ପୁଣି, ଭାବବାଦୀ ଇଲୀଶାୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ କୁଷ୍ଠୀ ଥିଲେ; ତଥାପି ସେମାନଙ୍କ ମଧ୍ୟରୁ କେହି ଶୁଚି କରାଯାଇ ନ ଥିଲେ, କେବଳ ସୁରିଆଦେଶୀୟ ନାମାନ ଶୁଚି କରାଯାଇଥିଲେ । |
|
| 28 |
|
| ସମାଜଗୃହରେ ଏହିସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ, |
|
| 29 |
|
| ପୁଣି ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରି ଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେଥିର ତୀଖସ୍ଥାନରୁ ତଳକୁ ପକାଇଦେବା ନିମନ୍ତେ ତାହାଙ୍କୁ ସେଠାକୁ ଘେନିଗଲେ; |
|
| 30 |
|
| କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ । |
|
| 31 |
|
| ସେ କଫର୍ନାହୂମ ନାମକ ଗାଲିଲୀର ଗୋଟିଏ ନଗରକୁ ଆସିଲେ, ପୁଣି ବିଶ୍ରାମବାରମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ, |
|
| 32 |
|
| ଆଉ ସେମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ଵିତ ହେଲେ, କାରଣ ତାହାଙ୍କ ବାକ୍ୟ ଅଧିକାରଯୁକ୍ତ ଥିଲା । |
|
| 33 |
|
| ଦିନେ ସମାଜଗୃହରେ ଜଣେ ଅଶୁଚି ଭୂତାତ୍ମାବିଷ୍ଟ ଲୋକ ଥିଲା; ସେ ଉଚ୍ଚ ସ୍ଵରରେ ଚିତ୍କାର କଲା, |
|
| 34 |
|
| ଆଃ, ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ଵରଙ୍କର ସେହି ପବିତ୍ର ବ୍ୟକ୍ତି । |
|
| 35 |
|
| ଯୀଶୁ ତାହାକୁ ଧମକ ଦେଇ କହିଲେ, ଚୁପ୍ କର୍, ଏହାଠାରୁ ବାହାରିଯା । ସେଥିରେ ସେହି ଭୂତ ତାହାକୁ ମଧ୍ୟସ୍ଥାନରେ ପକାଇଦେଇ ତାହାର କୌଣସି କ୍ଷତି ନ କରି ତାହାଠାରୁ ବାହାରିଗଲା । |
|
| 36 |
|
| ଏଥିରେ ସମସ୍ତେ ବିସ୍ମୟାନ୍ଵିତ ହୋଇ ପରସ୍ପର କୁହାକୋହି ହେଲେ, ଏ କି କଥା? ସେ ଅଶୁଚି ଆତ୍ମାମାନଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରି ଯାଆନ୍ତି । |
|
| 37 |
|
| ସେଥିରେ ତାହାଙ୍କ ସମ୍ଵନ୍ଧୀୟ ସମାଚାର ଚତୁର୍ଦ୍ଦିଗସ୍ଥ ଅଞ୍ଚଳର ସର୍ବତ୍ର ବ୍ୟାପିଗଲା । |
|
| 38 |
|
| ପରେ ସେ ସମାଜଗୃହରୁ ଉଠି ଶିମୋନଙ୍କ ଘରକୁ ଗଲେ । ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ଵର ହୋଇଥିଲା, ଆଉ ସେମାନେ ତାଙ୍କ ବିଷୟରେ ତାହାଙ୍କୁ ଅନୁରୋଧ କଲେ । |
|
| 39 |
|
| ସେଥିରେ ସେ ତାଙ୍କ ପାଖରେ ଠିଆ ହୋଇ ଜ୍ଵରକୁ ଧମକ ଦେଲେ, ଆଉ ତାଙ୍କୁ ଜ୍ଵର ଛାଡ଼ିଗଲା, ପୁଣି ସେ ସେହିକ୍ଷଣି ଉଠି ସେମାନଙ୍କ ପରିଚର୍ଯ୍ୟା କରିବାକୁ ଲାଗିଲେ । |
|
| 40 |
|
| ସୂର୍ଯ୍ୟ ଅସ୍ତ ହେବା ସମୟରେ, ଯେଉଁମାନଙ୍କ ନିକଟରେ ନାନା ପ୍ରକାର ରୋଗରେ ପୀଡ଼ିତ ଲୋକମାନେ ଥିଲେ, ସେସମସ୍ତେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିଲେ ଏବଂ ସେ ପ୍ରତ୍ୟେକ ଜଣ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କଲେ । |
|
| 41 |
|
| ପୁଣି, ଭୂତମାନେ ମଧ୍ୟ ଚିତ୍କାର କରୁ କରୁ ତୁମ୍ଭେ ଈଶ୍ଵରଙ୍କ ପୁତ୍ର ବୋଲି କହି ଅନେକଙ୍କଠାରୁ ବାହାରି-ଗଲେ । ଆଉ, ସେ ସେମାନଙ୍କୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ । |
|
| 42 |
|
| ପ୍ରଭାତ ହୁଅନ୍ତେ, ସେ ବାହାରି ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଗଲେ; ଆଉ, ଲୋକସମୂହ ତାହାଙ୍କର ଅନ୍ଵେଷଣ କରି କରି ତାହାଙ୍କ ନିକଟକୁ ଆସିଲେ, ପୁଣି ସେ ଯେପରି ସେମାନଙ୍କ ପାଖରୁ ଚାଲି ନ ଯାଆନ୍ତି, ସେଥିନିମନ୍ତେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ । |
|
| 43 |
|
| କିନ୍ତୁ ସେ ସେମାନଙ୍କୁ କହିଲେ, ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ଵରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥି-ନିମନ୍ତେ ମୁଁ ପ୍ରେରିତ ହୋଇଅଛି । |
|
| 44 |
|
| ପୁଣି, ସେ ଯିହୁଦା ଦେଶର ସମାଜଗୃହମାନଙ୍କରେ ପ୍ରଚାର କରିବାକୁ ଲାଗିଲେ । |
|
|
|
|