|
| 1 |
|
| ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ଵାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ; |
|
| 2 |
|
| କିନ୍ତୁ ଯେ ଦ୍ଵାର ଦେଇ ପ୍ରବେଶ କରେ, ସେ ମେଷପାଳକ । |
|
| 3 |
|
| ଦ୍ଵାରୀ ତାହା ନିମନ୍ତେ ଦ୍ଵାର ଫିଟାଇଦିଏ, ପୁଣି ମେଷଗୁଡ଼ିକ ତାʼର ସ୍ଵର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ । |
|
| 4 |
|
| ସେ ନିଜର ମେଷସବୁକୁ ବାହାର କଲା ଉତ୍ତାରେ ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷଗୁଡ଼ିକ ତାହାର ପଛେ ପଛେ ଚାଲନ୍ତି, କାରଣ ସେମାନେ ତାହାର ସ୍ଵର ଚିହ୍ନନ୍ତି; |
|
| 5 |
|
| କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ଵର ଚିହ୍ନନ୍ତି ନାହିଁ । |
|
| 6 |
|
| ଯୀଶୁ ସେମାନଙ୍କୁ ଏହି ଉପମା କହିଲେ, କିନ୍ତୁ ସେ ସେମାନଙ୍କୁ ଯାହା ଯାହା କହୁଥିଲେ, ସେହିସବୁ କଅଣ ବୋଲି ସେମାନେ ବୁଝିଲେ ନାହିଁ । |
|
| 7 |
|
| ତେଣୁ ଯୀଶୁ ପୁନର୍ବାର କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ଵାର । |
|
| 8 |
|
| ଯେତେ ଜଣ ମୋʼ ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ । |
|
| 9 |
|
| ମୁଁ ଦ୍ଵାର, ଯଦି କେହି ମୋʼ ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ । |
|
| 10 |
|
| ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି । |
|
| 11 |
|
| ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ । |
|
| 12 |
|
| ଯେ ମେଷପାଳକ ନୁହେଁ, ମାତ୍ର ବର୍ତ୍ତନଗ୍ରାହକ, ମେଷଗୁଡ଼ିକ ଯାହାର ନିଜର ନୁହନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ), |
|
| 13 |
|
| କାରଣ ସେ ବର୍ତ୍ତନଗ୍ରାହକ ଓ ମେଷଗୁଡ଼ିକ ନିମନ୍ତେ ଚିନ୍ତା କରେ ନାହିଁ । |
|
| 14 |
|
| ମୁଁ ଉତ୍ତମ ମେଷପାଳକ । ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ, |
|
| 15 |
|
| ସେହିପରି ମୁଁ ମୋʼ ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋʼ ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି, ପୁଣି ମେଷଗୁଡ଼ିକ ନିମନ୍ତେ ମୁଁ ମୋର ପ୍ରାଣ ଦିଏ । |
|
| 16 |
|
| ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି ସେମାନେ ମୋହର ସ୍ଵର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ । |
|
| 17 |
|
| ମୁଁ ମୋହର ପ୍ରାଣ ଦାନ କରିବାରୁ ପିତା ମୋତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ । |
|
| 18 |
|
| କେହି ମୋʼଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ । ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି । ମୁଁ ମୋହର ପିତାଙ୍କଠାରୁ ଏହି ଆଜ୍ଞା ପାଇଅଛି । |
|
| 19 |
|
| ଏହିସମସ୍ତ କଥା ହେତୁ ଯିହୁଦୀମାନଙ୍କ ମଧ୍ୟରେ ପୁନର୍ବାର ମତଭେଦ ଘଟିଲା । |
|
| 20 |
|
| ସେମାନଙ୍କ ମଧ୍ୟରୁ ଅନେକେ କହିବାକୁ ଲାଗିଲେ, ତାହାକୁ ଭୂତ ଲାଗିଛି, ସେ ପାଗଳ, କାହିଁକି ତାହା କଥା ଶୁଣୁଅଛ? |
|
| 21 |
|
| ଅନ୍ୟମାନେ କହିଲେ, ଏହିସବୁ କଥା ତ ଭୂତ ଲାଗିଥିବା ଲୋକର ନୁହେଁ; ଭୂତ କଅଣ ଅନ୍ଧର ଆଖି ଫିଟାଇ ପାରେଣ? |
|
| 22 |
|
| ସେତେବେଳେ ଯିରୂଶାଲମରେ ମନ୍ଦିର ପ୍ରତିଷ୍ଠା ପର୍ବ ପଡ଼ିଲା; ସେ ସମୟ ଶୀତକାଳ, |
|
| 23 |
|
| ଆଉ ଯୀଶୁ ମନ୍ଦିରରେ ଶଲୋମନଙ୍କ ମଣ୍ତପରେ ବୁଲୁଥିଲେ । |
|
| 24 |
|
| ସେଥିରେ ଯିହୁଦୀମାନେ ତାହାଙ୍କୁ ଚାରିଆଡ଼େ ଘେରି ପଚାରିବାକୁ ଲାଗିଲେ, ଆଉ କେତେ କାଳ ଆମ୍ଭମାନଙ୍କୁ ସନ୍ଦେହରେ ରଖିବ? ଯଦି ତୁମ୍ଭେ ଖ୍ରୀଷ୍ଟ, ତାହାହେଲେ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ କୁହ । |
|
| 25 |
|
| ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ କହିଅଛି, କିନ୍ତୁ ତୁମ୍ଭେମାନେ ବିଶ୍ଵାସ କରୁ ନାହଁ; ମୋହର ପିତାଙ୍କ ନାମରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେହିସବୁ ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି; |
|
| 26 |
|
| କିନ୍ତୁ ତୁମ୍ଭେମାନେ ବିଶ୍ଵାସ କରୁ ନାହଁ, କାରଣ ତୁମ୍ଭେମାନେ ମୋହର ପଲର ମେଷ ନୁହଁ । |
|
| 27 |
|
| ମୋʼ ମେଷସବୁ ମୋହର ସ୍ଵର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି, |
|
| 28 |
|
| ପୁଣି ମୁଁ ସେମାନଙ୍କୁ ଅନ; ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି କେହି ମୋʼ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ । |
|
| 29 |
|
| ମୋହର ପିତା ମୋତେ ଯାହା ଦେଇଅଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରି ପାରେ ନାହିଁ । |
|
| 30 |
|
| ମୁଁ ଓ ପିତା ଏକ । |
|
| 31 |
|
| ଯିହୁଦୀମାନେ ତାହାଙ୍କୁ ଫୋପାଡ଼ିବା ନିମନ୍ତେ ଆଉ ଥରେ ପଥର ଆଣିଲେ । |
|
| 32 |
|
| ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ପିତାଙ୍କଠାରୁ ଅନେକ ଉତ୍ତମ କର୍ମ ତୁମ୍ଭମାନଙ୍କୁ ଦେଖାଇଅଛି; ସେହିସବୁ କର୍ମ ମଧ୍ୟରୁ କେଉଁ କର୍ମ ନିମନ୍ତେ ମୋତେ ପଥର ଫୋପାଡ଼ୁଅଛ? |
|
| 33 |
|
| ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡ଼ୁ ନାହୁଁ, କିନ୍ତୁ ଈଶ୍ଵରନିନ୍ଦା ନିମନ୍ତେ, ପୁଣି ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ଵର ବୋଲାଉଥିବାରୁ । |
|
| 34 |
|
| ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭମାନଙ୍କ ବ୍ୟବସ୍ଥାରେ ଏହା କଅଣ ଲେଖା ନାହିଁ, ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ଵରଗଣ? |
|
| 35 |
|
| ଯେଉଁମାନଙ୍କ ନିକଟରେ ଈଶ୍ଵରଙ୍କ ବାକ୍ୟ ଉପସ୍ଥିତ ହେଲା, ସେମାନଙ୍କୁ ଯଦି ସେ ଈଶ୍ଵରଗଣ ବୋଲି କହିଲେ (ଆଉ ଧର୍ମଶାସ୍ତ୍ର ଖଣ୍ତନ କରାଯାଇ ପାରେ ନାହିଁ), |
|
| 36 |
|
| ତାହାହେଲେ ଯାହାଙ୍କୁ ଈଶ୍ଵର ପବିତ୍ର କରି ଜଗତକୁ ପ୍ରେରଣ କଲେ, ତାହାଙ୍କୁ କଅଣ ତୁମ୍ଭେମାନେ, ମୁଁ ଈଶ୍ଵରଙ୍କ ପୁତ୍ର,, ଏହା ମୁଁ କହିବାରୁ, ତୁ ଈଶ୍ଵରନିନ୍ଦା କରୁଅଛୁ ବୋଲି କହୁଅଛ? |
|
| 37 |
|
| ଯଦି ମୁଁ ମୋହର ପିତାଙ୍କ କର୍ମସବୁ କରେ ନାହିଁ, ତାହାହେଲେ ମୋତେ ବିଶ୍ଵାସ କର ନାହିଁ; |
|
| 38 |
|
| କିନ୍ତୁ ଯଦି ମୁଁ କରେ, ତାହାହେଲେ ଯଦ୍ୟପି ତୁମ୍ଭେମାନେ ମୋତେ ବିଶ୍ଵାସ ନ କର, ତଥାପି ପିତା ଯେ ମୋʼଠାରେ ଅଛନ୍ତି ଓ ମୁଁ ପିତାଙ୍କଠାରେ ଅଛି, ଏହା ଯେପରି ତୁମ୍ଭେମାନେ ଜାଣ ଓ ବୁଝ, ଏଥିନିମନ୍ତେ କର୍ମସବୁ ବିଶ୍ଵାସ କର । |
|
| 39 |
|
| ସେଥିରେ ସେମାନେ ତାହାଙ୍କୁ ଧରିବା ପାଇଁ ପୁନର୍ବାର ଚେଷ୍ଟା କରିବାକୁ ଲାଗିଲେ, କିନ୍ତୁ ସେ ସେମାନଙ୍କ ହସ୍ତରେ ନ ପଡ଼ି ବାହାରିଗଲେ । |
|
| 40 |
|
| ଏଥିଉତ୍ତାରେ ସେ ପୁନର୍ବାର ଯର୍ଦ୍ଦନର ପରପାରିକି ଚାଲିଯାଇ, ଯୋହନ ଯେଉଁ ସ୍ଥାନରେ ପୂର୍ବେ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନକୁ ଆସି ସେଠାରେ ରହିଲେ । |
|
| 41 |
|
| ଆଉ, ଅନେକେ ତାହାଙ୍କ ନିକଟକୁ ଆସି କହିଲେ, ଯୋହନ ସିନା କୌଣସି ଆଶ୍ଚର୍ଯ୍ୟକର୍ମ କଲେ ନାହିଁ, କିନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ ଯୋହନ ଯେସମସ୍ତ କଥା କହିଲେ, ସେହିସବୁ ସତ୍ୟ; |
|
| 42 |
|
| ଆଉ, ସେ ସ୍ଥାନରେ ଅନେକେ ତାହାଙ୍କଠାରେ ବିଶ୍ଵାସ କଲେ । |
|
|
|
|