ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ - NT
|
| 1 |
| କାଇସରିୟା ସହରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତ-ସେନାପତି ଥିଲେ; |
| 2 |
| ସେ ଜଣେ ଭକ୍ତ, ଆଉ ସପରିବାରରେ ଈଶ୍ବରଙ୍କୁ ଭୟ କରୁଥିଲେ। ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ, ଆଉ ସର୍ବଦା ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ। |
| 3 |
| ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ସ୍ପଷ୍ଟ ରୂପେ ଗୋଟିଏ ଦର୍ଶନ ପାଇଲେ, ଯେପରି ଈଶ୍ବରଙ୍କର ଜଣେ ଦୂତ ତାହାଙ୍କ ନିକଟକୁ ଆସି କହୁଅଛନ୍ତି, ହେ କର୍ଣ୍ଣିଲୀୟ। |
| 4 |
| ସେ ସେଥିରେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ କଅଣ? ସେ ତାହାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନସବୁ ସ୍ମରଣାର୍ଥକ ବଳି ସ୍ୱରୂପେ ଊର୍ଦ୍ଧ୍ୱରେ ଈଶ୍ବରଙ୍କ ଛାମୁରେ ଉଠିଅଛି। |
| 5 |
| ଏବେ ତୁମ୍ଭେ ଯାଫୋ ସହରକୁ ଲୋକ ପଠାଇ ଶିମୋନଙ୍କୁ ଡକାଇ ଆଣ, ତାହାଙ୍କ ଉପନାମ ପିତର; |
| 6 |
| ସେ ଶିମୋନ ନାମକ ଜଣେ ଚର୍ମକାରକଙ୍କ ଅତିଥି ସ୍ୱରୂପେ ବାସ କରୁଅଛନ୍ତି, ତାହାଙ୍କ ଘର ସମୁଦ୍ରକୂଳରେ। |
| 7 |
| ତାହାଙ୍କ ସାଙ୍ଗରେ କଥା କହୁଥିବା ଦୂତ ଗଲା ପରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ, ପୁଣି, ତାହାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ, |
| 8 |
| ଆଉ ସେମାନଙ୍କୁ ସମସ୍ତ କଥା ବୁଝାଇ ଯାଫୋ ସହରକୁ ପଠାଇଲେ। |
| 9 |
| ପରଦିନ ସେମାନେ ଯାଉ ଯାଉ ଯେତେବେଳେ ସେହି ନଗରର ନିକଟବର୍ତ୍ତୀ ହେଲେ, ସେତେବେଳେ ପିତର ପ୍ରାୟ ଦିନ ବାର ଘଣ୍ଟା ସମୟରେ ପ୍ରାର୍ଥନା କରିବା ନିମନ୍ତେ ଛାତ ଉପରକୁ ଗଲେ, |
| 10 |
| ଆଉ ସେ କ୍ଷୁଧିତ ହୋଇ ଖାଇବାକୁ ଇଚ୍ଛା କଲେ, କିନ୍ତୁ ସେମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ସେ ମୂର୍ଚ୍ଛିତ ହୋଇ ଦର୍ଶନ ଦେଖିଲେ, |
| 11 |
| ଆକାଶ ଖୋଲା ହୋଇଅଛି, ପୁଣି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି; |
| 12 |
| ସେଥିରେ ପୃଥିବୀର ସବୁପ୍ରକାର ଚାରିଗୋଡ଼ିଆ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି। |
| 13 |
| ଆଉ, ତାହାଙ୍କ ପ୍ରତି ଏହି ବାଣୀ ହେଲା, “ହେ ପିତର, ଉଠ, ବଧ କରି ଖାଅ।” |
| 14 |
| କିନ୍ତୁ ପିତର କହିଲେ, ନାହିଁ, ପ୍ରଭୁ, ମୁଁ କେବେହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହିଁ। |
| 15 |
| ପୁଣି, ଦ୍ୱିତୀୟ ଥର ତାହାଙ୍କ ପ୍ରତି ଏହି ବାଣୀ ହେଲା, “ଈଶ୍ବର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ।” |
| 16 |
| ଏହି ପ୍ରକାର ତିନି ଥର ହେଲା, ଆଉ ସଙ୍ଗେ ସଙ୍ଗେ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା। |
| 17 |
| ପିତର ଯେଉଁ ଦର୍ଶନ ପାଇଥିଲେ, ସେଥିର ଅର୍ଥ କଅଣ, ତାହା ଭାବି ସେ ଅବାକ୍ ହେଉଥିବା ସମୟରେ, ଦେଖ, କର୍ଣ୍ଣିଲୀୟଙ୍କ ପ୍ରେରିତ ଲୋକମାନେ ଶିମୋନଙ୍କ ଗୃହର ଅନୁସନ୍ଧାନ କରି ଦ୍ୱାର ନିକଟରେ ଠିଆ ହୋଇ, |
| 18 |
| ପିତର ଉପନାମପ୍ରାପ୍ତ ଶିମୋନ ସେଠାରେ ଅତିଥି ସ୍ୱରୂପେ ବାସ କରୁଅଛନ୍ତି କି ନାହିଁ, ତାହା ଡାକି ପଚାରିଲେ। |
| 19 |
| ପିତର ସେହି ଦର୍ଶନ ବିଷୟ ଚିନ୍ତା କରୁଥିବା ସମୟରେ ଆତ୍ମା ତାହାଙ୍କୁ କହିଲେ, ଦେଖ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଅଛନ୍ତି। |
| 20 |
| ଉଠ, ତଳକୁ ଯାଇ କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯାଅ, କାରଣ ଆମ୍ଭେ ସେମାନଙ୍କୁ ପଠାଇଅଛୁ। |
| 21 |
| ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇ ଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି। ତୁମ୍ଭମାନଙ୍କ ଆସିବାର କାରଣ କଅଣ? |
| 22 |
| ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତ-ସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ବରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୁଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି। |
| 23 |
| ସେଥିରେ ସେ ସେମାନଙ୍କୁ ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ। ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି, ଯାଫୋ ସହରନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କ ସାଙ୍ଗରେ ଗଲେ। |
| 24 |
| ପରଦିନ ସେମାନେ କାଇସରିୟାରେ ପ୍ରବେଶ କଲେ, ଆଉ କର୍ଣ୍ଣିଲୀୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ। |
| 25 |
| ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ। |
| 26 |
| କିନ୍ତୁ ପିତର ତାହାଙ୍କୁ ଉଠାଇ କହିଲେ, ଠିଆ ହୁଅ; ମୁଁ ମଧ୍ୟ ଜଣେ ମନୁଷ୍ୟ। |
| 27 |
| ସେଥିରେ ସେ ତାହାଙ୍କ ସାଙ୍ଗରେ ଆଳାପ କରୁ କରୁ ଭିତରକୁ ଯାଇ ଦେଖିଲେ, ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି, |
| 28 |
| ଆଉ ସେ ସେମାନଙ୍କୁ କହିଲେ, କୌଣସି ଅଣଯିହୁଦୀ ସାଙ୍ଗରେ ମିଶିବା କିମ୍ବା ତାହା ପାଖକୁ ଯିବା ଯିହୁଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ଆପଣମାନେ ଜାଣନ୍ତି; ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ବର ମୋତେ ଦେଖାଇଅଛନ୍ତି। |
| 29 |
| ସେଥିପାଇଁ ମୋତେ ଆହ୍ୱାନ କରାଯିବା ମାତ୍ରେ ମୁଁ ମଧ୍ୟ ଆପତ୍ତି ନ କରି ଆସିଲି। ଏଣୁ ମୁଁ ପଚାରେ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି? |
| 30 |
| କର୍ଣ୍ଣିଲୀୟ କହିଲେ, ଚାରି ଦିନ ପୂର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ ତିନି ଘଣ୍ଟା ସମୟର ପ୍ରାର୍ଥନା କରୁଥିଲି; ଆଉ ଦେଖନ୍ତୁ, ଉଜ୍ଜ୍ୱଳବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣିଲୀୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି, |
| 31 |
| ପୁଣି, ତୁମ୍ଭର ଦାନସବୁ ଈଶ୍ବରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି। |
| 32 |
| ଅତଏବ ଯାଫୋ ସହରକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ, ସେ ସମୁଦ୍ରକୂଳରେ ଶିମୋନ ଚର୍ମକାରକଙ୍କ ଗୃହରେ ଅତିଥି ରୂପେ ବାସ କରୁଅଛନ୍ତି। |
| 33 |
| ଏନିମନ୍ତେ ମୁଁ ଅବିଳମ୍ବରେ ଆପଣଙ୍କ ନିକଟକୁ ଲୋକ ପଠାଇଲି, ଆଉ ଆପଣ ଯେ ଆସିଅଛନ୍ତି, ଭଲ କରିଅଛନ୍ତି। ଅତଏବ ପ୍ରଭୁ ଆପଣଙ୍କୁ ଯାହାସବୁ ଆଦେଶ ଦେଇଅଛନ୍ତି, ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ବରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁ। |
| 34 |
| ସେଥିରେ ପିତର ମୁଖ ଫିଟାଇ କହିଲେ, ପ୍ରକୃତରେ ବର୍ତ୍ତମାନ ମୁଁ ଜାଣିଲି ଯେ ଈଶ୍ବର ପକ୍ଷପାତ କରନ୍ତି ନାହିଁ, |
| 35 |
| କିନ୍ତୁ ପ୍ରତ୍ୟେକ ଜାତିରେ ଯେ କେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି। |
| 36 |
| ସେ ତ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ; ସେହି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ। |
| 37 |
| ଆପଣମାନେ ଜାଣନ୍ତି ଯେ ବାପ୍ତିଜକ ଯୋହନଙ୍କ ଦ୍ୱାରା ପ୍ରଚାରିତ ବାପ୍ତିସ୍ମ ସମୟ ପରେ ସେହି ସୁସମ୍ବାଦ ଗାଲିଲୀରୁ ଆରମ୍ଭ କରି ସମଗ୍ର ଯିହୂଦିୟା ପ୍ରଦେଶରେ ପ୍ରଚାରିତ ହୋଇଅଛି, |
| 38 |
| ଅର୍ଥାତ୍ ନାଜରିତୀୟ ଯୀଶୁଙ୍କ କଥା, କିପରି ଈଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ବର ତାହାଙ୍କ ସହବର୍ତ୍ତୀ ଥିଲେ। |
| 39 |
| ପୁଣି, ସେ ଯିହୁଦୀମାନଙ୍କ ଦେଶ ଓ ଯିରୂଶାଲମ ସହରରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ; ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ। |
| 40 |
| ତାହାଙ୍କୁ ଈଶ୍ବର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ; |
| 41 |
| ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ, ମାତ୍ର ଈଶ୍ବରଙ୍କ ଦ୍ୱାରା ପୂର୍ବନିରୂପିତ ସାକ୍ଷୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ। ସେ ମୃତମାନଙ୍କ ମଧ୍ୟରୁ ଉଠିଲା ପରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନପାନ କଲୁ, |
| 42 |
| ଆଉ ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ, ପୁଣି, ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା ହେବା ନିମନ୍ତେ ଈଶ୍ବର ତାହାଙ୍କୁ ନିଯୁକ୍ତ କରିଅଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମ୍ଭମାନଙ୍କୁ ଆଜ୍ଞା ଦେଲେ। |
| 43 |
| ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେ ତାହାଙ୍କ ନାମରେ ପାପ କ୍ଷମା ପାଇବ, ଏହା ସମସ୍ତ ଭାବବାଦୀ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି। |
| 44 |
| ପିତର ଏହିସବୁ କଥା କହୁଥିବା ସମୟରେ ଯେତେ ଲୋକ ବାକ୍ୟ ଶୁଣୁଥିଲେ, ସେହି ସମସ୍ତଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ। |
| 45 |
| ସେଥିରେ ପିତରଙ୍କ ସହିତ ଆଗତ ସୁନ୍ନତ ବିଶ୍ୱାସୀମାନେ ସମସ୍ତେ ଅଣଯିହୁଦୀମାନଙ୍କ ଉପରେ ସୁଦ୍ଧା ପବିତ୍ର ଆତ୍ମାଙ୍କ ଦାନ ବୃଷ୍ଟି କରାଯିବା ଦେଖି ଆଚମ୍ଭିତ ହେଲେ; |
| 46 |
| କାରଣ ସେମାନେ ସେମାନଙ୍କୁ ବିଭିନ୍ନ ଭାଷାରେ କଥା କହୁଥିବା ଓ ଈଶ୍ବରଙ୍କ ପ୍ରଶଂସା କରୁଥିବା ଶୁଣୁଥିଲେ। |
| 47 |
| ସେତେବେଳେ ପିତର ଉତ୍ତର ଦେଲେ, ଏହି ଯେଉଁ ଲୋକମାନେ ଆମ୍ଭମାନଙ୍କ ପରି ପବିତ୍ର ଆତ୍ମା ପ୍ରାପ୍ତ କରିଅଛନ୍ତି, ଏମାନେ ଯେପରି ବାପ୍ତିଜିତ ନ ହୁଅନ୍ତି, ସେଥିନିମନ୍ତେ କଅଣ କେହି ଜଳକୁ ନିଷେଧ କରିପାରିବ? |
| 48 |
| ପୁଣି, ସେ ସେମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବା ନିମନ୍ତେ ଆଦେଶ ଦେଲେ। ପରେ ସେମାନେ କିଛି ଦିନ ରହିବା ପାଇଁ ତାହାଙ୍କୁ ଅନୁରୋଧ କଲେ। |
|
| ସଞ୍ଚୟ ଟିପ୍ପଣୀ |
https://beblia.bible:81/BibleAudio/odiairv/acts/010.mp3
28
10