ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ - NT
|
| 1 |
| ଏହି ସମସ୍ତ ଘଟଣା ପରେ ପାଉଲ ଆଥିନୀ ସହରରୁ ପ୍ରସ୍ଥାନ କରି କରିନ୍ଥ ସହରକୁ ଆସିଲେ। |
| 2 |
| ଆଉ, ସେ ଆକ୍ୱିଲା ନାମକ ଜଣେ ଯିହୁଦୀଙ୍କ ଦେଖାପାଇଲେ, ପନ୍ତ ସହରରେ ତାହାଙ୍କ ଜନ୍ମସ୍ଥାନ; ସେ ଅଳ୍ପ ଦିନ ହେଲା ଆପଣା ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ଇତାଲିଆରୁ ଆସିଥିଲେ, କାରଣ କ୍ଲାଉଦିଅ ସମସ୍ତ ଯିହୁଦୀଙ୍କୁ ରୋମରୁ ବାହାରିଯିବାକୁ ଆଜ୍ଞା ଦେଇଥିଲେ। ସେ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଗଲେ, |
| 3 |
| ପୁଣି, ସମବ୍ୟବସାୟୀ ଥିବାରୁ ସେମାନଙ୍କ ସହିତ ବାସ କଲେ, ଆଉ ସେମାନେ କର୍ମ କରିବାକୁ ଲାଗିଲେ, କାରଣ ବ୍ୟବସାୟରେ ସେମାନେ ତମ୍ୱୁ ନିର୍ମାଣକାରୀ ଥିଲେ। |
| 4 |
| ପୁଣି, ପ୍ରତି ବିଶ୍ରାମବାର ଦିନରେ ସେ ସମାଜଗୃହରେ ଉପଦେଶ ଦେଇ ଯିହୁଦୀ ଓ ଗ୍ରୀକ୍ମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ। |
| 5 |
| ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ସେତେବେଳେ ପାଉଲ ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ଥାଇ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯିହୁଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲେ। |
| 6 |
| କିନ୍ତୁ ସେମାନେ ପ୍ରତିରୋଧ ଓ ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି ସେମାନଙ୍କୁ କହିଲେ, ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ; ମୁଁ ନିର୍ଦ୍ଦୋଷ; ଏଣିକି ମୁଁ ଅଣଯିହୁଦୀମାନଙ୍କ ନିକଟକୁ ଯିବି। |
| 7 |
| ସେଥିରେ ସେ ସେ ସ୍ଥାନରୁ ପ୍ରସ୍ଥାନ କରି ତିତସ୍ ଯୂସ୍ତ ନାମକ ଜଣେ ଈଶ୍ବରଭକ୍ତଙ୍କ ଗୃହକୁ ଗଲେ, ତାହା ସମାଜଗୃହକୁ ଲାଗିଥିଲା। |
| 8 |
| କିନ୍ତୁ ସମାଜଗୃହର ଅଧ୍ୟକ୍ଷ କ୍ରୀଷ୍ପ ଏବଂ ସପରିବାର ପ୍ରଭୁଙ୍କଠାରେ ବିଶ୍ୱାସ କଲେ, ଆଉ କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ। |
| 9 |
| ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, “ଭୟ କର ନାହିଁ, ନୀରବ ନ ରହି କଥା କୁହ, |
| 10 |
| କାରଣ ଆମ୍ଭେ ତୁମ୍ଭ ସାଙ୍ଗରେ ଅଛୁ, କୌଣସି ଲୋକ ତୁମ୍ଭର କ୍ଷତି କରିବାକୁ ତୁମ୍ଭକୁ ଆକ୍ରମଣ କରିବ ନାହିଁ, ଯେଣୁ ଆମ୍ଭର ଅନେକ ଲୋକ ଏହି ନଗରରେ ଅଛନ୍ତି।” |
| 11 |
| ପୁଣି, ସେ ସେମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ ଶିକ୍ଷା ଦେଇ ଦେଢ଼ବର୍ଷ ସେଠାରେ ବାସ କଲେ। |
| 12 |
| କିନ୍ତୁ ଗାଲ୍ଲିୟୋନ୍ ଆଖାୟା ଅଞ୍ଚଳର ଶାସନକର୍ତ୍ତା ଥିବା ସମୟରେ ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ ଏକମତ ହୋଇ ଉଠି ତାହାଙ୍କୁ ବିଚାରାସନ ଛାମୁକୁ ଘେନିଆସି କହିଲେ, |
| 13 |
| ଏହି ଲୋକଟା ବ୍ୟବସ୍ଥାର ବିପରୀତ ଭାବରେ ଈଶ୍ବରଙ୍କ ଉପାସନା କରିବାକୁ ଲୋକମାନଙ୍କୁ ବାଧ୍ୟ କରେ। |
| 14 |
| କିନ୍ତୁ ପାଉଲ ମୁଖ ଫିଟାଇ କଥା କହିବାକୁ ଉଦ୍ୟତ ହୁଅନ୍ତେ, ଗାଲ୍ଲିୟୋନ୍ ଯିହୁଦୀମାନଙ୍କୁ କହିଲେ, କୌଣସି ପ୍ରକାର ଅନ୍ୟାୟ ବା ଦୁଷ୍କର୍ମ ଯଦି ହୋଇଥାଆନ୍ତା, ତେବେ, ହେ ଯିହୁଦୀମାନେ, ଧିର ହୋଇ ତୁମ୍ଭମାନଙ୍କର କଥା ଶୁଣିବା ଯୁକ୍ତିସଙ୍ଗତ ହୋଇଥାଆନ୍ତା, |
| 15 |
| ମାତ୍ର ଯଦି ଏହିସବୁ କେବଳ ବାକ୍ୟ, ନାମ ଓ ତୁମ୍ଭମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ଅଟେ, ତେବେ ତୁମ୍ଭେମାନେ ନିଜେ ତାହା ବୁଝ; ଆମ୍ଭେ ଏହିସବୁ ବିଷୟରେ ବିଚାରକର୍ତ୍ତା ହେବାକୁ ଇଚ୍ଛା କରୁ ନାହୁଁ। |
| 16 |
| ପୁଣି, ସେ ସେମାନଙ୍କୁ ବିଚାରାସନ ସମ୍ମୁଖରୁ ତଡ଼ିଦେଲେ। |
| 17 |
| ସେଥିରେ ସମସ୍ତେ ସମାଜଗୃହର ଅଧ୍ୟକ୍ଷ ସୋସ୍ଥିନାଙ୍କୁ ଧରି ବିଚାରାସନ ସମ୍ମୁଖରେ ପ୍ରହାର କରିବାକୁ ଲାଗିଲେ; କିନ୍ତୁ ଗାଲ୍ଲିୟୋନ୍ ସେହି ସମସ୍ତ ବିଷୟରେ ଦୃଷ୍ଟି କଲେ ନାହିଁ। |
| 18 |
| ଏହା ଉତ୍ତାରେ ପାଉଲ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ଭାଇମାନଙ୍କ ନିକଟରୁ ବିଦାୟ ଘେନି ଜାହାଜରେ ଚଢ଼ି ସିରିୟା ଅଞ୍ଚଳକୁ ଯାତ୍ରା କଲେ। ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ ସାଙ୍ଗରେ ଗଲେ; ତାଙ୍କର ଗୋଟିଏ ମାନତ ଥିବାରୁ ସେ କେଙ୍କ୍ରେୟା ସହରରେ ଆପଣା ମସ୍ତକ ମୁଣ୍ଡନ କରାଇଲେ। |
| 19 |
| ପରେ ସେମାନେ ଏଫିସକୁ ଆସିଲେ, ପୁଣି, ସେ ସେ ସ୍ଥାନରେ ସେମାନଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କରି ଯିହୁଦୀମାନଙ୍କୁ ଉପଦେଶ ଦେଲେ। |
| 20 |
| ପୁଣି, ସେମାନେ ତାହାଙ୍କୁ ଅଧିକ ସମୟ ରହିବାକୁ ଅନୁରୋଧ କରନ୍ତେ ସେ ଏକମତ ହେଲେ ନାହିଁ, |
| 21 |
| ମାତ୍ର ସେମାନଙ୍କଠାରୁ ବିଦାୟ ଘେନି କହିଲେ, ଈଶ୍ବରଙ୍କ ଇଚ୍ଛା ହେଲେ ଆଉ ଥରେ ଆପଣମାନଙ୍କ ନିକଟକୁ ବାହୁଡ଼ି ଆସିବି; ପୁଣି, ସେ ଏଫିସରୁ ପ୍ରସ୍ଥାନ କଲେ। |
| 22 |
| କାଇସରିୟାରେ ପହଞ୍ଚି ସେ ଜାହାଜରୁ ଓହ୍ଲାଇଲେ, ଆଉ ଯାଇ ମଣ୍ଡଳୀକୁ ନମସ୍କାର କରି ଆନ୍ତିୟଖିଆକୁ ଚାଲିଗଲେ। |
| 23 |
| ସେ ସ୍ଥାନରେ କେତେକ ସମୟ ରହିଲା ପରେ ସେ ପ୍ରସ୍ଥାନ କଲେ, ପୁଣି, କ୍ରମାନ୍ୱୟେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳଗୁଡ଼ିକ ଦେଇ ଯାତ୍ରା କରୁ କରୁ ଶିଷ୍ୟ ସମସ୍ତଙ୍କୁ ସୁସ୍ଥିର କରୁଥିଲେ। |
| 24 |
| ଇତିମଧ୍ୟରେ ଆପଲ୍ଲ ନାମକ ଜଣେ ଯିହୁଦୀ ଏଫିସକୁ ଆସିଲେ, ତାହାଙ୍କର ଜନ୍ମସ୍ଥାନ ଆଲେକଜାଣ୍ଡ୍ରୀୟ ସହରରେ ଥିଲା; ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ। |
| 25 |
| ଏହି ବ୍ୟକ୍ତି ପ୍ରଭୁଙ୍କ ମାର୍ଗ ବିଷୟରେ ଶିକ୍ଷା ପ୍ରାପ୍ତ ହୋଇଥିଲେ, ପୁଣି, ଆତ୍ମାରେ ଉତ୍ତପ୍ତ ହୋଇ ଯୀଶୁଙ୍କ ବିଷୟ ସୂକ୍ଷ୍ମରୂପେ କହି ଶିକ୍ଷା ଦେଉଥିଲେ, କିନ୍ତୁ ସେ କେବଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ; |
| 26 |
| ସେ ସମାଜଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ। କିନ୍ତୁ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମ ରୂପେ ଈଶ୍ବରଙ୍କ ମାର୍ଗ ବିଷୟ ତାହାଙ୍କୁ ବୁଝାଇଦେଲେ। |
| 27 |
| ସେ ଆଖାୟା ଦେଶକୁ ଯିବା ପାଇଁ ଇଚ୍ଛା କରିବାରୁ ଭାଇମାନେ ତାହାଙ୍କୁ ଉତ୍ସାହ ଦେଇ ତାହାଙ୍କୁ ଗ୍ରହଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଲେଖିଲେ। ସେ ସେଠାରେ ଉପସ୍ଥିତ ହୋଇ, ଯେଉଁମାନେ ବିଶ୍ୱାସ କରିଥିଲେ, ଈଶ୍ବରଙ୍କ ଅନୁଗ୍ରହ ଦ୍ୱାରା ସେମାନଙ୍କର ବହୁତ ଉପକାର କଲେ, |
| 28 |
| କାରଣ ଯୀଶୁ ଯେ ଖ୍ରୀଷ୍ଟ, ଏହା ଧର୍ମଶାସ୍ତ୍ର ଦ୍ୱାରା ପ୍ରମାଣ କରି ସେ ପ୍ରକାଶରେ ଶକ୍ତି ସହିତ ଯିହୁଦୀମାନଙ୍କର ଯୁକ୍ତିସବୁ ଖଣ୍ଡନ କରିବାକୁ ଲାଗିଲେ। |
|
| ସଞ୍ଚୟ ଟିପ୍ପଣୀ |
https://beblia.bible:81/BibleAudio/odiairv/acts/018.mp3
28
18