|
| 1 |
|
| ପାଞ୍ଚ ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କ ସାଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ। |
|
| 2 |
|
| ତାହାଙ୍କୁ ଡକାଯାଆନ୍ତେ ତର୍ତ୍ତୁଲ୍ଲ ତାହାଙ୍କୁ ଅଭିଯୋଗ କରି କହିବାକୁ ଲାଗିଲେ, ହେ ମହାମହିମ ଫେଲୀକ୍ସ୍, ଆପଣଙ୍କ ଦ୍ୱାରା ଆମ୍ଭେମାନେ ଯେ ମହା ଶାନ୍ତି ଭୋଗ କରୁଅଛୁ, ପୁଣି, ଆପଣଙ୍କର ଦୂରଦର୍ଶିତାରେ ଏହି ଜାତି ନିମନ୍ତେ ନାନା ମଙ୍ଗଳ ସାଧିତ ହୋଇଅଛି, |
|
| 3 |
|
| ଏହା ଆମ୍ଭେମାନେ ସର୍ବତୋଭାବରେ ଓ ସର୍ବସ୍ଥାନରେ ସମ୍ପୂର୍ଣ୍ଣ କୃତଜ୍ଞତା ସହିତ ସ୍ୱୀକାର କରୁଅଛୁ। |
|
| 4 |
|
| କିନ୍ତୁ ମୁଁ ଯେପରି ଆପଣଙ୍କର ଅଧିକ କ୍ଳାନ୍ତ ନ ଜନ୍ମାଏ, ଏଥିପାଇଁ ଆପଣ ନିଜ ଦୟା ଗୁଣରେ ଆମ୍ଭମାନଙ୍କ କେତୋଟି କଥା ଶୁଣିବା ପାଇଁ ମୁଁ ଆପଣଙ୍କୁ ନିବେଦନ କରୁଅଛି। |
|
| 5 |
|
| କାରଣ ଆମ୍ଭେମାନେ ଏହି ଲୋକକୁ ମହାମାରୀ ସ୍ୱରୂପ, ଜଗତର ସର୍ବତ୍ର ସମସ୍ତ ଯିହୁଦୀମାନଙ୍କ ମଧ୍ୟରେ ବିଦ୍ରୋହର ପରିଚାଳକ ଓ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଜାଣିଅଛୁ; |
|
| 6 |
|
| ଆହୁରି ମଧ୍ୟ ଏ ମନ୍ଦିର ଅଶୁଚି କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଆମ୍ଭେମାନେ ଏହାକୁ ଧରିଲୁ ଆଉ ଆପଣମାନଙ୍କ ବ୍ୟବସ୍ଥା ଅନୁସାରେ ଏହାର ବିଚାର କରିବାକୁ ଇଚ୍ଛା କରିଥିଲୁ। |
|
| 7 |
|
| କିନ୍ତୁ ସହସ୍ର-ସେନାପତି ଲୂସୀୟା ଆସି ଅତିଶୟ ଜୋର୍ରେ ଏହାକୁ ଆମ୍ଭମାନଙ୍କ ହାତରୁ ଛଡ଼ାଇନେଲେ, |
|
| 8 |
|
| ଆଉ ଏହାର ଅଭିଯୋଗକାରୀମାନଙ୍କୁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆଦେଶ ଦେଲେ। ଏହି ଯେ ସମସ୍ତ ବିଷୟରେ ଆମ୍ଭେମାନେ ଏହା ବିରୁଦ୍ଧରେ ଅଭିଯୋଗ କରୁଅଛୁ, ଆପଣ ନିଜେ ଏହାକୁ ପଚାରିଲେ ସେହିସବୁ ଅବଗତ ହୋଇପାରିବେ। |
|
| 9 |
|
| ଅନ୍ୟ ଯିହୁଦୀମାନେ ମଧ୍ୟ ଅଭିଯୋଗରେ ମିଶି ଏହି ସମସ୍ତ କଥା ସତ୍ୟ ବୋଲି କହିଲେ। |
|
| 10 |
|
| ସେଥିରେ ଶାସନକର୍ତ୍ତା କଥା କହିବା ନିମନ୍ତେ ପାଉଲଙ୍କୁ ସଙ୍କେତ କରନ୍ତେ ସେ ଉତ୍ତର ଦେଲେ, ଆପଣ ଅନେକ ବର୍ଷ ହେଲା ଏହି ଜାତିର ବିଚାରକର୍ତ୍ତା ଅଟନ୍ତି ବୋଲି ଜାଣିବାରୁ ମୁଁ ସାହସରେ ମୋହର ପକ୍ଷ ସମର୍ଥନ କରୁଅଛି। |
|
| 11 |
|
| ବାର ଦିନରୁ ଅଧିକ ହେବ ନାହିଁ ମୁଁ ଉପାସନା କରିବା ନିମନ୍ତେ ଯିରୂଶାଲମ ସହରକୁ ଯାଇଥିଲି, ଏହା ଆପଣ ଜାଣି ପାରନ୍ତି |
|
| 12 |
|
| ଆଉ ଏମାନେ ମନ୍ଦିରରେ କି ସମାଜଗୃହରେ କି ନଗରରେ ମୋତେ କାହାରି ସହିତ ବିବାଦ କରିବାର କିମ୍ବା ଜନତାକୁ ମତାଇବାର ଦେଖି ନାହାନ୍ତି, |
|
| 13 |
|
| ପୁଣି, ଏବେ ଏମାନେ ମୋ ବିରୁଦ୍ଧରେ ଯେଉଁ ସମସ୍ତ ବିଷୟ ନେଇ ଅଭିଯୋଗ କରୁଅଛନ୍ତି, ସେହିସବୁ ଆପଣଙ୍କ ନିକଟରେ ପ୍ରମାଣ କରିପାରନ୍ତି ନାହିଁ। |
|
| 14 |
|
| କିନ୍ତୁ ଏମାନେ ଯାହାକୁ ଗୋଟିଏ ବିଧର୍ମଦଳ ବୋଲି କହନ୍ତି, ମୁଁ ସେହି ମାର୍ଗ ଅନୁସାରେ ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବରଙ୍କର ଉପାସନା କରିଥାଏ; ଯାହା ଯାହା ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ଓ ଯାହା ଯାହା ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ଅଛି, ସେହିସବୁ ମୁଁ ବିଶ୍ୱାସ କରେ; |
|
| 15 |
|
| ପୁଣି, ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ବୋଲି ଯାହା ଏମାନେ ନିଜେ ଅପେକ୍ଷା କରନ୍ତି, ମୁଁ ମଧ୍ୟ ଈଶ୍ବରଙ୍କଠାରେ ସେହି ପ୍ରକାର ଭରସା ରଖିଅଛି ବୋଲି ଆପଣଙ୍କ ନିକଟରେ ସ୍ୱୀକାର କରୁଅଛି। |
|
| 16 |
|
| ଏହେତୁରୁ ମୁଁ ମଧ୍ୟ ନିଜେ ସର୍ବଦା ଈଶ୍ବରଙ୍କ ଓ ମନୁଷ୍ୟର ପ୍ରତି ନିର୍ଦ୍ଦୋଷ ବିବେକ ରକ୍ଷା କରିବାକୁ ଯତ୍ନ କରୁଥାଏ। |
|
| 17 |
|
| ଅନେକ ବର୍ଷ ପରେ ମୁଁ ମୋହର ଜାତି ନିକଟକୁ ଦାନ କରିବା ନିମନ୍ତେ ଓ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ଆସିଥିଲି। |
|
| 18 |
|
| ସେହି ସମୟରେ ଏମାନେ ମୋତେ ମନ୍ଦିରରେ ଶୁଚି ହୋଇଥିବାର ଦେଖିଲେ; ମୁଁ କୌଣସି ଜନତା କିମ୍ବା ଗଣ୍ଡଗୋଳରେ ମିଶି ନ ଥିଲି, କିନ୍ତୁ ଏସିଆ ପ୍ରଦେଶର କେତେକ ଯିହୁଦୀ ଲୋକମାନେ ଥିଲେ; |
|
| 19 |
|
| ଯଦି ସେମାନଙ୍କର ମୋ, ବିରୁଦ୍ଧରେ କୌଣସି କଥା ଥାଆନ୍ତା, ତାହାହେଲେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅଭିଯୋଗ କରିବା ସେମାନଙ୍କର ଉଚିତ୍ ହୋଇଥାଆନ୍ତା। |
|
| 20 |
|
| ନତୁବା ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ବିଚାରିତ ହେଉଅଛି ବୋଲି ମୁଁ ସେମାନଙ୍କ ମଧ୍ୟରେ ଠିଆ ହୋଇ ଉଚ୍ଚସ୍ୱରରେ ଏହି ଯେଉଁ କଥା କହିଥିଲି, |
|
| 21 |
|
| କେବଳ ସେହି ଗୋଟିଏ କଥା ଛଡ଼ା ମୁଁ ମହାସଭା ସମ୍ମୁଖରେ ଠିଆ ହେବା ସମୟରେ ଏମାନେ ମୋହର କି ଦୋଷ ପାଇଅଛନ୍ତି ତାହା ଏମାନେ ନିଜେ କହନ୍ତୁ। |
|
| 22 |
|
| କିନ୍ତୁ ଫେଲୀକ୍ସ୍ ସେହି ମାର୍ଗ ବିଷୟରେ ଅଳ୍ପ ଜାଣିଥିବାରୁ ବିଚାର ସ୍ଥଗିତ ରଖି କହିଲେ ଯେ ସହସ୍ର-ସେନାପତି ଲୂସୀୟା ଆସିଲା ପରେ ଆମ୍ଭେ ତୁମ୍ଭମାନଙ୍କ ବିଷୟ ନିର୍ଣ୍ଣୟ କରିବା। |
|
| 23 |
|
| ପୁଣି, ସେ ଶତ-ସେନାପତିଙ୍କୁ ତାଙ୍କର କୌଣସି ଆତ୍ମୀୟ ସ୍ୱଜନଙ୍କୁ ତାହାଙ୍କର ସେବା କରିବା ପାଇଁ ବାରଣ ନ କରିବାକୁ, ପୁଣି, ତାହାଙ୍କୁ ବନ୍ଦୀ ରୂପେ ରକ୍ଷା କରି ତାହାଙ୍କ ପ୍ରତି କୋମଳ ବ୍ୟବହାର କରିବାକୁ ଆଦେଶ ଦେଲେ। |
|
| 24 |
|
| କେତେକ ଦିନ ପରେ ଫେଲୀକ୍ସ୍ ଦ୍ରୂସିଲ୍ଲା ନାମ୍ନୀ ଆପଣା ଯିହୁଦୀୟା ଭାର୍ଯ୍ୟାଙ୍କ ସହିତ ଆସି ପାଉଲଙ୍କୁ ଡକାଇ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟ ତାଙ୍କଠାରୁ ଶୁଣିଲେ। |
|
| 25 |
|
| କିନ୍ତୁ ସେ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କଥା କହିବା ସମୟରେ ଫେଲୀକ୍ସ୍ ଭୟର ସହିତ ଉତ୍ତର ଦେଲେ, ବର୍ତ୍ତମାନ ତୁମ୍ଭେ ଯାଅ, ସୁବିଧା ସମୟ ପାଇଲେ ଆମ୍ଭେ ତୁମ୍ଭକୁ ଡକାଇବା। |
|
| 26 |
|
| ଆହୁରି ମଧ୍ୟ ପାଉଲ ତାହାଙ୍କୁ ଲାଞ୍ଚ ଦେବେ ବୋଲି ସେ ଆଶା କରୁଥିଲେ, ସେଥିପାଇଁ ଥରକୁ ଥର ତାହାଙ୍କୁ ଡକାଇ ତାହାଙ୍କ ସହିତ କଥାବାର୍ତ୍ତା କରୁଥିଲେ। |
|
| 27 |
|
| କିନ୍ତୁ ଦୁଇ ବର୍ଷ ପୂର୍ଣ୍ଣ ହେଲା ଉତ୍ତାରେ ପର୍କୀୟ ଫେଷ୍ଟସ୍ ଫେଲୀକ୍ସ୍ଙ୍କ ପଦରେ ନିଯୁକ୍ତ ହେଲେ, ଆଉ ଫେଲୀକ୍ସ୍ ଯିହୁଦୀମାନଙ୍କ ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖି ଚାଲିଗଲେ। |
|
|
|
|