|
| 1 |
|
| ଆମ୍ଭେମାନେ କି ପୁନର୍ବାର ଆତ୍ମପ୍ରଶଂସା କରିବାକୁ ଆରମ୍ଭ କରୁଅଛୁ? କିମ୍ବା କାହାରି କାହାରି ପରି କଅଣ ତୁମ୍ଭମାନଙ୍କ ନିକଟକୁ ବା ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କର ପ୍ରଶଂସାପତ୍ର ଆବଶ୍ୟକ? |
|
| 2 |
|
| ତୁମ୍ଭେମାନେ ତ ଆମ୍ଭମାନଙ୍କ ହୃଦୟରେ ଲିଖିତ ଏବଂ ସମସ୍ତ ଲୋକଙ୍କ ଜ୍ଞାତ ଓ ପଠିତ ଆମ୍ଭମାନଙ୍କ ପତ୍ର-ସ୍ୱରୂପ; |
|
| 3 |
|
| ପୁଣି, ତୁମ୍ଭେମାନେ ଯେ ଆମ୍ଭମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର-ସ୍ୱରୂପ, ଏହା ପ୍ରକାଶ ପାଉଅଛି; ତାହା କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ୍ତ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ଲିଖିତ, ପ୍ରସ୍ତରଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟରୂପ ଫଳକରେ। |
|
| 4 |
|
| ଆଉ, ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବରଙ୍କ ଉପରେ ନିର୍ଭର ରଖି ଆମ୍ଭମାନଙ୍କର ଏହି ପ୍ରକାର ବିଶ୍ୱାସ ଅଛି। |
|
| 5 |
|
| ଆମ୍ଭେମାନେ ଯେ ନିଜଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ, ଏପରି ନୁହେଁ, ମାତ୍ର ଆମ୍ଭମାନଙ୍କର ସାମର୍ଥ୍ୟ ଈଶ୍ବରଙ୍କଠାରୁ; |
|
| 6 |
|
| ସେ ତ ଆମ୍ଭମାନଙ୍କୁ ଅକ୍ଷରର ସେବକ କରି ନାହାନ୍ତି, ମାତ୍ର ପବିତ୍ର ଆତ୍ମାଙ୍କ, ଅର୍ଥାତ୍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି; କାରଣ ଅକ୍ଷର ମୃତ୍ୟୁଦାୟକ, ମାତ୍ର ପବିତ୍ର ଆତ୍ମା ଜୀବନଦାୟକ; |
|
| 7 |
|
| ଆଉ, ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବାକାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ, ଇସ୍ରାଏଲ ଲୋକମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ, |
|
| 8 |
|
| ତେବେ ଆତ୍ମିକ ସେବାକାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହେବ? |
|
| 9 |
|
| କାରଣ ଯଦି ଦଣ୍ଡାଜ୍ଞାର ସେବାକାର୍ଯ୍ୟ ଗୌରବଯୁକ୍ତ, ତେବେ ଧାର୍ମିକତାର ସେବାକାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ। |
|
| 10 |
|
| ଯେଣୁ ଯାହା ଗୌରବଯୁକ୍ତ ହୋଇଥିଲା, ତାହା ସେଥିରୁ ଅତି ଅଧିକ ଗୌରବଯୁକ୍ତ ବିଷୟର ତୁଳନାରେ ଗୌରବବିହୀନ ହୋଇଅଛି। |
|
| 11 |
|
| କାରଣ ଯଦି କ୍ଷଣସ୍ଥାୟୀ ବିଷୟ ଗୌରବଯୁକ୍ତ ହେଲା, ତେବେ ଚିରସ୍ଥାୟୀ ବିଷୟ ଆହୁରି ଅଧିକ ଗୌରବରେ ଅବସ୍ଥିତ। |
|
| 12 |
|
| ଅତଏବ, ଏହି ପ୍ରକାର ଭରସା ପ୍ରାପ୍ତ ହୋଇ ଆମ୍ଭେମାନେ ଅତି ସାହସିକ ଅଟୁ, |
|
| 13 |
|
| ଆଉ, ଇସ୍ରାଏଲ ସନ୍ତାନମାନେ ଯେପରି ସେହି କ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ଦୃଶ୍ୟ ପ୍ରତି ସ୍ଥିରଦୃଷ୍ଟି ନ କରନ୍ତି, ସେଥିପାଇଁ ମୋଶା ଯେପ୍ରକାରେ ଆପଣା ମୁଖରେ ଆବରଣ ଦେଉଥିଲେ, ଆମ୍ଭେମାନେ ସେପ୍ରକାର କରୁନାହୁଁ। |
|
| 14 |
|
| କିନ୍ତୁ ସେମାନଙ୍କର ଜ୍ଞାନଚକ୍ଷୁ ଜଡ଼ୀଭୂତ ହୋଇଅଛି, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବ ପରି ରହିଅଛି, ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣର ଯେ ଲୋପ ହେଉଅଛି, ଏହା ପ୍ରକାଶ ପାଉ ନାହିଁ। |
|
| 15 |
|
| ମାତ୍ର ଆଜି ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ, |
|
| 16 |
|
| କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ। |
|
| 17 |
|
| ପ୍ରଭୁ ଆତ୍ମା ଅଟନ୍ତି; ଆଉ ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ୱାଧୀନତା। |
|
| 18 |
|
| କିନ୍ତୁ ଆମ୍ଭେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ପ୍ରତିମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ; ଯେଣୁ ପ୍ରଭୁ ଯିଏ ଆତ୍ମା ଅଟନ୍ତି, ତାହାଙ୍କଠାରୁ ଏହିସବୁ ହେଉଅଛି। |
|
|
|
|