|
| 1 |
|
| ଯାଜକମାନେ, ଲେବୀୟମାନେ ଓ ଲେବୀର ସମସ୍ତ ବଂଶ ଇସ୍ରାଏଲ ସଙ୍ଗରେ କୌଣସି ଅଂଶ କି ଅଧିକାର ପାଇବେ ନାହିଁ; ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାହାଙ୍କର ଅଧିକୃତ ଦ୍ରବ୍ୟ ଭୋଗ କରିବେ। |
|
| 2 |
|
| ପୁଣି ସେମାନେ ଆପଣା ଭ୍ରାତୃଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ, ସଦାପ୍ରଭୁ ସେମାନଙ୍କ ପ୍ରତି ଉକ୍ତ ଆପଣା ବାକ୍ୟାନୁସାରେ ସେମାନଙ୍କର ଅଧିକାର ଅଟନ୍ତି। |
|
| 3 |
|
| ପୁଣି ଲୋକମାନଙ୍କଠାରୁ ଯାଜକମାନଙ୍କର ପ୍ରାପ୍ତବ୍ୟ ଏହି, ଯେଉଁମାନେ ଗୋରୁ କି ମେଷ ବଳିଦାନ କରିବେ, ସେମାନେ ଯାଜକକୁ ତହିଁର ଆଗ-ଚଟୁଆ ଓ ଦୁଇ ଗାଲ ଓ ପାକସ୍ଥଳୀ ଦେବେ। |
|
| 4 |
|
| ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର, ଓ ଆପଣା ତୈଳର ଓ ଆପଣା ମେଷଲୋମର ଅଗ୍ରିମାଂଶ ତାହାକୁ ଦେବ। |
|
| 5 |
|
| କାରଣ ସଦାପ୍ରଭୁଙ୍କ ନାମରେ ସେବା କରିବାକୁ ନିତ୍ୟ ଠିଆ ହେବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶ ମଧ୍ୟରୁ ତାହାକୁ ଓ ତାହାର ସନ୍ତାନଗଣକୁ ମନୋନୀତ କରିଅଛନ୍ତି। |
|
| 6 |
|
| ଆଉ ସମସ୍ତ ଇସ୍ରାଏଲ ମଧ୍ୟରେ ତୁମ୍ଭର କୌଣସି ନଗର-ଦ୍ୱାରରେ ଯେଉଁ ଲେବୀୟ ଲୋକ ପ୍ରବାସ କରେ, ସେ ଯଦି ଆପଣା ପ୍ରାଣର ସମ୍ପୂର୍ଣ୍ଣ ବାଞ୍ଛା ସହିତ ସଦାପ୍ରଭୁଙ୍କ ମନୋନୀତ ସ୍ଥାନକୁ ଆସିବ, |
|
| 7 |
|
| ତେବେ ସେହି ସ୍ଥାନରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବାର ଆପଣା ସମସ୍ତ ଲେବୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ସେବା କରିବ। |
|
| 8 |
|
| ସେ ଆପଣା ପୈତୃକ ଅଧିକାର ବିକ୍ରୟର ମୂଲ୍ୟ ଛଡ଼ା ସେମାନଙ୍କ ସମାନ ଭୋଜନର ଅଂଶ ପାଇବ। |
|
| 9 |
|
| ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ସେଠାରେ ଉପସ୍ଥିତ ହେଲେ ସେହି ସ୍ଥାନର ଗୋଷ୍ଠୀୟ ଲୋକମାନଙ୍କ ଘୃଣାଯୋଗ୍ୟ କ୍ରିୟାଗୁଡ଼ିକୁ ଅନୁକରଣ କରିବା ତୁମ୍ଭେ ଶିଖିବ ନାହିଁ। |
|
| 10 |
|
| ସେଠାରେ ଆପଣା ପୁତ୍ରକୁ କି ଆପଣା କନ୍ୟାକୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ଲୋକ, ଅବା ମନ୍ତ୍ରଜ୍ଞ, ଶୁଭାଶୁଭବାଦୀ, କି ଗଣକ, କି ମାୟାବୀ, |
|
| 11 |
|
| କି ମୋହକ, କି ଭୂତୁଡ଼ିଆ, କି ଗୁଣିଆ, କି ପ୍ରେତପରାମର୍ଶୀ ଲୋକ ତୁମ୍ଭ ମଧ୍ୟରେ ଦେଖାଯିବ ନାହିଁ। |
|
| 12 |
|
| ଯେହେତୁ ଯେକେହି ଏପରି କର୍ମ କରେ, ସେ ସଦାପ୍ରଭୁଙ୍କର ଘୃଣାପାତ୍ର ଅଟନ୍ତି; ପୁଣି ସେହି ଘୃଣ୍ୟ କର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ି ଦେଉଅଛନ୍ତି। |
|
| 13 |
|
| ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ସିଦ୍ଧ ହେବ। |
|
| 14 |
|
| କାରଣ ଏହି ଯେଉଁ ଦେଶୀୟ ଲୋକମାନଙ୍କୁ ଅଧିକାର କରିବ, ସେମାନେ ଶୁଭାଶୁଭବାଦୀ ଓ ମନ୍ତ୍ରଜ୍ଞମାନଙ୍କ କଥା ଶୁଣନ୍ତି; ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେହିପରି କରିବାକୁ ଦେଇ ନାହାନ୍ତି। |
|
| 15 |
|
| ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ନିମନ୍ତେ ତୁମ୍ଭ ଭିତରୁ, ତୁମ୍ଭ ଭାଇମାନଙ୍କ ମଧ୍ୟରୁ ଆମ୍ଭର ସଦୃଶ ଏକ ଭବିଷ୍ୟଦ୍ବକ୍ତା ଉତ୍ପନ୍ନ କରିବେ; ତୁମ୍ଭେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କରିବ। |
|
| 16 |
|
| କାରଣ ହୋରେବରେ ସମାଜ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ପ୍ରାର୍ଥନା କରି କହିଥିଲ, “ଆମ୍ଭେ ଯେପରି ନ ମରୁ, ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ରବ ପୁନର୍ବାର ନ ଶୁଣୁ, କିଅବା ଏହି ମହା-ଅଗ୍ନି ଆଉ ନ ଦେଖୁ।” |
|
| 17 |
|
| ତହିଁରେ ସଦାପ୍ରଭୁ ମୋତେ କହିଲେ, “ସେମାନେ ଯାହା କହିଅଛନ୍ତି, ତାହା ଭଲ କହିଅଛନ୍ତି। |
|
| 18 |
|
| ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭ୍ରାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟଦ୍ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ। |
|
| 19 |
|
| ପୁଣି ଆମ୍ଭ ନାମରେ ସେ ଆମ୍ଭର ଯେଉଁ ଯେଉଁ ବାକ୍ୟ କହିବେ, ତାହା ଯିଏ ଶୁଣିବ ନାହିଁ, ତାହାଠାରୁ ଆମ୍ଭେ ତହିଁର ପରିଶୋଧ ନେବା। |
|
| 20 |
|
| ମାତ୍ର ଆମ୍ଭେ ଯାହା କହିବାକୁ ଆଜ୍ଞା ଦେଇ ନାହୁଁ, ଆମ୍ଭ ନାମରେ ଏପରି କୌଣସି କଥା କହିବାକୁ ଯେଉଁ ଭବିଷ୍ୟଦ୍ବକ୍ତା ଦୁଃସାହସ କରିବ, ଅବା ଅନ୍ୟ ଦେବତାଗଣର ନାମରେ କହିବ, ସେହି ଭବିଷ୍ୟଦ୍ବକ୍ତା ମରିବ। |
|
| 21 |
|
| ମାତ୍ର ଯେବେ ତୁମ୍ଭେ ଆପଣା ମନେ ମନେ କୁହ, ‘ସଦାପ୍ରଭୁ ଯେଉଁ କଥା କହି ନାହାନ୍ତି, ତାହା ଆମ୍ଭେମାନେ କିପରି ଜାଣିବା?’ |
|
| 22 |
|
| କୌଣସି ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ନାମରେ କଥା କହିଲେ, ଯେବେ ତାହା ନ ହୁଏ, ଅବା ନ ଘଟେ, ତେବେ ସେହି କଥା ସଦାପ୍ରଭୁ କହି ନାହାନ୍ତି; ସେ ଭବିଷ୍ୟଦ୍ବକ୍ତା ଦୁଃସାହସରେ ତାହା କହିଅଛି, ତୁମ୍ଭେ ତାହାକୁ ଭୟ କରିବ ନାହିଁ।” |
|
|
|
|