|
| 1 |
|
| ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ଶୀଲୋରେ ଆପଣାମାନଙ୍କୁ ଏକତ୍ର କରି ସେଠାରେ ସମାଗମ-ତମ୍ବୁ ସ୍ଥାପନ କଲେ; ଦେଶ ସେମାନଙ୍କ ସମ୍ମୁଖରେ ପରାଜିତ ଥିଲା। |
|
| 2 |
|
| ସେସମୟରେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଅଧିକାର-ଅପ୍ରାପ୍ତ ସାତ ବଂଶ ଅବଶିଷ୍ଟ ଥିଲେ। |
|
| 3 |
|
| ତହିଁରେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ସେଠାକୁ ଯାଇ ତାହା ଅଧିକାର କରିବାକୁ ତୁମ୍ଭେମାନେ କେତେ କାଳ ଆଳସ୍ୟ କରିବ?” |
|
| 4 |
|
| ତୁମ୍ଭେମାନେ ପ୍ରତ୍ୟେକ ବଂଶ ପାଇଁ ତିନି ତିନି ଜଣ ଦିଅ; ତହିଁରେ ଆମ୍ଭେ ସେମାନଙ୍କୁ ପଠାଇବା, ସେମାନେ ଉଠି ଦେଶ ଦେଇ ଭ୍ରମଣ କରି ଲୋକମାନଙ୍କ ଅଧିକାରାନୁସାରେ ତାହା ଲେଖି ଆମ୍ଭ ନିକଟକୁ ଫେରି ଆସିବେ। |
|
| 5 |
|
| ପୁଣି ସେମାନେ ତାହା ସାତ ଭାଗରେ ବିଭାଗ କରିବେ; ଦକ୍ଷିଣ ଦିଗରେ ଆପଣା ସୀମାରେ ଯିହୁଦା ରହିବ ଓ ଉତ୍ତର ଦିଗରେ ଆପଣା ସୀମାରେ ଯୋଷେଫ-ବଂଶ ରହିବେ। |
|
| 6 |
|
| ଏହିରୂପେ ତୁମ୍ଭେମାନେ ଦେଶକୁ ସାତ ଭାଗ କରି ତାହା ଲେଖି ଆମ୍ଭ ନିକଟକୁ ଆଣିବ; ତହିଁରେ ଆମ୍ଭେ ଏ ସ୍ଥାନରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା। |
|
| 7 |
|
| କାରଣ ତୁମ୍ଭମାନଙ୍କ ମଧ୍ୟରେ ଲେବୀୟମାନଙ୍କର କୌଣସି ଅଂଶ ନାହିଁ, ଯେହେତୁ ସଦାପ୍ରଭୁଙ୍କର ଯାଜକତ୍ୱ ପଦ ସେମାନଙ୍କର ଅଧିକାର; ଆଉ ଗାଦ୍ ଓ ରୁବେନ୍ ଓ ମନଃଶିର ଅର୍ଦ୍ଧ ବଂଶ ଯର୍ଦ୍ଦନ-ପୂର୍ବପାରିରେ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି। |
|
| 8 |
|
| ଏଥିରେ ସେହି ଲୋକମାନେ ଉଠି ଯାତ୍ରା କଲେ; ପୁଣି ଯିହୋଶୂୟ ସେହି ଦେଶ ବିଷୟ ଲେଖିବା ପାଇଁ ଯିବା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଯାଇ ଦେଶ ଦେଇ ଭ୍ରମଣ କରି ତହିଁ ବିଷୟ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ; ତହିଁରେ ଆମ୍ଭେ ଏହି ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା।” |
|
| 9 |
|
| ଏଥିରେ ସେହି ଲୋକମାନେ ଯାଇ ଦେଶ ଦେଇ ଭ୍ରମଣ କଲେ ଓ ନଗର ଅନୁସାରେ ସାତ ଭାଗ କରି ନଳାକାର ପୁସ୍ତକରେ ଲେଖିଲେ; ତହୁଁ ଶୀଲୋସ୍ଥିତ ଛାଉଣିକୁ ଯିହୋଶୂୟଙ୍କର ନିକଟକୁ ଫେରି ଆସିଲେ। |
|
| 10 |
|
| ଏଥିରେ ଯିହୋଶୂୟ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ; ପୁଣି ଯିହୋଶୂୟ ସେହି ସ୍ଥାନରେ ଇସ୍ରାଏଲ-ସନ୍ତାନଗଣର ବିଭାଗାନୁସାରେ ଦେଶ ବାଣ୍ଟ କରି ସେମାନଙ୍କୁ ଦେଲେ। |
|
| 11 |
|
| ତହୁଁ ବିନ୍ୟାମୀନ୍-ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଉଠିଲା। ସେମାନଙ୍କ ବାଣ୍ଟର ସୀମା ଯିହୁଦା-ସନ୍ତାନଗଣର ଓ ଯୋଷେଫ-ସନ୍ତାନଗଣର ମଧ୍ୟରେ ହେଲା। |
|
| 12 |
|
| ସେମାନଙ୍କ ଉତ୍ତର ସୀମା ଯର୍ଦ୍ଦନଠାରୁ ହେଲା; ଆଉ ସେ ସୀମା ଯିରୀହୋର ଉତ୍ତର ପାର୍ଶ୍ୱ ଦେଇ ଗଲା, ତହୁଁ ପଶ୍ଚିମ ଦିଗସ୍ଥିତ ପର୍ବତମୟ ଦେଶ ଦେଇ ଗଲା; ପୁଣି ବେଥ୍-ଆବନ ପ୍ରାନ୍ତର ନିକଟରେ ତହିଁର ସୀମା ହେଲା। |
|
| 13 |
|
| ସେଠାରୁ ସେ ସୀମା ଲୂସ୍କୁ ବା ଦକ୍ଷିଣ ଆଡ଼େ ଲୂସ୍ର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା, (ଏହାକୁ ବେଥେଲ୍ କହନ୍ତି); ପୁଣି ନୀଚସ୍ଥ ବେଥ୍-ହୋରଣର ଦକ୍ଷିଣସ୍ଥିତ ପର୍ବତ ଦେଇ ଅଟାରୋତ୍-ଅଦ୍ଦର ଆଡ଼କୁ ଗଡ଼ିଗଲା। |
|
| 14 |
|
| ସେଠାରୁ ସେ ସୀମା ଫେରି ପଶ୍ଚିମାଭିମୁଖ ହୋଇ ବେଥ୍-ହୋରଣ ଦକ୍ଷିଣସ୍ଥିତ ପର୍ବତଠାରୁ ଦକ୍ଷିଣ ଆଡ଼େ ଯାଇ ଯିହୁଦା-ସନ୍ତାନଗଣର କିରୀୟଥ୍-ବାଲବା କିରୀୟଥ୍-ଯିୟାରୀମ୍ ନାମକ ନଗର ପର୍ଯ୍ୟନ୍ତ ଗଲା; ଏ ପଶ୍ଚିମ ସୀମା। |
|
| 15 |
|
| ପୁଣି ଦକ୍ଷିଣ ସୀମା କିରୀୟଥ୍-ଯିୟାରୀମ୍ର ପ୍ରାନ୍ତରୁ ଗଲା ଓ ସେ ସୀମା ପଶ୍ଚିମ ଦିଗରେ ବାହାରି ନିପ୍ତୋହର ନିର୍ଝର ପର୍ଯ୍ୟନ୍ତ ଗଲା। |
|
| 16 |
|
| ଆଉ ସେହି ସୀମା ରଫାୟୀମ ତଳଭୂମିର ଉତ୍ତର ଦିଗସ୍ଥିତ ହିନ୍ନୋମ ପୁତ୍ରର ଉପତ୍ୟକା ସମ୍ମୁଖସ୍ଥ ପର୍ବତର ପ୍ରାନ୍ତ ପର୍ଯ୍ୟନ୍ତ ଗଡ଼ିଗଲା ଓ ହିନ୍ନୋମ ଉପତ୍ୟକା ଦେଇ ଯିବୂଷର ଦକ୍ଷିଣ ପାର୍ଶ୍ୱକୁ ଗଡ଼ିଆସି ଐନ୍-ରୋଗେଲକୁ ଗଲା। |
|
| 17 |
|
| ପୁଣି ଉତ୍ତର ଦିଗରେ ଫେରି ଐନ୍-ଶେମଶ୍ ନିକଟରେ ଗଲା ଓ ଅଦୁମ୍ମୀମ୍ ଘାଟି ସମ୍ମୁଖସ୍ଥ ଗଲୀଲୋତ ଆଡ଼କୁ ଯାଇ ରୁବେନ୍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଡ଼ିଗଲା। |
|
| 18 |
|
| ପୁଣି ଉତ୍ତର ଦିଗରେ ପଦାଭୂମିର ସମ୍ମୁଖ ପାର୍ଶ୍ୱ ଦେଇ ପଦାଭୂମିକୁ ଗଡ଼ିଗଲା |
|
| 19 |
|
| ଓ ସେହି ସୀମା ବେଥ୍-ହୋଗ୍ଲାର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମୁଦ୍ରର ଉତ୍ତର ଉପସାଗର ସେହି ସୀମାର ପ୍ରାନ୍ତ ଥିଲା, ଏ ଦକ୍ଷିଣ ସୀମା। |
|
| 20 |
|
| ପୂର୍ବ ଦିଗରେ ଯର୍ଦ୍ଦନ ତହିଁର ସୀମା ଥିଲା; ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ଏହି ଅଧିକାର ଥିଲା। |
|
| 21 |
|
| ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ବଂଶର ନଗର ଯିରୀହୋ ଓ ବେଥ୍-ହୋଗ୍ଲା ଓ ଏମକ୍-କତ୍ଶିସ୍ |
|
| 22 |
|
| ଓ ବେଥ୍-ଅରାବା ଓ ସୀମାରୟମ୍ ଓ ବେଥେଲ୍ |
|
| 23 |
|
| ଓ ଅବ୍ବୀମ୍ ଓ ପାରା ଓ ଅଫ୍ରା, |
|
| 24 |
|
| କଫରମ୍ମୋନି ଓ ଅଫନି ଓ ଗେବା; ଗ୍ରାମ ସମେତ ବାର ନଗର। |
|
| 25 |
|
| ଗିବୀୟୋନ୍ ଓ ରାମା ଓ ବେରୋତ |
|
| 26 |
|
| ଓ ମିସ୍ପେ ଓ କଫୀରା ଓ ମୋତ୍ସା |
|
| 27 |
|
| ଓ ରେକମ ଓ ଯିର୍ପେଲ ଓ ତରଲା |
|
| 28 |
|
| ଓ ସେଲା ଓ ଏଲଫ ଓ ଯିବୂଷ (ଏହାକୁ ଯିରୂଶାଲମ କହନ୍ତି), ଗିବୀୟା ଓ କିରୀୟଥ୍; ଗ୍ରାମ ସମେତ ଏହି ଚଉଦ ନଗର। ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ଏହି ଅଧିକାର। |
|
|
|
|