|
| 1 |
|
| ଗିଲୀୟଦୀୟ ଯିପ୍ତହ ନାମରେ ଏକ ମହାବିକ୍ରମଶାଳୀ ପୁରୁଷ ଥିଲେ, ସେ ଏକ ବେଶ୍ୟାର ପୁତ୍ର; ଗିଲୀୟଦ ଯିପ୍ତହଙ୍କୁ ଜାତ କରିଥିଲା। |
|
| 2 |
|
| ମାତ୍ର ଗିଲୀୟଦର ଭାର୍ଯ୍ୟା ତାହାର କେତେକ ପୁତ୍ର ପ୍ରସବ କଲା, ପୁଣି ତାହାର ଭାର୍ଯ୍ୟାର ପୁତ୍ରମାନେ ବଢ଼ନ୍ତେ, ସେମାନେ ଯିପ୍ତହଙ୍କୁ ତଡ଼ିଦେଇ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପିତୃଗୃହରେ ଅଧିକାର ପାଇବ ନାହିଁ; କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପୁତ୍ର।” |
|
| 3 |
|
| ତହିଁରେ ଯିପ୍ତହ ଆପଣା ଭାଇମାନଙ୍କ ସମ୍ମୁଖରୁ ପଳାଇ ଟୋବ ଦେଶରେ ବାସ କଲେ; ତହିଁରେ କେତେଗୁଡ଼ିଏ ଅଦରକାରୀ ଲୋକ ଯିପ୍ତହ ସଙ୍ଗେ ମିଳି ତାଙ୍କର ସହଚର ହେଲେ। |
|
| 4 |
|
| କିଛି ଦିନ ପରେ ଅମ୍ମୋନ-ସନ୍ତାନଗଣ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଲାଗିଲେ। |
|
| 5 |
|
| ପୁଣି ଅମ୍ମୋନ-ସନ୍ତାନଗଣ ଯେତେବେଳେ ଇସ୍ରାଏଲ ସହିତ ଯୁଦ୍ଧ କଲେ, ସେତେବେଳେ ଗିଲୀୟଦର ପ୍ରାଚୀନବର୍ଗ ଯିପ୍ତହଙ୍କୁ ଟୋବ ଦେଶରୁ ଆଣିବାକୁ ଗଲେ। |
|
| 6 |
|
| ଆଉ ସେମାନେ ଯିପ୍ତହଙ୍କୁ କହିଲେ, “ଆମ୍ଭେମାନେ ଅମ୍ମୋନ-ସନ୍ତାନଗଣ ସହିତ ଯେପରି ଯୁଦ୍ଧ କରିବା, ଏଥିପାଇଁ ତୁମ୍ଭେ ଆସି ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ।” |
|
| 7 |
|
| ତହିଁରେ ଯିପ୍ତହ ଗିଲୀୟଦର ପ୍ରାଚୀନବର୍ଗଙ୍କୁ କହିଲେ, “ତୁମ୍ଭେମାନେ କି ମୋତେ ଘୃଣା କରି ମୋହର ପିତୃଗୃହରୁ ମୋତେ ତଡ଼ିଦେଇ ନାହଁ? ପୁଣି ଏବେ ଦୁର୍ଦ୍ଦଶାରେ ପଡ଼ିଅଛ ବୋଲି ମୋର ନିକଟକୁ କାହିଁକି ଆସିଅଛ?” |
|
| 8 |
|
| ତହୁଁ ଗିଲୀୟଦର ପ୍ରାଚୀନବର୍ଗ ଯିପ୍ତହଙ୍କୁ କହିଲେ, “ତୁମ୍ଭେ ଯେପରି ଆମ୍ଭମାନଙ୍କ ସଙ୍ଗରେ ଯିବ ଓ ଅମ୍ମୋନ-ସନ୍ତାନଗଣ ସହିତ ଯୁଦ୍ଧ କରିବ, ପୁଣି ଗିଲୀୟଦ ନିବାସୀ ଆମ୍ଭ ସମସ୍ତଙ୍କ ଉପରେ ମସ୍ତକ ସ୍ୱରୂପ ହେବ, ଏଥିପାଇଁ ସିନା ଏବେ ଆମ୍ଭେମାନେ ତୁମ୍ଭ ନିକଟକୁ ପୁନର୍ବାର ଆସିଅଛୁ।” |
|
| 9 |
|
| ସେତେବେଳେ ଯିପ୍ତହ ଗିଲୀୟଦର ପ୍ରାଚୀନବର୍ଗଙ୍କୁ କହିଲେ, “ତୁମ୍ଭେମାନେ ତ ଅମ୍ମୋନ-ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ମୋତେ ଘରକୁ ଫେରାଇ ନେଉଅଛ; ଯେବେ ସଦାପ୍ରଭୁ ମୋହର ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ, ତେବେ ସତେକି ମୁଁ ତୁମ୍ଭମାନଙ୍କର ମସ୍ତକ ସ୍ୱରୂପ ହେବି?” |
|
| 10 |
|
| ତହିଁରେ ଗିଲୀୟଦର ପ୍ରାଚୀନବର୍ଗ ଯିପ୍ତହଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ କଥା ଶୁଣୁଅଛନ୍ତି; ନିଶ୍ଚୟ ଆମ୍ଭେମାନେ ତୁମ୍ଭ ବାକ୍ୟାନୁସାରେ କରିବୁ।” |
|
| 11 |
|
| ଏଥିରେ ଯିପ୍ତହ ଗିଲୀୟଦର ପ୍ରାଚୀନବର୍ଗ ସହିତ ଗଲେ, ଆଉ ଲୋକମାନେ ତାଙ୍କୁ ଆପଣାମାନଙ୍କର ମସ୍ତକ ସ୍ୱରୂପ ଓ ଶାସନକର୍ତ୍ତା କଲେ; ପୁଣି ଯିପ୍ତହ ମିସ୍ପାରେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣାର ସମସ୍ତ କଥା କହିଲେ। |
|
| 12 |
|
| ଏଥିଉତ୍ତାରେ ଯିପ୍ତହ ଅମ୍ମୋନ-ସନ୍ତାନଗଣର ରାଜା ନିକଟକୁ ଦୂତ ପଠାଇ କହିଲେ, “ମୋହର ବିରୁଦ୍ଧରେ ତୁମ୍ଭର କି ସମସ୍ୟା ଅଛି ଯେ, ତୁମ୍ଭେ ମୋହର ଦେଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମୋହର ନିକଟକୁ ଆସିଅଛ?” |
|
| 13 |
|
| ତହିଁରେ ଅମ୍ମୋନ-ସନ୍ତାନଗଣର ରାଜା ଯିପ୍ତହଙ୍କ ଦୂତମାନଙ୍କୁ କହିଲା, “କାରଣ ଏହି, ଇସ୍ରାଏଲ ଯେତେବେଳେ ମିସରରୁ ବାହାର ହୋଇ ଆସିଲେ, ସେତେବେଳେ ଅର୍ଣ୍ଣୋନଠାରୁ ଯବ୍ବୋକ୍ ଓ ଯର୍ଦ୍ଦନ ପର୍ଯ୍ୟନ୍ତ ମୋହର ଭୂମି ହରଣ କଲେ; ଏଣୁ ଏବେ ବିରୋଧ ନ କରି ତାହା ଫେରାଇ ଦିଅ।” |
|
| 14 |
|
| ତହିଁରେ ଯିପ୍ତହ ଅମ୍ମୋନ-ସନ୍ତାନଗଣର ରାଜା ନିକଟକୁ ପୁନର୍ବାର ଦୂତ ପଠାଇ ତାହାକୁ କହିଲେ; |
|
| 15 |
|
| “ଯିପ୍ତହ ଏହି କଥା କହେ, ମୋୟାବର ଭୂମି କିଅବା ଅମ୍ମୋନ-ସନ୍ତାନଗଣର ଭୂମି ଇସ୍ରାଏଲ ହରଣ କରି ନାହିଁ। |
|
| 16 |
|
| ମାତ୍ର ଇସ୍ରାଏଲ ମିସରରୁ ଆସିବା ବେଳେ ଇସ୍ରାଏଲ ସୂଫ ସାଗର ପର୍ଯ୍ୟନ୍ତ ପ୍ରାନ୍ତରରେ ଭ୍ରମଣ କଲା ଉତ୍ତାରେ କାଦେଶରେ ଉପସ୍ଥିତ ହେଲେ। |
|
| 17 |
|
| ସେତେବେଳେ ଇସ୍ରାଏଲ ଇଦୋମର ରାଜା ନିକଟକୁ ଦୂତ ପଠାଇ କହିଲେ, ‘ବିନୟ କରୁଅଛି, ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ;’ ମାତ୍ର ଇଦୋମର ରାଜା ଶୁଣିଲା ନାହିଁ। ପୁଣି ସେହି ପ୍ରକାର ସେ ମୋୟାବର ରାଜା ନିକଟକୁ କହି ପଠାଇଲେ; ସେ ମଧ୍ୟ ସମ୍ମତ ହେଲା ନାହିଁ; ତେଣୁ ଇସ୍ରାଏଲ କାଦେଶରେ ରହିଲେ। |
|
| 18 |
|
| ଏଥିଉତ୍ତାରେ ସେ ପ୍ରାନ୍ତର ଦେଇ ଯାଇ ଇଦୋମ ଦେଶ ଓ ମୋୟାବ ଦେଶ ଘୁରି ମୋୟାବ ଦେଶର ପୂର୍ବଦିଗ ଦେଇ ଆସି ଅର୍ଣ୍ଣୋନର ସେପାରିରେ ଛାଉଣି ସ୍ଥାପନ କଲେ; ମାତ୍ର ସେମାନେ ମୋୟାବ-ସୀମା ଭିତରେ ପ୍ରବେଶ କଲେ ନାହିଁ, କାରଣ ଅର୍ଣ୍ଣୋନ ମୋୟାବର ସୀମା ଥିଲା। |
|
| 19 |
|
| ପୁଣି ଇସ୍ରାଏଲ ହିଷ୍ବୋନର ଇମୋରୀୟ ରାଜା ସୀହୋନ ନିକଟକୁ ଦୂତ ପଠାଇଲେ; ପୁଣି ଇସ୍ରାଏଲ ତାହାକୁ କହିଲେ, ‘ବିନୟ କରୁଅଛୁ, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କ ସ୍ଥାନକୁ ଯିବା ପାଇଁ ଆମ୍ଭମାନଙ୍କୁ ଦିଅ।’ |
|
| 20 |
|
| ମାତ୍ର ସୀହୋନ ଆପଣା ସୀମା ଦେଇ ଯିବା ପାଇଁ ଇସ୍ରାଏଲକୁ ବିଶ୍ୱାସ କରୁ ନ ଥିବାରୁ ଅନୁମତି ଦେଲା ନାହିଁ; ପୁଣି ସୀହୋନ ଆପଣାର ସମସ୍ତ ଲୋକଙ୍କୁ ଏକତ୍ର କରି ଯହସରେ ଛାଉଣି ସ୍ଥାପନ କରି ଇସ୍ରାଏଲ ସଙ୍ଗେ ଯୁଦ୍ଧ କଲା। |
|
| 21 |
|
| ତହିଁରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସୀହୋନକୁ ଓ ତାହାର ସମସ୍ତ ଲୋକଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ। ଏହିରୂପେ ଇସ୍ରାଏଲ ସେହି ଦେଶ ନିବାସୀ ଇମୋରୀୟମାନଙ୍କ ସମସ୍ତ ଦେଶ ଅଧିକାର କଲେ। |
|
| 22 |
|
| ସେମାନେ ଅର୍ଣ୍ଣୋନଠାରୁ ଯବ୍ବୋକ୍ ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଯର୍ଦ୍ଦନ ପର୍ଯ୍ୟନ୍ତ ଇମୋରୀୟମାନଙ୍କର ସମସ୍ତ ସୀମା ଅଧିକାର କଲେ। |
|
| 23 |
|
| ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକ ଇସ୍ରାଏଲୀୟମାନଙ୍କ ସମ୍ମୁଖରୁ ଇମୋରୀୟମାନଙ୍କୁ ଅଧିକାରଚ୍ୟୁତ କରିଅଛନ୍ତି, ଏବେ ତୁମ୍ଭେ କି ସେସବୁ ଅଧିକାର କରିବ? |
|
| 24 |
|
| ତୁମ୍ଭର କମୋଶ ଦେବ ଯାହା ତୁମ୍ଭକୁ ଅଧିକାର କରିବାକୁ ଦିଅନ୍ତି, ତାହା କି ତୁମ୍ଭେ ଅଧିକାର କରିବ ନାହିଁ? ସେରୂପେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେଉଁମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଅଧିକାରଚ୍ୟୁତ କରିଅଛନ୍ତି, ସେମାନଙ୍କୁ ଆମ୍ଭେମାନେ ଅଧିକାର କରିବୁ। |
|
| 25 |
|
| କୁହ ଦେଖି, ତୁମ୍ଭେ କି ମୋୟାବ-ରାଜା ସିପ୍ପୋରର ପୁତ୍ର ବାଲାକଠାରୁ କିଛି ଅଧିକ? ସେ କି ଇସ୍ରାଏଲ ସଙ୍ଗେ କେବେ ବିବାଦ କରିଥିଲେ? ଅବା ସେ କି କେବେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ? |
|
| 26 |
|
| ଇସ୍ରାଏଲ ତିନି ଶତ ବର୍ଷ ହେଲା ହିଷ୍ବୋନ ଓ ତହିଁ ଉପନଗରରେ, ପୁଣି ଅରୋୟର ଓ ତହିଁ ଉପନଗରରେ, ଆଉ ଅର୍ଣ୍ଣୋନ ତୀରସ୍ଥିତ ସମସ୍ତ ନଗରରେ ବାସ କରୁଅଛନ୍ତି; ଏଥିମଧ୍ୟରେ ତୁମ୍ଭେମାନେ କାହିଁକି ସେସବୁ ଫେରାଇ ନ ନେଲ? |
|
| 27 |
|
| ଏହେତୁ ମୁଁ ତୁମ୍ଭ ବିରୁଦ୍ଧରେ କୌଣସି ପାପ କରି ନାହିଁ, ମାତ୍ର ତୁମ୍ଭେ ମୋହର ବିରୁଦ୍ଧରେ ଯୁଦ୍ଧ କରିବାରେ ମୋʼ ପ୍ରତି ଅନ୍ୟାୟ କର୍ମ କରୁଅଛ; ସଦାପ୍ରଭୁ ଯେ ବିଚାରକର୍ତ୍ତା, ସେ ଆଜି ଇସ୍ରାଏଲ-ସନ୍ତାନଗଣ ଓ ଅମ୍ମୋନ-ସନ୍ତାନଗଣ ମଧ୍ୟରେ ବିଚାରକର୍ତ୍ତା ହେଉନ୍ତୁ।” |
|
| 28 |
|
| ତଥାପି ଯିପ୍ତହଙ୍କ ପ୍ରେରିତ କଥା ଅମ୍ମୋନ-ସନ୍ତାନଗଣର ରାଜା ଶୁଣିଲା ନାହିଁ। |
|
| 29 |
|
| ତହିଁରେ ସଦାପ୍ରଭୁଙ୍କ ଆତ୍ମା ଯିପ୍ତହଙ୍କ ଉପରେ ଅଧିଷ୍ଠାନ କରନ୍ତେ, ସେ ଗିଲୀୟଦ ଓ ମନଃଶି ପ୍ରଦେଶ ଦେଇ ଗିଲୀୟଦସ୍ଥିତ ମିସ୍ପେକୁ ଗଲେ ଓ ଗିଲୀୟଦସ୍ଥିତ ମିସ୍ପେରୁ ଅମ୍ମୋନ-ସନ୍ତାନଗଣ ନିକଟକୁ ଗଲେ। |
|
| 30 |
|
| ସେସମୟରେ ଯିପ୍ତହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ ମନାସି କହିଲେ, “ଯେବେ ତୁମ୍ଭେ ଅମ୍ମୋନ-ସନ୍ତାନମାନଙ୍କୁ ନିଃସନ୍ଦେହ ମୋହର ହସ୍ତରେ ସମର୍ପଣ କରିବ, |
|
| 31 |
|
| ତେବେ ମୁଁ ଅମ୍ମୋନ-ସନ୍ତାନଗଣ ନିକଟରୁ କୁଶଳରେ ଫେରି ଆସିବା ବେଳେ ଯେକେହି ମୋତେ ଭେଟିବା ପାଇଁ ମୋହର ଗୃହଦ୍ୱାରରୁ ବାହାରି ଆସିବ, ସେ ନିଶ୍ଚେ ସଦାପ୍ରଭୁଙ୍କର ହେବ ଓ ମୁଁ ତାହାକୁ ହୋମବଳି ରୂପେ ଉତ୍ସର୍ଗ କରିବି।” |
|
| 32 |
|
| ଏଉତ୍ତାରେ ଯିପ୍ତହ ଅମ୍ମୋନ-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ପାର ହୋଇଗଲେ ଓ ସଦାପ୍ରଭୁ ସେମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କଲେ। |
|
| 33 |
|
| ତହିଁରେ ସେ ଅରୋୟରଠାରୁ ମିନ୍ନୀତ ନିକଟ ପର୍ଯ୍ୟନ୍ତ କୋଡ଼ିଏ ନଗର ଓ ଅବେଲ୍-କରାମୀମ୍ ପର୍ଯ୍ୟନ୍ତ ଅତି ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏରୂପେ ଅମ୍ମୋନ-ସନ୍ତାନଗଣ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ପରାସ୍ତ ହେଲେ। |
|
| 34 |
|
| ଏଥିଉତ୍ତାରେ ଯିପ୍ତହ ମିସ୍ପାରେ ଆପଣା ଗୃହକୁ ଆସିଲେ, ଆଉ ଦେଖ, ତାଙ୍କର କନ୍ୟା ତାଙ୍କୁ ଭେଟିବା ପାଇଁ ଦାରା ନେଇ ନୃତ୍ୟ କରୁ କରୁ ଆସିଲା; ସେ ତାଙ୍କର ଏକମାତ୍ର ସନ୍ତତି ଥିଲା; ତାହା ଛଡ଼ା ତାଙ୍କର ପୁତ୍ର କି କନ୍ୟା ନ ଥିଲା। |
|
| 35 |
|
| ସେତେବେଳେ ସେ ଆପଣା କନ୍ୟାକୁ ଦେଖି ଆପଣା ବସ୍ତ୍ର ଚିରି କହିଲେ, “ହାୟ, ହାୟ, ଆମ୍ଭର କନ୍ୟେ! ତୁମ୍ଭେ ମୋତେ ଘୋର ସନ୍ତାପରେ ପକାଇଲ, ତୁମ୍ଭେ ମୋହର ଦୁଃଖଦାୟୀମାନଙ୍କ ମଧ୍ୟରେ ଜଣେ ହେଲ; କାରଣ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛି, ଆଉ ପଛକୁ ହଟି ନ ପାରେ।” |
|
| 36 |
|
| ତହିଁରେ ସେ ତାଙ୍କୁ କହିଲା, “ହେ ଆମ୍ଭର ପିତଃ, ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛ; ତୁମ୍ଭ ମୁଖରୁ ଯାହା ନିର୍ଗତ ହୋଇଅଛି, ତଦନୁସାରେ ମୋʼ ପ୍ରତି କର; କାରଣ ସଦାପ୍ରଭୁ ତୁମ୍ଭ ନିମନ୍ତେ ତୁମ୍ଭ ଶତ୍ରୁ ଅମ୍ମୋନ-ସନ୍ତାନମାନଙ୍କଠାରୁ ପରିଶୋଧ ନେଇଅଛନ୍ତି।” |
|
| 37 |
|
| ଆହୁରି ସେ ଆପଣା ପିତାକୁ କହିଲା, “ମୋʼ ପାଇଁ ଏହି କଥା କରାଯାଉ; ମୋତେ ଦୁଇ ମାସ ଛାଡ଼ିଦିଅ, ତହିଁରେ ମୁଁ ଆପଣା ସଖୀମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ଆପଣା କୁମାରୀତ୍ୱ ବିଷୟରେ ବିଳାପ କରିବି।” |
|
| 38 |
|
| ତହୁଁ ସେ କହିଲେ, “ଯାଅ।” ଆଉ ସେ ଦୁଇ ମାସ ପାଇଁ ତାହାକୁ ବିଦାୟ କଲେ; ତହିଁରେ ସେ ଓ ତାହାର ସଖୀମାନେ ପର୍ବତମୟ ସ୍ଥାନକୁ ଯାଇ ତାହାର କୁମାରୀତ୍ୱ ବିଷୟରେ ବିଳାପ କଲେ। |
|
| 39 |
|
| ପୁଣି, ଦୁଇ ମାସ ଶେଷରେ ସେ ଆପଣା ପିତା ନିକଟକୁ ଫେରି ଆସିଲା, ତହିଁରେ ପିତା ଆପଣା ମନାସିଲାର ମାନତ ଅନୁସାରେ ତାହା ପ୍ରତି କଲେ। ସେ ପୁରୁଷର ପରିଚୟ ପାଇ ନ ଥିଲା। |
|
| 40 |
|
| ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲୀୟ କନ୍ୟାମାନେ ବର୍ଷକୁ ବର୍ଷ ଗିଲୀୟଦୀୟ ଯିପ୍ତହ-କନ୍ୟାର ଗୁଣ କୀର୍ତ୍ତନ କରିବାକୁ ବର୍ଷରେ ଚାରି ଦିନ ଯିବାର ରୀତି ଇସ୍ରାଏଲ ମଧ୍ୟରେ ଚଳିଲା। |
|
|
|
|