|
| 1 |
|
| ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ତହିଁରେ ସଦାପ୍ରଭୁ ଚାଳିଶ ବର୍ଷ ଯାଏ ସେମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କଲେ। |
|
| 2 |
|
| ସେହି ସମୟରେ ଦାନୀୟ ଗୋଷ୍ଠୀ ମଧ୍ୟରେ ସରାୟ ନିବାସୀ ଏକ ମନୁଷ୍ୟ ଥିଲା, ତାହାର ନାମ ମାନୋହ; ତାହାର ଭାର୍ଯ୍ୟା ବନ୍ଧ୍ୟା ଓ ପ୍ରସବ କରି ନ ଥିଲା। |
|
| 3 |
|
| ପୁଣି ସଦାପ୍ରଭୁଙ୍କ ଦୂତ ସେହି ସ୍ତ୍ରୀକୁ ଦର୍ଶନ ଦେଇ ତାହାକୁ କହିଲେ, “ଦେଖ, ତୁମ୍ଭେ ବନ୍ଧ୍ୟା ଓ ପ୍ରସବ କରି ନାହଁ; ମାତ୍ର ତୁମ୍ଭେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ। |
|
| 4 |
|
| ଏହେତୁ ଏବେ ଏହା କର ଓ ତୁମ୍ଭେ ସାବଧାନ ହୁଅ, ଦ୍ରାକ୍ଷାରସ କି ମଦ୍ୟ ପାନ କର ନାହିଁ ଓ କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ; |
|
| 5 |
|
| କାରଣ ଦେଖ, ତୁମ୍ଭେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ, ଆଉ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ; ଯେହେତୁ ସେ ବାଳକ ଗର୍ଭାବଧି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ ଓ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରିବାକୁ ଆରମ୍ଭ କରିବ।” |
|
| 6 |
|
| ଏଉତ୍ତାରେ ସେହି ସ୍ତ୍ରୀ ଆସି ଆପଣା ସ୍ୱାମୀକୁ କହିଲା, “ପରମେଶ୍ୱରଙ୍କର ଏକ ଲୋକ ମୋʼ ନିକଟକୁ ଆସିଲେ। ତାହାଙ୍କ ରୂପ ପରମେଶ୍ୱରଙ୍କ ଦୂତଙ୍କ ରୂପ ତୁଲ୍ୟ ଅତି ଭୟଙ୍କର; ମାତ୍ର ସେ କେଉଁଠାରୁ ଆସିଲେ, ଏହା ମୁଁ ତାହାଙ୍କୁ ପଚାରିଲି ନାହିଁ, କିଅବା ସେ ଆପଣା ନାମ ମୋତେ କହିଲେ ନାହିଁ; |
|
| 7 |
|
| ମାତ୍ର ସେ ମୋତେ କହିଲେ, ‘ଦେଖ, ତୁମ୍ଭେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ; ଏହେତୁ ଦ୍ରାକ୍ଷାରସ କି ମଦ୍ୟ ପାନ କର ନାହିଁ ଓ କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ; କାରଣ ସେହି ବାଳକ ଗର୍ଭାବଧି ମରଣ ଦିନ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ,’” |
|
| 8 |
|
| ତହିଁରେ ମାନୋହ ସଦାପ୍ରଭୁଙ୍କୁ ବିନତି କରି କହିଲା, “ହେ ପ୍ରଭୋ, ବିନୟ କରୁଅଛି, ପରମେଶ୍ୱରଙ୍କ ଯେଉଁ ଲୋକଙ୍କୁ ଆପଣ ପଠାଇଥିଲେ, ସେ ଆମ୍ଭମାନଙ୍କ ନିକଟକୁ ପୁନର୍ବାର ଆସନ୍ତୁ ଓ ଯେଉଁ ବାଳକ ଜନ୍ମିବ, ତାହା ପ୍ରତି ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏହା ଆମ୍ଭମାନଙ୍କୁ ଶିଖାଉନ୍ତୁ।” |
|
| 9 |
|
| ତହୁଁ ପରମେଶ୍ୱର ମାନୋହର ରବ ଶୁଣିଲେ; ପୁଣି ସେ ସ୍ତ୍ରୀ କ୍ଷେତ୍ରରେ ବସିଥିବା ବେଳେ ପରମେଶ୍ୱରଙ୍କ ଦୂତ ପୁନର୍ବାର ତାହା ନିକଟକୁ ଆସିଲେ; ମାତ୍ର ତାହାର ସ୍ୱାମୀ ମାନୋହ ତାହା ସଙ୍ଗରେ ନ ଥିଲା। |
|
| 10 |
|
| ଏଣୁ ସେ ସ୍ତ୍ରୀ ଶୀଘ୍ର ଧାଇଁଯାଇ ଆପଣା ସ୍ୱାମୀକୁ ସମ୍ବାଦ ଦେଇ କହିଲା, “ଦେଖ, ସେଦିନ ଯେଉଁ ଲୋକ ମୋʼ ନିକଟକୁ ଆସିଥିଲେ, ସେ ମୋତେ ଦର୍ଶନ ଦେଇଅଛନ୍ତି।” |
|
| 11 |
|
| ତହିଁରେ ମାନୋହ ଉଠି ଆପଣା ଭାର୍ଯ୍ୟାର ପଛେ ପଛେ ଗଲା ଓ ସେହି ଲୋକଙ୍କ ନିକଟକୁ ଆସି ତାହାଙ୍କୁ କହିଲା, “ଏହି ସ୍ତ୍ରୀ ସଙ୍ଗରେ ଯେ କଥା କହିଥିଲେ, ସେ କି ଆପଣ?” ସେ କହିଲେ, “ହଁ, ମୁଁ ସେହି।” |
|
| 12 |
|
| ତହୁଁ ମାନୋହ କହିଲା, “ଆପଣଙ୍କ ବାକ୍ୟ ସଫଳ ହେଉ; ବାଳକ ପ୍ରତି କି ବିଧି ଓ ତାହାର କି କାର୍ଯ୍ୟ ହେବ?” |
|
| 13 |
|
| ତହିଁରେ ସଦାପ୍ରଭୁଙ୍କ ଦୂତ ମାନୋହକୁ କହିଲେ, “ଆମ୍ଭେ ସେହି ସ୍ତ୍ରୀକୁ ଯାହା ଯାହା କହିଅଛୁ, ତାହାସବୁ ସେ ମାନୁ। |
|
| 14 |
|
| ସେ ଦ୍ରାକ୍ଷାଲତାଜାତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ, ଅବା ସେ ଦ୍ରାକ୍ଷାରସ କି ମଦ୍ୟ ପାନ ନ କରୁ, କିଅବା କୌଣସି ଅଶୁଚି ଦ୍ରବ୍ୟ ଭୋଜନ ନ କରୁ; ଆମ୍ଭେ ତାହାକୁ ଯାହା ଯାହା ଆଜ୍ଞା କରିଅଛୁ, ତାହାସବୁ ସେ ମାନୁ।” |
|
| 15 |
|
| ଆହୁରି ମାନୋହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ବିନୟ କରୁଅଛି, ଆପଣଙ୍କ ପାଇଁ ଛେଳି ଛୁଆଟିଏ ପ୍ରସ୍ତୁତ କରିବା ଯାଏ ଆମ୍ଭେମାନେ ଆପଣଙ୍କୁ ଅଟକାଇ ରଖୁ।” |
|
| 16 |
|
| ତହିଁରେ ସଦାପ୍ରଭୁଙ୍କ ଦୂତ ମାନୋହକୁ କହିଲେ, “ତୁମ୍ଭେ ଆମ୍ଭକୁ ଅଟକାଇ ରଖିଲେ ହେଁ ଆମ୍ଭେ ତୁମ୍ଭ ଆହାର ଭୋଜନ କରିବୁ ନାହିଁ; ପୁଣି ଯେବେ ତୁମ୍ଭେ ହୋମବଳି ପ୍ରସ୍ତୁତ କର, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଉତ୍ସର୍ଗ କର।” ସେ ଯେ ସଦାପ୍ରଭୁଙ୍କ ଦୂତ, ଏହା ମାନୋହ ଜାଣି ନ ଥିଲା। |
|
| 17 |
|
| ଏଥିଉତ୍ତାରେ ମାନୋହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ଆପଣଙ୍କର ନାମ କଅଣ? ଆପଣଙ୍କ ବାକ୍ୟ ସଫଳ ହେଲେ, ଆମ୍ଭେମାନେ ଆପଣଙ୍କର ଗୌରବ କରିବୁ।” |
|
| 18 |
|
| ତହିଁରେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, “ତୁମ୍ଭେ ଆମ୍ଭ ନାମ କାହିଁକି ପଚାରୁଅଛ, ତାହା ତ ଆଶ୍ଚର୍ଯ୍ୟ?” |
|
| 19 |
|
| ତହିଁରେ ମାନୋହ ସେହି ଛେଳିଛୁଆ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୈଳ ଉପରେ ଉତ୍ସର୍ଗ କଲା। ତହୁଁ ଦୂତ ଆଶ୍ଚର୍ଯ୍ୟ ପ୍ରକାର କର୍ମ କଲେ, ଆଉ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ। |
|
| 20 |
|
| ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦିରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ସେହି ଯଜ୍ଞବେଦିର ଅଗ୍ନିଶିଖାରେ ଊର୍ଦ୍ଧ୍ୱଗମନ କଲେ। ସେସମୟରେ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ; ଆଉ ସେମାନେ ଭୂମିରେ ମୁହଁ ମାଡ଼ି ପଡ଼ିଲେ। |
|
| 21 |
|
| ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ମାନୋହକୁ ଓ ତାହାର ଭାର୍ଯ୍ୟାକୁ ଆଉ ଦର୍ଶନ ଦେଲେ ନାହିଁ। ତହୁଁ ସେ ସଦାପ୍ରଭୁଙ୍କ ଦୂତ ବୋଲି ମାନୋହ ଜାଣିଲା। |
|
| 22 |
|
| ଏଣୁ ମାନୋହ ଆପଣା ଭାର୍ଯ୍ୟାକୁ କହିଲା, “ଆମ୍ଭେମାନେ ପରମେଶ୍ୱରଙ୍କୁ ଦେଖିଅଛୁ, ଏଣୁ ଅବଶ୍ୟ ମରିବା।” |
|
| 23 |
|
| ମାତ୍ର ତାହାର ଭାର୍ଯ୍ୟା ତାହାକୁ କହିଲା, “ଯେବେ ଆମ୍ଭମାନଙ୍କୁ ବଧ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥାଆନ୍ତା, ତେବେ ସେ ଆମ୍ଭମାନଙ୍କ ହସ୍ତରୁ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଗ୍ରହଣ କରି ନ ଥାଆନ୍ତେ, ଅବା ସେ ଏସବୁ ବିଷୟ ଆମ୍ଭମାନଙ୍କୁ ଦେଖାଇ ନ ଥାଆନ୍ତେ, କିଅବା ଏସମୟରେ ଏପରି କଥା ଶୁଣାଇ ନ ଥାଆନ୍ତେ।” |
|
| 24 |
|
| ଏଥିଉତ୍ତାରେ ସେହି ସ୍ତ୍ରୀ ପୁତ୍ର ପ୍ରସବ କରି ତାହାର ନାମ ଶାମ୍ଶୋନ୍ ଦେଲା। ତହୁଁ ସେହି ବାଳକ ବଢ଼ିଲା ଓ ସଦାପ୍ରଭୁ ତାହାକୁ ଆଶୀର୍ବାଦ କଲେ। |
|
| 25 |
|
| ପୁଣି ସଦାପ୍ରଭୁଙ୍କ ଆତ୍ମା ସରାୟ ଓ ଇଷ୍ଟାୟୋଲ ମଧ୍ୟବର୍ତ୍ତୀ ମହନୀ-ଦାନରେ ତାହାକୁ ଚଳାଇବାକୁ ଲାଗିଲେ। |
|
|
|
|