ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ - NT
|
| 1 |
| ଏଥିଉତ୍ତାରେ ଅମ୍ମୋନୀୟ ନାହଶ୍ ଆସି ଯାବେଶ-ଗିଲୀୟଦ ସମ୍ମୁଖରେ ଛାଉଣି ସ୍ଥାପନ କଲା; ତହିଁରେ ଯାବେଶର ସମସ୍ତ ଲୋକ ନାହଶ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସହିତ ଏକ ନିୟମ ସ୍ଥିର କର, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବା।” |
| 2 |
| ତହୁଁ ଅମ୍ମୋନୀୟ ନାହଶ୍ ସେମାନଙ୍କୁ ଉତ୍ତର କଲା, “ତୁମ୍ଭ ସମସ୍ତଙ୍କର ଦକ୍ଷିଣ ଚକ୍ଷୁ ଉପୁଡ଼ାଗଲେ ମୁଁ ତୁମ୍ଭମାନଙ୍କ ସହିତ ନିୟମ ସ୍ଥିର କରିବି; ଆଉ ମୁଁ ତଦ୍ଦ୍ୱାରା ସମସ୍ତ ଇସ୍ରାଏଲ ଉପରେ ଅପମାନ ଥୋଇବି।” |
| 3 |
| ତେବେ ଯାବେଶର ପ୍ରାଚୀନମାନେ ତାହାକୁ କହିଲେ, “ସାତ ଦିନ ଆମ୍ଭମାନଙ୍କୁ ଛାଡ଼ିଦିଅ, ଆମ୍ଭେମାନେ ଇସ୍ରାଏଲ ସୀମାର ସର୍ବତ୍ର ଦୂତ ପଠାଇବା; ତହିଁରେ କେହି ଯେବେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ନ ଥାଏ, ତେବେ ଆମ୍ଭେମାନେ ବାହାର ହୋଇ ତୁମ୍ଭ ନିକଟକୁ ଆସିବୁ।” |
| 4 |
| ଏଥିଉତ୍ତାରେ ଦୂତମାନେ ଶାଉଲଙ୍କ ବାସସ୍ଥାନ ଗିବୀୟାକୁ ଆସି ଲୋକମାନଙ୍କ କର୍ଣ୍ଣଗୋଚରରେ ସେହି ସବୁ କଥା କହିଲେ; ତହିଁରେ ସମସ୍ତ ଲୋକ ଆପଣା ଆପଣା ରବ ଉଠାଇ ରୋଦନ କଲେ। |
| 5 |
| ଏହି ସମୟରେ ଦେଖ, ଶାଉଲ କ୍ଷେତ୍ରରୁ ବଳଦମାନଙ୍କ ପଛେ ଆସୁ ଆସୁ ଉପସ୍ଥିତ ହେଲେ; ଆଉ ଶାଉଲ ପଚାରିଲେ, “ଲୋକମାନଙ୍କର କଅଣ ହେଲା ଯେ, ସେମାନେ ରୋଦନ କରୁଅଛନ୍ତି?” ତହିଁରେ ସେମାନେ ଯାବେଶର ଲୋକମାନଙ୍କ କଥା ତାଙ୍କୁ ଜଣାଇଲେ। |
| 6 |
| ସେହି କଥା ଶୁଣିବାମାତ୍ରେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କୁ ଆକ୍ରାନ୍ତ କରନ୍ତେ, ତାଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। |
| 7 |
| ତହୁଁ ସେ ଏକ ହଳ ବଳଦ ନେଇ ଖଣ୍ଡ ଖଣ୍ଡ କରି କାଟିଲେ ଓ ଦୂତମାନଙ୍କ ହସ୍ତରେ ଇସ୍ରାଏଲ ସୀମାର ସର୍ବତ୍ର ତାହା ପଠାଇ କହିଲେ, “ଯେକେହି ବାହାରି ଶାଉଲ ଓ ଶାମୁୟେଲଙ୍କର ପଶ୍ଚାଦ୍ଗମନ ନ କରେ, ତାହାର ବଳଦମାନଙ୍କ ପ୍ରତି ଏହିପରି କରାଯିବ।” ତହୁଁ ସଦାପ୍ରଭୁଙ୍କଠାରୁ ଲୋକମାନଙ୍କ ଉପରେ ଆଶଙ୍କା ପଡ଼ନ୍ତେ, ସେମାନେ ଏକ ମନୁଷ୍ୟ ପରି ବାହାର ହୋଇ ଆସିଲେ। |
| 8 |
| ତେବେ ସେ ବେଷକରେ ସେମାନଙ୍କୁ ଗଣନା କଲେ; ତହିଁରେ ଇସ୍ରାଏଲ-ସନ୍ତାନଗଣ ତିନି ଲକ୍ଷ ଓ ଯିହୁଦାର ତିରିଶ ହଜାର ଲୋକ ହେଲେ। |
| 9 |
| ଏଥିଉତ୍ତାରେ ସେମାନେ ସେହି ଆଗତ ଦୂତମାନଙ୍କୁ କହିଲେ, “ତୁମ୍ଭେମାନେ ଯାବେଶ-ଗିଲୀୟଦର ଲୋକମାନଙ୍କୁ କୁହ, କାଲି ଖରା ବେଳେ ତୁମ୍ଭେମାନେ ଉଦ୍ଧାର ପାଇବ;” ତହିଁରେ ଦୂତମାନେ ଆସି ଯାବେଶର ଲୋକମାନଙ୍କୁ ତାହା ଜଣାନ୍ତେ, ସେମାନେ ଆନନ୍ଦିତ ହେଲେ। |
| 10 |
| ଏନିମନ୍ତେ ଯାବେଶର ଲୋକମାନେ (ନାହଶ୍କୁ) କହିଲେ, “କାଲି ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ବାହାର ହୋଇ ଯିବା, ତହିଁରେ ତୁମ୍ଭମାନଙ୍କ ଦୃଷ୍ଟିକି ଯାହା ଭଲ ଦିଶେ, ତାହା ଆମ୍ଭ ସମସ୍ତଙ୍କ ପ୍ରତି କରିବ।” |
| 11 |
| ପରଦିନ ଶାଉଲ ଲୋକମାନଙ୍କୁ ତିନି ଦଳ କଲେ; ତେଣୁ ସେମାନେ ପ୍ରଭାତୀୟ ପ୍ରହରରେ ଅମ୍ମୋନୀୟମାନଙ୍କ ଛାଉଣି ମଧ୍ୟକୁ ଯାଇ ଖରାବେଳ ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କଲେ; ତହିଁରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ଏପରି ଛିନ୍ନଭିନ୍ନ ହେଲେ ଯେ, ସେମାନଙ୍କର ଦୁଇ ଜଣ ଏକତ୍ର ରହିଲେ ନାହିଁ। |
| 12 |
| ଏଥିଉତ୍ତାରେ ଲୋକମାନେ ଶାମୁୟେଲଙ୍କୁ କହିଲେ, “କିଏ କହୁଥିଲା କି, ‘ଶାଉଲ ଆମ୍ଭମାନଙ୍କ ଉପରେ ରାଜା ହେବ?’ ସେହି ଲୋକମାନଙ୍କୁ ଆଣ, ଆମ୍ଭେମାନେ ସେମାନଙ୍କୁ ବଧ କରିବା।” |
| 13 |
| ମାତ୍ର ଶାଉଲ କହିଲେ, “ଆଜି କୌଣସି ଲୋକର ପ୍ରାଣଦଣ୍ଡ ହେବ ନାହିଁ, କାରଣ ଆଜି ସଦାପ୍ରଭୁ ଇସ୍ରାଏଲ ମଧ୍ୟରେ ଉଦ୍ଧାର ସାଧନ କରିଅଛନ୍ତି।” |
| 14 |
| ଏଥିଉତ୍ତାରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଗିଲ୍ଗଲ୍କୁ ଯାଇ ସେଠାରେ ପୁନର୍ବାର ରାଜତ୍ୱ ସ୍ଥିର କରିବା।” |
| 15 |
| ତହିଁରେ ସମସ୍ତ ଲୋକ ଗିଲ୍ଗଲ୍କୁ ଗଲେ ଓ ସେହି ଗିଲ୍ଗଲ୍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜା କଲେ; ଆଉ ସେସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନେ ମଙ୍ଗଳାର୍ଥକ ବଳିଦାନ କଲେ; ପୁଣି, ସେହି ସ୍ଥାନରେ ଶାଉଲ ଓ ଇସ୍ରାଏଲର ସମସ୍ତ ଲୋକ ମହାଆନନ୍ଦ କଲେ। |
|
| ସଞ୍ଚୟ ଟିପ୍ପଣୀ |
https://beblia.bible:81/BibleAudio/odiairv/1samuel/011.mp3
31
11