ଓଡିଆ ବାଇବେଲ
|
| 1 |
| ସେ ସମୟରେ ବାଳକ ଶାମୁୟେଲ ଏଲିଙ୍କ ସମ୍ମୁଖରେ ସଦାପ୍ରଭୁଙ୍କ ପରିଚର୍ଯ୍ୟା କଲେ। ସେ କାଳରେ ସଦାପ୍ରଭୁଙ୍କ ବାକ୍ୟ ଦୁର୍ଲଭ ଥିଲା; ପ୍ରକାଶ୍ୟ ଦର୍ଶନ ନ ଥିଲା। |
| 2 |
| ଏହି ସମୟରେ ଏଲିଙ୍କର ଚକ୍ଷୁ ଧନ୍ଦଳା ହେବାକୁ ଲାଗିଲା, ଏଣୁ ସେ ଦେଖି ପାରିଲେ ନାହିଁ। ଏକ ଦିନ ସେ ଆପଣା ସ୍ଥାନରେ ଶୋଇଥିଲେ |
| 3 |
| ଓ ପରମେଶ୍ୱରଙ୍କ ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏପରି ସଦାପ୍ରଭୁଙ୍କ ମନ୍ଦିରରେ ପରମେଶ୍ୱରଙ୍କ ପ୍ରଦୀପ ଲିଭିବା ପୂର୍ବେ ଯେତେବେଳେ ଶାମୁୟେଲ ଶୋଇଥିଲେ, |
| 4 |
| ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ ଡାକିଲେ; ସେ କହିଲେ, ମୁଁ ଏଠାରେ ଅଛି। |
| 5 |
| ପୁଣି, ସେ ଏଲିଙ୍କ ନିକଟକୁ ଧାଇଁ ଯାଇ କହିଲେ, ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା? ସେ କହିଲେ, ମୁଁ ଡାକି ନାହିଁ; ଫେରିଯାଇ ଶୁଅ। ତହୁଁ ସେ ଯାଇ ଶୋଇଲେ; |
| 6 |
| ଏଉତ୍ତାରେ ସଦାପ୍ରଭୁ ଶାମୁୟେଲ ବୋଲି ପୁନର୍ବାର ଡାକିଲେ। ତହୁଁ ଶାମୁୟେଲ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା? ସେ ଉତ୍ତର ଦେଲେ, ହେ ପୁତ୍ର, ମୁଁ ଡାକି ନାହିଁ; ଫେରିଯାଇ ଶୁଅ। |
| 7 |
| ସେସମୟରେ ଶାମୁୟେଲ ସଦାପ୍ରଭୁଙ୍କର ପରିଚୟ ପାଇ ନ ଥିଲେ, କିଅବା ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ପ୍ରତି ପ୍ରକାଶିତ ହୋଇ ନ ଥିଲା। |
| 8 |
| ଏଉତ୍ତାରେ ସଦାପ୍ରଭୁ ପୁନର୍ବାର ତୃତୀୟ ଥର ଶାମୁୟେଲଙ୍କୁ ଡାକିଲେ। ତହୁଁ ସେ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା? ଏଥିରେ ସଦାପ୍ରଭୁ ଯେ ବାଳକକୁ ଡାକୁଅଛନ୍ତି, ଏହା ଏଲି ବୁଝିଲେ। |
| 9 |
| ତେଣୁ, ଏଲି ଶାମୁୟେଲଙ୍କୁ କହିଲେ, ଯାଇ ଶୁଅ; ଯେବେ ସେ ତୁମ୍ଭକୁ ଡାକନ୍ତି, ତେବେ ତୁମ୍ଭେ କହିବ, ହେ ସଦାପ୍ରଭୁ କହନ୍ତୁ, ଆପଣଙ୍କ ଦାସ ଶୁଣୁଅଛି। ତହୁଁ ଶାମୁୟେଲ ଯାଇ ଆପଣା ସ୍ଥାନରେ ଶୋଇଲେ। |
| 10 |
| ଏଉତ୍ତାରେ ସଦାପ୍ରଭୁ ଆସିଲେ, ପୁଣି, ଠିଆ ହୋଇ ଅନ୍ୟ ସମୟ ପରି ଶାମୁୟେଲ, ଶାମୁୟେଲ, ବୋଲି ଡାକିଲେ। ତେବେ ଶାମୁୟେଲ କହିଲେ, କହନ୍ତୁ; ଆପଣଙ୍କ ଦାସ ଶୁଣୁଅଛି। |
| 11 |
| ତହୁଁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଦେଖ, ଆମ୍ଭେ ଇସ୍ରାଏଲ ମଧ୍ୟରେ ଏକ କର୍ମ କରିବା, ଯେ ପ୍ରତ୍ୟେକ ଲୋକ ତାହା ଶୁଣିବ, ତାହାର ଦୁଇ କର୍ଣ୍ଣ ଝାଁ ଝାଁ ହେବ। |
| 12 |
| ଆମ୍ଭେ ଏଲି ବିରୁଦ୍ଧରେ ତାହାର ପରିବାର ବିଷୟରେ ଯାହା ଯାହା କହିଅଛୁ, ସେସମସ୍ତ ପ୍ରଥମାବଧି ଶେଷ ପର୍ଯ୍ୟନ୍ତ ସେହିଦିନ ସଫଳ କରିବା। |
| 13 |
| ଯେହେତୁ ଯେଉଁ ଅପରାଧ ବିଷୟ ସେ ଜ୍ଞାତ ହେଲା, ତହିଁ ନିମନ୍ତେ ଆମ୍ଭେ ତାହାର ବଂଶକୁ ସର୍ବଦା ଦଣ୍ଡ ଦେବା ବୋଲି ତାହାକୁ କହିଅଛୁ, କାରଣ ତାହାର ପୁତ୍ରମାନେ ଆପଣାମାନଙ୍କୁ ଅଭିଶାପଗ୍ରସ୍ତ କଲେ ହେଁ ସେ ସେମାନଙ୍କୁ ଦମନ କଲା ନାହିଁ। |
| 14 |
| ଏହେତୁ ଏଲି ବଂଶର ଅପରାଧ, ବଳିଦାନ କି ନୈବେଦ୍ୟ ଦ୍ୱାରା ସଦାକାଳ ପରିଷ୍କୃତ ନୋହିବ ବୋଲି ଏଲି-ବଂଶ ବିଷୟରେ ଆମ୍ଭେ ଶପଥ କରିଅଛୁ। |
| 15 |
| ତହୁଁ ଶାମୁୟେଲ ପ୍ରଭାତ ପର୍ଯ୍ୟନ୍ତ ଶୟନ କଲେ, ତହିଁ ଉତ୍ତାରେ ସଦାପ୍ରଭୁଙ୍କ ଗୃହଦ୍ୱାର ଫିଟାଇଲେ। ପୁଣି, ଏଲିଙ୍କୁ ସେହି ଦର୍ଶନ ବିଷୟ ଜଣାଇବାକୁ ଶାମୁୟେଲ ଭୟ କଲେ। |
| 16 |
| ପୁଣି, ହେ ମୋହର ପୁତ୍ର ଶାମୁୟେଲ, ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ। ତହିଁରେ ସେ ଉତ୍ତର ଦେଲେ, ମୁଁ ଏଠାରେ ଅଛି। |
| 17 |
| ତେବେ ସେ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ବିନୟ କରୁଅଛି, ମୋ’ଠାରୁ ତାହା ଗୁପ୍ତ ନ କର; ସେ ଯେସମସ୍ତ କଥା କହିଅଛନ୍ତି, ତହିଁରୁ କୌଣସି କଥା ତୁମ୍ଭେ ମୋ’ଠାରୁ ଗୁପ୍ତ କଲେ, ପରମେଶ୍ୱର ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ତୁମ୍ଭକୁ ଦେଉନ୍ତୁ। |
| 18 |
| ତହିଁରେ ଶାମୁୟେଲ କିଛି ଗୁପ୍ତ ନ କରି ତାଙ୍କୁ ସବୁ କଥା ଜଣାଇଲେ। ତହୁଁ ସେ କହିଲେ, ସେ ତ ସଦାପ୍ରଭୁ; ଯାହା ତାହାଙ୍କ ଦୃଷ୍ଟିରେ ଭଲ, ତାହା ସେ କରନ୍ତୁ। |
| 19 |
| ଏଥିଉତ୍ତାରେ ଶାମୁୟେଲ ବଢ଼ିଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ଥାଇ ଶାମୁୟେଲଙ୍କ କୌଣସି କଥା ତଳେ ପଡ଼ିବାକୁ ଦେଲେ ନାହିଁ। |
| 20 |
| ତହିଁରେ ଶାମୁୟେଲ ଯେ ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତା ହେବାକୁ ନିଯୁକ୍ତ ହୋଇଅଛନ୍ତି, ଏହା ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ସମସ୍ତ ଇସ୍ରାଏଲ ଜ୍ଞାତ ହେଲେ। |
| 21 |
| ଆହୁରି ସଦାପ୍ରଭୁ ଶୀଲୋରେ ପୁନର୍ବାର ଦର୍ଶନ ଦେଲେ; କାରଣ ସଦାପ୍ରଭୁ ଶୀଲୋରେ ଶାମୁୟେଲଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଆପଣାକୁ ପ୍ରକାଶ କଲେ। |
|
| ସଞ୍ଚୟ ଟିପ୍ପଣୀ |
https://beblia.bible:81/BibleAudio/odiairv2017/1samuel/003.mp3
31
3