|
|
| ୧. ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଖଣ୍ତେ ତୀକ୍ଷ୍ଣ ଖଡ଼୍ଗ, ନାପିତର କ୍ଷୁର ପରି ନେଇ ଆପଣା ମସ୍ତକ ଓ ଦାଢ଼ି ଉପରେ ଚଳାଇବନ୍ତ ତହୁଁ ନିକ୍ତି ନେଇ ସେହି କେଶ ତୌଲି ଭାଗ ଭାଗ କରିବ । |
| ୨. ତହିଁର ତୃତୀୟାଂଶ ନେଇ ଅବରୋଧ କାଳ ସମାପ୍ତ ହେଲେ ନଗରର ମଧ୍ୟସ୍ଥାନରେ ଅଗ୍ନିରେ ଦଗ୍ଧ କରିବ; ପୁଣି, ତୃତୀୟାଂଶ ନେଇ ତହିଁର ଚତୁର୍ଦ୍ଦିଗରେ ଖଡ଼୍ଗରେ କାଟିବ; ଆଉ, ତୃତୀୟାଂଶ ନେଇ ବାୟୁରେ ଉଡ଼ାଇ ଦେବ ଓ ଆମ୍ଭେ ତହିଁର ପଛେ ପଛେ ଖଡ଼୍ଗ ନିଷ୍କୋଷ କରିବା । |
| ୩. ପୁଣି, ତୁମ୍ଭେ ଅଳ୍ପସଂଖ୍ୟକ କେଶ ନେଇ ଆପଣା ବସ୍ତ୍ରର ଅଞ୍ଚଳରେ ବାନ୍ଧିବ |
| ୪. ଓ ତହିଁ ମଧ୍ୟରୁ ହିଁ କିଛି ନେଇ ଅଗ୍ନି ମଧ୍ୟରେ ପକାଇ ଦଗ୍ଧ କରିବ, ତହିଁରୁ ଅଗ୍ନି ନିର୍ଗତ ହୋଇ ଇସ୍ରାଏଲ-ବଂଶ ମଧ୍ୟକୁ ଆସିବ । |
| ୫. ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଏ ଯିରୂଶାଲମ; ଆମ୍ଭେ ଏହାକୁ ଗୋଷ୍ଠୀଗଣ ମଧ୍ୟରେ ସ୍ଥାପନ କରିଅଛୁ ଓ ତାହାର ଚତୁର୍ଦ୍ଦିଗରେ ନାନା ଦେଶ ଅଛି । |
| ୬. ଆଉ, ସେ ଦୁଷ୍ଟତା କରି ସେହି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ ଶାସନାବଳି ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶସମୂହର ଅପେକ୍ଷା ଆମ୍ଭ ବିଧିସକଳର ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛି; କାରଣ ସେମାନେ ଆମ୍ଭର ଶାସନାବଳି ଅଗ୍ରାହ୍ୟ କରିଅଛନ୍ତି ଓ ଆମ୍ଭର ବିଧିରୂପ ପଥରେ ଗମନ କରିନାହାନ୍ତି । |
| ୭. ଏହେତୁ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ତଗୋଳକାରୀ ଅଟ ଓ ଆମ୍ଭ ବିଧିରୂପ ପଥରେ ଗମନ କରି ନାହଁ, କିଅବା ଆମ୍ଭର ଶାସନସକଳ ପାଳନ କରି ନାହଁ, ଅଥବା ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରି ନାହଁ; |
| ୮. ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ, ଆମ୍ଭେ ହିଁ ତୁମ୍ଭର ବିପକ୍ଷ ଅଟୁ ଓ ଆମ୍ଭେ ଗୋଷ୍ଠୀଗଣର ସାକ୍ଷାତରେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା । |
| ୯. ପୁଣି, ଯାହା ଆମ୍ଭେ କରି ନାହୁଁ ଓ ଯହିଁର ତୁଲ୍ୟ ଆଉ ଆମ୍ଭେ କରିବା ନାହିଁ, ଏପରି କର୍ମ, ତୁମ୍ଭମାନଙ୍କର ଘୃଣାଯୋଗ୍ୟ ସକଳ କ୍ରିୟା ସକାଶୁ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ କରିବା । |
| ୧୦. ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ପିତୃଗଣ ସନ୍ତାନଗଣକୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାକୁ ଭୋଜନ କରିବେ; ପୁଣି, ଆମ୍ଭେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା ଓ ତୁମ୍ଭର ସମଗ୍ର ଅବଶିଷ୍ଟାଂଶକୁ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା । |
| ୧୧. ଏହେତୁ ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭେ ଆପଣାର ତୁଚ୍ଛ ବସ୍ତୁସକଳ ଦ୍ଵାରା ଓ ଆପଣାର ସବୁ ଘୃଣାଯୋଗ୍ୟ କର୍ମ ଦ୍ଵାରା ଆମ୍ଭର ପବିତ୍ର ସ୍ଥାନ ଅଶୁଚି କରିଅଛ, ଏଥିପାଇଁ ଆମ୍ଭେ ଜୀବିତ ଥିବା ପ୍ରମାଣେ ଆମ୍ଭେ ହିଁ ତୁମ୍ଭକୁ ହ୍ରାସ କରିବା; ଆହୁରି, ଚକ୍ଷୁଲଜ୍ଜା କରିବା ନାହିଁ, ମଧ୍ୟ ଆମ୍ଭେ କିଛି ଦୟା କରିବା ନାହିଁ । |
| ୧୨. ତୁମ୍ଭର ତୃତୀୟାଂଶ ମହାମାରୀରେ ମରିବେ, ଆଉ ଦୁର୍ଭିକ୍ଷ ଦ୍ଵାରା ତୁମ୍ଭ ମଧ୍ୟରେ ସେମାନେ କ୍ଷୟ ପାଇବେ; ପୁଣି, ତୃତୀୟାଂଶ ଖଡ଼୍ଗ ଦ୍ଵାରା ତୁମ୍ଭ ଚତୁର୍ଦ୍ଦିଗରେ ପତିତ ହେବେ; ଆଉ ତୃତୀୟାଂଶକୁ ଆମ୍ଭେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କର ପଶ୍ଚାତ୍ ଖଡ଼୍ଗ ନିଷ୍କୋଷ କରିବା । |
| ୧୩. ଏହି ପ୍ରକାରେ ଆମ୍ଭର କ୍ରୋଧ ସଫଳ ହେବ ଓ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସାଧି ଶା; ହେବା; ତହିଁରେ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସଫଳ କଲା ଉତ୍ତାରେ ଆମ୍ଭେ ସଦାପ୍ରଭୁ, ଆପଣା ଅନ୍ତର୍ଜ୍ଜ୍ଵାଳାରେ ଯେ ଏ କଥା କହିଅଛୁ, ଏହା ସେମାନେ ଜାଣିବେ । |
| ୧୪. ଆହୁରି, ଆମ୍ଭେ ତୁମ୍ଭର ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ମଧ୍ୟରେ ତୁମ୍ଭକୁ ପଥିକମାନଙ୍କ ଦୃଷ୍ଟିରେ ଉତ୍ସନ୍ନ-ସ୍ଥାନ ଓ ନିନ୍ଦାର ପାତ୍ର କରିବା । |
| ୧୫. ଏହିରୂପେ ଯେତେବେଳେ ଆମ୍ଭେ କ୍ରୋଧରେ, କୋପରେ ଓ କୋପଯୁକ୍ତ ଭର୍ତ୍ସନାରେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା, ସେତେବେଳେ ତୁମ୍ଭ ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ନିକଟରେ ତାହା ନିନ୍ଦାର, ଉପହାସର, ଶିକ୍ଷାର, ଓ ବିସ୍ମୟର ବିଷୟ ହେବ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ; |
| ୧୬. ଆମ୍ଭେ ସେଠାସ୍ଥିତ ଲୋକମାନଙ୍କ ପ୍ରତି ବିନାଶାର୍ଥକ ଦୁର୍ଭିକ୍ଷରୂପ କ୍ରୂର ତୀର ପଠାଇବା, ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତାହା ପଠାଇବା ଓ ଆମ୍ଭେ ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ବୃଦ୍ଧି କରିବା ଓ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗି ପକାଇବା; |
| ୧୭. ଆଉ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୁର୍ଭିକ୍ଷ ଓ ହିଂସ୍ରକ ଜନ୍ତୁମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ନିଃସନ୍ତାନ କରିବେ; ମହାମାରୀ ଓ ରକ୍ତ ତୁମ୍ଭମାନଙ୍କର ମଧ୍ୟ ଦେଇ ଯିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ଼୍ଗ ଆଣିବା; ଆମ୍ଭେ ସଦାପ୍ରଭୁ ଏହି କଥା କହିଅଛୁ । |
|
|
| ୧. ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, |
| ୨. ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲର ପର୍ବତଗଣର ଆଡ଼େ ଆପଣା ମୁଖ କରି ସେମାନଙ୍କ ପ୍ରତି ଭବିଷ୍ୟଦ୍ବାକ୍ୟ ପ୍ରଚାର କର, |
| ୩. ଆଉ, କୁହ, ହେ ଇସ୍ରାଏଲର ପର୍ବତଗଣ ତୁମ୍ଭେମାନେ ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ ସଦାପ୍ରଭୁ ପର୍ବତଗଣକୁ ଓ ଉପପର୍ବତ-ଗଣକୁ, ଜଳ-ପ୍ରଣାଳୀ ଓ ଉପତ୍ୟକାସମୂହକୁ ଏହି କଥା କହନ୍ତି; ଦେଖ, ଆମ୍ଭେ, ଆମ୍ଭେ ହିଁ ତୁମ୍ଭମାନଙ୍କ ବିରୁଦ୍ଧରେ ଏକ ଖଡ଼୍ଗ ଆଣିବା ଓ ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳୀସକଳ ବିନଷ୍ଟ କରିବା । |
| ୪. ପୁଣି, ତୁମ୍ଭମାନଙ୍କର ଯଜ୍ଞବେଦିମାନ ଧ୍ଵଂସ ଓ ତୁମ୍ଭମାନଙ୍କ ସୂର୍ଯ୍ୟ-ପ୍ରତିମାଗଣ ଭଗ୍ନ ହେବେ ଓ ଆମ୍ଭେ ତୁମ୍ଭମାନଙ୍କର ହତ ଲୋକମାନଙ୍କୁ ତୁମ୍ଭମାନଙ୍କ ଦେବତାଗଣର ସମ୍ମୁଖରେ ପକାଇ ଦେବା । |
| ୫. ଆଉ, ଆମ୍ଭେ ଇସ୍ରାଏଲ ସନ୍ତାନଗଣର ଶବ ସେମାନଙ୍କ ପ୍ରତିମାଗଣର ସମ୍ମୁଖରେ ରଖିବା ଓ ତୁମ୍ଭମାନଙ୍କର ଅସ୍ଥି ସବୁ ଆମ୍ଭେ ତୁମ୍ଭମାନଙ୍କ ଯଜ୍ଞବେଦିମାନର ଚାରିଆଡ଼େ ବିଞ୍ଚି ଦେବା । |
| ୬. ତୁମ୍ଭମାନଙ୍କର ଯାବତୀୟ ବସତି-ସ୍ଥାନର ନଗରସକଳ ଉତ୍ସନ୍ନ ହେବ ଓ ଉଚ୍ଚସ୍ଥଳୀସବୁ ଧ୍ଵଂସ ହେବ, ତହିଁରେ ତୁମ୍ଭମାନଙ୍କର ଯଜ୍ଞବେଦିସବୁ ଉତ୍ସନ୍ନ ଓ ଧ୍ଵଂସ ହେବ ଓ ତୁମ୍ଭମାନଙ୍କର ଦେବତାଗଣ ଭଗ୍ନ ଓ ରହିତ ହେବେ ଓ ତୁମ୍ଭମାନଙ୍କର ସୂର୍ଯ୍ୟପ୍ରତିମାଗଣ ଉଚ୍ଛିନ୍ନ ହେବେ, ଆଉ ତୁମ୍ଭମାନଙ୍କର ହସ୍ତକୃତ କର୍ମସବୁ ଲୁପ୍ତ ହେବ । |
| ୭. ପୁଣି, ହତ ଲୋକମାନେ ତୁମ୍ଭମାନଙ୍କ ମଧ୍ୟରେ ପତିତ ହେବେ, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ । |
| ୮. ତଥାପି ଆମ୍ଭେ ଏକ ଅବଶିଷ୍ଟାଂଶ ରଖିବା, ତୁମ୍ଭେମାନେ ନାନା ଦେଶରେ ଛିନ୍ନଭିନ୍ନ ହେବା ସମୟରେ ତୁମ୍ଭମାନଙ୍କର କେତେକ ଲୋକ ଗୋଷ୍ଠୀଗଣ ମଧ୍ୟରେ ଖଡ଼୍ଗରୁ ରକ୍ଷା ପାଇବେ । |
| ୯. ପୁଣି, ତୁମ୍ଭମାନଙ୍କର ସେହି ରକ୍ଷାପ୍ରାପ୍ତ ଲୋକମାନେ ଯେଉଁ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟକୁ ବନ୍ଦୀ ଅବସ୍ଥାରେ ନୀତ ହେବେ, ସେମାନଙ୍କ ମଧ୍ୟରେ ଥାଇ ଆମ୍ଭକୁ ସ୍ମରଣ କରିବେ, ଅର୍ଥାତ୍, ସେମାନଙ୍କର ଯେଉଁ ବ୍ୟଭିଚାରୀ ହୃଦୟ ଆମ୍ଭକୁ ତ୍ୟାଗ କରି ଯାଇଅଛି ଓ ସେମାନଙ୍କର ଯେଉଁ ଚକ୍ଷୁ ବ୍ୟଭିଚାରୀ ହୋଇ ଦେବତାଗଣର ପଶ୍ଚାତ୍ ଗମନ କରେ, ତହିଁ ସକାଶୁ ଆମ୍ଭେ କିପରି ବିଦୀର୍ଣ୍ଣ ହୋଇଅଛୁ, ଏହା ସେମାନେ ସ୍ମରଣ କରିବେ; ଆଉ, ସେମାନେ ଆପଣା ଆପଣାର ସକଳ ଘୃଣାଯୋଗ୍ୟ ଆଚାର ବ୍ୟବହାର ଦ୍ଵାରା ଯେଉଁ ଦୁଷ୍କ୍ରିୟା କରିଅଛନ୍ତି, ତହିଁ ନିମନ୍ତେ ସେମାନେ ଆପଣାମାନଙ୍କ ଦୃଷ୍ଟିରେ ଆପଣାମାନଙ୍କୁ ଘୃଣା କରିବେ । |
| ୧୦. ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ସେମାନେ ଜାଣିବେ; ଆମ୍ଭେ ସେମାନଙ୍କ ପ୍ରତି ଏହି ଅମଙ୍ଗଳ ଘଟାଇବାର କଥା ବୃଥା କହି ନାହୁଁ । |
| ୧୧. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କରାଘାତ ଓ ପଦାଘାତ କର ଓ ଇସ୍ରାଏଲ-ବଂଶର ସକଳ ଘୃଣାଯୋଗ୍ୟ ଦୁଷ୍କ୍ରିୟା ସକାଶୁ କୁହ, ହାୟ ହାୟ! କାରଣ ସେମାନେ ଖଡ଼୍ଗରେ, ଦୁର୍ଭିକ୍ଷରେ ଓ ମହାମାରୀରେ ପତିତ ହେବେ । |
| ୧୨. ଯେଉଁ ଲୋକ ଦୂରରେ ଅଛି, ସେ ମହାମାରୀରେ ମରିବ; ଯେଉଁ ଲୋକ ନିକଟରେ ଅଛି, ସେ ଖଡ଼୍ଗ ଦ୍ଵାରା ପତିତ ହେବ; ଯେଉଁ ଲୋକ ଅବଶିଷ୍ଟ ରହେ ଓ ଅବରୁଦ୍ଧ ହୁଏ, ସେ ଦୁର୍ଭିକ୍ଷରେ ମରିବ; ଏହି ପ୍ରକାରେ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସମ୍ପନ୍ନ କରିବା । |
| ୧୩. ପୁଣି, ଯେତେବେଳେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ, ସକଳ ପର୍ବତ ଶୃଙ୍ଗରେ ଓ ପ୍ରତ୍ୟେକ ହରିତ୍ବର୍ଣ୍ଣ ବୃକ୍ଷ ତଳେ ଓ ପ୍ରତ୍ୟେକ ନିବିଡ଼ ଅଲୋନ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନରେ ସେମାନେ ଆପଣା ଆପଣାର ସକଳ ଦେବତା ଉଦ୍ଦେଶ୍ୟରେ ସୌରଭାର୍ଥକ ନୈବେଦ୍ୟ ଉତ୍ସର୍ଗ କଲେ, ସେହି ସକଳ ସ୍ଥାନରେ ସେମାନଙ୍କ ଯଜ୍ଞବେଦିର ଚତୁର୍ଦ୍ଦିଗରେ ଦେବତାଗଣର ମଧ୍ୟରେ ସେମାନଙ୍କ ହତ ଲୋକମାନେ ରହିବେ, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ । |
| ୧୪. ପୁଣି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ପ୍ରାନ୍ତରଠାରୁ ଦିବ୍ଲା ପର୍ଯ୍ୟନ୍ତ ସେମାନଙ୍କର ସମୁଦାୟ ବସତି-ଦେଶକୁ ଧ୍ଵଂସ ଓ ଶୂନ୍ୟ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ । |
|
|
| ୧୬୯. ହେ ସଦାପ୍ରଭୋ, ମୋହର କାକୁକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ; ତୁମ୍ଭ ବାକ୍ୟାନୁସାରେ ମୋତେ ବୁଦ୍ଧି ପ୍ରଦାନ କର । |
| ୧୭୦. ମୋʼ ନିବେଦନ ତୁମ୍ଭ ସମ୍ମୁଖରେ ଉପସ୍ଥିତ ହେଉ; ତୁମ୍ଭ ବାକ୍ୟାନୁସାରେ ମୋତେ ଉଦ୍ଧାର କର । |
| ୧୭୧. ମୋହର ଓଷ୍ଠାଧର ପ୍ରଶଂସା ଉଚ୍ଚାରଣ କରୁ; କାରଣ ତୁମ୍ଭେ ଆପଣା ବିଧି ମୋତେ ଶିଖାଉଅଛ । |
| ୧୭୨. ମୋʼ ଜିହ୍ଵା ତୁମ୍ଭ ବାକ୍ୟ ବିଷୟ କୀର୍ତ୍ତନ କରୁ; କାରଣ ତୁମ୍ଭର ଆଜ୍ଞାସକଳ ଧର୍ମମୟ । |
| ୧୭୩. ମୋହର ସାହାଯ୍ୟାର୍ଥେ ତୁମ୍ଭର ହସ୍ତ ପ୍ରସ୍ତୁତ ହେଉ, କାରଣ ମୁଁ ତୁମ୍ଭର ବିଧାନସବୁ ମନୋନୀତ କରିଅଛି । |
| ୧୭୪. ହେ ସଦାପ୍ରଭୋ, ମୁଁ ତୁମ୍ଭ ପରିତ୍ରାଣର ଆକାଂକ୍ଷା କରିଅଛି; ପୁଣି, ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ । |
| ୧୭୫. ମୋହର ପ୍ରାଣ ଜୀବିତ ଥାଉ, ତହିଁରେ ତାହା ତୁମ୍ଭର ପ୍ରଶଂସା କରିବ ଓ ତୁମ୍ଭର ଶାସନସକଳ ମୋହର ସାହାଯ୍ୟ କରୁ । |
| ୧୭୬. ମୁଁ ହଜାମେଷ ପରି ବିପଥଗାମୀ ହୋଇଅଛି; ଆପଣା ଦାସକୁ ଖୋଜ; କାରଣ ମୁଁ ତୁମ୍ଭ ଆଜ୍ଞାସକଳ ପାସୋରୁ ନାହିଁ । |
|
|
| ୧୪. ଯେଉଁ ଲୋକ ସବୁବେଳେ ଭୟ ରଖେ, ସେ ଧନ୍ୟ; ମାତ୍ର ଯେ ଆପଣା ମନକୁ କଠିନ କରେ, ସେ ଆପଦରେ ପଡ଼ିବ । |
|
|
| ୧. ଅତଏବ, ହେ ସ୍ଵର୍ଗୀୟ ଆହ୍ଵାନର ସହଭାଗୀ ପବିତ୍ର ଭ୍ରାତୃଗଣ, ଆମ୍ଭମାନଙ୍କ ବିଶ୍ଵାସ ମତାନୁସାରେ ପ୍ରେରିତ ଓ ମହାଯାଜକ। ଯୀଶୁଙ୍କ ବିଷୟ ଭାବି ଦେଖ; |
| ୨. ମୋଶା ଯେପରି ଈଶ୍ଵରଙ୍କ ଗୃହ ମଧ୍ୟରେ ବିଶ୍ଵସ୍ତ ଥିଲେ, ସେ ସେହିପରି ଆପଣା ନିଯୋଗକର୍ତ୍ତାଙ୍କ ପ୍ରତି ବିଶ୍ଵସ୍ତ । |
| ୩. ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଯେପରି ଅଧିକ ସମାଦର ପ୍ରାପ୍ତ ହୁଅନ୍ତି, ସେହିପରି ସେ ମୋଶାଙ୍କ ଅପେକ୍ଷା ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି । |
| ୪. ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ଵାରା ସ୍ଥାପିତ, କିନ୍ତୁ ସମସ୍ତ ବିଷୟର ଯେ ସ୍ଥାପନକର୍ତ୍ତା, ସେ ଈଶ୍ଵର । |
| ୫. ପରବର୍ତ୍ତୀ ବକ୍ତବ୍ୟ ବିଷୟ ସମ୍ଵନ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ମୋଶା ତାହାଙ୍କ ଗୃହ ମଧ୍ୟରେ ସେବକ ସ୍ଵରୂପେ ପ୍ରକୃତରେ ବିଶ୍ଵସ୍ତ ଥିଲେ । |
| ୬. କିନ୍ତୁ ଖ୍ରୀଷ୍ଟ ତାହାଙ୍କ ଗୃହ ଉପରେ ପୁତ୍ର ସ୍ଵରୂପେ ବିଶ୍ଵସ୍ତ ଅଟନ୍ତି; ଯଦି ଆମ୍ଭେମାନେ ଆମ୍ଭମାନଙ୍କ ସାହସ ପୁଣି ଦର୍ପର କାରଣ ଯେ ଆମ୍ଭମାନଙ୍କ ଭରସା, ତାହା ଦୃଢ଼ ଭାବରେ ଶେଷ ପର୍ଯ୍ୟନ୍ତ ଧରି ରଖୁ, ତାହାହେଲେ ଆମ୍ଭେମାନେ ତ ତାହାଙ୍କ ଗୃହ ସ୍ଵରୂପଙ୍କ । |
| ୭. ଅତଏବ ପବିତ୍ର ଆତ୍ମା ଯେପରି କହନ୍ତି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ”, |
| ୮. ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଓ ପ୍ରାନ୍ତରରେ ପରୀକ୍ଷା ଦିନରେ ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର; |
| ୯. ସେହି ପ୍ରାନ୍ତରରେ ତୁମ୍ଭମାନଙ୍କ ପିତୃପୁରୁଷମାନେ ଆମ୍ଭକୁ ପରୀକ୍ଷା କରି ଆମ୍ଭର ଅନୁସନ୍ଧାନ କଲେ, ଆଉ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭର କାର୍ଯ୍ୟ ଦେଖିଲେ । |
| ୧୦. ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି, ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାନ୍ତି । |
| ୧୧. ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । |
| ୧୨. ହେ ଭାଇମାନେ, ସାବଧାନ, ଯେପରି ଜୀବନ୍ତ ଈଶ୍ଵରଙ୍କଠାରୁବିମୁଖକାରୀ ଦୁଷ୍ଟ, ଅବିଶ୍ଵାସୀ ହୃଦୟ ତୁମ୍ଭ-ମାନଙ୍କର କାହାରିଠାରେ ନ ଥାଏ । |
| ୧୩. କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ଵାରା ତୁମ୍ଭମାନଙ୍କ ମଧ୍ୟରୁ କେହି କଠିନମନା ହୁଏ, ଏଥିନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ; |
| ୧୪. କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ଵାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ । |
| ୧୫. ଉକ୍ତ ଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର । |
| ୧୬. ତେବେ କେଉଁମାନେ ଶୁଣି ବିରକ୍ତି ଜନ୍ମାଇଲେ? ମୋଶାଙ୍କ ଦ୍ଵାରା ମିସର ଦେଶରୁ ଯେଉଁମାନେ ବାହାରି ଆସିଥିଲେ, ସେସମସ୍ତେ କଅଣ ନୁହନ୍ତି? |
| ୧୭. ଆଉ କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ? ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ିଥିଲା, କଅଣ ସେମାନଙ୍କ ଉପରେ ନୁହେଁ? |
| ୧୮. ଯେଉଁମାନେ ଅବାଧ୍ୟ ହୋଇଥିଲେ, ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ, ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ? |
| ୧୯. ଆମ୍ଭେମାନେ ଦେଖୁ ଯେ, ଅବିଶ୍ଵାସ ହେତୁ ସେମାନେ ପ୍ରବେଶ କରି ପାରିଲେ ନାହିଁ । |
|
|
| Odia Bible (OROV) 2014 |
| ODIA-OV (Re-edited) - ପବିତ୍ର ବାଇବଲ (Re-edited) Copyright © 2014 by The Bible Society of India Used by permission. worldwide |