ଗୋଟିଏ ବର୍ଷରେ ବାଇବଲ | ଜୁନ୍ | ୨୪ପ୍ରଥମ ବଂଶାବଳୀ ୧୧:୧-୪୬୧. ଅନନ୍ତର ସମୁଦାୟ ଇସ୍ରାଏଲ ହିବ୍ରୋଣରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ ।୨. ଗତ କାଳରେ ଶାଉଲ ରାଜା ଥିଲା ବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ; ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ କହିଅଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ-ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଆମ୍ଭ ଇସ୍ରାଏଲ-ଲୋକଙ୍କର ଅଗ୍ରଣୀ ହେବ ।୩. ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ କତିକି ଆସିଲେ; ତହିଁରେ ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗେ ନିୟମ କଲେ; ପୁଣି ଶାମୁୟେଲଙ୍କ ହସ୍ତରେ ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ ।୪. ଏଥିଉତ୍ତାରେ ଦାଉଦ ଓ ସମଗ୍ର ଇସ୍ରାଏଲ ଯିରୂଶାଲମକୁ, ଅର୍ଥାତ୍, ଯିବୂଷକୁ ଗଲେ; ସେସମୟରେ ଦେଶ ନିବାସୀ ଯିବୂଷୀୟମାନେ ସେଠାରେ ଥିଲେ ।୫. ତହିଁରେ ଯିବୂଷ ନିବାସୀମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଏସ୍ଥାନକୁ ଆସି ପାରିବ ନାହିଁ । ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ହସ୍ତଗତ କଲେ; ତାହା ଦାଉଦ-ନଗର ହେଲା ।୬. ଆଉ ଦାଉଦ କହିଲେ, ଯେକେହି ପ୍ରଥମେ ଯିବୂଷୀୟମାନଙ୍କୁ ଆଘାତ କରିବ, ସେ ପ୍ରଧାନ ଓ ସେନାପତି ହେବ । ତହିଁରେ ସରୁୟାର ପୁତ୍ର ଯୋୟାବ୍ ପ୍ରଥମେ ଗଲା ଓ ପ୍ରଧାନ କରାଗଲା ।୭. ପୁଣି ଦାଉଦ ସେହି ଦୃଢ଼ ଗଡ଼ରେ ବାସ କଲେ; ଏହେତୁ ଲୋକମାନେ ତାକୁ ଦାଉଦ-ନଗର ନାମ ଦେଲେ ।୮. ଆଉ ଦାଉଦ ଚତୁର୍ଦ୍ଦିଗରେ, ଅର୍ଥାତ୍, ମିଲ୍ଲୋଠାରୁ ଚତୁର୍ଦିଗରେ ନଗର ନିର୍ମାଣ କଲେ; ପୁଣି ଯୋୟାବ୍ ନଗରର ଅବଶିଷ୍ଟ ସ୍ଥାନ ପୁନର୍ନିର୍ମାଣ କଲେ ।୯. ତହୁଁ ଦାଉଦ ଆହୁରି ଆହୁରି ମହାନ ହେଲେ; କାରଣ ସୈନ୍ୟାଧିପତି ସଦାପ୍ରଭୁ ତାଙ୍କର ସହାୟ ଥିଲେ ।୧୦. ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ ।୧୧. ଦାଉଦଙ୍କର ବୀରମାନଙ୍କ ସଂଖ୍ୟା; ଜଣେ ହକ୍ମୋନୀୟର ପୁତ୍ର ଯାଶ୍ବୀୟାମ୍ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଥିଲା; ସେ ତିନି ଶହ ଲୋକ ଉପରେ ଆପଣା ବର୍ଚ୍ଛା ଚଳାଇ ଏକା ବେଳେ ସେମାନଙ୍କୁ ବଧ କରିଥିଲା ।୧୨. ପୁଣି ତାହା ଉତ୍ତାରେ ଅହୋହୀୟ ଦୋଦୟର ପୁତ୍ର ଇଲୀୟାସର, ସେ ତିନି ବୀରଙ୍କ ମଧ୍ୟରେ ପ୍ରଧାନ ଥିଲା ।୧୩. ସେ ପଶଦମ୍ମୀମରେ ଦାଉଦଙ୍କ ସଙ୍ଗରେ ଥିଲା, ସେଠାରେ ପଲେଷ୍ଟୀୟମାନେ ଯୁଦ୍ଧାର୍ଥେ ଏକତ୍ର ହୋଇଥିଲେ, ସେଠାରେ ଯବପୂର୍ଣ୍ଣ ଖଣ୍ତେ ଭୂମି ଥିଲା; ଆଉ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଉଥିଲେ;୧୪. ଏଥିରେ ସେମାନେ ସେହି ଭୂମିଖଣ୍ତ ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲେ ଓ ପଲେଷ୍ଟୀୟମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁ ମହାଜୟ ଦ୍ଵାରା ସେମାନଙ୍କୁ ଉଦ୍ଧାର କଲେ ।୧୫. ଆଉ ତିରିଶ ଜଣ ପ୍ରଧାନଙ୍କ ମଧ୍ୟରୁ ତିନି ଜଣ ଶୈଳକୁ, ଅର୍ଥାତ୍, ଅଦୁଲ୍ଲମ ଗୁମ୍ପାକୁ ଦାଉଦଙ୍କ କତିକି ଗଲେ । ସେତେବେଳେ ପଲେଷ୍ଟୀୟ ସୈନ୍ୟ ରଫାୟୀମ ଉପତ୍ୟକାରେ ଛାଉଣି ସ୍ଥାପନ କରିଥିଲେ ।୧୬. ପୁଣି ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କର ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ ।୧୭. ଏଥିରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, ଆଃ, କେହି ବେଥଲିହିମ-ନଗରଦ୍ଵାର-ନିକଟସ୍ଥ କୂପଜଳ ପାନ କରିବାକୁ ମୋତେ ଦିଅନ୍ତା କି!୧୮. ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ଵାର-ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନୋହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ, ଆଉ କହିଲେ,୧୯. ମୋʼ ପରମେଶ୍ଵର ଏପରି କର୍ମ କରିବାକୁ ମୋତେ ନ ଦେଉନ୍ତୁ; ପ୍ରାଣପଣରେ ଗମନକାରୀ ଏହି ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? କାରଣ ସେମାନେ ପ୍ରାଣପଣରେ ତାହା ଆଣିଅଛନ୍ତି । ଏଣୁ ସେ ତାହା ପାନ କରିବାକୁ ସମ୍ମତ ହେଲେ ନାହିଁ । ଏହି ସକଳ କର୍ମ ସେହି ତିନି ବୀର କରିଥିଲେ ।୨୦. ସେହି ତିନି ଜଣଙ୍କ ମଧ୍ୟରେ ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା; କାରଣ ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା; ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା ।୨୧. ଏହି ତିନିଙ୍କ ମଧ୍ୟରେ ସେ ଦୁଇ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା ଓ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା ।୨୨. ପରାକ୍ରା; କର୍ମକାରୀ କବ୍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟେଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା ।୨୩. ଆହୁରି ସେ ପାଞ୍ଚ ହାତ ଦୀର୍ଘ ବୃହତ୍କାୟ ଏକ ମିସ୍ରୀୟ ପୁରୁଷକୁ ବଧ କଲା; ସେହି ମିସ୍ରୀୟ ହସ୍ତରେ ତନ୍ତୀର ନରାଜ ତୁଲ୍ୟ ଏକ ବର୍ଚ୍ଛା ଥିଲା; ପୁଣି ବନାୟ ଏକ ଯଷ୍ଟି ନେଇ ଯାଇ ସେହି ମିସ୍ରୀୟର ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା ।୨୪. ଯିହୋୟାଦାର ପୁତ୍ର ବନାୟ ଏହିସବୁ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା ।୨୫. ଦେଖ, ସେ ତିରିଶ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ-ଦଳ ଉପରେ ନିଯୁକ୍ତ କଲେ ।୨୬. ଆହୁରି ସୈନ୍ୟ ମଧ୍ୟରେ ଏହି ବୀରମାନେ ଥିଲେ; ଯଥା, ଯୋୟାବର ଭ୍ରାତା ଅସାହେଲ, ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍;୨୭. ହରୋରୀୟ ଶମ୍ମୋତ୍, ପଲୋନୀୟ ହେଲସ୍,୨୮. ତକୋୟୀୟ ଇକ୍କେଶର ପୁତ୍ର ଇରା, ଅନାଥୋତୀୟ ଅବୀୟେସର;୨୯. ହୁଶାତୀୟ ସିବ୍ବଖୟ, ଅହୋହୀୟ ଈଲୟ;୩୦. ନଟୋଫାତୀୟ ମହରୟ, ନଟୋଫାତୀୟ ବାନାର ପୁତ୍ର ହେଲଦ୍;୩୧. ବିନ୍ୟାମୀନ-ସନ୍ତାନଗଣର ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ, ପିରୀୟାଥୋନୀୟ ବନାୟ;୩୨. ଗାଶ୍ ନଦୀ ତୀର ନିବାସୀ ହୂରୟ, ଅର୍ବ୍ବତୀୟ ଅବୀୟେଲ;୩୩. ବାହାରୁମୀୟ ଅସ୍ମାବତ୍, ଶାଲବେନୀୟ ଇଲୀୟହବ;୩୪. ଗିଷୋନୀୟ ହାଷେମ୍ର ପୁତ୍ରଗଣ, ହରାରୀୟ ଶାଗିର ପୁତ୍ର ଯୋନାଥନ;୩୫. ହରାରୀୟ ସାଖରର ପୁତ୍ର ଅହୀୟାମ୍, ଊରର ପୁତ୍ର ଇଲୀଫାଲ;୩୬. ମଖେରାତୀୟ ହେଫର୍, ପଲୋନୀୟ ଅହୀୟ;୩୭. କର୍ମିଲୀୟ ହିଷ୍ରୟ, ଇଷ୍ବୟର ପୁତ୍ର ନାରୟ;୩୮. ନାଥନର ଭ୍ରାତା ଯୋୟେଲ, ହଗ୍ରିର ପୁତ୍ର ମିଭର;୩୯. ଅମ୍ମୋନୀୟ ସେଲକ୍, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବେରୋତୀୟ ନହରୟ;୪୦. ଯିତ୍ରୀୟ ଗାରେବ୍;୪୧. ହିତ୍ତୀୟ ଊରୀୟ, ଅହଲୟର ପୁତ୍ର ସାବଦ୍,୪୨. ରୁବେନୀୟ ଶୀଷାର ପୁତ୍ର ଅଦୀନା, ଏ ରୁବେନୀୟମାନଙ୍କର ଜଣେ ପ୍ରଧାନ ଥିଲା ଓ ତାହା ସଙ୍ଗେ ତିରିଶ ଜଣ ଥିଲେ;୪୩. ମାଖାର ପୁତ୍ର ହାନନ୍, ମିନିୀୟ ଯୋଶାଫଟ୍;୪୪. ଅଷ୍ଟାରୋତୀୟ ଉଷୀୟ; ଅରୋୟେରୀୟ ହୋଥମ୍ର ପୁତ୍ର ଶାମ୍ ଓ ଯିୟୀୟେଲ୍;୪୫. ଶିମ୍ରିର ପୁତ୍ର ଯିଦୀୟେଲ୍ ଓ ତାହାର ଭ୍ରାତା ତୀଷୀୟ ଯୋହା;୪୬. ମହବୀୟ, ଇଲୀୟେଲ୍, ଇଲ୍ନାମର ପୁତ୍ର ଯିରୀବୟ ଓ ଯୋଶବୀୟ, ଆଉ ମୋୟାବୀୟ ଯିତ୍ମା;ପ୍ରଥମ ବଂଶାବଳୀ ୧୨:୧-୪୦୧. ଯେଉଁ ସମୟରେ ଦାଉଦ କୀଶ୍ର ପୁତ୍ର ଶାଉଲଙ୍କର ଭୟରେ ଆପଣାକୁ ରୁଦ୍ଧ କରିଥିଲେ, ସେସମୟରେ ଏହି ଲୋକମାନେ ସିକ୍ଳଗ୍କୁ ତାଙ୍କ କତିକି ଆସିଥିଲେ; ସେମାନେ ଯୁଦ୍ଧରେ ତାଙ୍କର ସାହାଯ୍ୟକାରୀ ବୀରମାନଙ୍କ ମଧ୍ୟରେ ଗଣିତ ଥିଲେ ।୨. ସେମାନେ ଧନୁର୍ଦ୍ଧାରୀ, ଆଉ ଦକ୍ଷିଣ ଓ ବାମ ଉଭୟ ହସ୍ତରେ ଛାଟିଣୀ-ପ୍ରସ୍ତର ଓ ଧନୁରୁ ତୀର କ୍ଷେପଣ କରିବାରେ ନିପୁଣ ଥିଲେ; ସେମାନେ ଶାଉଲଙ୍କର ଜ୍ଞାତି ବିନ୍ୟାମୀନୀୟ ଲୋକ ଥିଲେ ।୩. ସେମାନଙ୍କ ମଧ୍ୟରେ ପ୍ରଧାନ ଅହୀୟେଷର, ତହିଁ ଉତ୍ତାରେ ଯୋୟାଶ, ଏମାନେ ଗିବୀୟାଥୀୟ ଶମାୟର ପୁତ୍ର; ଅସ୍ମାବତ୍ର ପୁତ୍ର ଯିଷୀୟେଲ୍ ଓ ପେଲଟ୍ ଓ ଅନାଥୋତୀୟ ବରାଖା ଓ ଯେହୂ;୪. ପୁଣି ଗିବୀୟୋନୀୟ ଯିଶ୍ମୟୀୟ, ସେ ତିରିଶ ଜଣଙ୍କ ମଧ୍ୟରେ ଗଣିତ ବୀର ଓ ତିରିଶ ଜଣଙ୍କ ଉପରେ ନିଯୁକ୍ତ; ଆଉ ଯିରିମୀୟ, ଯହସୀୟେଲ୍ ଓ ଯୋହାନନ୍ ଓ ଗଦେରାଥୀୟ ଯୋଷାବଦ୍;୫. ଇଲିୟଷୟ ଓ ଯିରେମୋତ୍ ଓ ବାଲୀୟା ଓ ଶମରୀୟ ଓ ହରୂଫୀୟ ଶଫ୍ଟୀୟ;୬. କୋରହୀୟ ଇଲ୍କାନା ଓ ଯିଶୀୟ ଓ ଅସରେଲ୍ ଓ ଯୋୟେଷର୍ ଓ ଯାଶ୍ବୀୟାମ୍;୭. ଆଉ ଗଦୋର ନିବାସୀ ଯିରୋହମର ପୁତ୍ର ଯୋୟେଲା ଓ ସବଦୀୟ ।୮. ଆଉ ଗାଦୀୟମାନଙ୍କ ମଧ୍ୟରୁ କେତେକ ଲୋକ ପୃଥକ୍ ହୋଇ ପ୍ରାନ୍ତରସ୍ଥିତ ଦୁର୍ଗ-ସ୍ଥାନକୁ ଦାଉଦଙ୍କ କତିକି ଆସିଲେ; ସେମାନେ ମହାବିକ୍ରମଶାଳୀ, ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ଶିକ୍ଷିତ ଲୋକ; ସେମାନଙ୍କ ମୁଖ ସିଂହ-ମୁଖ ତୁଲ୍ୟ ଓ ସେମାନେ ପର୍ବତସ୍ଥ ହରିଣ ତୁଲ୍ୟ ଦ୍ରୁତଗାମୀ ।୯. ପ୍ରଥମ ଏସର୍, ଦ୍ଵିତୀୟ ଓବଦୀୟ, ତୃତୀୟ ଇଲୀୟାବ୍,୧୦. ଚତୁର୍ଥ ମିଶ୍ମନ୍ନା, ପଞ୍ଚମ ଯିରିମୀୟ,୧୧. ଷଷ୍ଠ ଅତ୍ତୟ, ସପ୍ତମ ଇଲୀୟେଲ୍;୧୨. ଅଷ୍ଟମ ଯୋହାନନ୍, ନବମ ଇଲ୍ସାବଦ୍;୧୩. ଦଶମ ଯିରିମୀୟ, ଏକାଦଶ ମଗ୍ବନ୍ନୟ ।୧୪. ଗାଦ୍ର ଏହି ସନ୍ତାନମାନେ ସେନାପତି ଥିଲେ, ଏମାନଙ୍କ ମଧ୍ୟରେ ଯେଉଁ ଜଣ କ୍ଷୁଦ୍ର, ସେ ଏକ ଶତ ଲୋକର ଓ ଯେ ମହାନ, ସେ ଏକ ସହସ୍ର ଲୋକର ସମାନ ଥିଲା ।୧୫. ଏମାନେ ପ୍ରଥମ ମାସରେ ଯର୍ଦ୍ଦନର ଜଳ ସମସ୍ତ ତୀର ଉପରେ ଉଚ୍ଛୁଳିବା ସମୟରେ ନଦୀ ପାର ହୋଇ ଯାଇଥିଲେ; ଆଉ ସେମାନେ ଉପତ୍ୟକାସମୂହର ପୂର୍ବ ଓ ପଶ୍ଚିମ ଦିଗ ନିବାସୀମାନଙ୍କୁ ତଡ଼ି ଦେଇଥିଲେ ।୧୬. ଆହୁରି ବିନ୍ୟାମୀନ ଓ ଯିହୁଦା-ସନ୍ତାନମାନଙ୍କ ମଧ୍ୟରୁ କେତେ ଲୋକ ଦୁର୍ଗ-ସ୍ଥାନକୁ ଦାଉଦଙ୍କ କତିକି ଆସିଲେ ।୧୭. ତହିଁରେ ଦାଉଦ ସେମାନଙ୍କୁ ଭେଟିବା ପାଇଁ ଯାଇ ଉତ୍ତର କରି କହିଲେ, ଯେବେ ତୁମ୍ଭେମାନେ ନିର୍ବିରୋଧ ଭାବରେ ମୋହର ସାହାଯ୍ୟ କରିବା ପାଇଁ ମୋʼ କତିକି ଆସିଥାଅ, ତେବେ ମୋହର ଅନ୍ତଃକରଣ ତୁମ୍ଭମାନଙ୍କଠାରେ ସଂଯୁକ୍ତ ହେବ; ମାତ୍ର ମୋʼ ହସ୍ତରେ କୌଣସି ଦୌରାତ୍ମ୍ୟ ନ ଥିଲେ ହେଁ ଯେବେ ତୁମ୍ଭେମାନେ ମୋʼ ଶତ୍ରୁମାନଙ୍କ ହସ୍ତରେ ମୋତେ ସମର୍ପଣ କରିବାକୁ ଆସିଥାଅ, ତେବେ ଆମ୍ଭମାନଙ୍କ ପିତୃଗଣର ପରମେଶ୍ଵର ତାହା ଦେଖନ୍ତୁ ଓ ଅନୁଯୋଗ କରନ୍ତୁ ।୧୮. ସେତେବେଳେ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଅମାସୟ ଉପରେ ଆତ୍ମା ଅଧିଷ୍ଠାନ କରନ୍ତେ, ସେ କହିଲା, ହେ ଦାଉଦ, ଆମ୍ଭେମାନେ ତୁମ୍ଭର, ହେ ଯିଶୀର ପୁତ୍ର, ଆମ୍ଭେମାନେ ତୁମ୍ଭର ପକ୍ଷ; ତୁମ୍ଭର ମଙ୍ଗଳ ହେଉ, ମଙ୍ଗଳ ହେଉ ଓ ତୁମ୍ଭ ସାହାଯ୍ୟକାରୀମାନଙ୍କର ମଙ୍ଗଳ ହେଉ; କାରଣ ତୁମ୍ଭ ପରମେଶ୍ଵର ତୁମ୍ଭର ସାହାଯ୍ୟ କରନ୍ତି । ତହୁଁ ଦାଉଦ ସେମାନଙ୍କୁ ଗ୍ରହଣ କରି ସେନାଦଳ ଉପରେ ସେମାନଙ୍କୁ ସେନାପତି କଲେ ।୧୯. ଦାଉଦ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିବା ବେଳେ ମନଃଶୀୟ-ମାନଙ୍କର କେତେକ ଲୋକ ମଧ୍ୟ ଦାଉଦଙ୍କର ପକ୍ଷ ହେଲେ, ମାତ୍ର ସେମାନଙ୍କ ଦେଇ ସେମାନଙ୍କର ସାହାଯ୍ୟ ନୋହିଲା; କାରଣ ପଲେଷ୍ଟୀୟମାନଙ୍କ ଅଧିପତିମାନେ ମନ୍ତ୍ରଣା କରି ତାଙ୍କୁ ବିଦାୟ ଦେଇ କହିଲେ, ସେ ଆପଣା ପ୍ରଭୁ ଶାଉଲଙ୍କର ପକ୍ଷ ହୋଇ ଆମ୍ଭମାନଙ୍କ ମସ୍ତକକୁ ସଙ୍କଟରେ ପକାଇବ ।୨୦. ଦାଉଦ ସିକ୍ଳଗ୍କୁ ଯିବା ବେଳେ ମନଃଶି ସମ୍ଵନ୍ଧୀୟ ଅଦ୍ନହ ଓ ଯୋଷାବଦ୍ ଓ ଯିଦୀୟେଲ ଓ ମୀଖାୟେଲ ଓ ଯୋଷାବଦ୍ ଓ ଇଲିହୂ ଓ ସିଲ୍ଲଥୟ, ଏହି ମନଃଶି-ବଂଶୀୟ ସହସ୍ରପତିମାନେ ତାଙ୍କର ପକ୍ଷ ହେଲେ ।୨୧. ଆଉ ସେମାନେ ଲୁଟକାରୀ ଦଳ ପ୍ରତିକୂଳରେ ଦାଉଦଙ୍କର ସାହାଯ୍ୟ କଲେ; କାରଣ ସେସମସ୍ତେ ମହାବିକ୍ରମଶାଳୀ ପୁରୁଷ ଓ ସେନାପତି ଥିଲେ ।୨୨. ଦିନକୁ ଦିନ ଲୋକମାନେ ଦାଉଦଙ୍କୁ ସାହାଯ୍ୟ କରିବାକୁ ଆସିଲେ, ତହିଁରେ ପରମେଶ୍ଵରଙ୍କ ସୈନ୍ୟ ତୁଲ୍ୟ ମହାସୈନ୍ୟ ହେଲା ।୨୩. ସଦାପ୍ରଭୁଙ୍କ ବାକ୍ୟାନୁସାରେ ଶାଉଲଙ୍କର ରାଜ୍ୟ ଦାଉଦଙ୍କୁ ସମର୍ପଣ କରିବା ପାଇଁ ଯୁଦ୍ଧାର୍ଥେ ସସଜ୍ଜ ଯେଉଁ ଲୋକମାନେ ହିବ୍ରୋଣକୁ ଦାଉଦଙ୍କ କତିକି ଆସିଥିଲେ, ସେମାନଙ୍କ ସଂଖ୍ୟା ଏହି ।୨୪. ଯିହୁଦା-ସନ୍ତାନଗଣ ମଧ୍ୟରୁ ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ସସଜ୍ଜ ଛଅ ହଜାର ଆଠ ଶହ ଜଣ ।୨୫. ଶିମୀୟୋନ୍-ସନ୍ତାନଗଣ ମଧ୍ୟରୁ ଯୁଦ୍ଧାର୍ଥେ ମହାବିକ୍ରମଶାଳୀ ସାତ ହଜାର ଏକ ଶହ ଜଣ ।୨୬. ଲେବୀ-ସନ୍ତାନଗଣ ମଧ୍ୟରୁ ଚାରି ହଜାର ଛଅ ଶହ ଜଣ ।୨୭. ପୁଣି ଯିହୋୟାଦା ହାରୋଣ-ବଂଶର ଅଧ୍ୟକ୍ଷ ଥିଲା, ତାହା ସଙ୍ଗେ ତିନି ହଜାର ସାତ ଶହ ଲୋକ ଥିଲେ ।୨୮. ଆଉ ସାଦୋକ୍ ଏକ ବିକ୍ରମଶାଳୀ ଯୁବା ଲୋକ ଥିଲା ଓ ତାହାର ପିତୃବଂଶର ବାଇଶ ଜଣ ସେନାପତି ଥିଲେ ।୨୯. ଶାଉଲଙ୍କର ଜ୍ଞାତି ବିନ୍ୟାମୀନ-ସନ୍ତାନଗଣ ମଧ୍ୟରୁ ତିନି ହଜାର ଲୋକ; କାରଣ ସେସମୟ ପର୍ଯ୍ୟନ୍ତ ସେମାନଙ୍କର ଅଧିକାଂଶ ଲୋକ ଶାଉଲଙ୍କ ବଂଶର ବଶତା ସ୍ଵୀକାର କଲେ ।୩୦. ଇଫ୍ରୟିମ୍-ସନ୍ତାନଗଣ ମଧ୍ୟରୁ କୋଡ଼ିଏ ହଜାର ଆଠ ଶହ ଲୋକ, ଏମାନେ ମହାବିକ୍ରମଶାଳୀ ଓ ଆପଣା ଆପଣା ପିତୃବଂଶରେ ବିଖ୍ୟାତ ଲୋକ ଥିଲେ ।୩୧. ପୁଣି ମନଃଶିର ଅର୍ଦ୍ଧବଂଶରୁ ଅଠର ହଜାର ଲୋକ, ଏମାନେ ଦାଉଦଙ୍କୁ ରାଜା କରିବା ଲାଗି ଆସିବାକୁ ନାମରେ ନିର୍ଦ୍ଦିଷ୍ଟ ହୋଇଥିଲେ ।୩୨. ଆଉ ଇଷାଖର-ସନ୍ତାନଗଣ ମଧ୍ୟରୁ ଦୁଇ ଶହ ପ୍ରଧାନ ଲୋକ, ଏମାନେ କାଳଜ୍ଞ, ଇସ୍ରାଏଲର କି କର୍ତ୍ତବ୍ୟ, ତାହା ଜାଣିଲେ; ଆଉ ସେମାନଙ୍କ ଭ୍ରାତା ସମସ୍ତେ ସେମାନଙ୍କ ଆଜ୍ଞାବହ ଥିଲେ ।୩୩. ସବୂଲୂନ୍ ମଧ୍ୟରୁ ସୈନ୍ୟଦଳରେ ଗମନଯୋଗ୍ୟ ଓ ସର୍ବପ୍ରକାର ଯୁଦ୍ଧାସ୍ତ୍ର ନେଇ ଯୁଦ୍ଧ ସଜାଇବାକୁ ସମର୍ଥ ପଚାଶ ହଜାର ଲୋକ ଥିଲେ; ସେମାନେ ଯୁଦ୍ଧ ସଜାଇ ପାରିଲେ ଓ ଦ୍ଵିମନା ନ ଥିଲେ ।୩୪. ପୁଣି ନପ୍ତାଲି ମଧ୍ୟରୁ ଏକ ହଜାର ସେନାପତି ଓ ସେମାନଙ୍କ ସଙ୍ଗେ ଢାଲ ଓ ବର୍ଚ୍ଛାଧାରୀ ସଇଁତିରିଶ ହଜାର ଲୋକ ଥିଲେ ।୩୫. ଆଉ ଦାନୀୟମାନଙ୍କ ମଧ୍ୟରୁ ଯୁଦ୍ଧ ସଜାଇବାକୁ ସମର୍ଥ ଅଠାଇଶ ହଜାର ଛଅ ଶହ ଲୋକ ଥିଲେ ।୩୬. ଆଶେର୍ ମଧ୍ୟରୁ ସୈନ୍ୟଦଳରେ ଗମନଯୋଗ୍ୟ, ଯୁଦ୍ଧ ସଜାଇବାକୁ ସମର୍ଥ ଚାଳିଶ ହଜାର ଲୋକ ।୩୭. ଆଉ ଯର୍ଦ୍ଦନର ଅନ୍ୟ ପାରିସ୍ଥିତ ରୁବେନୀୟ ଓ ଗାଦୀୟ ଓ ମନଃଶିର ଅର୍ଦ୍ଧବଂଶ ମଧ୍ୟରୁ ଯୁଦ୍ଧାର୍ଥେ ସର୍ବପ୍ରକାର ଅସ୍ତ୍ରଧାରୀ ଏକ ଲକ୍ଷ କୋଡ଼ିଏ ହଜାର ଲୋକ ।୩୮. ଯୁଦ୍ଧ ସଜାଇବାକୁ ସମର୍ଥ ଏହି ସକଳ ଯୋଦ୍ଧା ସମ୍ପୂର୍ଣ୍ଣ ଅନ୍ତଃକରଣ ସହିତ ଦାଉଦଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କରିବା ପାଇଁ ହିବ୍ରୋଣକୁ ଆସିଲେ; ମଧ୍ୟ ଇସ୍ରାଏଲର ଅବଶିଷ୍ଟ ସମସ୍ତେ ଦାଉଦଙ୍କୁ ରାଜା କରିବା ପାଇଁ ଏକଚିତ୍ତ ହେଲେ ।୩୯. ଆଉ ସେମାନେ ଦାଉଦଙ୍କ ସଙ୍ଗେ ତିନି ଦିନ ଭୋଜନପାନ କରି ସେଠାରେ ରହିଲେ; କାରଣ ସେମାନଙ୍କ ଭ୍ରାତୃଗଣ ସେମାନଙ୍କ ନିମନ୍ତେ ଆୟୋଜନ କରିଥିଲେ ।୪୦. ଆହୁରି ଇଷାଖର ଓ ସବୂଲୂନ୍ ଓ ନପ୍ତାଲି ପର୍ଯ୍ୟନ୍ତ ସେମାନଙ୍କ ନିକଟବର୍ତ୍ତୀ ଲୋକମାନେ ଗର୍ଦ୍ଦଭ ଓ ଉଷ୍ଟ୍ର ଓ ଖଚର ଓ ବଳଦ ପୃଷ୍ଠରେ ଖାଦ୍ୟଦ୍ରବ୍ୟ, ଅର୍ଥାତ୍, ସୂଜିର ଦ୍ରବ୍ୟ, ଡିମିରିଚକ୍ତି ଓ ଦ୍ରାକ୍ଷାପେଣ୍ତା ଓ ଦ୍ରାକ୍ଷାରସ ଓ ତୈଳ ଆଣିଲେ, ଆହୁରି ବଳଦ ଓ ମେଷ ବହୁଳ ରୂପେ ଆଣିଲେ; କାରଣ ଇସ୍ରାଏଲ ମଧ୍ୟରେ ଆନନ୍ଦ ହେଲା ।ଗୀତସଂହିତା ୭୭:୧୬-୨୦୧୬. ହେ ପରମେଶ୍ଵର, ଜଳରାଶି ତୁମ୍ଭଙ୍କୁ ଦେଖିଲା, ଜଳରାଶି ତୁମ୍ଭଙ୍କୁ ଦେଖି ଭୀତ ହେଲା; ମଧ୍ୟ ବାରିଧି କମ୍ପିତ ହେଲା ।୧୭. ମେଘମାଳ ଜଳବୃଷ୍ଟି କଲେ, ଆକାଶ ଗର୍ଜ୍ଜନ କଲା; ମଧ୍ୟ ତୁମ୍ଭର ତୀରସବୁ ବ୍ୟାପ୍ତ ହେଲା ।୧୮. ଘୂର୍ଣ୍ଣିବାୟୁରେ ତୁମ୍ଭର ବଜ୍ରଧ୍ଵନି ହେଲା; ବିଜୁଳି ଜଗତକୁ ଆଲୁଅମୟ କଲା; ପୃଥିବୀ କମ୍ପିତ ଓ ଥରହର ହେଲା ।୧୯. ସମୁଦ୍ରରେ ତୁମ୍ଭର ପଥ ଓ ମହାଜଳରାଶିରେ ତୁମ୍ଭର ମାର୍ଗ ଥିଲା, ପୁଣି ତୁମ୍ଭର ପଦଚିହ୍ନ ଜଣା ନୋହିଲା ।୨୦. ତୁମ୍ଭେ ମୋଶା ଓ ହାରୋଣର ହସ୍ତ ଦ୍ଵାରା ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ ।ହିତୋପଦେଶ ୧୯:୧୭-୧୯୧୭. ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ; ପୁଣି, ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ ।୧୮. ଆପଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି; ପୁଣି, ତୁମ୍ଭର ମନ ତାହାର ବିନାଶ ଇଚ୍ଛା ନ କରୁ ।୧୯. ଅତି ରାଗୀ ଲୋକ ଶାସ୍ତି ଭୋଗ କରିବ, ଯେହେତୁ ତୁମ୍ଭେ ତାହାକୁ ଥରେ ଉଦ୍ଧାର କଲେ, ତାହା ତୁମ୍ଭକୁ ପୁନର୍ବାର କରିବାକୁ ହେବ ।ପ୍ରେରିତ ୭:୧-୨୧୧. ସେଥିରେ ମହାଯାଜକ ପଚାରିଲେ, ଏହିସମସ୍ତ କଥା କି ସତ୍ୟ?୨. ସେ କହିଲେ, ହେ ଭ୍ରାତୃ ଓ ପିତୃଗଣ, ଶ୍ରବଣ କରନ୍ତୁ । ଆମ୍ଭମାନଙ୍କର ପିତା ଅବ୍ରହାମ ହାରଣରେ ବାସ କରିବା ପୂର୍ବେ ଯେତେବେଳେ ସେ ମେସୋପଟାମିଆରେ ଥିଲେ, ସେତେବେଳେ ଗୌରବମୟ ଈଶ୍ଵର ତାଙ୍କୁ ଦର୍ଶନ ଦେଇ କହିଲେ,୩. ତୁମ୍ଭେ ସ୍ଵଦେଶରୁ ଓ ଆପଣା ଆତ୍ମୀୟମାନଙ୍କ ମଧ୍ୟରୁ ବାହାରିଆସ, ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଦେଶ ଦେଖାଇବା, ସେହି ଦେଶକୁ ଯାଅ ।୪. ସେଥିରେ କଲ୍ଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି ତାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ, ସେଠାରୁ ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି, ଏହି ଦେଶକୁ ଈଶ୍ଵର ତାଙ୍କୁ ଘେନିଆସିଲେ,୫. ଆଉ, ସେ ତାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି ସେତେବେଳେ ତାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାଙ୍କୁ ଓ ତାଙ୍କ ଭବିଷ୍ୟଦ୍ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ ।୬. ଈଶ୍ଵର ଏହିପରି କହିଲେ, ତାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେସ୍ଥାନର ଲୋକେ ସେମାନଙ୍କୁ ଚାରିଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ଵରେ ରଖି ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବେ ।୭. ପୁଣି, ଈଶ୍ଵର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାʼର ବିଚାର କରିବା; ତତ୍ପରେ ସେମାନେ ବାହାରିଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ ।୮. ଆଉ, ସେ ତାଙ୍କୁ ସୁନ୍ନତବିଧି ପ୍ରଦାନ କଲେ, ପୁଣି ତଦନୁସାରେ ଅବ୍ରହାମ ଯିସ୍ହାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାଙ୍କୁ ସୁନ୍ନତ କଲେ; ଯିସ୍ହାକ ଯାକୁବଙ୍କୁ, ପୁଣି ଯାକୁବ ଦ୍ଵାଦଶ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ ।୯. ପିତୃକୁଳପତିମାନେ ଯୋଷେଫଙ୍କୁ ଈର୍ଷା କରି ମିସରକୁ ନିଆଯିବା ନିମନ୍ତେ ତାଙ୍କୁ ବିକ୍ରୟ କଲେ; କିନ୍ତୁ ଈଶ୍ଵର ତାଙ୍କ ସହିତ ଥିଲେ⇧,୧୦. ପୁଣି, ତାଙ୍କ ସମସ୍ତ କ୍ଳେଶରୁ ତାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାଙ୍କୁ ଅନୁଗ୍ରହ ଓ ଜ୍ଞାନ ପ୍ରଦାନ କଲେ; ସେଥିରେ ଫାରୋ ତାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ଵରୂପେ ନିଯୁକ୍ତ କଲେ ।୧୧. ପରେ ସମସ୍ତ ମିସର ଓ କିଣାନରେ ଦୁର୍ଭିକ୍ଷ ପଡ଼ିଲା, ପୁଣି ମହାକ୍ଳେଶ ଘଟିଲା, ଆଉ ଆମ୍ଭମାନଙ୍କ ପିତୃପୁରୁଷ-ମାନେ ଭକ୍ଷ୍ୟ ପାଇ ପାରିଲେ ନାହିଁ ।୧୨. କିନ୍ତୁ ମିସରରେ ଶସ୍ୟ ଅଛି ବୋଲି ଶୁଣି, ଯାକୁବ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ପ୍ରଥମରେ ପ୍ରେରଣ କଲେ ।୧୩. ପୁଣି, ଦ୍ଵିତୀୟ ଥର ଯୋଷେଫ ଆପଣା ଭାଇମାନଙ୍କ ନିକଟରେ ପରିଚିତ ହେଲେ, ଆଉ ଫାରୋ ଯୋଷେଫଙ୍କ ଜାତିର ପରିଚୟ ପାଇଲେ ।୧୪. ତତ୍ପରେ ଯୋଷେଫ ଆପଣା ପିତା ଯାକୁବ ଓ ପଞ୍ଚସ୍ତରି ଜଣ ଜ୍ଞାତିକୁଟୁମ୍ଵ ସମସ୍ତଙ୍କୁ ଡକାଇ ପଠାଇଲେ । ସେଥିରେ ଯାକୁବ ମିସରକୁ ଗଲେ।;୧୫. ପୁଣି, ସେ ନିଜେ ଓ ଆମ୍ଭମାନଙ୍କର ପିତୃପୁରୁଷ-ମାନେ ପ୍ରାଣତ୍ୟାଗ କଲେ,୧୬. ଆଉ, ସେମାନେ ଶିଖିମକୁ ନିଆଯାଇ, ଅବ୍ରହାମ ସେଠାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି ରୌପ୍ୟ ମୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ ।୧୭. କିନ୍ତୁ ଈଶ୍ଵର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ସଫଳ ହେବା ସମୟ ସନ୍ନିକଟ ହୁଅନ୍ତେ, ଲୋକମାନେ ମିସରରେ ବୃଦ୍ଧି ପାଇ ବହୁସଂଖ୍ୟକ ହୋଇ ଉଠିଲେ ।୧୮. ଅବଶେଷରେ ମିସରରେ ଆଉ ଜଣେ ରାଜା ହେଲେ, ସେ ଯୋଷେଫଙ୍କୁ ଜାଣି ନ ଥିଲେ ।୧୯. ସେ ଆମ୍ଭମାନଙ୍କ ଜାତି ପ୍ରତି ଖଳ ବ୍ୟବହାର କଲେ, ପୁଣି, ଆମ୍ଭମାନଙ୍କ ପିତୃପୁରୁଷମାନେ ଯେପରି ଆପଣା ଆପଣା ସନ୍ତାନମାନଙ୍କୁ ଜୀବିତ ନ ରହିବା ପାଇଁ ବାହାରେ ପକାଇ ଦିଅନ୍ତି, ଏଥିନିମନ୍ତେ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ।୨୦. ସେହି ସମୟରେ ମୋଶା ଜନ୍ମ ହେଲେ, ସେ ଦିବ୍ୟ ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ ।୨୧. ପରେ ସେ ଯେତେବେଳେ ବାହାରେ ପକାଗଲେ, ସେତେବେଳେ ଫାରୋଙ୍କ କନ୍ୟା ତାଙ୍କୁ ଉଠାଇନେଇ ଆପଣା ପୁତ୍ର ରୂପେ ପ୍ରତିପାଳନ କଲେ। Odia Bible (OROV) 2014 ODIA-OV (Re-edited) - ପବିତ୍ର ବାଇବଲ (Re-edited) Copyright © 2014 by The Bible Society of India Used by permission. worldwide