ଗୋଟିଏ ବର୍ଷରେ ବାଇବଲ | ସେପ୍ଟେମ୍ବର | ୯ଯିଶାଇୟ ୯:୧-୨୧୧. ମାତ୍ର ପୂର୍ବେ (ଯେଉଁ ଦେଶ) ବେଦନାଗ୍ରସ୍ତ ଥିଲା, ତାହା ତିମିରାବୃତ ହୋଇ ରହିବ ନାହିଁ । ପୂର୍ବ କାଳରେ ସେ ସବୂଲୂନ୍ ଦେଶ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ, ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ, ଯର୍ଦ୍ଦନର ସେପାରିସ୍ଥ, ଗୋଷ୍ଠୀଗଣର ଗାଲିଲୀକୁ ସମ୍ଭ୍ରାନ୍ତ କରିବେ ।୨. ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ, ସେମାନେ ମହାଆଲୁଅ ଦେଖିଅଛନ୍ତି; ଯେଉଁମାନେ ମୃତ୍ୟୁଚ୍ଛାୟାରୂପ ଦେଶରେ ବାସ କଲେ, ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି ।୩. ତୁମ୍ଭେ ସେହି ଦେଶୀୟ ଲୋକଙ୍କୁ ବହୁସଂଖ୍ୟକ କରି ସେମାନଙ୍କର ଆନନ୍ଦ ବୃଦ୍ଧି କରିଅଛ; ସେମାନେ ଶସ୍ୟ ଛେଦନର ଆନନ୍ଦ ପ୍ରାୟ ଆନନ୍ଦ କରନ୍ତି, ଲୁଟ ବିଭାଗ କରିବା ସମୟର ତୁଲ୍ୟ ଉଲ୍ଲାସିତ ହୁଅନ୍ତି,୪. କାରଣ ମିଦୀୟନର ଦିନରେ ଯେପରି, ସେପରି ତୁମ୍ଭେ ତାହାର ଭାର ସ୍ଵରୂପ ଯୁଆଳି ଓ ତାହାର ସ୍କନ୍ଧସ୍ଥିତ ବାହୁଙ୍ଗି, ତାହାର ଉପଦ୍ରବକାରୀର ଦଣ୍ତ ଭାଙ୍ଗି ପକାଇଅଛ ।୫. ଏହେତୁ କଳହରେ ସଜ୍ଜିତ ଲୋକର ସମସ୍ତ ଅସ୍ତ୍ରଶସ୍ତ୍ର ଓ ରକ୍ତରେ ଜଡ଼ିତ ବସ୍ତ୍ରସବୁ ଜ୍ଵଳନୀୟ ଦ୍ରବ୍ୟ, ଅଗ୍ନି ପାଇଁ କାଷ୍ଠ ସ୍ଵରୂପ ହେବ ।୬. କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ଵଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରା; ପରମେଶ୍ଵର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ ।୭. ତାହାଙ୍କ କର୍ତ୍ତୃତ୍ଵବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟବିଚାର ଓ ଧାର୍ମିକତାରେ ଏ କ୍ଷଣଠାରୁ ଅନ; କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ । ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ ।୮. ଯାକୁବ ମଧ୍ୟକୁ ପ୍ରଭୁ ଏକ ବାକ୍ୟ ପ୍ରେରଣ କଲେ ଓ ତାହା ଇସ୍ରାଏଲ ଉପରେ ପଡ଼ିଅଛି,୯. ପୁଣି ସମସ୍ତ ଲୋକ, ଇଫ୍ରୟିମ ଓ ଶମରୀୟାର ନିବାସୀମାନେ ହିଁ ତାହା ଜାଣିବେ; ସେମାନେ ଅହଙ୍କାରରେ ଓ ଦର୍ପଚିତ୍ତରେ କହନ୍ତି,୧୦. ଇଟାସବୁ ପଡ଼ି ଯାଇଅଛି ନିଶ୍ଚୟ, ମାତ୍ର ଆମ୍ଭେମାନେ କଟା ପ୍ରସ୍ତରରେ ନିର୍ମାଣ କରିବା; ଡିମିରି ବୃକ୍ଷସବୁ ହଣା ହୋଇଅଛି ନିଶ୍ଚୟ, ମାତ୍ର ଆମ୍ଭେମାନେ ତହିଁ ପରିବର୍ତ୍ତରେ ଏରସ ବୃକ୍ଷ ବଢ଼ାଇବା ।୧୧. ଏହେତୁ ସଦାପ୍ରଭୁ ତାହାର ପ୍ରତିକୂଳରେ ରତ୍ସୀନର ବିପକ୍ଷଗଣକୁ ଉନ୍ନତ କରିବେ ଓ ତାହାର ଶତ୍ରୁଗଣକୁ ଉତ୍ତେଜିତ କରିବେ;୧୨. ସମ୍ମୁଖରେ ଅରାମୀୟମାନେ ଓ ପଶ୍ଚାତରେ ପଲେଷ୍ଟୀୟମାନେ ହେବେ; ଆଉ, ସେମାନେ ପ୍ରସାରିତ ମୁଖରେ ଇସ୍ରାଏଲକୁ ଗ୍ରାସ କରିବେ । ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି ।୧୩. ତଥାପି ଲୋକମାନଙ୍କୁ ଯେ ପ୍ରହାର କରିଅଛନ୍ତି, ତାହାଙ୍କ ନିକଟକୁ ସେମାନେ ଫେରି ନାହାନ୍ତି, କିଅବା ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରି ନାହାନ୍ତି ।୧୪. ଏହେତୁ ସଦାପ୍ରଭୁ ଇସ୍ରାଏଲର ମସ୍ତକ ଓ ଲାଙ୍ଗୁଳ, ତାଳବାହୁଙ୍ଗା ଓ ଜଳଜ ତୃଣ ଏକାଦିନରେ କାଟି ପକାଇବେ ।୧୫. ପ୍ରାଚୀନ ଓ ସମ୍ଭ୍ରାନ୍ତ ଲୋକ ସେହି ମସ୍ତକ, ପୁଣି ମିଥ୍ୟା ଶିକ୍ଷାଦାୟୀ ଭବିଷ୍ୟଦ୍ବକ୍ତା ଲାଙ୍ଗୂଳ,୧୬. କାରଣ ଏହି ଲୋକମାନଙ୍କର ପଥପ୍ରଦର୍ଶକମାନେ ସେମାନଙ୍କୁ ଭ୍ରାନ୍ତ କରାନ୍ତି, ପୁଣି ଯେଉଁମାନେ ସେମାନଙ୍କ ଦ୍ଵାରା ପଥ କଢ଼ାଯାʼନ୍ତି, ସେମାନେ ବିନଷ୍ଟ ହୁଅନ୍ତି ।୧୭. ଏଣୁ ସଦାପ୍ରଭୁ ସେମାନଙ୍କ ଯୁବକମାନଙ୍କଠାରେ ଆନନ୍ଦ କରିବେ ନାହି, କିଅବା ସେମାନଙ୍କର ପିତୃହୀନ ବାଳକ ଓ ବିଧବାଗଣ ପ୍ରତି ଦୟା କରିବେ ନାହିଁ; ଯେହେତୁ ପ୍ରତ୍ୟେକ ଲୋକ ଧର୍ମହୀନ ଓ ଦୁରାଚାରୀ ଓ ପ୍ରତ୍ୟେକ ମୁଖ ମୂଢ଼ତାଭାଷୀ । ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।୧୮. ଯେହେତୁ ଦୁଷ୍ଟତା ଅଗ୍ନି ପରି ଜ୍ଵଳେ; ତାହା କାନକୋଳି ଓ କଣ୍ଟକ ବୃକ୍ଷ ଗ୍ରାସ କରେ; ଆହୁରି, ତାହା ବନର ନିବିଡ଼ ସ୍ଥାନରେ ଜ୍ଵଳି ଘନ ମେଘ ତୁଲ୍ୟ ଧୂମ ହୋଇ ଉପରକୁ ଉଠେ ।୧୯. ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଦେଶ ଦଗ୍ଧ ହୋଇଅଛି; ମଧ୍ୟ ଲୋକମାନେ ଅଗ୍ନି ପାଇଁ କାଷ୍ଠ ତୁଲ୍ୟ ଅଟନ୍ତି; କେହି ଆପଣା ଭ୍ରାତାକୁ ଦୟା କରେ ନାହିଁ ।୨୦. ତହିଁରେ ଲୋକେ ଦକ୍ଷିଣ ହସ୍ତରେ ଛଡ଼ାଇବେ, ପୁଣି କ୍ଷୁଧିତ ହେବେ; ପୁଣି, ବାମ ହସ୍ତରେ ଭୋଜନ କରିବେ ଓ ତୃପ୍ତ ନୋହିବେନ୍ତ ସେମାନେ ପ୍ରତ୍ୟେକେ ଆପଣା ଆପଣା ବାହୁର ମାଂସ ଭୋଜନ କରିବେ;୨୧. ମନଃଶି ଇଫ୍ରୟିମର ଓ ଇଫ୍ରୟିମ ମନଃଶିର, ପୁଣି ସେମାନେ ଏକତ୍ର ହୋଇ ଯିହୁଦାର ପ୍ରତିକୂଳ ହେବେ । ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି ।ଯିଶାଇୟ ୧୦:୧-୩୪୧. ଯେଉଁମାନେ ଅଧର୍ମ ବ୍ୟବସ୍ଥା ସ୍ଥାପନ କରନ୍ତି ଓ ଯେଉଁ ଲେଖକମାନେ ଉପଦ୍ରବର କଥା ଲେଖନ୍ତି, ସେମାନେ ସନ୍ତାପର ପାତ୍ର!୨. ସେମାନେ ବିଧବାମାନଙ୍କୁ ଆପଣାମାନଙ୍କର ଲୁଟଦ୍ରବ୍ୟ ସ୍ଵରୂପ କରିବା ପାଇଁ, ପିତୃହୀନମାନଙ୍କୁ ଆପଣାମାନଙ୍କର ମୃଗୟା ସ୍ଵରୂପ କରିବା ପାଇଁ, ଦରିଦ୍ରମାନଙ୍କୁ ନ୍ୟାୟ-ବିଚାରରୁ ଫେରାଇ ଦିଅନ୍ତି ଓ ମୋହର ଦୁଃଖୀ ଲୋକମାନଙ୍କର ଅଧିକାର ହରଣ କରନ୍ତି ।୩. ଏଣୁ ପ୍ରତିଫଳ ଦେବାର ଦିନରେ ଓ ଦୂରରୁ ଆସନ୍ତା ବିନାଶ ସମୟରେ ତୁମ୍ଭେମାନେ କଅଣ କରିବ? ସାହାଯ୍ୟ ନିମନ୍ତେ ତୁମ୍ଭେମାନେ କାହା ନିକଟକୁ ପଳାଇବ? ଓ ତୁମ୍ଭମାନଙ୍କର ପ୍ରତାପ କେଉଁଠାରେ ରଖିବ?୪. ସେମାନେ କେବଳ ବନ୍ଦୀ ଲୋକମାନଙ୍କର ପଦ ତଳେ ନତ ହେବେ ଓ ହତ ଲୋକମାନଙ୍କର ତଳେ ପଡ଼ିବେ । ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।୫. ହାୟ ଅଶୂର! ସେ ଆମ୍ଭର କ୍ରୋଧରୂପ ଦଣ୍ତ, ତାହାର ହସ୍ତରେ ଆମ୍ଭର କୋପରୂପ ଯଷ୍ଟି ଅଛି ।୬. ଆମ୍ଭେ ତାହାକୁ ଲୁଟିତ ଦ୍ରବ୍ୟ ଓ ମୃଗୟା ନେଇ ଯିବା ନିମନ୍ତେ ଓ ଲୋକମାନଙ୍କୁ ବାଟର କାଦୁଅ ତୁଲ୍ୟ ଦଳିତ କରିବା ନିମନ୍ତେ ଧର୍ମହୀନ ଗୋଷ୍ଠୀର ଓ ଆମ୍ଭ କ୍ରୋଧପାତ୍ର ଲୋକମାନଙ୍କ ବିରୁଦ୍ଧରେ ଆଜ୍ଞା ଦେବା ।୭. ତଥାପି ତାହାର ଅଭିପ୍ରାୟ ସେପରି ନୁହେଁ, କିଅବା ତାହାର ହୃଦୟ ସେପରି ଭାବେ ନାହିଁ; ମାତ୍ର ବିନାଶ କରିବାକୁ ଓ ଅନେକ ଗୋଷ୍ଠୀଙ୍କୁ ଉଚ୍ଛିନ୍ନ କରିବାକୁ ତାହାର ହୃଦୟରେ ଅଛି ।୮. କାରଣ ସେ କହେ, ଆମ୍ଭର ଅଧିପତିଗଣ ସମସ୍ତେ କି ରାଜା ନୁହନ୍ତି?୯. କଲ୍ନୋ କି କର୍କମୀଶ୍ର ତୁଲ୍ୟ ନୁହେଁ? ହମାତ୍ କି ଅର୍ପଦର ତୁଲ୍ୟ ନୁହେଁ? ଶମରୀୟା କି ଦାମାସ୍କସ୍ ତୁଲ୍ୟ ନୁହେଁ?୧୦. ଯେଉଁ ପ୍ରତିମାଗଣର ରାଜ୍ୟସକଳର ଖୋଦିତ ମୂର୍ତ୍ତିସମୂହ, ଯିରୂଶାଲମର ଓ ଶମରୀୟାର ମୂର୍ତ୍ତିଗଣ ଅପେକ୍ଷା ଶ୍ରେଷ୍ଠ, ସେସବୁ ରାଜ୍ୟ ଆମ୍ଭର ହସ୍ତଗତ ହୋଇଅଛି;୧୧. ଆମ୍ଭେ ଶମରୀୟା ଓ ତାହାର ପ୍ରତିମାଗଣ ପ୍ରତି ଯେପରି କରିଅଛୁ, ଯିରୂଶାଲମ ଓ ତାହାର ପ୍ରତିମାଗଣ ପ୍ରତି କʼଣ ସେପରି କରିବା ନାହିଁ?୧୨. ଏହେତୁ ଏପରି ଘଟିବ ଯେ, ପ୍ରଭୁ ସିୟୋନ ପର୍ବତରେ ଓ ଯିରୂଶାଲମରେ ଆପଣାର ସମସ୍ତ କାର୍ଯ୍ୟ ସାଧନ କଲା ଉତ୍ତାରେ ଆମ୍ଭେ ଅଶୂର-ରାଜର ଅହଙ୍କାରମୟ ଚିତ୍ତରୂପ ଫଳର ଓ ତାହାର ଉଚ୍ଚ ଦୃଷ୍ଟିରୂପ ଆଡ଼ମ୍ଵରର ପ୍ରତିଫଳ ଦେବା।୧୩. କାରଣ ସେ କହିଅଛି, ମୁଁ ବୁଦ୍ଧିମାନ ହେବାରୁ ଆପଣା ହସ୍ତର ବଳ ଓ ଆପଣା ଜ୍ଞାନ ଦ୍ଵାରା ଏହା କରିଅଛି; ପୁଣି, ମୁଁ ନାନା ଗୋଷ୍ଠୀର ସୀମା ଦୂର କରିଅଛି ଓ ସେମାନଙ୍କର ସଞ୍ଚିତ ଧନ ହରଣ କରିଅଛି, ଆଉ ମୁଁ ବିକ୍ରମଶାଳୀ ଲୋକ ତୁଲ୍ୟ ସିଂହାସନୋପବିଷ୍ଟ ଲୋକମାନଙ୍କୁ ତଳକୁ ଓହ୍ଲାଇ ଆଣିଅଛି;୧୪. ପୁଣି, ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସା ତୁଲ୍ୟ ପ୍ରାପ୍ତ ହୋଇଅଛି ଓ କେହି ଯେପରି ତ୍ୟକ୍ତ ଡିମ୍ଵ ସଂଗ୍ରହ କରେ, ସେପରି ମୁଁ ସମୁଦାୟ ପୃଥିବୀକି ସଂଗ୍ରହ କରିଅଛି; ଆଉ, ପକ୍ଷ ହଲାଇବାକୁ କିଅବା ଚଞ୍ଚୁ ଫିଟାଇବାକୁ ଅବା ଚିଁ ଚିଁ ଶଦ୍ଦ କରିବାକୁ କେହି ନ ଥିଲା ।୧୫. କୁହ୍ରାଡ଼ି କʼଣ ତଦ୍ଦ୍ଵାରା ଛେଦନକର୍ତ୍ତା ବିରୁଦ୍ଧରେ ଦର୍ପ କରିବଣ? କରତ କʼଣ କରତୀୟାର ପ୍ରତିକୂଳରେ ଆପଣାକୁ ଶ୍ରେଷ୍ଠ କରିବ? ଯେଉଁମାନେ ଦଣ୍ତ ଉଠାନ୍ତି, ଦଣ୍ତ କʼଣ ସେମାନଙ୍କୁ ହଲାଇବ? ଯେ କାଷ୍ଠ ନୁହେଁ, ଯଷ୍ଟି କʼଣ ତାହାକୁ ଉଠାଇବ?୧୬. ଏହେତୁ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ତାହାର ସ୍ଥୂଳକାୟ ଲୋକମାନଙ୍କ ମଧ୍ୟରେ କ୍ଷୀଣତା ପଠାଇବେ ଓ ତାହାର ପ୍ରତାପର ତଳେ ଅଗ୍ନିଦାହ ତୁଲ୍ୟ ଦାହ ହେବ ।୧୭. ପୁଣି, ଇସ୍ରାଏଲର ଜ୍ୟୋତିଃ ଅଗ୍ନି ସ୍ଵରୂପ ହେବ ଓ ତାହାର ଧର୍ମସ୍ଵରୂପ ଅଗ୍ନିଶିଖା ସଦୃଶ ହେବେ, ଆଉ ତାହା ଜ୍ଵଳି ଏକ ଦିନରେ ତାହାର କାନକୋଳି ଓ କଣ୍ଟକ ବୃକ୍ଷସବୁ ଗ୍ରାସ କରିବ ।୧୮. ଆଉ, ସେ ତାହାର ବନ ଓ ଉର୍ବରା କ୍ଷେତ୍ରର ଗୌରବକୁ ପ୍ରାଣ ଓ ଶରୀର ସୁଦ୍ଧା ସଂହାର କରିବେ; ତହିଁରେ ଧ୍ଵଜାଧାରୀ କ୍ଷୀଣ ହେବା ବେଳେ ଯେପରି ହୁଏ, ସେପରି ହେବ ।୧୯. ପୁଣି, ତାହାର ବନର ଅବଶିଷ୍ଟ ବୃକ୍ଷ ଏତେ ଅଳ୍ପ ହେବ ଯେ, ଗୋଟିଏ ବାଳକ ତାହା ଲେଖି ପାରିବ ।୨୦. ପୁଣି, ସେଦିନରେ ଏପରି ଘଟିବ ଯେ, ଇସ୍ରାଏଲର ଅବଶିଷ୍ଟାଂଶ ଓ ଯାକୁବ-ବଂଶର ରକ୍ଷାପ୍ରାପ୍ତ ଲୋକେ ଆପଣାମାନଙ୍କ ପ୍ରହାରକାରୀର ଉପରେ ଆଉ ନିର୍ଭର କରିବେ ନାହିଁ; ମାତ୍ର ସେମାନେ ସତ୍ୟ ଭାବରେ ଇସ୍ରାଏଲର ଧର୍ମସ୍ଵରୂପ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବେ ।୨୧. ଅବଶିଷ୍ଟାଂଶ, ଅର୍ଥାତ୍, ଯାକୁବର ଅବଶିଷ୍ଟାଂଶ, ପରାକ୍ରା; ପରମେଶ୍ଵରଙ୍କ ନିକଟକୁ ଫେରି ଆସିବେ ।୨୨. କାରଣ ତୁମ୍ଭ ଇସ୍ରାଏଲ ଲୋକେ ସମୁଦ୍ରର ବାଲି ପରି ହେଲେ ହେଁ ସେମାନଙ୍କର କେବଳ ଅବଶିଷ୍ଟାଂଶ ଫେରି ଆସିବେ; ଧାର୍ମିକତାର ବଢ଼ି ସ୍ଵରୂପ ଉଚ୍ଛିନ୍ନତା ନିରୂପିତ ହୋଇଅଛି ।୨୩. ଯେହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ସମୁଦାୟ ପୃଥିବୀରେ ଉଚ୍ଛିନ୍ନତା, ନିରୂପିତ ଉଚ୍ଛିନ୍ନତା, ସିଦ୍ଧ କରିବେ ।୨୪. ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ହେ ସିୟୋନ ନିବାସୀ ଆମ୍ଭର ଲୋକମାନେ, ଯଦ୍ୟପି ଅଶୂର ମିସରର ରୀତି ଅନୁସାରେ ତୁମ୍ଭକୁ ଦଣ୍ତାଘାତ କରେ ଓ ତୁମ୍ଭ ବିପରୀତରେ ଆପଣା ଯଷ୍ଟି ଉଠାଏ, ତଥାପି ତାହା ବିଷୟରେ ଭୀତ ହୁଅ ନାହିଁ ।୨୫. କାରଣ ଅତ୍ୟଳ୍ପ କାଳ ଉତ୍ତାରେ କ୍ରୋଧ ଓ ସେମାନଙ୍କ ବିନାଶରେ ଆମ୍ଭର କୋପ ସିଦ୍ଧ ହେବ ।୨୬. ପୁଣି, ସୈନ୍ୟାଧିପତି ସଦାପ୍ରଭୁ, ଓରେବ ଶୈଳରେ ମିଦୀୟନର ହତ୍ୟା କାଳରେ ଯେପରି କରିଥିଲେ, ସେପରି ତାହାର ପ୍ରତିକୂଳରେ ଆପଣା କୋରଡ଼ା ହଲାଇବେ; ଆଉ, ତାହାଙ୍କର ଦଣ୍ତ ସାଗର ଉପରେ ରହିବ ଓ ମିସରର ରୀତି ଅନୁସାରେ ସେ ତାହା ଉଠାଇବେ ।୨୭. ପୁଣି, ସେଦିନରେ ତାହାର ବୋଝ ତୁମ୍ଭ ସ୍କନ୍ଧରୁ ଓ ତାହାର ଯୁଆଳି ତୁମ୍ଭ ଗ୍ରୀବାରୁ ଦୂର କରାଯିବ, ପୁଣି ଅଭିଷେକ ସକାଶୁ ଯୁଆଳି ବିନଷ୍ଟ ହେବ ।୨୮. ସେ ଅୟାତକୁ ଆସିଅଛି, ସେ ମିଗ୍ରୋଣ ମଧ୍ୟ ଦେଇ ଯାଇଅଛି; ସେ ମିକ୍ମସରେ ଆପଣା ଦ୍ରବ୍ୟ ସାମଗ୍ରୀ ରଖୁଅଛି;୨୯. ସେମାନେ ଘାଟି ପାର ହୋଇ ଯାଇଅଛନ୍ତି; ସେମାନେ ଗେବାରେ ବସା କରିଅଛନ୍ତି; ରାମା କମ୍ପୁଅଛି; ଶାଉଲର ଗିବୀୟା ପଳାୟନ କରିଅଛି ।୩୦. ଆଗୋ ଗଲ୍ଲୀମର କନ୍ୟେ, ତୁମ୍ଭେ ଆପଣା ରବରେ ଉଚ୍ଚ ଶଦ୍ଦ କର, ହେ ଲୟିଶ୍, କର୍ଣ୍ଣପାତ କର, ଆଃ ଦୁଃଖିନୀ ଅନାଥୋତ୍,୩୧. ମଦମେନା ପଳାତକ ହୋଇଅଛି; ଗେବୀମ ନିବାସୀମାନେ ପଳାଇବା ପାଇଁ ଏକତ୍ର ହେଉଅଛନ୍ତି ।୩୨. ସେ ଆଜି ନୋବରେ ରହିବ; ସେ ସିୟୋନ କନ୍ୟାର ପର୍ବତ ଯିରୂଶାଲମ ଗିରି ପ୍ରତି ହସ୍ତ ହଲାଉଅଛି ।୩୩. ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଭୟଙ୍କର ରୂପରେ ଶାଖାସବୁ କାଟି ପକାଇବେ; ପୁଣି, ଉଚ୍ଚ ଆକୃତିସବୁ ହଣା ଯିବ ଓ ଉନ୍ନତସବୁ ନତ କରାଯିବ ।୩୪. ସେ ଲୌହ ଦ୍ଵାରା ବନର ନିବିଡ଼ ସ୍ଥାନସବୁ କାଟି ପକାଇବେ, ପୁଣି ଏକ ମହାପରାକ୍ରମୀ ଦ୍ଵାରା ଲିବାନୋନ ନିପାତିତ ହେବ ।ଗୀତସଂହିତା ୧୦୬:୧-୫୧. ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ । ତାହାଙ୍କର ଦୟା ଅନନ୍ତକାଳସ୍ଥାୟୀ ।୨. ସଦାପ୍ରଭୁଙ୍କ ବିକ୍ରମର କାର୍ଯ୍ୟସବୁ କିଏ ବର୍ଣ୍ଣନା କରିପାରେ? ଓ ତାହାଙ୍କ ପ୍ରଶଂସାସବୁ କିଏ ପ୍ରକାଶ କରିପାରେ?୩. ଯେଉଁମାନେ ନ୍ୟାୟ ରକ୍ଷା କରନ୍ତି, ସେମାନେ ଧନ୍ୟ ଓ ଯେ ସବୁବେଳେ ଧର୍ମାଚରଣ କରେ, ସେ ଧନ୍ୟ ।୪. ହେ ସଦାପ୍ରଭୋ, ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ବହିଥାଅ, ତଦନୁସାରେ ମୋତେ ସ୍ମରଣ କର; ତୁମ୍ଭେ ଆପଣା ପରିତ୍ରାଣ ଘେନି ମୋହର ତତ୍ତ୍ଵ ନିଅ;୫. ତହିଁରେ ମୁଁ ତୁମ୍ଭ ମନୋନୀତ ଲୋକଙ୍କର ସମୃଦ୍ଧି ଦେଖିବି, ତୁମ୍ଭ ଲୋକମାନଙ୍କ ଆନନ୍ଦରେ ଆନନ୍ଦ କରିବି, ତୁମ୍ଭ ଅଧିକାର ସହିତ ଦର୍ପ କରିବି ।ହିତୋପଦେଶ ୨୫:୧-୨୧. ନିମ୍ନଲିଖିତ ହିତୋପଦେଶସକଳ ହିଁ ଶଲୋମନଙ୍କ ରଚିତ ଓ ଯିହୁଦାର ରାଜା ହିଷକୀୟର ଲୋକମାନେ ତାହା ଉତ୍ତାରିଥିଲେ ।୨. ବିଷୟ ଗୋପନ କରିବା ପରମେଶ୍ଵରଙ୍କର ଗୌରବ; ମାତ୍ର ବିଷୟର ଅନୁସନ୍ଧାନ କରିବାର ରାଜାଙ୍କର ଗୌରବ ।୨ କରିନ୍ଥୀୟ ୧:୧-୨୪୧. ପାଉଲ, ଈଶ୍ଵରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା ତୀମଥି, କରିନ୍ଥରେ ଥିବା ଈଶ୍ଵରଙ୍କ ମଣ୍ତଳୀ, ପୁଣି ସମୁଦାୟ ଆଖାୟାରେ ଥିବା ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛନ୍ତି;୨. ଆମ୍ଭମାନଙ୍କ ପିତା ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।୩. ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ଵର ଓ ପିତା ଧନ୍ୟ, ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ଵନାଦାତା ଈଶ୍ଵର;୪. ଈଶ୍ଵରଙ୍କ ଦ୍ଵାରା ଯେଉଁ ସାନ୍ତ୍ଵନାରେ ଆମ୍ଭେମାନେ ସାନ୍ତ୍ଵନାପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ଵନା ଦ୍ଵାରା ଯେପରି ସମସ୍ତ ପ୍ରକାର କ୍ଳେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ଵନା ଦେଇପାରୁ, ଏଥିପାଇଁ ସେ ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ଆମ୍ଭମାନଙ୍କୁ ସାନ୍ତ୍ଵନା ପ୍ରଦାନ କରନ୍ତି ।୫. କାରଣ ଖ୍ରୀଷ୍ଟଙ୍କ ସକାଶେ ଆମ୍ଭମାନଙ୍କ ଦୁଃଖଭୋଗ ଯେପରି ପ୍ରଚୁର, ସେହିପରି ଖ୍ରୀଷ୍ଟଙ୍କ ଦ୍ଵାରା ଆମ୍ଭମାନଙ୍କର ସାନ୍ତ୍ଵନା ମଧ୍ୟ ପ୍ରଚୁର ।୬. କିନ୍ତୁ ଆମ୍ଭେମାନେ ଦୁଃଖଭୋଗ କଲେ ତାହା ତୁମ୍ଭମାନଙ୍କର ସାନ୍ତ୍ଵନା ଓ ପରିତ୍ରାଣ ନିମନ୍ତେ; କିମ୍ଵା ଆମ୍ଭେମାନେ ସାନ୍ତ୍ଵନା ପ୍ରାପ୍ତ ହେଲେ ତାହା ତୁମ୍ଭମାନଙ୍କର ସାନ୍ତ୍ଵନା ନିମନ୍ତେ; ଆମ୍ଭେମାନେ ଯେଉଁ ପ୍ରକାର ଦୁଃଖଭୋଗ କରୁ, ସେହି ପ୍ରକାର ଦୁଃଖଭୋଗ ଧୈର୍ଯ୍ୟ ସହିତ ସହ୍ୟ କରିବାରେ ସେହି ସାନ୍ତ୍ଵନା କାର୍ଯ୍ୟ ସାଧନ କରୁଅଛି ।୭. ଆଉ, ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଭରସା ଅଟଳ, ଯେଣୁ ତୁମ୍ଭେମାନେ ଯେପରି ଦୁଃଖଭୋଗର ସହଭାଗୀ, ସେହିପରି ମଧ୍ୟ ସାନ୍ତ୍ଵନାର ଯେ ସହଭାଗୀ ଅଟ, ଏହା ଆମ୍ଭେମାନେ ଜାଣୁ ।୮. କାରଣ, ହେ ଭାଇମାନେ, ଆସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଳେଶ ସମ୍ଵନ୍ଧରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ; ଆମ୍ଭେମାନେ ଆମ୍ଭମାନଙ୍କ ଶକ୍ତିରୁ ଅତିରିକ୍ତ ରୂପେ ଭାରଗ୍ରସ୍ତ ହୋଇଥିଲୁ, ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ;୯. ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ଵର ମୃତମାନଙ୍କୁ ଉଠାନ୍ତି, ତାହାଙ୍କ ଉପରେ ନିର୍ଭର କରୁ;୧୦. ସେ ଆମ୍ଭମାନଙ୍କୁ ଏପରି ଭୟାନକ ମୃତ୍ୟୁରୁ ଉଦ୍ଧାର କଲେ ଓ ଉଦ୍ଧାର କରିବେ, ପୁଣି ସେ ଯେ ଭବିଷ୍ୟତରେ ସୁଦ୍ଧା ଉଦ୍ଧାର କରିବେ, ତାହାଙ୍କଠାରେ ଆମ୍ଭମାନଙ୍କର ଏହି ଭରସା ଅଛି;୧୧. ତୁମ୍ଭେମାନେ ତ ମଧ୍ୟ ଯୋଗ ଦେଇ ପ୍ରାର୍ଥନାରେ ଆମ୍ଭମାନଙ୍କର ଉପକାର କରୁଅଛ, ଯେପରି ଆମ୍ଭମାନଙ୍କୁ ଯେଉଁ ଅନୁଗ୍ରହଦାନ ଦତ୍ତ ହୋଇଅଛି, ସେଥିନିମନ୍ତେ ଅନେକଙ୍କ ମୁଖରୁ ଆମ୍ଭମାନଙ୍କ ସକାଶେ ବହୁଳ ଧନ୍ୟବାଦ ଦିଆଯାଏ ।୧୨. ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ଵରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବ ଅନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ ।୧୩. କାରଣ ତୁମ୍ଭେମାନେ ଯାହା ଯାହା ପାଠ କରି ବୁଝି ପାର, ସେହିସବୁ ବିନା, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଆଉ କିଛି ଲେଖୁ ନାହୁଁ,୧୪. ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଦିନରେ ତୁମ୍ଭେମାନେ ଯେପ୍ରକାରେ ଆମ୍ଭମାନଙ୍କ ଦର୍ପର କାରଣ, ସେହିପ୍ରକାରେ ଆମ୍ଭେମାନେ ଯେ ତୁମ୍ଭମାନଙ୍କ ଦର୍ପର କାରଣ, ଏହା ତୁମ୍ଭେମାନେ ଯେପରି ଆମ୍ଭମାନଙ୍କ ବିଷୟରେ ଆଂଶିକ ଭାବରେ ବୁଝିଅଛ, ସେପରି ଶେଷ ପର୍ଯ୍ୟନ୍ତ ବୁଝୁଥିବ ବୋଲି ମୁଁ ଭରସା କରୁଅଛି ।୧୫. ଆଉ, ତୁମ୍ଭେମାନେ ଯେପରି ଦ୍ଵିତୀୟ ଥର ଅନୁଗ୍ରହ ଲାଭ କରି ପାର,୧୬. ପୁଣି, ତୁମ୍ଭମାନଙ୍କ ନିକଟ ଦେଇ ମାକିଦନିଆକୁ ଯାଇ ଓ ପୁନର୍ବାର ମାକିଦନିଆରୁ ତୁମ୍ଭମାନଙ୍କ ନିକଟକୁ ଆସି ତୁମ୍ଭମାନଙ୍କ ସାହାଯ୍ୟରେ ଯିହୁଦା ପ୍ରଦେଶକୁ ଯାତ୍ରା କରି ପାରେ, ଏଥିପାଇଁ ମୁଁ ସେହି ବିଶ୍ଵାସରେ ପ୍ରଥମରେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରୁଥିଲି ।୧୭. ତେବେ ଏହିପ୍ରକାର ଇଚ୍ଛା କରିବାରେ ମୁଁ କଅଣ ଲଘୁ ଭାବରେ ଆଚରଣ କରିଥିଲି? ଅବା, ମୁଁ ଯାହା ସଙ୍କଳ୍ପ କରିଥାଏ, ତାହା କଅଣ ସାଂସାରିକ ଭାବରେ କରିଥାଏ ଯେ, ମୋହର କଥା ହଁ ଓ ନା ଉଭୟ ହୁଏ?୧୮. କିନ୍ତୁ ଈଶ୍ଵର ବିଶ୍ଵାସ୍ୟ, ଏଣୁ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ବାକ୍ୟ ହଁ ଓ ନା ହୁଏ ନାହିଁ ।୧୯. କାରଣ ଈଶ୍ଵରଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁ, ଯେ ଆମ୍ଭମାନଙ୍କ ଦ୍ଵାରା, ଅର୍ଥାତ୍, ମୋʼ ଦ୍ଵାରା ଏବଂ ସିଲ୍ଵାନ ଓ ତୀମଥିଙ୍କ ଦ୍ଵାରା ତୁମ୍ଭମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ସେ ହଁ ଓ ନା ହୋଇ ନାହାନ୍ତି, ବରଂ ତାହାଙ୍କଠାରେ ହଁ ହୋଇଅଛି ।୨୦. ଯେଣୁ ଈଶ୍ଵରଙ୍କର ଯେତେ ପ୍ରତିଜ୍ଞା, ସେସମସ୍ତର ହଁ ତାହାଙ୍କଠାରେ ଅଛି; ଏଥିସକାଶେ ମଧ୍ୟ ତାହାଙ୍କ ଦ୍ଵାରା ଈଶ୍ଵରଙ୍କ ଗୌରବ ଉଦ୍ଦେଶ୍ୟରେ ଆମ୍ଭେମାନେ ଆମେନ୍ କହିଥାଉ ।୨୧. ପୁଣି, ଯେ ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି, ସେ ଈଶ୍ଵର;୨୨. ସେ ମଧ୍ୟ ଆମ୍ଭମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି ଓ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ଵରୂପେ ଦାନ କରିଅଛନ୍ତି ।୨୩. କିନ୍ତୁ ମୁଁ ଈଶ୍ଵରଙ୍କୁ ସାକ୍ଷୀ ମାନି ମୋʼ ପ୍ରାଣର ଶପଥ କରୁଅଛି ଯେ, ତୁମ୍ଭମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥକୁ ପୁନର୍ବାର ଯାଇ ନାହିଁ ।୨୪. ତୁମ୍ଭମାନଙ୍କ ବିଶ୍ଵାସ ଉପରେ ଯେ ଆମ୍ଭମାନଙ୍କର ପ୍ରଭୁତ୍ଵ ଅଛି, ତାହା ନୁହେଁ, ବରଂ ତୁମ୍ଭମାନଙ୍କର ଆନନ୍ଦ ନିମନ୍ତେ ତୁମ୍ଭମାନଙ୍କର ସହକାର୍ଯ୍ୟକାରୀ ଅଟୁ; ଯେଣୁ ବିଶ୍ଵାସରେ ତୁମ୍ଭେମାନେ ସ୍ଥିର ହୋଇ ରହିଅଛ । Odia Bible (OROV) 2014 Copyright © 2014 by The Bible Society of India